/odisha-reporter/media/post_attachments/uploads/2020/07/Prithviraj.jpg)
Prithviraj
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାରଙ୍କ ଅପାରଗତା ଯୋଗୁ ସମସ୍ତ ଗରିବଙ୍କୁ ବାସଗୃହ ଯୋଗାଇ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ରାଜ୍ୟରେ ଫେଲ୍ ମାରିବାକୁ ବସିଛି ବୋଲି ବିଜେପି ଅଭିଯୋଗ କରିଛି। ଚିଲିକା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବହୁ ଆବେଦନପତ୍ରକୁ ବ୍ଲକ୍ ଅଫିସ ପଛପଟ ପଡ଼ିଆରେ ପୋଡ଼ାଯାଇଛି, ଯାହାକି ଏହି ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଷଡ଼ଯନ୍ତ୍ରକୁ ପଦାରେ ପକାଇଛି।
ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସମଗ୍ର ଦେଶରେ ଏହି ଯୋଜନା ସୁରୁଖୁରୁରେ ପ୍ରଣୟନ ହେଉଥିବାବେଳେ ରାଜ୍ୟ ସରକାରଙ୍କ ଅପାରଗପଣିଆ ଯୋଗୁଁ ଏହି ଯୋଜନା ଫେଲ୍ ମାରିଛି। ଏହି ଯୋଜନାର ସଠିକ୍ କାର୍ଯ୍ୟକାରିତା ହେଉନଥିବା ନେଇ ବିଜେପି ପକ୍ଷରୁ ଅନେକଥର ଅଭିଯୋଗ ହୋଇଛି। ଏପରିକି ହିତାଧିକାରୀ ତାଲିକାରେ ନାଁ ସାମିଲ ପାଇଁ ୧୦-୨୫ ହଜାର ଟଙ୍କାର ଲାଞ୍ଚ ଶାସକ ଦଳ କର୍ମୀମାନେ ଆଦାୟ କରୁଥିବାର ଉଦାହରଣ ମଧ୍ୟ ବିଜେପି ଦେଇଥିଲା। ମାହାଙ୍ଗା ବ୍ଲକରେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍ ପଡିବା ଓ ଶାସକ ଦଳର ସମର୍ଥକ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବାର ଜ୍ୱଳନ୍ତ ଉଦାହରଣ ନେଇ ମଧ୍ୟ ବିଜେପି ରାଜ୍ୟ ସରକାରଙ୍କୁ ଘେରିଥିଲା। ଯାହା ଫଳରେ ବାଧ୍ୟ ହୋଇ ରାଜ୍ୟସରକାର ତିନି ଥର ସର୍ଭେ କରାଇଥିଲେ ଏବଂ ଶେଷରେ ବ୍ଲକ ମାନଙ୍କରେ ଯୋଗ୍ୟ ହିତାଧିକାରୀଙ୍କର ଦରଖାସ୍ତ ଆହ୍ୱାନ କରି ଆବେଦନ ବାକ୍ସ ବସାଇଥିଲେ।
ମାତ୍ର ଗତକାଲି ଦୁର୍ଭାଗ୍ୟବଶତଃ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକରେ ଅନେକ ଗୁଡିଏ ପିଏମଏୱାଇ ଆବେଦନ ପତ୍ର ବ୍ଲକ ଅଫିସ ପଛପଟ ପଡ଼ିଆରେ ଫୋପଡ଼ା ହୋଇଛି ଏବଂ କିଛିରେ ଅଗ୍ନି ସଂଯୋଗ କରାଯାଇଥିବା କିଛି ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ବିଜେପି ଜିଲ୍ଲା ପରିଷଦ ସଦସ୍ୟଙ୍କ ନଜରକୁ ଆସିଛି। ଏବାବଦରେ ବ୍ଲକ ଅଧିକାରୀମାନେ ଚୁପ୍ ରହୁଛନ୍ତି। ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କେବଳ ଚିଲିକା ବ୍ଲକରେ ହୋଇନାହିଁ ବରଂ ଓଡ଼ିଶାର ସମସ୍ତ ୩୧୪ ବ୍ଲକ ଓ ମ୍ୟୁନିସପାଲିଟିରେ ହେଉଥିବାର ଏକ ପ୍ରାମାଣିକତା ଦିଗକୁ ହିଁ ଦର୍ଶାଉଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ରାଜ୍ୟର ଗରିବ ଲୋକଙ୍କ ସହ ଚଞ୍ଚକତା କରିବା, ତାଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବାଟମାରଣା କରିବା ଏବଂ ରାଜନୀତିକ ଆକ୍ରୋଶରେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାଭୁକ୍ତ ନକରିବା ଓଡ଼ିଶା ସରକାରଙ୍କ ପ୍ରାଥମିକତା ହୋଇଛି,ଯାହାକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ ଓ ପ୍ରଧାନମନ୍ତ୍ରୀ ଓଡ଼ିଶାର ଗରିବ ଲୋକଙ୍କ ପାଇଁ ପଠାଉଥିବା ପ୍ରତିଟି ପଇସାକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ବିଜେପି ଚୌକିଦାରର ଭୂମିକା ନିଭେଇବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
