ନବ ଦାସ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ, ଗୃହ ଅଚଳ

ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗୃହକୁ ଅବଗତ କରାଉଥିବାବେଳେ ନବ ଦାସ ହତ୍ୟାକାଣ୍ଡ ମାମଲାକୁ ନେଇ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି ଓ କୁଆଡ଼େ ଗଲେ ବୋଲି ସ୍ଲୋଗାନ ଦେଇ ହଟ୍ଟଗୋଳ କରିଥିଲେ ।

Odisha Assembly

  • Published: Friday, 10 March 2023
  • , Updated: 10 March 2023, 09:41 PM IST

ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତର ଶିଥିଳତାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ଗୃହରେ ହଟ୍ଟଗୋଳ କରିଥିଲେ । ଗୃହକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରିନଥିବା ଜଣାପଡ଼ିଛି । ଆଜି ଗୃହରେ ଅଚଳାବସ୍ଥା ମଧ୍ୟରେ ସରକାର ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟକୁ ଉପସ୍ଥାପିତ କରିଛନ୍ତି ।

ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗୃହକୁ ଅବଗତ କରାଉଥିବାବେଳେ ନବ ଦାସ ହତ୍ୟାକାଣ୍ଡ ମାମଲାକୁ ନେଇ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି ଓ କୁଆଡ଼େ ଗଲେ ବୋଲି ସ୍ଲୋଗାନ ଦେଇ ହଟ୍ଟଗୋଳ କରିଥିଲେ । ବିଜେପି ସଦସ୍ୟମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଗୃହରେ ଅଚଳାବସ୍ଥା ଦେଖି ବାଚସ୍ପତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ପରେ ପୁଣି ଗୃହରେ ଅଚଳାବସ୍ଥା ଜାରି ରହିବାରୁ ୧୧ଟା ୩୭ମିନିଟରେ ଗୃହକୁ ବାଚସ୍ପତି ଶ୍ରୀ ଆରୁଖ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।  ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ଅଚଳାବସ୍ଥା ଜାରି ରହିଥିଲା । ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ସ୍ୱାଭାବିକ ପାଇଁ ଉଦ୍ୟମ କରିôଥଳେ । ଏହି ସମୟରେ ୪ଟି ପର୍ଯ୍ୟାୟରେ ଗୃହ ପ୍ରାୟ ୫୦ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରହିଥିଲା । କିନ୍ତୁ ସର୍ବଦଳୀୟ ବୈଠକରେ କୌଣସି ନିର୍ଯ୍ୟାସ ବାହାରି ପାରିନଥିଲା । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିଧାନସଭାରେ ବିଭିନ୍ନ କମିଟିର ରିପୋର୍ଟ ଉପସ୍ଥାପନ ହୋଇଥିଲା ।

ଗୃହ ବାହାରେ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ ଯେ, ଗୃହର ନେତା ହୋଇ ମୁଖ୍ୟମନ୍ତ୍ରୀ ଯଦି ଗୃହକୁ ସମ୍ମାନ ଦେଉନାହାନ୍ତି, ତା’ହେଲେ ଆଉ କିଏ କ’ଣ ସମ୍ମାନ ଦେବ । ଗୃହକୁ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସମୟ ହେଉନି । ଘରେ ରହି ଭିସିରେ ଭାଗ ନେବାକୁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରଉଛନ୍ତି । କିନ୍ତୁ ରାଜନୀତି କରିବାକୁ ତାଙ୍କ ପାଖରେ ପ୍ରଚୁର ସମୟ ଅଛି । ରାଜନୀତି କରିବାକୁ ସେ ବିଭିନ୍ନ ଅଂଚଳ ଗସ୍ତ କରୁଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ, ନବ ଦାସ ହତ୍ୟାକୁ ୪୧ଦିନ ବିତିଯାଇଥିଲେ ମଧ୍ୟ କ୍ରାଇମବ୍ରାଂଚ ତଦନ୍ତରୁ କିଛି ବି ସୁଫଳ ମିଳିପାରିନି । ହତ୍ୟା ପଛର ଷଡ଼ଯନ୍ତ୍ରକୁ ଉନ୍ମୋଚନ କରିବାରେ କ୍ର୍ରାଇମବ୍ରାଂଚ ବିଫଳ ହୋଇଛି । ତଦନ୍ତ ଦିଗହରା ହୋଇଥିବା ଭଳି ଲାଗୁଛି । ଏଭଳି ସମ୍ବେଦନଶୀଳ ହତ୍ୟା ମାମଲା ବାଟବଣା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେଇଦେବା ଉଚିତ୍ । ମୁଖ୍ୟମନ୍ତ୍ରୀ ଭାବେ ରହିବାରେ ତାଙ୍କର ନୈତିକ ଅଧିକାର ନାହିଁ ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହ ବାହାରେ କହିଥିଲେ ଯେ,  ନବ ଦାସଙ୍କ ହତ୍ୟା ଭଳି ସଙ୍ଗୀନ ମାମଲାରେ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଦେବା ଦରକାର । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ଦାୟିତ୍ୱରେ ଅଛନ୍ତି । ବିଧାନସଭା ଅଧିବେଶନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତରେ ଯାଉଛନ୍ତି । ଏହା ଗୃହକୁ ଅପମାନ । ମୁଖ୍ୟମନ୍ତ୍ରୀ ଉଭୟ ବିଧାନସଭା ଓ ଓଡ଼ିଶା ଲୋକଙ୍କ ନିକଟରେ ଉତ୍ତରଦାୟୀ । ନବ ଦାସ ହତ୍ୟା ମାମଲାର ତଦନ୍ତ ଏବେ ସଠିକ୍ ବାଟରେ ଯାଉନି । ହତ୍ୟା ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ସରକାର ନିଜେ ସ୍ୱୀକାର କରିଥିଲେ ମଧ୍ୟ ଏନେଇ ବିସ୍ତୃତ ତଥ୍ୟ ଦେଇନାହାନ୍ତି । ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତଦନ୍ତ ନାଁରେ ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ଭୁଆ ବୁଲାଉଛନ୍ତି । ତଦନ୍ତର ନେତୃତ୍ୱ କିଏ ନେଉଛି ତାହା କେହି ଜାଣନ୍ତି ନାହିଁ ।

Related story