Advertisment

Golden Chapter in Odisha Assembly: ସ୍ମୃତି ରୋମନ୍ଥନ କଲେ ରାଷ୍ଟ୍ରପତି, ଦେଲେ ‘ଭବିଷ୍ୟତ ଭାରତ’ ଗଠନର ଗୁରୁମନ୍ତ୍ର

ଗଣତନ୍ତ୍ରରେ ବିରୋଧାଭାସ ରହିପାରେ, କିନ୍ତୁ ଶତ୍ରୁତା ରହିବା ଉଚିତ ନୁହେଁ । ସମସ୍ତେ ମିଳିମିଶି ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବା ଆବଶ୍ୟକ । ବିଚାରଧାରାରେ ଭିନ୍ନତା ରହିବା ସ୍ୱାଭାବିକ, କିନ୍ତୁ ଏହା ଶତ୍ରୁତାରେ ପରିଣତ ହେବା ଉଚିତ ନୁହେଁ ।

author-image
Prakash Sethi
President-address

ଓଡ଼ିଶା ବିଧାନସଭାରେ ଅଭିଭାଷଣ ପ୍ରଦାନ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

 ଓଡ଼ିଶା ବିଧାନସଭା ଇତିହାସରେ ଆଜି ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି । ଦେଶର ପ୍ରଥମ ନାଗରିକ ତଥା ଓଡ଼ିଶାର ଗର୍ବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରି ଅତୀତର ସ୍ମୃତିକୁ ରୋମନ୍ଥନ କରିବା ସହ ଭବିଷ୍ୟତ ଭାରତ ଗଠନ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି । ନିଜ ଜନ୍ମମାଟିରୁ ସମଗ୍ର ବିଶ୍ୱକୁ ଗଣତନ୍ତ୍ର ଓ ବିକାଶର ବାର୍ତ୍ତା ଦେଇଛନ୍ତି । ଓଡ଼ିଶାର ମାଟି, ପାଣି ଓ ପବନରୁ ବଢି ଦେଶର ସର୍ବୋଚ୍ଚ ଆସନରେ ବସିଥିବା ‘ମାଟିର ଝିଅ' ନିଜ ପୁରୁଣା କର୍ମଭୂମି(Odisha Assembly) ରେ ଛିଡ଼ା ପ୍ରାୟ ୨୫ମିନିଟ୍ ଧରି ନିଜର ପୁରୁଣା ଦିନର ସ୍ମୃତିଚାରଣ କରୁଥିଲେ ଓ ରାଜ୍ୟର ବିକାଶ ପାଇଁ ବ୍ୟାକୁଳତା, ଗଣତାନ୍ତ୍ରିକ ମୂଲ୍ୟବୋଧର ଶିକ୍ଷା ଓ ବିକାଶର ବାର୍ତ୍ତା ଦେଉଥିଲେ ସେତେବେଳେ ସମଗ୍ର ଗୃହ ନିସ୍ତବ୍ଧ ହୋଇଯାଇଥିଲା । 

Advertisment


ବିଧାୟକଙ୍କୁ ଦେଲେ ମନ୍ତ୍ର : ଗଣତନ୍ତ୍ରରେ ମତଭେଦ ରହୁ,ମନଭେଦ ନରହୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭା ଗୃହକୁ ସମ୍ବୋଧିତ କରି ନିଜ ପୁରୁଣା ଦିନର ସ୍ମୃତିଚାରଣ କରି ଭାବବିହ୍ୱଳ ହୋଇପଡିଥିଲେ । ସେ କହିଥିଲେ ଯେ, ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ରାଇରଙ୍ଗପୁର ବିଧାୟିକା ଭାବରେ ସେ ଏହି ଗୃହର ସଦସ୍ୟା ଥିଲେ । ଏହି ବିଧାନସଭା ତାଙ୍କ ପାଇଁ କେବଳ ଏକ ଗୃହ ନୁହେଁ, ଏହା ତାଙ୍କର ମାତୃତୁଲ୍ୟ । ଏଠାରୁ ଶିଖିଥିବା ଅନୁଶାସନ ଓ ଶିକ୍ଷା ତାଙ୍କୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚାଇଛି ।

ସେ ବିଧାୟକମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଗଣତନ୍ତ୍ରରେ ବିରୋଧାଭାସ ରହିପାରେ, କିନ୍ତୁ ଶତ୍ରୁତା ରହିବା ଉଚିତ ନୁହେଁ । ସମସ୍ତେ ମିଳିମିଶି ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବା ଆବଶ୍ୟକ । ବର୍ତ୍ତମାନର ରାଜନୀତିରେ ବଢୁଥିବା ତିକ୍ତତା ପ୍ରତି ଇଙ୍ଗିତ କରି ସେ କହିଥିଲେ ଯେ, ଗଣତନ୍ତ୍ରରେ ଶାସକ ଓ ବିରୋଧୀ ଗୋଟିଏ ରଥର ଦୁଇଟି ଚକ ସଦୃଶ । ବିଚାରଧାରାରେ ଭିନ୍ନତା ରହିବା ସ୍ୱାଭାବିକ, କିନ୍ତୁ ଏହା ଶତ୍ରୁତାରେ ପରିଣତ ହେବା ଉଚିତ ନୁହେଁ । ଗଣତନ୍ତ୍ରର ମନ୍ଦିରରେ ଅନୁଶାସନ ବଜାୟ ରଖିବାକୁ ସେ ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ । ଗୃହ ଭିତରେ ତର୍କ ହେଉ, ବିର୍ତକ ହେଉ, କିନ୍ତୁ ସବୁବେଳେ ଜନହିତକୁ ପ୍ରାଥମିକତା ଦିଆଯାଉ । ନିଜସ୍ୱ ସ୍ୱାର୍ଥ ଅପେକ୍ଷା ରାଜ୍ୟର ସ୍ୱାର୍ଥ ବଡ଼ ହେବା ଦରକାର ।  ସେ କହିଥିଲେ, "ଆପଣମାନଙ୍କ ଆଚରଣ ଓ ଉଚ୍ଚାରଣ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଉଚିତ୍ । 

Advertisment

Assembly-Pic-1

ଉତ୍କଳ ଗୌରବଙ୍କ ଆର୍ଦଶ ଓ ବିକଶିତ ଓଡ଼ିଶା ପାଇଁ ରୋଡମ୍ୟାପ୍‌

ନିଜର ଭାଷଣ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ‘ଉତ୍କଳ ଗୌରବ’ ମଧୁସୂଦନ ଦାସଙ୍କ କାଳଜୟୀ କବିତା "ଦେଶର କଲ୍ୟାଣେ ଲଭିଲେ ମରଣ, ହୁଅଇ ଦେଶର ଶୁଭ ସାଧନ’ର ଉଦାହରଣ ଦେଇ ତ୍ୟାଗ ଓ ସେବାର ମନ୍ତ୍ର ଫୁଙ୍କିଥିଲେ । ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚେତନା ଏବଂ ଓଡ଼ିଆ ଅସ୍ମିତା କଥା ଉଲ୍ଲେଖ କରି କହିଥିଲେ ଯେ, ଓଡ଼ିଆ ଜାତିର ଇତିହାସ ଗୌରବମୟ । ଏହି ଗୌରବକୁ ଆଗକୁ ନେବା ପାଇଁ ସମସ୍ତ ବିଧାୟକଙ୍କୁ ଏକଜୁଟ ହୋଇ କାମ କରିବାକୁ ପଡିବ ।  ଏହି ଅବସରରେ ବୀର ସୁରେନ୍ଦ୍ର ସାଏ, ବାଜି ରାଉତ, ଲକ୍ଷ୍ମଣ ନାୟକଙ୍କ ବଳିଦାନକୁ ସ୍ମରଣ କରିବା ସହ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସେ ଗୁରୁତ୍ୱର ସହ ଉଲ୍ଲେଖ କରି କହିଥିଲେ ଯେ, ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମକୁ ଆଗକୁ ବଢିବାକୁ ହେବ । ଓଡ଼ିଶାର ରାଜନୈତିକ ସୌହାର୍ଦ୍ଧ୍ୟର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି ଓ ଏହାକୁ ବଜାୟ ରଖିବା ବର୍ତ୍ତମାନର ପିଢ଼ିର ଦାୟିତ୍ୱ ବୋଲି କହିଥିଲେ।

ରାଷ୍ଟ୍ରପତି (President Droupadi Murmu) କେବଳ ଅତୀତରେ ସୀମିତ ନରହି ଭବିଷ୍ୟତର ଓଡ଼ିଶା ପାଇଁ ଏକ ସ୍ପଷ୍ଟ ଚିତ୍ର ଆଙ୍କିଥିଲେ । ୨୦୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ । ଏହି ସମୟକୁ ଦୃଷ୍ଟିରେ ରଖି ସେ ବିଧାୟକମାନଙ୍କୁ ଏବେଠାରୁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଓଡ଼ିଶାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଓଡ଼ିଶାର ଖଣିଜ ସମ୍ପଦ, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମାନବ ସମ୍ବଳର ସଦୁପଯୋଗ କରି ଏହାକୁ ଦେଶର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ହେବ । ସେ ନାରୀ ସଶକ୍ତିକରଣ, ଆଦିବାସୀଙ୍କ ବିକାଶ ଏବଂ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ।

ରାଜ୍ୟ ସରକାରଙ୍କ ‘ସୁଭଦ୍ରା ଯୋଜନା'କୁ ରାଷ୍ଟ୍ରପତି ପ୍ରଶଂସା କରି କହିଥିଲେ ଯେ ଏହାଦ୍ୱାରା ମହିଳାମାନେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ ଏବଂ ଅନେକ ମହିଳା ‘ଲକ୍ଷପତି ଦିଦି' ହେବାର ସ୍ୱପ୍ନ ପୂରଣ କରିପାରିବେ ।

ଅଭିଭାଷଣ ରଖିଲେ ରାଜ୍ୟପାଳ, ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା

ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ ପ୍ରାରମ୍ଭିକ ଅଭିଭାଷଣ ରଖି ରାଷ୍ଟ୍ରପତିଙ୍କୁ ଓଡ଼ିଶାର ‘ମାଟିର ଝିଅ' ବୋଲି ସମ୍ବୋଧନ କରିବା ସହ ତାଙ୍କ ଉପସ୍ଥିତି ଗୃହର ଗାରିମା ବୃଦ୍ଧି କରିଛି ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ରାଜ୍ୟପାଳ ହରିବାବୁ କମ୍ଭମପାଟ୍ଟି ମଧ୍ୟ ‘ଝିଅର ଘରକୁ ଆସିବା’ ସହ ତୁଳନା କରି ରାଷ୍ଟ୍ରପତିଙ୍କ ମାଗଦର୍ଶର୍ନ ରାଜ୍ୟକୁ ନୂତନ ଦିଶା ଦେବ ବୋଲି ଆଶା ବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣରେ ରାଷ୍ଟ୍ରପତିଙ୍କ ସଂଘଷର୍ମୟ ଜୀବନ ଯାତ୍ରାକୁ ବର୍ଣ୍ଣନା କରି କହିଥିଲେ ଯେ, ରାଇରଙ୍ଗପୁରରୁ ରାଇସିନା ହିଲ୍ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ । ଓଡ଼ିଶାର ଜଣେ ଆଦିବାସୀ ମହିଳା ଆଜି ବିଶ୍ୱର ସବର୍ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ହେବା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ସେ ଉଲ୍ଲେଖ କରିଥିଲେ । ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ସହ ରାଜ୍ୟର ବିକାଶ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଅବଦାନକୁ ମନେ ପକାଇଥିଲେ । 


ବିଧାନସଭା ଉତ୍ସବମୁଖର, ରାଷ୍ଟ୍ରପତିଙ୍କ ସହ ଫଟୋ ଉଠାଇଲେ

ଓଡ଼ିଶା ବିଧାନସଭା ପରିସରରେ ଆଜି ଐତିହାସିକ ତଥା ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ଦେଶର ପ୍ରଥମ ନାଗରିକ ତଥା ଓଡ଼ିଶାର ଗର୍ବ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାରେ ପହଞ୍ôଚିବା ପରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା । ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ପୁରୁଣା ସହକର୍ମୀମାନଙ୍କ ସହ ମଧ୍ୟ ରାଷ୍ଟ୍ରପତି ଭାବ ବିନିମୟ କରୁଥିବା ଦେଖିବାକୁ ମିିଳିଥିଲା । ବିଧାୟକମାନଙ୍କ ସହ ଏକ ସ୍ୱତନ୍ତ୍ର ଫଟୋ ସେସନରେ ରାଷ୍ଟ୍ରପତି ସାମିଲ ହୋଇଥିଲେ । ପରେ ରାଷ୍ଟ୍ରପତିଙ୍କୁ ବିଧାନସଭା ଗୃହ ଭିତରକୁ ପାଛୋଟି ନିଆଯାଇଥିଲା। 

ଆଜିର ଏହି କାର୍ଯ୍ୟକ୍ରମବେଳେ ବିଧାନସଭା ଗ୍ୟାଲେରୀରେ କେନ୍ଦ୍ରମନ୍ତ୍ରୀ,ସାଂସଦ, ପୂର୍ବତନ ବିଧାୟକ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ରାଷ୍ଟ୍ରପତି ଭବନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Odisha Assembly President Droupadi Murmu