Advertisment

ଗରମ ଖିରି ହଣ୍ଡାରେ ପଡ଼ି ଗୁରୁତର ଥିବା ୪ ବର୍ଷର ଶିଶୁର ମୃତ୍ୟୁ

ମେ’ ୨୫ ତାରିଖରେ ଛୁଆଟି ଗରମ ଖିରି ହଣ୍ଡାରେ ପଡ଼ିଯାଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Dead Boy

Dead Boy

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ରାନୀମୁଣ୍ଡା ଗାଁରେ ଗରମ ଖିରି ଥିବା ହଣ୍ତାରେ ପଡ଼ି ଗୁରୁତର ହୋଇପଡ଼ିଥିବା ୪ ବର୍ଷର ଶିଶୁପୁତ୍ର ବିକାଶ ହେର୍ଣ୍ଣାଙ୍କର ମୃତ୍ୟୁ ଘଟିଛି। ଛତିଶଗଡ଼ର ରାୟପୁର ସ୍ଥିତ ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ଗତ ୨୫ ତାରିଖରେ ରାନୀମୁଣ୍ଡା ଗାଁରେ ଏକ ଗଙ୍ଗା ଭୋଜି ପାଇଁ ଖିରି ପ୍ରସ୍ତୁତ କରାଯାଇ ହଣ୍ଡାରେ ରଖାଯାଇଥିଲା। ଆଉ କୌଣସି କାରଣ ବଶତଃ ଗରମ ଖିରି ଥିବା ସେହି ହଣ୍ଡାରେ ପଡ଼ି ଯାଇଥିଲେ ୪ ବର୍ଷର ବିକାଶ। ଗରମ ଖିରି ଥିବା ହଣ୍ଡାରେ ପଡ଼ିଯିବାରୁ ବିକାଶଙ୍କର ପୂରା ଶରୀର ପୋଡ଼ି ଯାଇଥିଲା। ଖିରି ହଣ୍ଡାରୁ ତାଙ୍କୁ ବାହାର କରିଥିବା ତାଙ୍କ ବାପା ହୁତେଶ କୁମାର ହେର୍ଣ୍ଣାଙ୍କର ଦୁଇ ହାତ ମଧ୍ୟ ପୋଡ଼ି ଯାଇଛି।

ବିକାଶଙ୍କୁ ଖଡ଼ିଆଳ ସ୍ଥିତ ମିଶନ ହସ୍‌ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ରାୟପୁର ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ମୃତଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

Advertisment

ବିକାଶଙ୍କ ବାପା ହୁତେଶ ଜଣେ ଗଣଶିକ୍ଷକ। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ଘଟିବା ପରେ ସେ ଦ୍ୱିତୀୟ ବିବାହ କରିଥିଲେ। ବିକାଶ ଥିଲେ ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ପୁଅ। ପ୍ରଥମ ସ୍ତ୍ରୀଙ୍କ ଆଡ଼ୁ ତାଙ୍କର ଝିଅଟିଏ ଅଛି। ବିକାଶଙ୍କ ମୃତ୍ୟୁ ପରେ ପୂରା ପରିବାର ଭାଙ୍ଗି ପଡ଼ିଛି।

Accident