Advertisment

ଶିକାର କରିବାକୁ ଆସି ଗାଈ ବାଛୁରୀ ଖାଇ ପଳାଉଛି

ବାଘଟି ତିରିଆମହୁଆପଟ୍ଟା, ପାୱାର ତଲା, ମୋହରାଡିହି ଓ ସିଲିରି ବାହାର ଅଞ୍ଚଳରେ ବୁଲା ଗୋରୁ ଗାଈଙ୍କୁ ରାତିରେ ଶିକାର କରୁଛି।

author-image
Manoranjan Sial
Leopard

Leopard

ନୂଆପଡା ଜିଲ୍ଲାରେ ବାଘ ଆତଙ୍କ। ଆଜି ଏ ଗାଁରେ ତ କାଲି ସେ ଗାଁରେ ଚିତା ବାଘର ପଦଚିହ୍ନ ଦେଖିବାକୁ ମିଳୁଛି। କେତେବେଳେ ମଣିଷଙ୍କୁ ଶିକାର କରୁଛି ତ ଆଉ କେତେବେଳେ ଗାଈ ବାଛୁରୀ ମାରି ଖାଇଯାଉଛି। ଯାହାକୁ ନେଇ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

Advertisment

ଖାଦ୍ୟ ଅନ୍ୱେଷଣରେ ସୁନାବେଡ଼ା ଅଭୟାରଣ୍ୟରୁ ଚିତା ବାଘ ନୂଆପଡ଼ା ସଦର ରେଞ୍ଜର ଆମାନାରା ସେକ୍‌ସନ୍‌କୁ ପଳାଇ ଆସୁଛନ୍ତି। ବାଘଟି ତିରିଆମହୁଆପଟ୍ଟା, ପାୱାର ତଲା, ମୋହରାଡିହି ଓ ସିଲିରି ବାହାର ଅଞ୍ଚଳରେ ବୁଲା ଗୋରୁ ଗାଈଙ୍କୁ ରାତିରେ ଶିକାର କରୁଛି। ରାତି ପାହିଲା ପୂର୍ବରୁ ପୁଣି ସୁନାବେଡ଼ା ଅଭାୟାରଣ୍ୟକୁ ଫେରି ଯାଉଛି। ଗତ ୬ ତାରିଖରୁ ଆଜି ଯାଏଁ ବାଘଟି ଜଣେ ବୃଦ୍ଧା, ୪ଟି ଗାଈ ବଳଦ ଓ ୬ଟି ବାଛୁରୀକୁ ମାରି ଖାଇଛି। ଯାହାକୁ ନେଇ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

କୁନ୍ଦୁପାଲି ଗାଁର କମଲ ସିଂ ଠାକୁର କହିଛନ୍ତି, ରବିବାର ଗାଁରେ ଚିତା ବାଘଟି ଗୋଟିଏ ବାଛୁରୀକୁ ମାରି ଖାଇଦେଇଥିଲା। ଆଜି ଆଉ ଦୁଇଟି ବାଛୁରୀ ଖାଇଦେଇଛି। ଏହା ପରେ ଆମେ ଭୟଭୀତ ଅବସ୍ଥାରେ ଅଛୁ। କେତେ ବେଳେ ବାଘ କାହାର ଜୀବନ ନେଇଯିବ, କେହି କରିପାରିବ ନାହିଁ। ବାଘ ଯେମିତି ଗାଁ ଭିତରେ ନପଶୁ, ସେଥିପ୍ରତି ବନ ବିଭାଗ ବିଶେଷ ଧ୍ୟାନ ଦେଉ ବୋଲି ଶ୍ରୀ ଠାକୁର କହିଛନ୍ତି।

Advertisment

ଖଡିଆଳ ବନ ଡିଭିଜନ ଡିଏଫ୍‌ଓ ସୁଶୀଳ କୁମାର ତ୍ରିପାଠୀ କହିଛନ୍ତି, ଲୋକମାନେ ରାତି ନିଜ ଗୁହାଳରେ ଗୋରୁମାନଙ୍କୁ ବାନ୍ଧି ରଖୁନାହାନ୍ତି। ଗୋରୁଙ୍କୁ ଛାଡ଼ି ଦେଉଛନ୍ତି। ଯେଉଁଥିପାଇଁ ଗୋରୁମାନେ ରାତିରେ ଏଣେ ତେଣେ ବୁଲି ମହୁଲ ଗଛ ମୂଳରେ ଆଶ୍ରୟ ନେଉଛନ୍ତି। ଏହାର ସୁଯୋଗ ନେଇ ଚିତା ବାଘ ସେମାନଙ୍କୁ ଶିକାର କରୁଛି। ଗୋରୁମାନଙ୍କୁ ଶିକାର କରିବା ପାଇଁ ସହଜ ହେଉଥିବାରୁ ଚିତା ମାରିଦେଉଛି। ଗାଁ ଲୋକଙ୍କୁ ଅନୁରୋଧ କରୁଛି, ସେମାନେ ନିଜ ଗୋରୁ ଗାଈଙ୍କୁ ନିଜ ଗୁହାଳରେ ବାନ୍ଧି ରଖନ୍ତୁ। ରାତିରେ ଗୋରୁଙ୍କୁ ଛାଡନ୍ତୁ ନାହିଁ ବୋଲି ଶ୍ରୀ ତ୍ରିପାଠୀ।

ସେ ଆହୁରି କହିଛନ୍ତି, ଗାଁ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପାଟ୍ରୋଲିଂ ପାଇଁ ଗାଡ଼ି ଦିଆଯାଇଛି। ବନ କର୍ମଚାରୀ ଅନବରତ ପାଟ୍ରୋଲିଂ କରୁଛନ୍ତି। ଗାଁରେ ସଚେତନତା କରାଯାଉଛି। ବାଇକ୍‌ରେ ସକାଳେ ଓ ସନ୍ଧ୍ୟାରେ ନବୁଲିବା ପାଇଁ ମାଇକ୍‌ରେ ପ୍ରଚାର କରାଯାଉଛି। ଖାଦ୍ୟ ଅନ୍ୱେଷଣରେ ଆସିଥିବା ଚିତା ବାଘକୁ ଜଙ୍ଗଲ ଭିତରକୁ ଫେରାଇ ଦେବା ପାଇଁ ଉଦ୍ୟମ ଚାଲିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ

Nuapada Tiger Attack