
Nuapada Byelection
ନୂଆପଡ଼ା ଉପନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ସହ ଭୋଟରଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ଉପରେ ନିର୍ବାଚନ ଆୟୋଗ ଗୁରୁତ୍ୱ ଦେଇଛନ୍ତି । ୧୧ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଆଉ ୯ତାରିଖ ଅପରାହ୍ନ ୪ଟାରୁ ନିର୍ବାଚନମଣ୍ଡଳୀରେ ‘ସାଇଲେନ୍ସ ଆୱାର’ ବା ନିରବ ଅବଧିକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଏହି ସାଇଲେନ୍ସ ଆୱାରରେ ସମସ୍ତ ପ୍ରକାରର ପ୍ରଚାର ଉପରେ କଟକଣା ଜାରି କରାଯିବା ସହ ବାହାର ଲୋକମାନଙ୍କୁ ନିର୍ବାଚନମଣ୍ଡଳୀ ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଏହି ଗାଇଡଲାଇନ୍ ବା ନିର୍ଦ୍ଦେଶାବଳୀକୁ ଉଲ୍ଲଘଂନ କରିବେ ସେମାନଙ୍କୁ ୨ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିର୍ବାଚନ ଆୟୋଗ ଚେତାଇ ଦେଇଛନ୍ତି ।
ସାଇଲେନ୍ସ ଆୱାର ପାଇଁ ଗାଇଡଲାଇନ୍ ଜାରି
ନୂଆପଡ଼ାରେ ଅବାଧ ଓ ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ କରାଇବାକୁ ନିର୍ବାଚନ ଆୟୋଗ ପ୍ରାଥମିକତା ଦେଉଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର ଏସ ଗୋପାଳନ , ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ପ୍ରମୋଦ ସାହୁ ଓ ଉପମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ମୀପ୍ରସାଦ ସାହୁ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଉପନିର୍ବାଚନରେ ଭୋଟରଙ୍କୁ ନିରପେକ୍ଷ ନିଷ୍ପତ୍ତି ନେବା ପାଇଁ ସୁଯୋଗ ଦେବା ନିମନ୍ତେ ନିର୍ବାଚନ ଆୟୋଗ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି । ୧୧ତାରିଖରେ ଭୋଟଗ୍ରହଣ ଶେଷ ହେବାର ୪୮ଘଣ୍ଟା ପୂର୍ବରୁ ଅର୍ଥାତ୍ ନଭେମ୍ବର ୯ତାରିଖ ଅପରାହ୍ନ ୪ଟାରୁ ସମଗ୍ର ନୂଆପଡ଼ା ବିଧାନସଭା ମଣ୍ଡଳୀରେ ‘ସାଇଲେନ୍ସ ଆୱାର’ ଆରମ୍ଭ ହେବ । ଏହି ନିରବ ଅବଧି ଆରମ୍ଭ ହେବା ପୂର୍ବରୁ ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟକୁ ଶେଷ କରିବାକୁ ରାଜନୀତିକ ଦଳ ଓ ପ୍ରାର୍ଥୀମାନଙ୍କୁୁ ନିର୍ଦ୍ଦେଶ ଦିଆଯାଇଛି ।
ଅଣଭୋଟରଙ୍କୁ ନିର୍ବାଚନମଣ୍ଡଳୀ ଛାଡ଼ିବାକୁ ନିର୍ଦ୍ଦେଶ
ଯେଉଁମାନେ ନୂଆପଡ଼ା ବିଧାନସଭା ମଣ୍ଡଳୀର ଭୋଟର କିମ୍ବା ସ୍ଥାନୀୟ ଅଧିବାସୀ ନୁହଁନ୍ତି ସେମାନଙ୍କୁ ୯ତାରିଖ ଅପରାହ୍ନ ୪ଟା ପୂର୍ବରୁ ଉକ୍ତ ଅଂଚଳ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅପରାହ୍ନ ୪ଟାରେ ପ୍ରଚାର ଅବଧି ଶେଷ ହେବାପରେ ବାହାର ଲୋକ ରହିବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ଏହି ନିୟମକୁ କଡ଼ାକଡ଼ି ଯାଂଚ କରିବା ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ କଲ୍ୟାଣ ମଣ୍ଡପ, କମ୍ୟୁନିଟି ହଲ୍, ଲଜ୍, ଗେଷ୍ଟ ହାଉସ ଓ ହୋଟେଲଗୁଡ଼ିକ ମଧ୍ୟ ଯାଂଚ କରାଯିବ । ସେହିପରି ସୀମାବର୍ତ୍ତୀ ଅଂଚଳରେ ଚେକ୍ ପୋଷ୍ଟ ସ୍ଥାପନ କରାଯାଇ ନିର୍ବାଚନମଣ୍ଡଳୀ ବାହାରୁ ଆସୁଥିବା ଯାନବାହାନ ଉପରେ ତୀକ୍ଷ୍ଣ ନଜର ରଖାଯିବ । କେବଳ ସ୍ଥାନୀୟ ଭୋଟରମାନେ ରହୁଛନ୍ତି କି ନାହିଁ ସେଥିପାଇଁ ଆବଶ୍ୟକ ପଡ଼ିଲେ ସେମାନଙ୍କ ପରିଚୟ ପତ୍ର ଯାଂଚ ମଧ୍ୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୋସିଆଲ ମିଡିଆ ସମେତ ସମସ୍ତ ପ୍ରକାରର ପ୍ରଚାର ନିଷେଧ
ସେହିପରି ସମସ୍ତ ବ୍ୟକ୍ତିବିଶେଷ ଓ ରାଜନୈତିକ ଦଳଗୁଡ଼ିକୁ ୪୮ ଘଣ୍ଟାର ସାଇଲେନ୍ସ ଆୱାର ମଧ୍ୟରେ ଫେସବୁକ୍, ଟ୍ୱିଟର (ଏକ୍ସ), ଇନଷ୍ଟାଗ୍ରାମ, ହ୍ୱାଟସଆପ୍ କିମ୍ବା ୟୁ-ଟ୍ୟୁବ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭୋଟରଙ୍କ ମତାମତକୁ ପ୍ରଭାବିତ କରିବା ଭଳି କୌଣସି ରାଜନୈତିକ ବିଷୟବସ୍ତୁ, ପୋଷ୍ଟ ବା ଫରୱାର୍ଡ ନକରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ଟିଭି, ରେଡିଓ ଓ ଡିଜିଟାଲ ମିଡିଆ ପ୍ଲାଟଫର୍ମରେ ଭୋଟରଙ୍କୁ ପ୍ରଭାବିତ କରିବା ଭଳି ନିର୍ବାଚନ ସଂକ୍ରାନ୍ତ ପ୍ରସାରଣ ଉପରେ କଟକଣା ଜାରି ହୋଇଛି । ପ୍ରିଣ୍ଟ ମିଡିଆରେ ଭୋଟଗ୍ରହଣ ଦିନ କିମ୍ବା ଏହା ପୂର୍ବ ଦିନ କୌଣସି ରାଜନୀତିକ ବିଜ୍ଞାପନ ପ୍ରକାଶିତ ହୋଇପାରିବ ନାହିଁ ।
ଜନ ପ୍ରତିନିଧି ଆଇନ-୧୯୫୧ର ଧାରା ୧୨୬ ଅନୁଯାୟୀ, ସାଇଲେନ୍ସ ଆୱାରରେ କୌଣସି ପ୍ରକାରର ସାଧାରଣ ସଭା, ଶୋଭାଯାତ୍ରା, ସିନେମା, ଟେଲିଭିଜନ କିମ୍ବା ଅନ୍ୟ କୌଣସି ସମାନ ମାଧ୍ୟମରେ ନିର୍ବାଚନୀ ବିଷୟବସ୍ତୁ ପ୍ରଦର୍ଶନ କରିବା ଉପରେ ସମ୍ପୂର୍ଣ୍ଣ କଟକଣା ରହିବ । ଏହାବ୍ୟତୀତ ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ସଂଗୀତ, ସାଂସ୍କୃତିକ ବା ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ନିୟମ ଉଲ୍ଲଂଘନ କଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରେ ।
୧.୨୨କୋଟି ଟଙ୍କା ନଗଦ ଜବତ, ୫୭ଟି ସମ୍ବେଦନଶୀଳ ବୁଥ୍
ମୁଖ୍ୟ ନିର୍ବାଚନ ଅଧିକାରୀ(Chief Electoral Officer ) ଙ୍କ ସୂଚନା ଅନୁସାରେ, ନୂଆପଡ଼ା ନିର୍ବାଚନମଣ୍ଡଳୀର ମୋଟ ୩୫୮ଟି ବୁଥ୍ ମଧ୍ୟରୁ ୫୭ଟି ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ସେହିପରି ନିର୍ବାଚନ ଆଚରଣବିଧି ଉଲ୍ଲଘଂନର ମାମଲା ମଧ୍ୟ ସାମ୍ନାକୁ ଆସିଛି । ନୂଆପଡ଼ା ନିର୍ବାଚନମଣ୍ଡଳୀରେ ମୋଟ ୧ କୋଟି ୨୨ ଲକ୍ଷ ଟଙ୍କାର ନଗଦ ଜବତ ସହ ପ୍ରାୟ ୧ କୋଟି ୩୨ ଲକ୍ଷ ଟଙ୍କାର ମାଦକ ଦ୍ରବ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । nuapada byelection ଆଦର୍ଶ ଆଚରଣ ବିଧି ଲାଗୁ ହେବା ଦିନରୁ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଅବକାରୀ ବିଭାଗ ୮୬ ଲିଟର ବିଅର୍, ୪୨ ଲିଟର ବିଦେଶୀ ମଦ, ୬୯୬୩ ଲିଟର ହାତ ରନ୍ଧା ମଦ, ୧୫୧୨ ଲିଟର ବାହାର ଭାଟି ମଦ, ୬୦ କିଲୋଗ୍ରାମ ଗଞ୍ଜେଇ ଏବଂ ୧,୭୧, ୩୦୦ କିଲୋଗ୍ରାମ ମହୁଲ ପୋଚ ଜବତ କରିଛନ୍ତି। ଏସବୁର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ୦୩ ହଜାର ୭୫୬ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହା ସହିତ ୮ ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ୨୪୨ ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଛି ଓ ୧୩୪ ଜଣଙ୍କୁ ଗିରଫ କରାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
