/odisha-reporter/media/media_files/2026/02/14/collector-2026-02-14-17-46-29.jpg)
କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍। ରାଜ୍ୟସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ଅଧୀନରେ ଥିବା କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଜରିଆରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ନୋଟିସ୍ ଜାରି କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କ ସହ ଅନ୍ୟ ବିଜେଡି ସାଂସଦଙ୍କ ପକ୍ଷରୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ଲିଖିତ ଅଭିଯୋଗକୁ ଗ୍ରହଣ କରି କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ନୋଟିସ ଜାରି କରାଯାଇଛି।
ଗତ ଜାନୁଆରୀ ୨୩ ତାରିଖରେ କଟକରେ ନେତାଜୀ ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଜିଲ୍ଲାର ଅନ୍ୟ ବିଧାୟକ, ସିଏମସି ମେୟର ସହ କଟକ ସାଂସଦଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଡକାଯାଇନଥିଲା। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ ମୁଖ ଅତିଥି ଭାବେ ଯୋଗଦେଇଥିଲେ । ଦେବାଶିଷ ଅଭିଯୋଗ କରିଥିଲେ ଯେ କେଉଁ ଆଧାରରେ ଜିଲ୍ଲାପାଳ ତାଙ୍କୁ ନିମନ୍ତ୍ରଣ କରି ନଥିଲେ। ଏହା ରାଜ୍ୟସଭା ପାଇଁ ଅପମାନ ବୋଲି କହିଥିଲେ।
କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଘଟଣାରେ ଦେବାଶିଷ କହିଛନ୍ତି, ଏ ବାବଦରେ ମୁଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲି। ତାଙ୍କ ନିର୍ଦ୍ଦେଶ କ୍ରମେ DOPT ବିଭାଗ ଘଟଣାର ଅନୁଧ୍ୟାନ କରିବ। ପୂର୍ବରୁ ପ୍ରୋଟୋକଲ ମାନି ମତେ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଛନ୍ତି। ବର୍ତ୍ତମାନ ମୋ ସହ ଏଭଳି କାହିଁକି କଲେ ମୁଁ ଜାଣିନାହିଁ। ଇମେଲ୍ରେ ନିମନ୍ତ୍ରଣ କରିଥିଲେ। ଇମେଲ୍ରେ ନିମନ୍ତ୍ରଣ ଯଥେଷ୍ଟ ନୁହେଁ। ରାତି ସାଢ଼େ ୮ ଟାରେ ଇମେଲ୍ ଆସିଥିଲା। ତା’ପର ଦିନ ସକାଳେ କାର୍ଯ୍ୟକ୍ରମ ଥିଲା। ଇମେଲ୍ ମୋ ରାଜ୍ୟସଭା ଅଫିସକୁ ଆସିଥିଲା। ଫଳକ ଓ ନିମନ୍ତ୍ରଣ କାର୍ଡରେ ମୋ ନାଁ ରଖି ନଥିଲେ। ଆଶା କରିବି ବିଭାଗ ଘଟଣାର ତର୍ଜମା କରି ପଦକ୍ଷେପ ନେବ। ମୁଁ ଅନେକ IAS ଅଧିକାରୀଙ୍କୁ ଦେଖିଛି ଓ ତାଙ୍କ ସହ କାମ କରିଛି। ଏ ଜିଲ୍ଲାପାଳ ଲୋକ ପ୍ରତିନିଧିଙ୍କ ପ୍ରୋଟୋକଲ ମାନୁନାହାନ୍ତି କିମ୍ବା ସମ୍ମାନ କରୁନାହାନ୍ତି।
ରାଜ୍ୟସଭାରେ କ’ଣ କହିଥିଲେ ଦେବାଶିଷ
ସାଂସଦ ଶ୍ରୀ ସାମନ୍ତରାୟ ଫେବ୍ରୁଆରୀ ୩ ତାରିଖରେ ରାଜ୍ୟସଭାରେ କହିଥିଲେ, ଯେତେବେଳେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଅବା କ୍ୟାବିନେଟ ମନ୍ତ୍ରୀମାନେ ଆମ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସନ୍ତି, ସାଂସଦ ଭାବେ ଆମକୁ ନିମନ୍ତ୍ରଣ କରାଯାଏ। ଆମେ ସେମାନଙ୍କ ସହିତ ପୋଡିୟମ ବା ଷ୍ଟେଜରେ ଉପସ୍ଥିତ ରହୁ। ନିକଟରେ ନେତାଜୀ ଜୟନ୍ତୀ ଅବସରରେ ଭାରତର ଉପରାଷ୍ଟ୍ରପତି କଟକ ଗସ୍ତରେ ଯାଇଥିଲେ। ସେଠାରେ ସେ ନେତାଜୀଙ୍କ ସ୍ମୃତିରେ ଏକ କୋଠାର ଉଦ୍ଘାଟନ କରିଥିଲେ। ଉକ୍ତ କୋଠାର ଶିଳାନ୍ୟାସ କରିଥିଲେ ନବୀନ ପଟ୍ଟନାୟକ। ସେତେବେଳେ ମୁଁ କଟକର ବିଧାୟକ ଥିଲି। ରାଜ୍ୟସଭା ସାଂସଦ ଭାବେ ମୋର ନୋଡାଲ ଜିଲ୍ଲା ହେଉଛି କଟକ। ଲୋକସଭା ସାଂସଦ, ସ୍ଥାନୀୟ ଅଞ୍ଚଳର ସମସ୍ତ ଦଳର ବିଧାୟକଙ୍କୁ ଉକ୍ତ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ମୋତେ ନିମନ୍ତ୍ରଣ କରାଯାଇ ନଥିଲା। ଏହା କେବଳ ମୋ ପ୍ରତି ଅପମାନ ନଥିଲା। ଏହା ଏହି ଗୃହ (ରାଜ୍ୟସଭା) ପ୍ରତି ଅସମ୍ମାନ ଥିଲା। ଗୃହର ଅଧ୍ୟକ୍ଷଙ୍କୁ ମୁଁ ଅନୁରୋଧ ତଥା ଦାବି କରୁଛି ଯେ ରାଜ୍ୟସଭାର ସଦସ୍ୟଙ୍କ ସମ୍ମାନାର୍ଥେ କଟକ ଜିଲ୍ଲାପାଳଙ୍କୁ ଏକ ସ୍ୱାଧୀକାର ଭଙ୍ଗ ନୋଟିସ୍ ଜାରି କରାଯାଉ।
ସାଂସଦ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇବା ପରେ କଟକ ଜିଲ୍ଲାପାଳ କହିଥିଲେ ଯେ ତାଙ୍କୁ ଇମେଲ ଯୋଗେ ନିମନ୍ତ୍ରଣ କରାଯାଇଥିଲା। କେଉଁଠି ଯୋଗାଯୋଗରେ ଭୁଲ୍ ରହିଗଲା, ସେ ନେଇ ସେ ବ୍ୟକ୍ତିଗତ ଭାବେ ସାଂସଦଙ୍କ ସହିତ କଥା ହେବେ ବୋଲି କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
