Advertisment

Nuapada Byelection: ରେକର୍ଡ ମତଦାନ, ନିର୍ଣ୍ଣାୟକ ଭୂମିକାରେ ମହିଳା ଭୋଟର, ୧୪ ଟେବୁଲରେ ୨୬ରାଉଣ୍ଡ ଗଣତି

ଆସନ୍ତା ୧୪ତାରିଖରେ ନୂଆପଡ଼ାର ନ୍ୟାସନାଲ କଲେଜ ପରିସରରେ ଭୋଟଗଣତି ପାଇଁ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି । ୧୪ଟି ଟେବୁଲରେ ମୋଟ ୨୬ରାଉଣ୍ଡ ଗଣତି ହେବ ଓ ସକାଳ ୮ଟାରୁ ଏହି ଗଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଶାସନ ସୂଚନା ଦେଇଛି ।

author-image
Prakash Sethi
National-College,-Nuapada

National College, Nuapada

ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ପରିମାଣର ୮୩.୪୫ ପ୍ରତିଶତ ମତଦାନ ହୋଇଛି । ପୁରୁଷଙ୍କ ତୁଳନାରେ ପ୍ରାୟ ୩ ପ୍ରତିଶତ ଅଧିକ ମହିଳା ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ରେକର୍ଡ ପରିମାଣର ମତଦାନ ପରେ ୩ ପ୍ରମୁଖ ରାଜନୀତିକ ଦଳ ମଧ୍ୟରେ ଛନକା ପଶିଛି । ୧୦ହଜାର ଭୋଟ ବ୍ୟବଧାନରେ ଜିତିବା ନେଇ ବିଜେଡି ଦମ୍ଭୋକ୍ତି ବାଢ଼ିଥିବାବେଳେ ବିଜେପି ୩୦ରୁ ୪୦ହଜାର ଭୋଟରେ ଜିତିବ ବୋଲି କହିଛି । କଂଗ୍ରେସ ମଧ୍ୟ ବିଜେପି ଓ ବିଜେଡି ସହ ତାଳଦେଇ ଜିତିବ ବୋଲି ଦାବି କରିଛି । ଏସବୁ ମଧ୍ୟରେ ଆସନ୍ତା ୧୪ତାରିଖରେ ନୂଆପଡ଼ାର ନ୍ୟାସନାଲ କଲେଜ ପରିସରରେ ଭୋଟଗଣତି ପାଇଁ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି । ୧୪ଟି ଟେବୁଲରେ ମୋଟ ୨୬ରାଉଣ୍ଡ ଗଣତି ହେବ ଓ ସକାଳ ୮ଟାରୁ ଏହି ଗଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଶାସନ ସୂଚନା ଦେଇଛି ।

Advertisment


୮୩.୪୫ ପ୍ରତିଶତ ଭୋଟ ସହ ଐତିହାସିକ ରେକର୍ଡ

ନୂଆପଡ଼ା ଉପନିର୍ବାଚନ( Nuapada by-election)ରେ  ୮୩.୪୫ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।  ମତଦାନ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ଗତକାଲି ଦେଶର ଅନ୍ୟ ୮ଟି ରାଜ୍ୟରେ ବିଧାନସଭା ଉପନିର୍ବାଚନ ତୁଳନାରେ ନୂଆପଡ଼ାରେ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ଯାହାକି ଏକ ଐତିହାସିକ ରେକର୍ଡ ବୋଲି ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି । ପୁରୁଷ ଭୋଟରଙ୍କ ତୁଳନାରେ ଅଧିକ ମହିଳା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଏହା ଗତକାଲି ଦେଶର ଉପନିର୍ବାଚନ ମଧ୍ୟରେ ସର୍ବାଧିକ ଅଂଶଗ୍ରହଣ ବୋଲି ସେ କହିଛନ୍ତି ।

ନୂଆପଡ଼ାରେ ନିର୍ଣ୍ଣାୟକ ଭୂମିକାରେ ମହିଳା ଭୋଟର

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, ନୂଆପଡ଼ା ଉପନିର୍ବାଚନରେ  ମୋଟ ୩୫୮ଟି ବୁଥରେ ରେକର୍ଡ ସଂଖ୍ୟକ ୨ଲକ୍ଷ ୧୨ହଜାର ୩୮୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ନୂଆପଡ଼ାରେ ମୋଟ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୫୪ହଜାର ୪୯୭ ଥିବାବେଳେ ସେଥିରୁ ୫୧.୧୩ ପ୍ରତିଶତ ମହିଳା(୧ ଲକ୍ଷ ୮ ହଜାର ୩୮୩ ଜଣ ଭୋଟର) ଓ ୪୮.୮୭ ପ୍ରତିଶତ ପୁରୁଷ ଭୋଟର(୧ଲକ୍ଷ ୩ହଜାର ୮୫୭ଜଣ) ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ନୂଆପଡ଼ାରେ ମହିଳା ଭୋଟରମାନେ ନାକେବଳ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ବରଂ ଅଧିକ ପରିମାଣରେ ମତଦାନରେ ସାମିଲ ହୋଇ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିଛନ୍ତି । ଭୋଟ ପ୍ରତିଶତ ମଧ୍ୟ ସାଧାରଣ ନିର୍ବାଚନ ତୁଳନାରେ ପ୍ରାୟ ୧୦ ପ୍ରତିଶତ ବଢିଛି, ଯାହାକି ଗଣତନ୍ତ୍ର ପାଇଁ ଶୁଭ ସୂଚନା । ନିର୍ବାଚନ ଆୟୋଗଙ୍କ ଦ୍ୱାରା ହୋଇଥିବା ଭୋଟର ସଚେତନତା କାର୍ଯ୍ୟକ୍ରମ ଯୋଗୁ ଏହା ସମ୍ଭବପର ହୋଇପାରିଛି ବୋଲି ଜିଲ୍ଲା ପ୍ରଶାସନ କହିଛି ।

Advertisment

ସକାଳ ୮ଟାରୁ ଭୋଟ୍ ଗଣତି, ୧୪ ଟେବୁଲ, ୨୬ ରାଉଣ୍ଡ

ଆସନ୍ତା ୧୪ତାରିଖରେ ଭୋଟ ଗଣତି (Vote Counting) ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନୂଆପଡ଼ାର ନ୍ୟାସନାଲ କଲେଜ ପରିସରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହି ଗଣତି ହେବ । ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସୂଚନା ଅନୁସାରେ, ଭୋଟ୍ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି ଓ ସମସ୍ତ କର୍ମଚାରୀଙ୍କୁ ତାଲିମ୍ ଦିଆଯାଇଛି । ୩୫୮ଟି ବୁଥ୍ ପାଇଁ ମୋଟ ୧୪ଟି ଗଣତି ଟେବୁଲ୍ କରାଯାଇଛି ଓ ମୋଟ ୨୬ ରାଉଣ୍ଡରେ ଭୋଟ୍ ଗଣତି ହେବ । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ୍ ବାଲାଟ ଗଣନା କରାଯିବ ଓ ଏହାପରେ ଇଭିଏମ୍ ଗଣନା ଆରମ୍ଭ ହେବ । ପ୍ରତି ଟେବୁଲ୍ ପାଇଁ ଜଣେ ଲେଖାଏଁ କାଉଂଟି ସୁପରଭାଇଜର ଦାୟିତ୍ୱରେ ରହିବେ, ଯାହାଙ୍କୁ ଜଣେ କାଉଂଟି ଆସିଷ୍ଟାଂଟ ସହଯୋଗ କରିବେ । ଏହାସହ ଗଣତି ଟେବୁଲରେ ଜଣେ ମାଇକ୍ରୋ ଅବଜରଭର ଉପସ୍ଥିତ ରହିବେ ଓ ରିଟର୍ଣ୍ଣିଂ ଅଫିସର ସମସ୍ତ ପ୍ରକ୍ରିୟାର ତଦାରଖ କରିବେ ।

ଇଭିଏମ୍ ଜଗିଛନ୍ତି ସୁରକ୍ଷାକର୍ମୀ ଓ ରାଜନୀତିକ ଦଳ 

ନ୍ୟାସନାଲ କଲେଜ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଥିବା ଷ୍ଟ୍ରଙ୍ଗରୁମରେ ଏହି ଇଭିଏମ୍ ମେସିନଗୁଡ଼ିକ ରଖାଯାଇଛି । ୨୪ଘଣ୍ଟିଆ ସିସିଟିଭି ସର୍ଭେଲାନ୍ସ ମାଧ୍ୟମରେ ଷ୍ଟ୍ରଙ୍ଗରୁମର ସୁରକ୍ଷାର ତଦାରଖ କରାଯାଉଛି । ଆଇନଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି । ବିଭିନ୍ନ ରାଜନୀତିକ ଦଳର ପ୍ରତିନିଧିମାନେ ଷ୍ଟ୍ରଙ୍ଗରୁମ୍ ବାହାରେ କ୍ୟାମ୍ପ ପକାଇ ଜଗି ରହିଥିବା ଜଣାପଡ଼ିଛି।  ଜିଲ୍ଲାପାଳ ଶ୍ରୀ ଦାସ କହିଛନ୍ତି, "ଇଭିଏମ୍ ଏବେ ଷ୍ଟ୍ରଙ୍ଗ୍ ରୁମରେ ଅଛି ଓ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଛି। ସିସିଟିଭିରେ ୨୪ ଘଂଟିଆ ମନିଟରିଂ କରାଯାଉଛି ।

Vote Counting Nuapada by-election