Advertisment

ଅଫିସର୍‌ଙ୍କ ନିର୍ଯାତନା ସହିନପାରି ଦିବ୍ୟାଙ୍ଗ ଦେଲେ ଆତ୍ମାହୁତି!

ମୃତକଙ୍କ ମା’ ନୂଆପଡା ଥାନାରେ ଏତଲା କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
Man died who attempted self immolation

Man died who attempted self immolation

ନୂଆପଡ଼ା ତହସିଲ ଅଫିସ୍‌ ଆଗରେ ଦିବ୍ୟାଙ୍ଗ ଯୁବକ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବା ଘଟଣାକୁ ନେଇ ନୂଆପଡ଼ା ଥାନାରେ ରୁଜୁ ହେଲା ମାମଲା। ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଗତକାଲି ଘଟିଥିବା ଏହି ହୃଦୟ ବିଦାରକ ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ମୃତ ଯୁବକ ଜଣକ ନୂଆପଡା ତହସିଲ ଅନ୍ତର୍ଗତ କଲ୍ୟାଣପୁର ଗାଁର ଜଗଦୀଶ ଚୌହାନ। ଗତକାଲି ତହସିଲ ଅଫିସ୍‌ ଆଗରେ ସେ ଆତ୍ମାହୁତି ଦେବାରୁ ଗୁରୁତର ହୋଇ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ହେଲେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Advertisment

ମୃତକଙ୍କ ମା’ ନୂଆପଡା ଥାନାରେ ଏତଲା କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା।

ପରିବାର ପକ୍ଷରୁ ମା’ ଓ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ପରିବାର ଗୁଜୁରାଣ ଚଳାଇବା ନିମନ୍ତେ ଜଗଦୀଶ ଏକ ଗାଡ଼ି କିଣିଥିଲେ। ଏହାଛଡ଼ା ବିଭିନ୍ନ କାମ କାର୍ଯ୍ୟ ନିମନ୍ତେ କିଛି ଟଙ୍କା ଋଣ କରିଥିଲେ। ଏହି ଟଙ୍କା ସୁଝିବାରେ ଅସମର୍ଥ ହେବାରୁ ଜମି ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ଜମି ବିକ୍ରି ପାଇଁ ଆବଶ୍ୟକ ଅନୁମତି ଦେବାରେ ତହସିଲଦାର ହଇରାଣ କରୁଥିଲେ। କେତେବେଳେ ପରିବାର ମୁଖ୍ୟଙ୍କ ଅନୁମତି ଆଣିବାକୁ କହି ବିଦା କରିଦେଉଥିଲେ ତ କେତେବେଳେ ସମାଜ ଓ ସରପଞ୍ଚଙ୍କ ଅନୁମତି ଆଣିବାକୁ କହି ବିଦା କରିଦେଉଥିଲେ। ସବୁକିଛି ଅନୁମତିପତ୍ର ଓ ଆବଶ୍ୟକ କାଗଜପତ୍ର ଦେବା ସତ୍ତ୍ୱେ କୌଣସି ପରିସ୍ଥିତିରେ ତହସିଲଦାର ଜମି ବିକ୍ରି କାମ କରିବାକୁ ଆବଶ୍ୟକ ଅନୁମତି ଦେଉ ନଥିଲେ। ହାତ ଜୋଡ଼ି ଓ ଗୋଡ଼ ଧରି ଅନୁମତି ଦେବାକୁ ନିବେଦନ କଲେ ମଧ୍ୟ ତହସିଲଦାର ନିର୍ଦ୍ଦୟତାର ସହ କଡ଼ା କଥା କହୁଥିଲେ। ତହସିଲଦାରଙ୍କ ନିର୍ଯାତନା ସହି ନପାରି ଏବଂ ମାନସିକ ସ୍ତରରେ ଆଘାତ ପାଇ ସେ ଆତ୍ମହୁତି ଭଳି ପଦକ୍ଷେପ ନେଇଛି। ଏଥିପାଇଁ ତହସିଲଦାର ଓ ଅଫିସ୍‌ରମାନେ ଦାୟୀ। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

Jagadish Familyଜଗଦୀଶଙ୍କ ପରିବାର ଲୋକ

ସ୍ଥାନୀୟ ସାମାଜିକ କର୍ମୀ ରବି ମଙ୍ଗରାଜ କହିଛନ୍ତି, ଗତବର୍ଷ ଜାନୁଆରୀରେ ଜଗଦୀଶ ତା’ର ୧୬ ଡିସିମିଲ ଜମି ବିକ୍ରି ନିମନ୍ତେ ଉପଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଥିଲେ। ଉପଜିଲ୍ଲାପାଳ ବହୁ ବିଳମ୍ବରେ ଅର୍ଥାତ୍ ଗତବର୍ଷ ଜୁନ୍‌ରେ ଜମିର ଯାଞ୍ଚ କରି ରିପୋର୍ଟ ଦେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଏହି ରିପୋର୍ଟ ୩ ମାସ ଭିତରେ ଦେବା କଥା। ହେଲେ ତହସିଲଦାର ଜମି ଯାଞ୍ଚ କରି ରିପୋର୍ଟ ଦେଉ ନ ଥିଲେ। ତେଣୁ ଜଗଦୀଶ ବାରମ୍ବାର ତହସିଲଦାରଙ୍କ ପାଖକୁ ଯାଇ ଜମି ଯାଞ୍ଚ ରିପୋର୍ଟ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇବାକୁ କହୁଥିଲେ। ହେଲେ ଗତକାଲି ଏହି ରିପୋର୍ଟ ଦେବେ ନାହିଁ ଓ ଯାହା ଇଚ୍ଛା କର ବୋଲି ତହସିଲଦାର ଧମକାଇବାରୁ ମାନସିକ ନିର୍ଯାତନା ପାଇ ଜଗଦୀଶ ଆତ୍ମହତ୍ୟା କରିଛନ୍ତି। ତୁରନ୍ତ ଏହି ଘଟଣାରେ ଦାୟୀ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଗିରଫ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

Advertisment

ଏନେଇ ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି, କେଉଁ ପରିସ୍ଥିତିରେ ଦିବ୍ୟାଙ୍କ ଯୁବକ ଜଣକ ଏଭଳି ଚରମ ପଦକ୍ଷେପ ନେଲେ ତାହାର ତଦନ୍ତ କରି ରିପୋର୍ଟ ଦେବାକୁ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କୁ ନିଯୁକ୍ତ କରାଯାଇଛି। ପ୍ରିଲିମନାରୀ ରିପୋର୍ଟ ଅନୁସାରେ ନୂଆପଡ଼ା ସଦର ତହସିଲଦାରଙ୍କୁ ନିଲମ୍ବନ କରାଯାଇଛି। ଜଗଦୀଶଙ୍କ ପରିବାରର ଦେଖାଶୁଣା ଓ ପିଲାଙ୍କ ପାଠପଢ଼ା ଦାୟିତ୍ୱ ପ୍ରଶାସନ ବୁଝିବ ବୋଲି ଜିଲ୍ଲାପାଳ କହିଛନ୍ତି।

Jagadish homeଜଗଦିଶଙ୍କ ଘର

ତେବେ ମୋ ସରକାର ଓ ୫ଟି ପ୍ରହସନ କରୁଥିବା ସରକାରୀ ବ୍ୟବସ୍ଥାରେ ଏଭଳି ଦୟନୀୟ ସ୍ଥିତି ବିଭିନ୍ନ ମହଲରେ ଉଦ୍‌ବେଗର ବିଷୟ ହୋଇଛି। ଜଗଦୀଶଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଏକମାତ୍ର ରୋଜଗାରିଆ ବ୍ୟକ୍ତିକୁ ହରାଇ ଅସହାୟ ହୋଇପଡ଼ିଛି। ଖୁବ୍ ଗରିବ ହୋଇଥିବାରୁ ତାଙ୍କର ଦୁଇଟି ଶିଶୁ, ପତ୍ନୀ ଓ ବୟସ୍କ ବାପା, ମାଆଙ୍କ ଭରଣପୋଷଣ ଏବେ କିଏ କରିବ ତାହା ଚିନ୍ତାର ବିଷୟ ହୋଇଛି।

ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ

Suicide