Advertisment

Nuapada Byelection : ଚଢ଼ାଉ ପଛରେ କିଏ, କାହିଁକି ଖାଲି ହାତରେ ଫେରୁଛି ପୁଲିସ୍‌, ନିର୍ବାଚନ କମିଶନ ଚୁପ୍ କାହିଁକି

ଯଦିଓ କୌଣସି ସୂଚନା ଆଧାରରେ ବିନା ୱାରେଣ୍ଟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମ୍ ତଲାସୀ କରିବା ଆଇନତଃ ବୈଧ ବୋଲି ନିର୍ବାଚନ କମିଶନଙ୍କ ଦ୍ୱାରା ୨୦୧୫ ମେ’ ୨୯ତାରିଖର ମୂଳ ଏସଓପି ଏବଂ ୨୦୨୧ ମେ’ ୬ତାରିଖରେ ଜାରି ଏସଓପି(ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର)ରୁ ଜଣାପଡ଼ିଛି ।

BJD-workers-in-Nuapada-ByEl

- BJD workers stopped and held up the Magistrate’s vehicle in Nuapada.

Advertisment

ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତିକ ଉଷ୍ମତା ବଢ଼ିବାରେ ଲାଗିଛି । ନୂଆପଡ଼ା ଭୋଟରଙ୍କ ନିରବତା ମଧ୍ୟରେ ବିଜେଡି ଓ ବିଜେପିର ହାଇଭୋଲଟେଜ୍ ପ୍ରଚାରକୁ କଡ଼ା ଟକ୍କର ଦେଉଛି କଂଗ୍ରେସ । ତେବେ ଏସବୁ ମଧ୍ୟରେ ପୁଲିସ ପ୍ରଶାସନର କାର୍ଯ୍ୟ ଏବେ ଶାସକ ବିଜେପି ପାଇଁ ଅଡ଼ୁଆ ବଢ଼ାଇବାରେ ଲାଗିଛି । ୩ଦିନ ବ୍ୟବଧାନରେ ଦୁଇଥର ଚଢ଼ାଉ କରି ଖାଲି ହାତରେ ଫେରିବା ପରେ ପୁଲିସ ପ୍ରଶାସନର ବିଶ୍ୱସନୀୟତା ସଙ୍କଟରେ ପଡ଼ିଛି ତଥା ସରକାରଙ୍କ ଭାବମୂର୍ତ୍ତି  ପ୍ରତି ଅଙ୍ଗୁଳି ଉଠାଇବାର ସୁଯୋଗ ବିରୋଧୀ ଦଳଙ୍କୁ ମିଳିଯାଇଛି । ପ୍ରଥମେ କଂଗ୍ରେସ ଅଫିସ୍ ଓ ଆଜି ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇ ରହୁଥିବା ଘରେ ପୁଲିସ ଚଢ଼ାଉ ପାଇଁ କିଏ ନିର୍ଦ୍ଦେଶ ଦେଇଥିଲେ ଓ କେଉଁ ବିଶ୍ୱସନୀୟ ଗୁଇନ୍ଦା ତଥ୍ୟ ଆଧାରରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଏହି ଚଢ଼ାଉ କରିଥିଲା ତାକୁ ନେଇ ପ୍ରଶ୍ନ ଉଠିଛି ।

Advertisment

ଯଦି ଚଢ଼ାଉବେଳେ କିଛି ମିଳୁନାହିଁ ତା’ହେଲେ ସେଭଳି ଗୁଇନ୍ଦା ତଥ୍ୟ ଉପରେ ଭରସା କରିବା ପୂର୍ବରୁ କାହିିଁକି ତା’ର ସର୍ବୋଚ୍ଚସ୍ତରରେ ଯାଂଚ କରାଗଲା ନାହିଁ । ଜିଲ୍ଲା ରିଟର୍ଣ୍ଣିଂ ଅଫିସର ବା ନିର୍ବାଚନ ଅଧିକାରୀ ଏଭଳି ଚଢ଼ାଉ ପାଇଁ ଅନୁମତି ଦେଇଥିଲେ ତ ବୋଲି ମଧ୍ୟ ପ୍ରଶ୍ନ ଉଠିଲାଣି । ପୁଲିସର ଏଭଳି ଆଭିମୁଖ୍ୟ ସିଧାସଳଖ ମୋହନ ମାଝୀ ସରକାରଙ୍କ ଭାବମୂର୍ତ୍ତିକୁ ନଷ୍ଟ କରୁଥିବା ଆଶଙ୍କା କରାଯାଉଛି । ମୋହନ ସରକାରଙ୍କୁ ବଦନାମ କରିବା ପାଇଁ ପୁଲିସର ଏଭଳି ଅପବ୍ୟବହାର କିଏ କରୁଛି ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦିଓ କୌଣସି ସୂଚନା ଆଧାରରେ ବିନା ୱାରେଣ୍ଟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମ୍ ତଲାସୀ କରିବା ଆଇନତଃ ବୈଧ ବୋଲି ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଏସଓପି(ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର)ରୁ ଜଣାପଡ଼ିଛି । ତଥାପି ବିଜେଡି କର୍ମୀମାନଙ୍କ ବିରୋଧ ଓ ଆଚରଣକୁ ନେଇ ନିର୍ବାଚନ କମିଶନଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଛି ।


ବିଜେଡି କର୍ମୀଙ୍କ ବାଧା ଓ ପୁଲିସର କୋହଳ ଆଭିମୁଖ୍ୟ

ନୂଆପଡ଼ାରେ ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇ ରହୁଥିବା ବାସଭବନରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ାଉବେଳେ ବିଜେଡି କର୍ମୀ-ନେତାମାନେ ପ୍ରତିବନ୍ଧକ ସାଜି ମୁହାଁମୁହିଁ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କର୍ତ୍ତବ୍ୟ ସମ୍ପାଦନ କରୁଥିବା ପୁଲିସ ଓ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ୱ ସମ୍ପାଦନ କରିବାରେ ବିଜେଡି କର୍ମୀମାନେ ବାଧକ ହେବା ଘଟଣାରେ ନିର୍ବାଚନ ଅଧିକାରୀଙ୍କ କୋହଳ ଆଭିମୁଖ୍ୟ ମଧ୍ୟ ଅବାଧ ନିର୍ବାଚନ ପରିଚାଳନା ପ୍ରକ୍ରିୟା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜେଡି କର୍ମୀ ଓ ନେତାମାନେ ଆଜି ଯେଭଳି ଆଭିମୁଖ୍ୟ ପୋଷଣ କରିଛନ୍ତି ତାହା ଅନ୍ୟ ଦଳର କର୍ମୀ-ନେତାଙ୍କୁ ମଧ୍ୟ ଅନୁରୂପ ଆଭିମୁଖ୍ୟ ପୋଷଣ କରିବାକୁ ପ୍ରେରିତ କରାଇବ ବୋଲି ଚର୍ଚ୍ଚା ହେଉଛି ।

Advertisment

 ଅବଶ୍ୟ ଦୁଇଦିନ ତଳେ ନୂଆପଡ଼ାରେ କଂଗ୍ରେସ ଅଫିସରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସର ଚଢ଼ାଉବେଳେ କଂଗ୍ରେସ କର୍ମୀମାନେ ବେଶ୍ ସଂଯମତା ଆଚରଣ ପ୍ରଦର୍ଶନ କରିଥିଲେ । ଯଦିଓ ପରେ ସେମାନେ ଗଣତାନ୍ତ୍ରିକ ଢଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି କାର୍ଯ୍ୟକୁ ବିରୋଧ କରିଥିଲେ । ମାତ୍ର ବିଜେଡି କର୍ମୀ ଓ ନେତାମାନେ ଆଜି ଯେଭଳି ଆଇନକୁ ହାତକୁ ନେବାକୁ ପ୍ରୟାସ କରିଥିଲେ, ତାହା କଂଗ୍ରେସ କର୍ମୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନଥିଲା ବୋଲି ଜଣାପଡ଼ିଛି ।  nuapada byelection ପାଇଁ ନୂଆପଡ଼ା ବିଧାନସଭା ମଣ୍ଡଳୀ ଏବେ ସମ୍ପୂର୍ଣ୍ଣ ଭାବେ ନିର୍ବାଚନ କମିଶନଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ଥିବାବେଳେ ଗଣତାନ୍ତ୍ରିକ ଢଙ୍ଗରେ ନିଜର ପ୍ରତିବାଦ ଓ ବିରୋଧ ନକରି ବିଜେଡି କର୍ମୀମାନେ କର୍ତ୍ତବ୍ୟରତ ମାଜିଷ୍ଟ୍ରେଟ ଓ ପୁଲିସ ଉପରେ ଚାପ ପକାଇବାକୁ ପ୍ରୟାସ କରିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ତଲାସୀ ପାଇଁ ଜରୁରୀ ନୁହେଁ ସର୍ଚ୍ଚ ୱାରେଣ୍ଟ୍ : ଏସଓପି

ନିର୍ବାଚନ କମିଶନ(Election Commission)ଙ୍କ ଦ୍ୱାରା ନିର୍ବାଚନ ପରିଚାଳନା ନିମନ୍ତେ ୨୦୧୫ ମେ’ ୨୯ତାରିଖର ମୂଳ ଏସଓପି ଏବଂ ୨୦୨୧ ମେ’ ୬ତାରିଖର ପରବର୍ତ୍ତୀ ଏସଓପି ଅନୁସାରେ, ଯଦି କୌଣସି ସୂତ୍ରରୁ କିଛି ସୂଚନା ଆଧାରରେ କୌଣସି ରାଜନୀତିକ ଦଳ ସହ ଅବା ପ୍ରାର୍ଥୀଙ୍କ ସହ ଜଡ଼ିତ ବ୍ୟକ୍ତିଙ୍କ ଘରେ ବେଆଇନ ଅର୍ଥ, ମଦ ଅବା ଅନ୍ୟ ସନ୍ଦେହଜନକ କାରବାର ହେଉଥିବାର ଖବର ମିଳେ ତାହେଲେ ବିନା ୱାରେଣ୍ଟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଅବା ଷ୍ଟାଟିକ୍ ସର୍ଭିଲାନ୍ସ ଟିମ୍ ତଲାସୀ କରିପାରିବ । ନିର୍ବାଚନ କମିଶନଙ୍କ ଏସଓପି ଅନୁସାରେ ଏସବୁ ତଲାସୀର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ କରାଯିବା ସହ ଏକ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ପଡ଼ିବ । ତଲାସୀ ହେଲା କିନ୍ତୁ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିଲା ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇପାରିବ ।
ଯଦି କୌଣସି ଦଳ ଅବା ବ୍ୟକ୍ତିଙ୍କର ଏଥିରେ ଆପତ୍ତି ଥାଏ ସେ ନିଜର ଲିଖିତ ଅଭିଯୋଗ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିପାରିବେ । ଯଦି ମାଜିଷ୍ଟ୍ରେଟ୍ ଓ ଫ୍ଲାଇଙ୍ଗ ସ୍କ୍ୱାର୍ଡଙ୍କୁ ତାଙ୍କର ଦାୟିତ୍ୱ ତୁଲାଇବାରେ ପ୍ରତିବନ୍ଧକ ସାଜନ୍ତି ଅବା ଦୁର୍ବ୍ୟବହାର କରନ୍ତି ତା’ହେଲେ ସମ୍ପୃକ୍ତ ଇନଚାର୍ଜ ଅଫିସର ୨୪ଘଣ୍ଟା ମଧ୍ୟରେ ନିକଟସ୍ଥ ଥାନାରେ ଏକ ମାମଲା ରୁଜୁ କରିପାରିବେ । ଏହି ଏଫଆଇଆର କପି ମଧ୍ୟ ରିଟର୍ଣ୍ଣିଂ ଅଫିସରଙ୍କ ନୋଟିସ୍  ବୋର୍ଡରେ ଲଗାଯିବ ବୋଲି ଏସଓପିରେ ଉଲ୍ଲେଖ ରହିଛି ।

ତେବେ ଆଜିର ଘଟଣାରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଦାୟିତ୍ୱରେ ଥିବା ଅଫିସର କୌଣସି ଏଫଆଇଆର ରୁଜୁ କରିଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ ।

Election Commission nuapada byelection
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe