Advertisment

Nuapada Byelection: ବିଜେଡିର ଅଭିଯୋଗକୁ ଭିତ୍ତିହୀନ କହି ଖାରଜ କଲେ ସିଇଓ, ଆସନ୍ତାକାଲି ଭୋଟ୍‌

ବିଜେଡିର ଏଭଳି ଅଭିଯୋଗ ମଧ୍ୟରେ ଆସନ୍ତାକାଲି ଭୋଟଗ୍ରହଣ ହେବ । ନିର୍ବାଚନମଣ୍ଡଳୀର ସମସ୍ତ ୩୫୮ଟି ମତଦାନ କେନ୍ଦ୍ର ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏହି ଉପନିର୍ବାଚନରେ ମୋଟ ୨.୫୩ ଲକ୍ଷ ଭୋଟର ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

author-image
Odisha Reporter
CEO-Election

CEO Press Meet: Allegations Rejected, Voting Tomorrow

ରାତି ପାହିଲେ ନୂଆପଡ଼ା ଉପନିର୍ବାଚନ  ପାଇଁ ଭୋଟ ଗ୍ରହଣ ଆରମ୍ଭ ହେବ । ମୁଖ୍ୟ ବିରୋଧୀ ଦଳ ବିଜେଡିର ‘ଇଭିଏମ୍ ମେସିନ’କୁ ନେଇ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) । ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସିଇଓ ଆରଏସ୍ ଗୋପାଳନ ବିଜେଡିର ନାଁ ନନେଇ ଇଭିଏମ୍ ମେସିନ ସଂକ୍ରାନ୍ତ ରେ ଗୋଟିଏ ରାଜନୀତିକ ଦଳ ଓ ଗୋଟିଏ ଟିଭି ଚ୍ୟାନେଲ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି । ପୂର୍ବରୁ ବିଜେଡି ମଧ୍ୟ ଅନୁରୂପ ଅଭିଯୋଗ ଆଣି ଗତ ୭ତାରିଖରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫ୍ଲାଇଟକୁ ଉଡ଼ାଣ ପାଇଁ ଅନୁମତି ଦେବାରେ ବିଳମ୍ବ କରାଯାଉଥିବା କହିଥିଲା, ଯାହାକୁ ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ । ତେବେ ଉପନିର୍ବାଚନକୁ ନେଇ ବିଜେଡି ଭଳି ଏକ ରାଜନୀତିକ ଦଳ କାହିଁକି ବାରମ୍ବାର ମିଛ କହି ନିଜର ବିଶ୍ୱସନୀୟତାକୁ ସଙ୍କଟ ଭିତରକୁ ଠେଲି ଦେଉଛି ତଥା ଦଳର ଅଭିଯୋଗକୁ ସରକାରୀ ସଂସ୍ଥାଗୁଡ଼ିକ ଖଣ୍ଡନ କରିବା ପରେ ଦଳ ଚୁପ୍ ହୋଇ ବସିଯିବା ସିଧାସଳଖ ଦଳର ମିଛକୁ ପଦାରେ ପକାଇ ଦେଇଥିବା ଜଣାପଡ଼ିଛି ।

Advertisment


ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ଓ ସ୍ଥାନାନ୍ତର ଅସମ୍ଭବ: ସିଇଓ


ଗଞ୍ଜାମ ଜିଲ୍ଲାରୁ ଇଭିଏମ୍ ବୋଝେଇ ଟ୍ରକ ଗୁପ୍ତ ଭାବେ ନୂଆପଡ଼ା ପଠାଯାଇଥିବା ନେଇ ବିଜେଡିର ଅଭିଯୋଗ ଉପରେ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସିଇଓ(CEO) ଶ୍ରୀ ଗୋପାଳନ । ସେ ବିଜେଡିର ନାଁ ନନେଇ କହିଛନ୍ତି ଯେ, ଗୋଟିଏ ଦଳ ଇଭିଏମ୍ ସ୍ଥାନାନ୍ତରକୁ ନେଇ ଯେଉଁ ଅଭିଯୋଗ କରିଥିଲା ଓ ଗୋଟିଏ ଟିଭି ଚ୍ୟାନେଲ ଏହାର ଯାଂଚ ନକରି ଏହାକୁ ପ୍ରସାରଣ କରିଥିବାରୁ ନିର୍ବାଚନ ଆୟୋଗ ଏହା ଉପରେ ପ୍ରତିକ୍ରିୟା ଦେବାକୁ ଜରୁରୀ ମନେ କରିଛନ୍ତି । ତେବେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଅସମ୍ଭବ । ନୂଆପଡ଼ା ଉପନିର୍ବାଚନ ପାଇଁ ବ୍ୟବହୃତ ସମସ୍ତ ଇଭିଏମ୍ ମେସିନ୍ କେବଳ ସେହି ଜିଲ୍ଲାର ସୁରକ୍ଷିତ ଗୋଦାମରୁ ନିଆଯାଇଛି । ପ୍ରତ୍ୟେକ ଜିଲ୍ଲାର ନିଜସ୍ୱ ସୁରକ୍ଷିତ ଇଭିଏମ୍ ଗୋଦାମ ରହିଛି ଯାହା ପୁଲିସ ଓ ସିସିଟିଭି ନିରୀକ୍ଷଣରେ ରହିଥାଏ ।


ରାଜନୀତିକ ଦଳ(ବିଜେଡିର ନାଁ ନନେଇ)ର ଅଭିଯୋଗର ସତ୍ୟତା ଜାଣିବା ପାଇଁ ଗଞ୍ଜାମ ଜିଲ୍ଲାର ଇଭିଏମ୍ ଗୋଦାମର ସିସିଟିଭି ଫୁଟେଜ୍ ଯାଂଚ କରାଯାଇଥିଲା । ସେଠାରେ କୌଣସି ପ୍ରକାରର ଅସ୍ୱାଭାବିକ ଗତିବିଧି ଦେଖାଯାଇନାହିଁ । ଗଞ୍ଜାମରୁ ନୂଆପଡ଼ା କିମ୍ବା ଅନ୍ୟ କୌଣସି ସ୍ଥାନରୁ ନୂଆପଡ଼ାକୁ କୌଣସି ପ୍ରକାରର ଇଭିଏମ୍ ସ୍ଥାନାନ୍ତର ହୋଇନାହିଁ । ନୂଆପଡ଼ା ଉପ ନିର୍ବାଚନ ପାଇଁ ବ୍ୟବହୃତ ସମସ୍ତ ଇଭିଏମ୍ ମେସିନର ସିରିଏଲ୍ ନମ୍ବର ଉପଲବ୍ଧ ଅଛି ଏବଂ ଏହି ସମସ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ସ୍ୱଚ୍ଛ । ଏହାସହିତ ନୂଆପଡ଼ାରେ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ମତଦାନ ପାଇଁ ନିର୍ବାଚନ ଆୟୋଗ ପ୍ରତିଶ୍ରୁତିବଦ୍ଧ ବୋଲି ସିଇଓ ସ୍ପଷ୍ଟ କରିଥିଲେ ।
 ବିଜେଡି ଅଭିଯୋଗ କରିଥିଲା ଯେ, ଗଞ୍ଜାମ ଜିଲ୍ଲାରୁ ଇଭିଏମ୍ ବୋଝେଇ ଟ୍ରକ ଗୁପ୍ତ ଭାବରେ ନୂଆପଡ଼ାକୁ ପଠାଯାଇଛି ଓ ଏହାକୁ ୩୨ଟି ବୁଥରେ ବ୍ୟବହୃତ କରାଯିବ ।

Advertisment


ସାନି ଅଭିଯୋଗ କଲା ବିଜେଡି


ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ପୂର୍ବାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ‘ଏକ୍ସ’ ମାଧ୍ୟମରେ ସାନି ଅଭିଯୋଗ କରିଛନ୍ତି । ସେ ଟ୍ୱିଟ୍ ମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ, ମତଦାନର ୩୬ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିବା ‘ସାଇଲେନ୍ସ ପିରିଅଡ୍‌' ସମୟରେ ବାହାର ଜିଲ୍ଲାର ବିଜେପି ମନ୍ତ୍ରୀ ଓ ବିଧାୟକମାନେ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ବୁଲି ଭୋଟରଙ୍କୁ ପ୍ରଭାବିତ ପାଇଁ ଚେଷ୍ଟା କରୁଛନ୍ତି । ଏହି କାର୍ଯ୍ୟକଳାପକୁ ବିରୋଧ କରୁଥିବା ସ୍ଥାନୀୟ ବିଜେଡି ନେତାମାନଙ୍କୁ ପୁଲିସ୍ ଅଟକ ରଖୁଛି, ଯାହା ଜିଲ୍ଲା ପ୍ରଶାସନର ପକ୍ଷପାତିତାକୁ ଦର୍ଶାଉଛି ।  ତୁରନ୍ତ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଓ ନିରପେକ୍ଷତା ବଜାୟ ରଖିବାକୁ ସେ ଦାବି କରିଛନ୍ତି । 


ନବୀନଙ୍କ ଫ୍ଲାଇଟ୍ ବିଳମ୍ବକୁ ନେଇ ମିଛ କହିଥିଲା ବିଜେଡି


ଗତ ନଭେମ୍ବର ୭ତାରିଖରେ ନୂଆପଡ଼ା ପ୍ରଚାର ପାଇଁ ଯିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିମାନକୁ ଅନୁମତି ଦେବାରେ ଜାଣିଶୁଣି ବିଳମ୍ବ କରାଗଲା ବୋଲି ଗଣମାଧ୍ୟମରେ ବିଜେଡି ଅଭିଯୋଗ କରଥିଲା । ଯାହାକୁ ପରବର୍ତ୍ତୀ ସମୟରେ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଖଣ୍ଡନ କରଇଥିଲେ । ସେ କହିଥିଲେ ଯେ, ନବୀନଙ୍କ ଫ୍ଲାଇଟ୍ ଅପରେଟର ଫ୍ଲାଇଟ୍ ପ୍ଲାନ୍ ଠିକ୍ ସମୟରେ ଦାଖଲ କରି ନଥିଲେ । ଯେଉଁଥିପାଇଁ ଏୟାର ଡିଫେନ୍ସ କ୍ଲିଅରାନ୍ସ ନମ୍ବର ମିଳିବାରେ ବିଳମ୍ବ ହୋଇଥିଲା । ଏହି ତ୍ରୁଟି ଯୋଗୁଁ  ବିମାନ ଉଡ଼ାଣ କରିବାରେ ପ୍ରାୟ ୨୫ ମିନିଟ୍ ବିଳମ୍ବ ହୋଇଥିଲା । ଏହି ଘଟଣାରେ ଫ୍ଲାଇଟ୍ ଅପରେଟରଙ୍କ ତ୍ରୁଟି ଥିବା ସତ୍ତ୍ୱେ ଶାସକ ଦଳ ଓ ସରକାରଙ୍କୁ ବିଜେଡି ଟାର୍ଗେଟ୍ କରିବାକୁ ପଛାଇ ନଥିଲା ।


ବିଜେଡିର ବିଶ୍ୱସନୀୟତା ସଙ୍କଟରେ


ଇଭିଏମ ମେସିନ୍ ସ୍ଥାନାନ୍ତର ଓ ନବୀନଙ୍କ ବିମାନ ଉଡ଼ାଣ ବିଳମ୍ବ ଭଳି ଦୁଇଟି ସଙ୍ଗୀନ ଅଭିଯୋଗ ବିଜେଡି ଆଣିଥିଲା । ଯାହାକୁ ଉଭୟ ନିର୍ବାଚନ ଅଧିକାରୀ ଓ ବିମାନ ବନ୍ଦର ଅଧିକାରୀ ଖାରଜ କରିସାରିଛନ୍ତି । ଆଉ ଏହି ଅଭିଯୋଗ ିଥ୍ୟା ପ୍ରମାଣିତ ହୋଇଥିବାରୁ ନବୀନ ନିଜ ଏକ୍ସ ମାଧ୍ୟମରେ ଯେଉଁ ସାନି ଅଭିଯୋଗ କରିଛନ୍ତି ତାକୁ ନେଇ ମଧ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଉପନିର୍ବାଚନରେ ଶସ୍ତା ପ୍ରଚାର ଓ ଭୋଟରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବିଜେଡିର ଏଭଳି ଅଭିଯୋଗଗୁଡ଼ିକ ଏବେ ଦଳର ବିଶ୍ୱସନୀୟତାକୁ ମଧ୍ୟ ସଙ୍କଟ ଭିତରକୁ ଠେଲି ଦେଇଛି ।


ଆସନ୍ତାକାଲି ଭୋଟ୍

ବିଜେଡିର ଏଭଳି ଅଭିଯୋଗ ମଧ୍ୟରେ nuapada byelection ପାଇଁ ଆସନ୍ତାକାଲି ଭୋଟଗ୍ରହଣ ହେବ । ନିର୍ବାଚନମଣ୍ଡଳୀର ସମସ୍ତ ୩୫୮ଟି ମତଦାନ କେନ୍ଦ୍ର ପାଇଁ ପ୍ରସ୍ତୁତି ଶେଷ ହୋଇଛି । ସେଥିମଧ୍ୟରୁ ୫୭ଟି ବୁଥ୍ ସମ୍ବେଦନଶୀଳ ଭାବରେ ଚିହ୍ନଟ କରାଯାଇଛି, ଯେଉଁଥିରୁ ୪୭ଟି ବୁଥ୍ ନକ୍ସଲ ପ୍ରଭାବିତ ଅଂଚଳରେ ରହିଛି । ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ସିଆରପିଏଫ୍ ଓ ଓଡ଼ିଶା ପୁଲିସକୁ ନିୟୋଜିତ କରାଯାଇଛି । ଏହି ଉପନିର୍ବାଚନରେ ମୋଟ ୨.୫୩ ଲକ୍ଷ ଭୋଟର ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

CEO nuapada byelection