Advertisment

ପଦ୍ମପୁର ଉପନିର୍ବାଚନ: ଆଶଙ୍କାରେ ବରିହା ପରିବାର, ଦଳଡ଼ିଆଁଙ୍କୁ ମିଳିବ କି ଟିକେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏପର୍ଯ୍ୟନ୍ତ କୌଣସି ରାଜନୀତିକ ଦଳ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିଲେ ମଧ୍ୟ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବା ଏକରକମ ଚୂଡ଼ାନ୍ତ ହୋଇଥିବାବେଳେ ବିଜେଡ଼ି ପଦ୍ମପୁର ଉପନିର୍ବାଚନକୁ ଯେନତେନ ପ୍ରକାରେ ବିଜୟୀ ହୋଇ ନିଜର ସମ୍ମାନ ରଖିବାକୁ ଚାହୁଁଛି । ସେଥିପାଇଁ ବିଜେଡି ଏବେ ମୁଖ୍ୟତଃ ୩ଟି ବିକଳ୍ପ […]

ଅଦ୍ୟତନ ହୋଇଛି
ପଦ୍ମପୁର ଉପନିର୍ବାଚନ: ଆଶଙ୍କାରେ ବରିହା ପରିବାର, ଦଳଡ଼ିଆଁଙ୍କୁ ମିଳିବ କି ଟିକେଟ୍‌

bjd-

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏପର୍ଯ୍ୟନ୍ତ କୌଣସି ରାଜନୀତିକ ଦଳ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିଲେ ମଧ୍ୟ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବା ଏକରକମ ଚୂଡ଼ାନ୍ତ ହୋଇଥିବାବେଳେ ବିଜେଡ଼ି ପଦ୍ମପୁର ଉପନିର୍ବାଚନକୁ ଯେନତେନ ପ୍ରକାରେ ବିଜୟୀ ହୋଇ ନିଜର ସମ୍ମାନ ରଖିବାକୁ ଚାହୁଁଛି । ସେଥିପାଇଁ ବିଜେଡି ଏବେ ମୁଖ୍ୟତଃ ୩ଟି ବିକଳ୍ପ ଉପରେ ବିଚାରବିମର୍ଶ କରି ନିଜର ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବା ସହ ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିବାରୁ ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାର ଦଳୀୟ ଟିକେଟ୍ ମିଳିବାକୁ ନେଇ ଆଶଙ୍କାରେ ରହିଛି । ଆଉ ବିଜେଡିର ଏହି କସରତ୍ ଉପରେ ହିଁ କଂଗ୍ରେସର ପ୍ରାର୍ଥୀ ଚୟନ ନିର୍ଭର କରୁଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଦିବଂଗତ ବିଜେଡି ବିଧାୟକ ସ୍ୱର୍ଗତ ବରିହାଙ୍କ ପରିବାର ଉପନିର୍ବାଚନରେ ଦଳୀୟ ଟିକେଟ୍ ପାଇବାକୁ ଦାବି ଜୋରଦାର କରିଛନ୍ତି । ଦିଂବଗତ ଶ୍ରୀ ବରିହାଙ୍କ ପୁଅ ନିଜ ମା’ ତିଳୋତ୍ତମା ସିଂ ବରିହାଙ୍କୁ ଟିକେଟ୍ ଦେବାକୁ ଦାବି କରିବାର ଦିନକ ପରେ ଖୋଦ୍ ତିଳୋତ୍ତମା ନିଜେ ଗଣମାଧ୍ୟମ ସାମ୍ନାକୁ ଆସି ଟିକେଟ୍ ଆଶାୟୀ ଥିବା କହିଥିଲେ । ଆଜି ବରିହାଙ୍କ ପୁତୁରା ବୋହୂ ମାଧବୀ ସିଂ ବରିହା ମଧ୍ୟ ଗଣମାଧ୍ୟମ ଆଗରେ ତାଙ୍କ ପରିବାରର ଯେକୌଣସି ସଦସ୍ୟଙ୍କୁ ଟିକେଟ୍ ଦେବାକୁ ଦାବି କରିଛନ୍ତି । ଯଦି ତାଙ୍କର କାକୀ(ଦିବଂଗତ ଶ୍ରୀ ବରିହାଙ୍କ ପତ୍ନୀ ତିଳୋତ୍ତାମା)ଙ୍କୁ ଦଳ ଟିକେଟ୍ ଦିଏ, ତା’ହେଲେ ତାଙ୍କ ପରିବାର ଏକଜୁଟ ହୋଇ ଲଢ଼ିବ । ଏପରିକି ସେ ମଧ୍ୟ ବିଜେଡି ଟିକେଟ୍ ଆଶାୟୀ ଥିବା ନିଜକୁ ଟିକେଟ୍ ଦୌଡ଼ରେ ସାମିଲ କରିଛନ୍ତି ।

ଯଦି ତାଙ୍କୁ ଟିକେଟ୍ ମିଳେ ସେ ତାଙ୍କ କାକା(ଦିବଂଗତ ବିଧାୟକ)ଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ । ପଦ୍ମପୁର ଅଂଚଳରେ ଅଧିକ ସ୍କୁଲ ଓ କଲେଜ ଖୋଲିବା ସହ ରାସ୍ତା ମରାମତି ଆଦି ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବେ । ଅବଶ୍ୟ ବରିହା ପରିବାର ସଦସ୍ୟମାନେ ଜଣକ ପରେ ଜଣେ ଗଣମାଧ୍ୟମ ସାମ୍ନାକୁ ଆସି ଟିକେଟ୍ ପାଇଁ ଦାବି କରିବା ପଛରେ ଜଣେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲାର ବିଧାୟକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ବୋଲି ଜଣାପଡ଼ିଛି।

Advertisment

ତେବେ ଅଚାନକ ଦିବଂଗତ ବିଧାୟକ ଶ୍ରୀ ବରିହାଙ୍କ ପୁତୁରା ବୋହୂ ଗଣମାଧ୍ୟମକୁ ଆସି ଟିକେଟ୍ ଦାବିଦାର ହେବାକୁ ନେଇ ବିଜେଡି ରାଜନୀତି ସରଗରମ ରହିଛି । ଦିବଂଗତ ବିଧାୟକ ସ୍ୱର୍ଗତ ବରିହାଙ୍କ ପତ୍ନୀ ତିଳୋତ୍ତମା ‘ଶବର’ ସମୁଦାୟର ହୋଇଥିବାରୁ ପଦ୍ମପୁର ଅଂଚଳର ସ୍ଥାନୀୟ ସାମାଜିକ ସମୀକରଣ ବିଜେଡି ପାଇଁ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । କାରଣ ସ୍ୱର୍ଗତ ବିଧାୟକ ବରିହା ‘ବିଞ୍ଝାର’ ସମୁଦାୟର ହୋଇଥିବାବେଳେ ନିକଟରେ ତାଙ୍କ ଝିଅକୁ ଉପକୂଳ ଓଡ଼ିଶାରେ ଜଣେ ପୂର୍ବତନ ବିଧାୟକଙ୍କ ପୁଅକୁ ବାହା କରାଇ ସେ ନିଜ ‘ବିଞ୍ଝାର ସମାଜ’ର ରୋଷର ଶିକାର ହୋଇଥିଲେ । ଏପରିକି ତାଙ୍କର ଦ୍ୱାଦଶ କାର୍ଯ୍ୟରେ ମଧ୍ୟ ‘ବିଞ୍ଝାର’ ସମାଜର ନେତୃସ୍ଥାନୀୟ ଲୋକ ଅନୁପସ୍ଥିତ ରହିଥିଲେ ।

ଯେଉଁଥିପାଇଁ ବରିହାଙ୍କ ପତ୍ନୀ ଶବର ସମୁଦାୟର ତିଳୋତ୍ତମାଙ୍କୁ ଟିକେଟ୍ ଦେଲେ ବିଞ୍ଝାର ସମାଜ ଅସନ୍ତୁଷ୍ଟ ହେବାର ଆଶଙ୍କା ରହିଛି । ଏହି କାରଣରୁ ବରିହା ପରିବାର ନିଜର ପୁତୁରା ବୋହୂ ମାଧବୀଙ୍କୁ ଆଗକୁ ଆଣିଛି । ଅବଶ୍ୟ ବରିହାଙ୍କ ପୁତୁରାମାନେ ପୂର୍ବରୁ ଅନେକ ଅପରାଧିକ ଘଟଣା ପାଇଁ ବିବାଦୀୟ ହୋଇ ରହିଛନ୍ତି । ୨୦୦୯ରେ ପାଇକମାଳରେ ମହିଳାଙ୍କୁ ଅସଦାଚରଣ ଘଟଣାରେ ୨ଜଣ ପୁତୁରା ବିବାଦୀୟ ଥିବାବେଳେ ଓଡ଼ିଶା ପୁଲିସରେ କାମ କରୁଥିବା ଅନ୍ୟ ଜଣେ ପୁତୁରାଙ୍କ ବିରୁଦ୍ଧରେ ମଧ୍ୟ ଦଳିତ ଝିଅ ସହ ଦୁଷ୍କର୍ମର ଅଭିଯୋଗ ହୋଇଥିଲା।

ବିଜେଡି ସୂତ୍ର ଅନୁସାରେ, ଧାମନଗରରେ ଶକ୍ତ ପରାଜୟ ପରେ ବ୍ୟାକଫୁଟରେ ଥିବା ବିଜେଡି ଏସବୁ କାରଣକୁ ଦୃଷ୍ଟିରେ ରଖି ଆଉ ରିସ୍କ ନେବା ମୁଡରେ ନାହିଁ । ଯେନତେନ ପ୍ରକାରେ ପଦ୍ମପୁର ଆସନକୁ ନିଜ ପାଖରେ ରଖିବାକୁ ଚାହୁଁଥିବା ବିଜେଡି ସ୍ଥାନୀୟ ରାଜନୀତିକ ଓ ସାମାଜିକ ସମସ୍ୟାକୁ ଦୃଷ୍ଟିରେ ରଖି ନିଜର ଗୋଟିଚାଳନା କରିବାକୁ ଚାହୁଁଛି । ଏପଟେ ନୂଆପଡ଼ାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ମହେନ୍ଦ୍ର ବଢ଼େଇ ମଧ୍ୟ ଟିକେଟ୍ ଆଶାୟୀ ଅଛନ୍ତି । ସେ ‘କୁଲତା ସମାଜ’ର ହୋଇଥିବାରୁ ତାଙ୍କୁ ଟିକେଟ୍ ଦେଇ ‘କୁଲତା,ବିଞ୍ଝାର ଓ ଶବର’ ସମାଜକୁ ସନ୍ତୁଷ୍ଟ କରିବା ଏକପ୍ରକାର ସହଜ ହେବ ବୋଲି ବିଜେଡି ନେତୃତ୍ୱ ଭାବୁଛନ୍ତି। ଅନ୍ୟ ଏକ ବିକଳ୍ପ ଭାବେ ଟିକେଟ୍ ଦାବିଦାର ଥିବା ବିଜେଡିର ଏହି ଆଶାୟୀମାନଙ୍କୁ ବାଦ୍ ଦେଇ ଦଳ ଏବେ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରିବାକୁ ଜୋରଦାର ଉଦ୍ୟମ ଚଳାଇଛି।

ଉଭୟ ବରିହା ପରିବାର ଓ ମହେନ୍ଦ୍ର ବଢ଼େଇଙ୍କୁ ମ୍ୟାନେଜ୍ କରି କଂଗ୍ରେସରୁ ଆସିବାକୁ ଥିବା ନେତାଙ୍କୁ ଦଳୀୟ ଟିକେଟ୍ ଦେଇ ବିଜେଡି ଏହି ଉପନିର୍ବାଚନ ବୈତରଣୀ ପାର ହେବାର ବିକଳ୍ପ ଖୋଜୁଥିବା ଜଣାପଡ଼ିଛି । ଯଦି ସବୁକିଛି ଠିକଠାକ୍ ରୁହେ, ତା’ହେଲେ କଂଗ୍ରେସର ସମ୍ପୃକ୍ତ ବରିଷ୍ଠ ନେତାଙ୍କୁ ବିଜେଡି ଟିକେଟ ମିଳିବାର ସମ୍ଭାବନା ବେଶୀ । ତା’ଛଡ଼ା କଂଗ୍ରେସ ପାଖରେ ଥିବା ପ୍ରାୟ ୩୦ହଜାର ଭୋଟରେ ବଡ଼ଧରଣର ଛିଦ୍ର ନକଲେ ସେଠାରେ ବିଜେପିର ଦୃଢ଼ ସଂଗଠନକୁ ମାତ୍ ଦେବା ସହଜ ମଧ୍ୟ ନୁହେଁ ବୋଲି ବିଜେଡି ଜାଣିଛି । ଆଗାମୀ ୩-୪ ଦିନ ମଧ୍ୟରେ ବିଜେଡିରେ ପ୍ରାର୍ଥୀଙ୍କ ସ୍ଥିତି ସ୍ପଷ୍ଟ ହେବ।

ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଡିସେମ୍ବର ୫ରେ ହେବ ଓ ଏଥିପାଇଁ ଆସନ୍ତାକାଲିଠୁ ନାମାଙ୍କନ ପତ୍ର ଦାଖଲ ହୋଇ ୧୭ତାରିଖ ପର୍ଯ୍ୟନ୍ତ ଚାଲିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe