Advertisment

Nuapada Byelection: ୮୧.୬୩% ମତଦାନ, ୧୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌, ୧୪ରେ  ଗଣତି

୩ ପ୍ରମୁଖ ଦଳଙ୍କର ପରସ୍ପର ପ୍ରତି ଆରୋପ-ପ୍ରତ୍ୟାରୋପ ମଧ୍ୟରେ ନୂଆପଡ଼ାରେ ମତଦାନ ଶାନ୍ତିପୂର୍ଣ୍ଣ ହୋଇଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି । ନିର୍ବାଚନ ମଇଦାନରେ ୧୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ଓ ଆସନ୍ତା ୧୪ତାରିଖରେ ଗଣତି ସହ ଫଳାଫଳ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି ।

author-image
Prakash Sethi
NUAPADA-ELECTION--VOTING

Voters waiting outside the Booth

ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ଶେଷ ଖବର (ରାତି ସାଢେ଼ ୧୦ଟା )ସୁଦ୍ଧା ୮୧.୬୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ନିର୍ବାଚନ ମଇଦାନରେ ୧୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ଓ ଆସନ୍ତା ୧୪ତାରିଖରେ ଗଣତି ସହ ଫଳାଫଳ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି । ୩ ପ୍ରମୁଖ ଦଳଙ୍କର ପରସ୍ପର ପ୍ରତି ଆରୋପ-ପ୍ରତ୍ୟାରୋପ ମଧ୍ୟରେ ନୂଆପଡ଼ାରେ ମତଦାନ ଶାନ୍ତିପୂର୍ଣ୍ଣ ହୋଇଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ।

Advertisment

ଭୋଟ୍ ପାଇଁ ନୂଆପଡ଼ାବାସୀଙ୍କ ଉତ୍ସାହ

ଉପନିର୍ବାଚନ ପାଇଁ ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିଲା । ସକାଳ ୯ଟା ସୁଦ୍ଧା ମାତ୍ର ୧୪.୯୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବାବେଳେ ୩ଟା ସୁଦ୍ଧା ଏହା ୬୫.୨୦ ପ୍ରତିଶତ ଓ ୫ଟା ସୁଦ୍ଧା ୭୫.୩୭ପ୍ରତିଶତ ରେକର୍ଡ କରାଯାଇଥିଲା ।  ୨୦୨୪ ସାଧାରଣ ନିର୍ବାଚନରେ ନୂଆପଡ଼ା ବିଧାନସଭା ଆସନରେ ୭୫.୪୪% ମତଦାନ ହୋଇଥିଲା। ମତଦାନ ପାଇଁ ସ୍ଥାନୀୟ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ବିଶେଷକରି ଗ୍ରାମାଂଚଳରେ ଭୋଟରମାନେ ବହୁ ସଂଖ୍ୟାରେ ନିଜର ମତାଧିକାର ସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଛି । ନୂଆପଡ଼ା ବିଧାନସଭା ମଣ୍ଡଳୀରେ ମୋଟ ପ୍ରାୟ ୨ଲକ୍ଷ ୫୩ହଜାର ୬୨୪ ଭୋଟର ଥିବାବେଳେ ନିର୍ବାଚନ କମିଶନଙ୍କ ଶେଷ ତଥ୍ୟ ଅନୁସାରେ(ରାତି ସାଢେ଼ ୧୦ଟା ସୁଦ୍ଧା) ମୋଟ ମତଦାନ ୮୧.୬୩% ରେକର୍ଡ କରାଯାଇଛି ।

ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଛି : ସିଇଓ

ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର.ଏସ୍ ଗୋପାଳନ କହିଛନ୍ତି ଯେ, ନୂଆପଡ଼ା ବିଧାନସଭା ମଣ୍ଡଳୀର ସମସ୍ତ ୪୭ଟି ସମ୍ବେଦନଶୀଳ ବୁଥରେ ଭୋଟିଂ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ସୁନାବେଡ଼ାର ୮ଟି ଅତି ସମ୍ବେଦନଶୀଳ ବୁଥରେ ମତଦାନ ଶେଷ ହୋଇଛି । ସୁନାବେଡ଼ାରୁ ହେଲିକପ୍ଟର ଯୋଗେ ପୋଲିଂ ପାର୍ଟି ଫେରି ଆସିଛନ୍ତି । ୧୬୫ଟି ବୁଥରେ ମତଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହୋଇଛି । ବାକି ମତଦାନ କେନ୍ଦ୍ରଗୁଡ଼ିକରେ ୫ଟା ସୁଦ୍ଧା ମତଦାନ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । ଭୋଟ୍ କେନ୍ଦ୍ରଗୁଡ଼ିକରେ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ରଖାଯାଇଥିଲା ଏବଂ ଜିଲ୍ଲା ଓ ରାଜ୍ୟ ମୁଖ୍ୟାଳୟରୁ ଏହାର ସିଧାସଳଖ ତଦାରଖ କରାଯାଉଥିଲା । ସମସ୍ତ ସମ୍ବେଦନଶୀଳ କେନ୍ଦ୍ର ସମେତ ସବୁ ଅଂଚଳରେ ଭୋଟ୍ ଗ୍ରହଣ ଶାନ୍ତିପୂର୍ଣ୍ଣ ରହିଥିଲା । ଷ୍ଟ୍ରଙ୍ଗରୁମ୍ ଯାଂଚ ସରିଛି । ଆସନ୍ତାକାଲି ସୁଦ୍ଧା ଏହାକୁ ସିଲ୍ କରାଯିବ ବୋଲି ଶ୍ରୀ ଗୋପାଳନ ସୂଚନା ଦେଇଛନ୍ତି ।

Advertisment

୨ ପ୍ରିଜାଇଡିଂ ଅଫିସର ନିଲମ୍ବିତ, ଗୁଜବକୁ ଖାରଜ

ଉପନିର୍ବାଚନ(nuapada byelection)କୁ ସ୍ୱଚ୍ଛ, ପାରଦର୍ଶୀ ଓ ଅବାଧ କରିବା ନିମନ୍ତେ ନିର୍ବାଚନ ଆୟୋଗ ଦୁଇଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କରିଛନ୍ତି । ଭୋଟ୍ ଗୋପନୀୟତା ଉଲ୍ଲଙ୍ଘନ ଅଭିଯୋଗରେ ବୁଥ୍ ନମ୍ବ ୩୬ (କୁଳିଆବନ୍ଧା)ର ପ୍ରିଜାଇଡିଂ ଅଧିକାରୀ ଧନଞ୍ଜୟ ମଲ୍ଲିକ୍ ଏବଂ ବୁଥ୍ ନମ୍ବର ୪୬ର (ବିରୋମଲ)ର ପ୍ରିଜାଇଡିଂ ଅଫିସର ସନ୍ଦୀପ କୁମାର ସ୍ୱାଇଁଙ୍କୁ ନିଲମ୍ବିତ କରାଯାଇଛି । ଜଣେ ବୃଦ୍ଧା ମତଦାତାଙ୍କ ସହଯାତ୍ରୀ ତାଙ୍କ ଭୋଟ୍ ଦେବାରେ ହସ୍ତକ୍ଷେପ କରିଥିଲେ ।

 ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଏହା ଗୋପନୀୟତା ଉଲ୍ଲଙ୍ଘନ । ତେଣୁ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସେହିପରି ଅନ୍ୟ ଏକ ଘଟଣାରେ, ବୁଥ୍ ନମ୍ବର-୨୫୦ରେ ଗୋଟିଏ ବଟନ ଚିପିଲେ ଅନ୍ୟ ଗୋଟେ ଚିହ୍ନକୁ ଯାଉଥିବା ଅଭିଯୋଗକୁ ସିଇଓ ଶ୍ରୀ ଗୋପାଳନ ଗୁଜବ ବୋଲି କହିଛନ୍ତି । ସେଠାରେ ଯାଂଚ ପରେ ଏହା ସମ୍ପୂର୍ଣ୍ଣ ଗୁଜବ ବୋଲି ଜାଣିଲୁ ଓ ଭୋଟିଂ ଠିକଠାକ୍ ହୋଇଛି ବୋଲି ସେ କହିଛନ୍ତି ।

ସେହିପରି ବୁଥ ନମ୍ବର-୩୪୧ରେ ତାଙ୍କ ଭୋଟ୍ ଅନ୍ୟ କେହି ଦେଇଦେଇଛି ବୋଲି ଜୟନ୍ତୀ ଛତ୍ରିଆ ନାମକ ଜଣେ ମହିଳା ଭୋଟର ଅଭିଯୋଗ କରିଥିଲେ । କିନ୍ତୁ ସେ ପ୍ରିଜାଇଡିଂ ଅଫିସରଙ୍କୁ ଅଭିଯୋଗ କରିନଥିଲେ । ସେଭଳି ଅଭିଯୋଗ ଆସିଲେ ଟେଣ୍ଡର ଭୋଟିଂ ବ୍ୟବସ୍ଥା ରହିଥିବା ସିଇଓ ସ୍ପଷ୍ଟ କରିଥିଲେ । ବୁଥ ନମ୍ବର-୧୧ ବାହାରେ ପାର୍ଟି ସମ୍ବଲ ସହ ଚିରକୁଟି ଧରି କିଛି ମହିଳା ବୁଥ ବାହାରେ ବସିଥିବା ଅଭିଯୋଗ ହୋଇଥିଲା । ସେମାନଙ୍କଠୁ ସେସବୁ ସାମଗ୍ରୀ ଜବତ କରାଯାଇଥିବା ଶ୍ରୀ ଗୋପାଳନ କହିଛନ୍ତି ।

ଯାନ୍ତ୍ରିକ ତ୍ରୁଟି ଓ ତୁରନ୍ତ ସମାଧାନ

ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, କେତେକ ଭୋଟ୍ କେନ୍ଦ୍ରରେ ବୈଷୟିକ ତ୍ରୁଟି ଦେଖାଦେଇଥିଲେ ମଧ୍ୟ ତାହାକୁ ତୁରନ୍ତ ସମାଧାନ କରାଯାଇଥିଲା । ବୁଥ୍ ନମ୍ବର ୭୬ (ମଙ୍ଗରାପାଲି, ଖରିଆର ରୋଡ୍‌) ରେ ଇଭିଏମ୍ ସମ୍ବନ୍ଧୀୟ ସମସ୍ୟା ତୁରନ୍ତ ସମାଧାନ କରାଗଲା । ବୁଥ୍ ନମ୍ବର ୮୦ରେ ଋଠଗର ସଂପୂର୍ଣ୍ଣ ସେଟ୍ (୧ ନିୟନ୍ତ୍ରଣ ୟୁନିଟ୍‌, ୧ ଭୋଟିଂ ୟୁନିଟ୍‌, ୧ ଭିଭିପାଟ୍‌) ପରିବର୍ତ୍ତନ କରାଯାଇଥିଲା । ଏହା ବ୍ୟତୀତ ବୁଥ୍ ନମ୍ବର ୨୪୬ ରେ ଗୋଟିଏ ସେଟ୍ ଇଭିଏମ୍ ବଦଳାଯାଇଥିଲା ଏବଂ ବୁଥ୍ ନମ୍ବର ୨୯୮ ରେ ଦିନ ମଧ୍ୟରେ ଦୁଇ ଥର ଭିଭିପାଟ୍ ପରିବର୍ତ୍ତନ କରାଯାଇଥିଲା ।

nuapada byelection