/odisha-reporter/media/post_attachments/uploads/2021/08/migrant.jpg)
migrant
ନୂଆପଡ଼ା (ମାୟାଧର ସରାଫ): ଉଦ୍ଧାର ହେଲେ ତେଲେଙ୍ଗାନା ପୈଦାପାଲି ରାମପାଲି ଇଟାଭାଟିରେ ବନ୍ଧକ ଥିବା ନୂଆପଡା ଜିଲ୍ଲା ବୋଡେନ ବ୍ଲକ ନାଗପଡା ପଂଚାୟତ ମାକରବିର୍ଲି ଗାଁର ୧୭ ପରିବାରର ୨୫ ଜଣ ଦାଦନ। ଏ ଦାଦନମାନେ ୬ ମାସ ପାଇଁ ଇଟାଭାଟିକୁ ଯାଇ ଥିଲେ। କିନ୍ତୁ ଇଟାଭାଟି ମାଳିକ ଏମାନଙ୍କୁ ଆଉ ତିନି ମାସ ବନ୍ଧକ କରି ରଖିଥିଲା।
ଗତ ୧୫ ତାରିଖ ଦିନ ଓଡିଶା ରିପୋର୍ଟରରେ ଏ ବନ୍ଧକ ସଂପର୍କରେ ଖବର ପ୍ରସାରଣ ହୋଇ ଥିଲା। ଖବର ପ୍ରକାଶ ପାଇଲା ପରେ ରାଜ୍ୟ ସରକାର ଦାଦନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରି ଥିଲେ। ଆଜି ସକାଳେ ଖରିଆରରୋଡ ରେଳ ଷ୍ଟେସନକୁ ପହଞ୍ଚିଛନ୍ତି।
ତେଲେଙ୍ଗାନାରେ ଦାଦନମାନଙ୍କୁ କେଉଁ ନିର୍ଯାତନା ଦିଆଯାଉଥିଲା, ତାହା ସେମାନେ ଏଠାରେ ପହଞ୍ଚିବା ପରେ ବର୍ଣ୍ଣନା କରିଛନ୍ତି। ସେଠାରେ ଦୈନିକ ସକାଳ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ କାମ କରୁଥିଲେ। ଯଦି କାହା ଦ୍ୱାରା କୌଣସି ଭୁଲ ହେଉଥିଲା, ତାହେଲେ ଏହା ପ୍ରତିବଦଳରେ ମାଡ଼ ମରାଯାଉଥିଲା। ବନ୍ଧକ ଦାଦନମାନେ ଘରକୁ ଫେରି ଥିବାରୁ ପରିବାର ଲୋକେ ମଧ୍ୟ ଖୁସି ଅଛନ୍ତି। ଉଦ୍ଧାର ପାଇଁ ବନ୍ଧକ ଦାଦନମାନେ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି। ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀ ଉଦ୍ଧାର ଦାଦନଙ୍କ ସହ ଆଲୋଚନା କରିଛନ୍ତି।
ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀ କହିଛନ୍ତି, ଆମେ ଶନିବାର ଏ ନେଇ ଖବର ପାଇଲୁ। ଏହାପରେ ଆମେ ତୁରନ୍ତ ସେଠାକାର ଅଫିସରଙ୍କ ସହ କଥା ହୋଇଥିଲୁ। ସବୁ ପ୍ରକ୍ରିୟା ଆରମ୍ଭ ହେବା ପରେ ସେଠାକାର ମାଲିକ ରବିବାର ଦିନ ସମସ୍ତ ଦାଦନ ଶ୍ରମିକଙ୍କୁ ଟ୍ରେନ୍ ଯୋଗେ ଖରିଆରରୋଡ୍ ପହଞ୍ଚାବାର ବ୍ୟବସ୍ଥା କରାଇଥିଲେ। ଖୁବ୍ ଶୀଘ୍ର ଆମେ ଏଥିରେ ସଂପୃକ୍ତ ଥିବା ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
