Nuapada Byelction
ବିହାର ବିଧାନସଭା ନିର୍ବାଚନ ସହ ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ଆସନ୍ତା ନଭେମ୍ବର ୧୧ତାରିଖରେ ନୂଆପଡ଼ା ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ ଓ ଆଜିଠୁ ନୂଆପଡ଼ାରେ ତତ୍କାଳ ପ୍ରଭାବରୁ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ବିଜେଡି ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ସେପ୍ଟେମ୍ବର ୮ରେ ମୃତ୍ୟୁ ଯୋଗୁ ଏହି ଆସନରେ ଉପନିର୍ବାଚନ ହେଉଛି । ଏପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୂର୍ବାହ୍ନରେ ନୂଆପଡ଼ାବାସୀଙ୍କୁ ୧୧୦୦କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା ସହ କୋମନା ଓ ସିନାପାଲିକୁ ଏନଏସି ଏବଂ ଖରିଆର ରୋଡକୁ ମ୍ୟୁନିସପାଲଟି ଘୋଷଣା କରିଛନ୍ତି ।
ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ କାର୍ଯ୍ୟସୂଚୀ
ଆଜି ଅପରାହ୍ନରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷିତ କାର୍ଯ୍ୟସୂଚୀ ଅନୁସାରେ, ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ ଅକ୍ଟୋବର ୧୩ (ସୋମବାର) ଦିନ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀମାନେ ଅକ୍ଟୋବର ୨୦ (ସୋମବାର) ପର୍ଯ୍ୟନ୍ତ ନିଜର ନାମାଙ୍କନପତ୍ର ଦାଖଲ କରିପାରିବେ ଏବଂ ଅକ୍ଟୋବର ୨୨ (ବୁଧବାର) ଦିନ ନାମାଙ୍କନପତ୍ର ଯାଂଚ କରାଯିବ । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୨୪ (ଶୁକ୍ରବାର) ରହିଛି। ଏହାପରେ ନଭେମ୍ବର ୧୧(ମଙ୍ଗଳବାର) ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ । ନଭେମ୍ବର ୧୪ ଶୁକ୍ରବାର ଦିନ ଭୋଟଗଣତି କରାଯିବ ଓ ନଭେମ୍ବର ୧୬ତାରିଖ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।
ସବୁ ବୁଥରେ ଲାଗିବ ୱେବ୍ କାଷ୍ଟିଙ୍ଗ୍ ଓ ବୁଥକୁ ମୋବାଇଲ୍ ଫୋନ୍ ମନା
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ୍ ଗୋପାଳନ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନୂଆପଡ଼ା ଉପନିର୍ବାଚନ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନୂଆପଡ଼ା ବିଧାନସଭାର ସବୁ ମତଦାନ କେନ୍ଦ୍ର(ବୁଥ)ରେ ୱେବକାଷ୍ଟି ବ୍ୟବସ୍ଥା କରାଯିବ । ବୁଥ ଭିତରକୁ ମତଦାତାମାନେ ନିଜର ମୋବାଇଲ୍ ଫୋନ୍ ନେଇ ଯିବାର କଟକଣା ରହିଛି । କେବଳ ପ୍ରିଜାଇଡିଂ ଅଫିସର ଓ ନିର୍ବାଚନ ଅଧିକାରୀଙ୍କୁ ନିଜ ପାଖରେ ଫୋନ୍ ରଖିବାର ଅନୁମତି ମିଳିବ ।
ଚଳିତଥର ବୁଥର ଚାରିପାଶ୍ୱର୍ରେ ୨୦୦ମିଟର ପରିବର୍ତ୍ତେ ୧୦୦ମିଟର ପର୍ଯ୍ୟନ୍ତ କଟକଣା ଲାଗୁ ରହିବ । ନିର୍ବାଚନ ସଂକ୍ରାନ୍ତ ଯେକୌଣସି ଅଭିଯୋଗକୁ ‘ସି ଭିଜିଲ୍ ଆପ’ ହେଉ କିମ୍ବା ମୋବାଇଲ ନମ୍ବର ୧୯୧୫ରେ କରାଯାଇପାରିବ । ଯଥେଷ୍ଟ ପରିମାଣର କେନ୍ଦ୍ରୀୟ ସୁରକ୍ଷା ବଳ ଓ ପୁଲିସ ମୁତୟନ କରାଯିବ । ଭୋଟରମାନେ ନିଜର ଭୋଟ୍ ପରିଚୟ ବ୍ୟତୀତ ଅନ୍ୟ ୧୨ଟି ପ୍ରମାଣପତ୍ର ଦେଖାଇ ମତଦାନ କରିପାରିବେ । ପୋଷ୍ଟାଲ ଭୋଟ୍ ଆଗୁଆ ଗଣତି ହେବ ଓ ଶେଷ ରାଉଣ୍ଡ ଗଣତି ପୂର୍ବରୁ ଏହା ଶେଷ ହେବ ।
ନୂଆପଡ଼ା ବିଧାନସଭା ଆସନରେ ମୋଟ ୫୬ଟି ନୂଆ ମତଦାନ କେନ୍ଦ୍ର ସୃଷ୍ଟି ହୋଇଥିବାବେଳେ ମୋଟ୍ ମତଦାନ କେନ୍ଦ୍ର ସଂଖ୍ୟା ୩୦୨ରୁ ୩୫୮କୁ ବୃଦ୍ଧି ପାଇଛି । ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ ମଧ୍ୟ ହୋଇଛି । ମୋଟ ମତଦାନ କେନ୍ଦ୍ରରୁ ୩୨୨ଟି ଗ୍ରାମାଂଚଳରେ ଓ ୩୬ଟି ସହରାଂଚଳରେ ଅଛି । ଏବେ ମୋଟ ୨ଲକ୍ଷ ୪୮ହଜାର ୨୫୬ଜଣ ଭୋଟର ଅଛନ୍ତି । ସେଥିରେ ୧.୨୨ଲକ୍ଷ ପୁରୁଷ ଓ ୧.୨୬ଲକ୍ଷ ମହିଳାଙ୍କ ସମେତ ୨୧ଜଣ ତୃତୀୟ ଲିଙ୍ଗ, ୪ହଜାର ଭିନ୍ନକ୍ଷମ ଭୋଟର ସାମିଲ ଅଛନ୍ତି । ୮୫ବର୍ଷ ବୟସରୁ ଅଧିକ ୨୦୦୭ଜଣ ବ୍ୟକ୍ତି ଅଛନ୍ତି । ଭିନ୍ନକ୍ଷମ ଓ ବୟସ୍କ ଭୋଟରମାନଙ୍କୁ ଆଗୁଆ ୧୨ ଡି ଫର୍ମ ପ୍ରଦାନ କରାଯିବ ଓ ସେମାନେ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ନିଜର ମତଦାନ କରିପାରିବେ । ଉପନିର୍ବାଚନରେ ପର୍ଯ୍ୟାପ୍ତ ପରିମାଣର(୨୦୦%) ଇଭିଏମ୍ ଓ ଭିଭିପାଟ୍ ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ୧୧୦୦କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା
ନୂଆପଡା ଉପନିର୍ବାଚନ(Nuapada By-election) ପାଇଁ ଆଜି ଅପରାହ୍ନରେ କାର୍ଯ୍ୟସୂଚୀ ଘୋଷଣା ପୂର୍ବରୁ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ନୂଆପଡ଼ା ଗସ୍ତରେ ଯାଇ ୧୧୦୦କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ଭେଟି ଦେଇଛନ୍ତି । ଏହାସହିତ ଖରିଆର ରୋଡ୍ ଏନଏଏସିକୁ ମ୍ୟୁନିସିପାଲଟିକୁ ଉନ୍ନୀତ ଏବଂ କୋମନା ବ୍ଲକକୁ ଏନଏସି ମାନ୍ୟତା ସହ ସିନାପାଲି ଗ୍ରାମପଂଚାୟତ ଓ ଗୋଡ଼ାଲ ଗ୍ରାମପଂଚାୟତକୁ ମିଶାଇ ସିନାପାଲି ଏନଏସି ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆଜି ନୂଆପଡାରେ ୩ଟି ସବରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂଆପଡାବାସୀଙ୍କ ପାଇଁ ମୋ ଦୁଆର ସବୁବେଳେ ଖୋଲା । ସେମାନେ ଯେତେବେଳେ ଚାହିଁବେ, ମୋତେ ଭେଟିପାରିବେ । ମୋଦୀଜୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ରାଜ୍ୟର ଜନସାଧାରଣଙ୍କ ସେବା ପାଇଁ ସବୁ ସମୟରେ ଉପସ୍ଥିତ ଅଛି ବୋଲି କହିଛନ୍ତି । ନୂଆପଡା ଜିଲ୍ଲା ପାଇଁ ୧୧୦୧ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଘୋଷଣା କରିଥିଲେ । ଏଥିମଧ୍ୟରୁ ୬୪ କୋଟି ୨ ଲକ୍ଷ ଟଙ୍କା ବିନିଯୋଗରେ ୧୦୯ଟି ପ୍ରକଳ୍ପର ଲୋକାର୍ପଣ କରାଯାଇଥିଲା । ୧୫୯ କୋଟି ୭୬ ଲକ୍ଷ ଟଙ୍କାର ୩୯ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା ଏବଂ ୭୫ କୋଟି ୩୭ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସାମିଲ ଅଛି। ଏହା ସହିତ ନୂଆପଡା ଜିଲ୍ଲାରେ ଜଳସେଚନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ୱତନ୍ତ୍ର ଭାବେ ୮୦୨ କୋଟି ୯ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଥିଲେ । ମାସକ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୩ଥର ନୂଆପଡ଼ା ଗସ୍ତ କରିଛନ୍ତି ।
ନୂଆପଡ଼ା ରାଜନୀତି ସରଗରମ, ବିଜେପି ଖୋଲୁନି କାର୍ଡ
ଉପନିର୍ବାଚନ ଘୋଷଣା ପୂର୍ବରୁ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳର ରାଜନୀତି ସରଗରମ ହୋଇଛି । ବିଜେଡି(BJD) ନିଜର ପ୍ରାର୍ଥୀ ଭାବେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆଙ୍କୁ ପ୍ରାର୍ଥୀ କରିବା ଏକରକମ ସ୍ପଷ୍ଟ ହୋଇଥିବାବେଳେ କଂଗ୍ରେସ(Congress) ମଧ୍ୟ ନିଜର ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବ ବୋଲି ସଙ୍କେତ ଦେଇସାରିଛି । ମାତ୍ର ଶାସକ ବିଜେପି(BJP) ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ କିଏ ହେବ ସେ ନେଇ କାର୍ଡ ଖୋଲୁନାହିଁ । ଦଳର ଗୋଟିଏ ଗୋଷ୍ଠୀ ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପୁଣିଥରେ ସେଠାରେ ଉପନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।
କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କର ସ୍ଥାନୀୟ ଅଂଚଳରେ ୨୦ରୁ ୨୫ହଜାରର ନିଜସ୍ୱ ଭୋଟବ୍ୟାଙ୍କ ଥିବାବେଳେ ବିଜେଡି ପ୍ରାର୍ଥୀ ଜୟ ନିଜର ପିତାଙ୍କ ଦେହାନ୍ତର ସହାନୁଭୂତି ଭୋଟ୍ ମାଧ୍ୟମରେ ଜିତିବାକୁ ଆଶାବାଦୀ ଅଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ପ୍ରଥମଥର ପାଇଁ ଉପନିର୍ବାଚନ ହେଉଥିବାରୁ ଏହାକୁ ଜିତିବା ଶାସକ ବିଜେପି ନିମନ୍ତେ ସମ୍ମାନର ପ୍ରଶ୍ନ ହୋଇଛି । ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନୂଆପଡ଼ା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ଜିତିବାକୁ ସୁନିଶ୍ଚିତ କରାଇବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us