ନୂଆପଡ଼ା(ମାୟାଧର ସରାଫ):କରୋନା କାଳରେ ୧୪ଜଣ କରୋନା ମୢତକଙ୍କ ଶବକୁ ସତ୍କାର କରି ଚର୍ଚ୍ଚାରେ ଥିବା ଖଡିଆଳ ସରକାରୀ ଡାକ୍ତରଖାନାର ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ ପୁଣି ଚର୍ଚ୍ଚାରେ । ଏବେ ସେ ଜଣେ ଜଣେ ଅପରିଚିତ ବ୍ୟକ୍ତିଙ୍କ ଶବ ସତ୍କାର କରିଛନ୍ତି ।
ଗତ ୩ ଦିନ ତଳେ ଜଣେ ଅପରିଚିତ ବୃଦ୍ଧ ଗୁରୁତର ଅସୁସ୍ଥ ହୋଇ ଲଛିପୁର ଗାଁ ନିକଟରେ ଅଚେତ ହୋଇ ପଡି ଥିଲେ । ବୃଦ୍ଧଙ୍କ ସୂଚନା ପାଇ ଡା.ଅନ୍ନଦାଶଙ୍କର ସେଠାକୁ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ବୃଦ୍ଧଙ୍କୁ ଖଡିଆଳ ସରକାରୀ ଡାକ୍ତରଖାନାରେ ଆଣି ଚିକିତ୍ସା କରିଥିଲେ ।
୩ ଦିନ ଅକ୍ଲାନ୍ତ ଉଦ୍ୟମ କରି ଥିଲେ । କିନ୍ତୁ ବୃଦ୍ଧ ଜଣକ ସୋମବାର ଦିନ ମୃତ୍ୟୁବରଣ କରି ଥିଲେ । ଶବ ସତ୍କାର ପାଇଁ କୌଣସି ବ୍ୟକ୍ତି ସାମ୍ନାକୁ ନ ଆସିରୁ ଡା. ଅନ୍ନଦାଶଙ୍କର ତାଙ୍କ କିଛି ସାଥୀଙ୍କ ସହାୟତାରେ ଖଡିଆଳର ରାଣୀପୁର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରି ଥିଲେ । ଡା.ଅନ୍ନଦାଶଙ୍କର କରୋନା କାଳରେ ୧୪ ଜଣ କରୋନା ମୃତକଙ୍କ ଶବ ସତ୍କାର କରିବା ସହ ଗାଁ ଗାଁ ଯାଇ କରୋନା ସଚେତନତା କରିଥିଲେ ।