/odisha-reporter/media/post_attachments/uploads/2016/05/nuapada.jpg)
nuapada
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ବାଦିବାହାଲ ଗାଁରେ ଝାଡ଼ାବାନ୍ତି ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଅବସ୍ଥାରେ ଖଡ଼ିଆଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକ ଦ୍ୱୟ ହେଲେ ପୁଷ୍ପା ଗୌଡ଼ ଓ ବୁଦ୍ଧି ଗୌଡ଼।
ବାଦିବାହାଲ ଗାଁରେ ମଙ୍ଗଳବାର ଏକ ନାମଯଜ୍ଞ ହୋଇଥିଲା। ନାମଯଜ୍ଞରେ ଗାଁର ଗୋଟିଏ ପରିବାରର ସମସ୍ତେ ଭୋଜନ କରିଥିଲେ। ତେବେ ଗତକାଲି ଅପରାହ୍ନରେ ହଠାତ ସେମାନଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ପ୍ରଥମେ ସେମାନଙ୍କୁ ସିନାପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଖଡ଼ିଆଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସିନାପାଲି ଡାକ୍ତରଖାନାରେ ପୁଷ୍ପା ଗୌଡ଼ଙ୍କର ମୃତ୍ୟୁ ହୋଇଥିବା ବେଳେ ଖଡ଼ିଆଳ ଡାକ୍ତରଖାନାରେ ଜୀବନ ହାରି ଥିଲେ ବୁଦ୍ଧି ଗୌଡ଼।
ଖଡ଼ିଆଳ ଡାକ୍ତରଖାନାର ଡାକ୍ତର ପି.ସି. ଆଚାରୀ କହିଛନ୍ତି,“ମଙ୍ଗଳବାର ଦିନ ଓ ରାତିରେ ଏକ ନାମଯଜ୍ଞ କାର୍ଯ୍ୟକ୍ରମରେ ଏହି ପରିବାରର ସମସ୍ତ ସଦସ୍ୟ ଭୋଜନ କରିଥିଲେ। ସେଠାରେ ଅନ୍ୟ ଲୋକମାନେ ବି ଖାଇଥିଲେ। କିନ୍ତୁ ସେମାନଙ୍କର ଝାଡ଼ାବାନ୍ତି ହୋଇନାହିଁ। ତେଣୁ ଅନୁମାନ କରାଯାଉଛି ଦୂଷିତ ପାଣି ପିଇବା ଯୋଗୁଁ ଏହି ପରିବାରର ସଦସ୍ୟମାନଙ୍କର ଝାଡ଼ାବାନ୍ତି ହୋଇଛି। ସେମାନେ ନାମଯଜ୍ଞରୁ ଘରକୁ ଫେରିବା ପରେ ଗତକାଲି ଅପରାହ୍ନ ପ୍ରାୟ ୨ଟା ପରେ ଝାଡ଼ାବାନ୍ତିର ଶିକାର ହୋଇଥିଲେ। ପ୍ରଥମେ ଝାଡ଼ା ହୋଇଥିଲା ଓ ପରେ ପରେ ବାନ୍ତି ହୋଇଥିଲା। ଗତକାଲି ରାତି ପ୍ରାୟ ୧୨ଟାରେ ଏହି ଅସୁସ୍ଥମାନଙ୍କୁ ଆମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୭୦ ବର୍ଷ ପାଖାପାଖି ବୁଦ୍ଧି ଗୌଡ଼ଙ୍କର ରାତି ପ୍ରାୟ ୩ଟା ବେଳକୁ ମୃତ୍ୟୁ ଘଟିଥିଲା।”
ସେ କହିଛନ୍ତି,“ଅସୁସ୍ଥଙ୍କ ମଧ୍ୟରେ ୧୫ରୁ ୧୬ ବର୍ଷ ଓ ୧୬ରୁ ୧୮ ବର୍ଷର ଦୁଇ ଜଣ ଝିଅ ଅଛନ୍ତି। ସେହିପରି ୨ ବର୍ଷର ଆଉ ଏକ ଝିଅ ସହିତ ୮ରୁ୧୦ ବର୍ଷର ଏକ ବାଳକ ମଧ୍ୟ ରହିଛି। ତିନି ଜଣ ଝିଅଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥାରେ ସୁଧାର ଆସିଛି। ଜଣେ ଗର୍ଭବତୀ ମହିଳା ବି ଅଛନ୍ତି। ତାଙ୍କର ବି ଝାଡ଼ାବାନ୍ତି ଏଠାକୁ ଆସିବା ପରେ ନିୟନ୍ତ୍ରଣକୁ ଆସିଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
