Advertisment

Odisha Budget 2026–27: ଦେଢ଼ ଲକ୍ଷ ଟ୍ରିଲିୟନ ଡଲାରର ଅର୍ଥନୀତି, ୮% ଆର୍ଥିକ ଅଭିବୃଦ୍ଧି, କୋଟିଏ ନୂଆ ନିଯୁକ୍ତି

ଏହି ବାର୍ଷିକ ବଜେଟ୍ କେବଳ ଆଗାମୀ ବର୍ଷ ପାଇଁ ଖର୍ଚ୍ଚ ଏବଂ ରାଜସ୍ୱର ରୂପରେଖ ନୁହେଁ ବରଂ ଓଡ଼ିଶାକୁ ୨୦୩୬(ସମୃଦ୍ଧ ଓଡ଼ିଶା) ସୁଦ୍ଧା ୫୦୦ ବିଲିୟନ ଡଲାର ଓ ୨୦୪୭ ମସିହା(ବିକଶିତ ଓଡ଼ିଶା) ସୁଦ୍ଧା ଦେଢ଼ ଟ୍ରିଲିୟନ ଆମେରିକୀୟ ଡଲାର ବିଶିଷ୍ଟ ଅର୍ଥନୀତିରେ ପରିଣତ କରିବାର ଦୀର୍ଘକାଳୀନ ରଣନୀତିର ଏକ ପ୍ରମୁଖ ଅଂଶ ।

author-image
Prakash Sethi
ODISHA-2047

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ରାଜ୍ୟ ଅର୍ଥନୀତିର ଗୋଲାପୀ ଚିତ୍ର ଦେଖାଇ ଏକ କୋଟିରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟିର ସମ୍ଭାବନା ସହ ଓଡ଼ିଶାକୁ ଦେଢ଼ ଲକ୍ଷ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ କରିବାର ସ୍ୱପ୍ନ ଦେଖାଇଛନ୍ତି । ରାଜ୍ୟର ଅର୍ଥନୀତି ଜାତୀୟ ହାରଠୁ ବେଶ୍ ଆଗରେ ଅର୍ଥାତ୍ ୨୦୨୬-୨୭ରେ ବାର୍ଷିକ ୮ ପ୍ରତିଶତ ହାରରେ ଅଭିବୃଦ୍ଧି କରିବ ଓ ଅପେକ୍ଷାକୃତ ୧୦ ପ୍ରତିଶତ ଅଧିକ ରାଜସ୍ୱ ବୃଦ୍ଧିର ସମ୍ଭାବନା ବ୍ୟକ୍ତ କରିଛନ୍ତି ସରକାର । କେବଳ ସେତିକି ନୁହେଁ ବଜେଟ୍ ପ୍ରସ୍ତୁତିରେ ରଣନୀତିକ ସୁଧାର ଆଣି ବିଭାଗଗୁଡ଼ିକ ଏଣିକି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ନିମନ୍ତେ ୩ବର୍ଷିଆ ବ୍ୟୟବରାଦ ନିର୍ଦ୍ଧାରଣ କରିବେ ।

Advertisment


ବଜେଟ୍ ପ୍ରସ୍ତାବ ମାଗିଲା ଅର୍ଥ ବିଭାଗ, କୋଟିଏ ନୂଆ ନିଯୁକ୍ତିର ସମ୍ଭାବନା

୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆସନ୍ତା ୨୮ତାରିଖରେ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି କରୁଥିବା Odisha ଅର୍ଥ ବିଭାଗ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ (Budget) ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ମିଶ୍ର ଆଜି ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ଡିସେମ୍ବର ୨୦ତାରିଖ ସୁଦ୍ଧା ବଜେଟ୍ ପ୍ରସ୍ତାବ ପଠାଇବାକୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୬ ଫେବୃୟାରୀ ତୃତୀୟ ସପ୍ତାହରେ ଏହି ବାର୍ଷିକ ବଜେଟ୍ ବିଧାନସଭାରେ ଆଗତ କରିବେ ବୋଲି ସୂଚନା ଦେଇଛନ୍ତି । ଏହି ବାର୍ଷିକ ବଜେଟ୍ କେବଳ ଆଗାମୀ ବର୍ଷ ପାଇଁ ଖର୍ଚ୍ଚ ଏବଂ ରାଜସ୍ୱର ରୂପରେଖ ନୁହେଁ ବରଂ ଓଡ଼ିଶାକୁ ୨୦୩୬(ସମୃଦ୍ଧ ଓଡ଼ିଶା) ସୁଦ୍ଧା ୫୦୦ ବିଲିୟନ ଡଲାର ଓ ୨୦୪୭ ମସିହା(ବିକଶିତ ଓଡ଼ିଶା) ସୁଦ୍ଧା ଦେଢ଼ ଟ୍ରିଲିୟନ ଆମେରିକୀୟ ଡଲାର ବିଶିଷ୍ଟ ଅର୍ଥନୀତିରେ ପରିଣତ କରିବାର ଦୀର୍ଘକାଳୀନ ରଣନୀତିର ଏକ ପ୍ରମୁଖ ଅଂଶ ବୋଲି କୁହାଯାଉଛି । ଏହି ଆର୍ଥିକ ଆକାଂକ୍ଷା ଓ ଗୋଲାପୀ ଚିତ୍ର ମୁଖ୍ୟତଃ ରାଜ୍ୟର ସାମଗ୍ରିକ ବିକାଶ ଉପରେ ପର୍ଯ୍ୟବେସିତ । ଯେଉଁଥିରେ ଏକ କୋଟିରୁ ଅଧିକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ସହିତ ସବୁଜ ଶକ୍ତି, ପର୍ଯ୍ୟଟନ, ଉତ୍ପାଦନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଜାତୀୟସ୍ତରରେ ଅଗ୍ରଣୀ ହେବାକୁ ଲକ୍ଷ୍ୟ ରଖାଯାଇଛି ।


ଆର୍ଥିକ ଅଭିବୃଦ୍ଧି ଏବଂ ରାଜସ୍ୱ ସଂଗ୍ରହର ଆକଳନ

ଅର୍ଥ ବିଭାଗର ଆକଳନ ଅନୁଯାୟୀ, ୨୦୨୬-୨୭ରେ ଓଡ଼ିଶାର ଅର୍ଥନୀତି ୮ ପ୍ରତିଶତ (ବାସ୍ତବିକ)ରେ ଅଭିବୃଦ୍ଧି ହାସଲ କରିବ । ଯାହାକି ଜାତୀୟ ହାର ତୁଳନାରେ ଅଧିକ । ଜାତୀୟ ଅଭିବୃଦ୍ଧି ହାର ଏହି ଅବଧିରେ ୭ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି । ଗ୍ରାମାଂଚଳରେ ସାଧାରଣ ଲୋକଙ୍କ କ୍ରୟଶକ୍ତି (ଉପଭୋକ୍ତାଙ୍କ ଚାହିଦା)ରେ ସୁଧାର, ସହରାଂଚଳରେ ଲୋକଙ୍କ ଖର୍ଚ୍ଚସୀମା ବୃଦ୍ଧି ଓ ଅନୁକୂଳ ପାଣିପାଗ ପରିସ୍ଥିତି କୃଷି ଉତ୍ପାଦନକୁ ବୃଦ୍ଧି କରାଇବ । ତେବେ ବିଶ୍ୱସ୍ତରରେ ଦୁର୍ବଳ ଚାହିଦା ଏବଂ ଜିଓ ପଲଟିକାଲ ଉତ୍ତେଜନା ଭଳି ବିପଦର ଆଶଙ୍କା ମଧ୍ୟ ରହିଛି । ତେବେ ଏସବୁ ସତ୍ତ୍ୱେ ଓଡ଼ିଶା ୨୦୨୬-୨୭ରେ ମୋଟ ରାଜସ୍ୱ ପ୍ରାପ୍ତିରେ ପ୍ରାୟ ଅପେକ୍ଷାକୃତ ୧୦ ପ୍ରତିଶତ ଅଧିକ ହାସଲ କରିବ ବୋଲି ଆକଳନ ହୋଇଛି । ନିକଟରେ ହୋଇଥିବା ଜିଏସଟି ସଂସ୍କାରର ସକାରାତ୍ମକ ପ୍ରଭାବ ପଡ଼ିବାର ସମ୍ଭାବନା ଥିଲେ ମଧ୍ୟ, ଅନ୍ତର୍ଜାତୀୟ ସ୍ତରରେ ଖଣିଜ ଦ୍ରବ୍ୟର ମୂଲ୍ୟରେ ପରିବର୍ତ୍ତନ ଏକ ପ୍ରମୁଖ ଆହ୍ୱାନ ସୃଷ୍ଟି କରିପାରେ ବୋଲି ଅର୍ଥ ବିଭାଗ କହିଛି ।

Advertisment

ଆର୍ଥିକ ଶୃଙ୍ଖଳା ଓ ବିତ୍ତୀୟ ନିଅଂଟ ନିୟନ୍ତ୍ରଣ

ବଜେଟ୍ ପ୍ରସ୍ତୁତିବେଳେ ଓଡ଼ିଶା ଆର୍ଥିକ ଉତ୍ତରଦାୟିତ୍ୱ ଏବଂ ବଜେଟ୍ ପରିଚାଳନା ଅଧିନିୟମ, ୨୦୦୫ର ନିୟମ(ଏଫଆରବିଏମ)କୁ କଠୋର ଭାବେ ପାଳନ କରିବାକୁ ପ୍ରାଥମିକତା ଦେଇଛନ୍ତି, ଯାହା ଅନୁଯାୟୀ ରାଜସ୍ୱ ସନ୍ତୁଳନ ବଜାୟ ରଖିବା ସହ ବିତ୍ତୀୟ ନିଅଂଟକୁ ରାଜ୍ୟ ମୋଟ ଘରୋଇ ଉତ୍ପାଦର(ଜିଏସଡିପି) ୩ ପ୍ରତିଶତ ମଧ୍ୟରେ ରଖିବା ବାଧ୍ୟତାମୂଳକ କରାଇବ । ୨୦୨୬-୨୭ ବଜେଟ୍ ଆକଳନରେ ବିତ୍ତୀୟ ନିଅଂଟକୁ ରାଜ୍ୟ ମୋଟ ଘରୋଇ ଉତ୍ପାଦର ୩.୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ, କେନ୍ଦ୍ର ଦ୍ୱାରା ନିର୍ଦ୍ଧାରିତ କ୍ଷେତ୍ରୀୟ ସଂସ୍କାରଗୁଡ଼ିକୁ ପୂରଣ କଲେ ରାଜ୍ୟ ମୋଟ ଘରୋଇ ଉତ୍ପାଦର ଅତିରିକ୍ତ ୦.୫ ପ୍ରତିଶତ ଋଣ କରିପାରିବ । ଅର୍ଥ ବିଭାଗ ସ୍ପଷ୍ଟ କରିଛି ଯେ ରାଜସ୍ୱ ବ୍ୟୟକୁ ଯୁକ୍ତିଯୁକ୍ତ କରି ରାଜସ୍ୱ ବଳକା (ଅଧିକ ଅର୍ଥ) ବୃଦ୍ଧି କରାଗଲେ ହିଁ ଅଧିକ ପୁଞ୍ଜିଗତ ଖର୍ଚ୍ଚ କରିବା ସମ୍ଭବପର ହୋଇପାରିବ ।

କର୍ମଚାରୀଙ୍କ ବେତନ ଆକଳନରେ ନୂଆ ମାନଦଣ୍ଡ

ଅଷ୍ଟମ ବେତନ କମିଶନ ସୁପାରିଶ ଲାଗୁ ଅପେକ୍ଷାରେ ରାଜ୍ୟର କର୍ମଚାରୀମାନେ ଥିବାବେଳେ ଅର୍ଥ ବିଭାଗ ପକ୍ଷରୁ ବେତନ ଆକଳନ ପାଇଁ ନୂଆ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଛି । ଅର୍ଥ ବିଭାଗ କହିଛି ଯେ, ନିୟମିତ କମର୍ଚାରୀଙ୍କ ବେତନରେ ୩ ପ୍ରତିଶତ ବାର୍ଷିକ ବୃଦ୍ଧି ଆକଳନ କରାଯିବ । ମହଙ୍ଗା ଭତ୍ତାକୁ ମୂଳ ବେତନର ୬୪ ପ୍ରତିଶତ ଭାବରେ ଗଣନା କରାଯିବ । ଅର୍ଥ ବିଭାଗର ଅନୁମତି ନଥିଲେ ଖାଲି ପଡ଼ିଥିବା ପଦବୀ ପାଇଁ ବଜେଟରେ କୌଣସି ଦରମା ବ୍ୟବସ୍ଥା ବିଭାଗଗୁଡ଼ିକ କରିପାରିବେ ନାହିଁ । କେବଳ ସେତିକି ନୁହେଁ ଟେଲିଫୋନ୍‌, ଗସ୍ତ ଖର୍ଚ୍ଚ, କାର୍ଯ୍ୟାଳୟ ଖର୍ଚ୍ଚ ଓ ଯାନବାହନ ଇନ୍ଧନ ଭଳି ଅନ୍ୟାନ୍ୟ ପ୍ରଶାସନିକ ର୍ଖଚ୍ଚକୁ ୨୦୨୫-୨୬ର ପୂର୍ବ ବଜେଟ୍ ଆକଳନ ସ୍ତରରେ ହିଁ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବଜେଟ୍ ପ୍ରସ୍ତୁତିରେ ୩ବର୍ଷିଆ ବ୍ୟୟ ସୀମା ନିର୍ଦ୍ଧାରଣକୁ ଗୁରୁତ୍ୱ

୨୦୨୬-୨୭ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ଅନେକ ରଣନୀତିକ ସୁଧାର ଆଣିବା ପାଇଁ ଅର୍ଥ ବିଭାଗ ପରାମର୍ଶ ଦେଇଛି । ବିଭାଗଗୁଡ଼ିକ କେବଳ ୨୦୨୬-୨୭ ଆର୍ଥିକ ବର୍ଷ ନୁହେଁ ୨୦୨୭-୨୮ ଓ ୨୦୨୮-୨୯ ପାଇଁ ମଧ୍ୟ ନିଜର ବ୍ୟୟସୀମା ନିର୍ଦ୍ଧାରଣ କରିବେ । ଯାହାକି ପାଣ୍ଠି ପ୍ରବାହର ପୂର୍ବାନୁମାନକୁ ସୁନିଶ୍ଚିତ କରାଇବ । ସମସ୍ତ ବିଭାଗ ପାଇଁ ବିଇଟିଏ ପ୍ରଣାଳୀ (ବଜେଟ୍ ଆକଳନ ଏବଂ ଲକ୍ଷ୍ୟ ଆବଂଟନ ପ୍ରଣାଳୀ) ମାଧ୍ୟମରେ ଖର୍ଚ୍ଚର ମୁଖ୍ୟ ବର୍ଗଗୁଡ଼ିକ ପାଇଁ ସୀମା ଧାର୍ଯ୍ୟ କରାଯିବ ଓ ଏହି ସୀମା ବାହାରେ ଥିବା କୌଣସି ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ । କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ଥିବା ରାଜ୍ୟ ସେକ୍ଟର ଯୋଜନାଗୁଡ଼ିକ ପାଇଁ ଅର୍ଥ କମିଟି କିମ୍ବା ଷ୍ଟାଣ୍ଡିଂ ଫାଇନାନ୍ସ କମିଟି ଦ୍ୱାରା ସୁସଙ୍ଗତ ଯୋଜନା ମୂଲ୍ୟାଙ୍କନ କରିବା ବାଧ୍ୟତାମୂଳକ । ଟ୍ରାଇବାଲ ସବପ୍ଲାନ ଓ ଅନୁସୂଚିତ ଜାତି ସବପ୍ଲାନ୍ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ବଜେଟ୍ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି ।

Odisha Budget