୨୦୨୦-୨୧ ଆର୍ଥିକ ବର୍ଷ ବଜେଟ୍ ଉପସ୍ଥାପିତ, ଆର୍ଥିକ ଅଭିବୃଦ୍ଧି ହାର ୭.୮% ଆକଳନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଉପସ୍ଥାପିତ କରିଛନ୍ତି । ବଜେଟରେ ପୁଞ୍ଜିନିବେଶ, ଭିତ୍ତିଭୂମି ଉନ୍ନୟନ, ଟ୍ରାନ୍ସଫରମେସନ୍ ଓ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଏହି ବଜେଟ ‘ନୂତନ ଓଡ଼ିଶା ଓ ସଶକ୍ତ ଓଡ଼ିଶା’ ଗଠନ ଦିଗରେ ଦୃଢ଼ ପ୍ରତିଫଳନ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିବା ସହ ୨୦୨୦-୨୧ ଆର୍ଥିକ ବର୍ଷରେ […]

odisha-assamble-1-750x430

odisha-assamble-1-750x430

Tapas Behera
  • Published: Tuesday, 18 February 2020
  • Updated: 18 February 2020, 09:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଉପସ୍ଥାପିତ କରିଛନ୍ତି । ବଜେଟରେ ପୁଞ୍ଜିନିବେଶ, ଭିତ୍ତିଭୂମି ଉନ୍ନୟନ, ଟ୍ରାନ୍ସଫରମେସନ୍ ଓ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଏହି ବଜେଟ ‘ନୂତନ ଓଡ଼ିଶା ଓ ସଶକ୍ତ ଓଡ଼ିଶା’ ଗଠନ ଦିଗରେ ଦୃଢ଼ ପ୍ରତିଫଳନ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିବା ସହ ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୮% ଛୁଇଁବ ବୋଲି ଆକଳନ କରିଛନ୍ତି । ୨୦୧୯-୨୦ ବଜେଟ ପରିମାଣ ୧.୩୫ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଥିବାବେଳେ ୨୦୨୦-୨୧ ମସିହା ବଜେଟ ପରିମାଣ ପ୍ରାୟ ୧୧.୧ ପ୍ରତିଶତ ବୃଦ୍ଧି ପାଇଛି ।

ଆଜି ବିଧାନସଭାରେ ବଜେଟ୍ ଆଗତ କରି ଶ୍ରୀ ପୂଜାରୀ କହିଛନ୍ତି ଯେ, ୧ଲକ୍ଷ ୫୦ହଜାର କୋଟି ଟଙ୍କା ମଧ୍ୟରୁ ୬୫ହଜାର ୬୫୫କୋଟି ଟଙ୍କା ପ୍ରଶାସନିକ ବ୍ୟୟ, ୭୪ହଜାର କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ, ୩୨୦୦କୋଟି ଟଙ୍କା ବିପର୍ଯ୍ୟୟ ପ୍ରଶମନ ବ୍ୟୟ, ୭୧୪୫କୋଟି ଟଙ୍କା ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର କରିବା ପାଇଁ ଉଦ୍ଦିଷ୍ଟ । ରାଜ୍ୟ ସରକାର ମୁଖ୍ୟତଃ ରାଜସ୍ୱ ପ୍ରାପ୍ତିରୁ ୧,୨୪,୩୦୦କୋଟି ଟଙ୍କା ଓ ଋଣ ଆକାରରେ ୨୫,୭୦୦କୋଟି ଟଙ୍କା ଆଣି ଏହି ବଜେଟ ବ୍ୟୟ ଅଟକଳକୁ ତୁଲାଇବେ ।
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆକଳିତ ମୋଟ୍ ରାଜସ୍ୱ ପ୍ରାପ୍ତିରୁ ନିଜସ୍ୱ ଟିକସ ଆକାରରେ ୩୮,୩୫୦କୋଟି ଟଙ୍କା, ନିଜସ୍ୱ ଅଣଟିକସ ରାଜସ୍ୱ ୧୭୬୫୦କୋଟି, କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶଭାବେ ୩୬,୩୦୦କୋଟି ଟଙ୍କା ଓ କେନ୍ଦ୍ରୀୟ ଅନୁଦାନ ୩୨ହଜାର କୋଟି ଟଙ୍କା ସାମିଲ ଅଛି ।
ବଜେଟରେ ବିଧାୟକମାନଙ୍କ ପାଣ୍ଠିକୁ ୩କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ସେଥିଷର ୨କୋଟି ଟଙ୍କା ସାଧାରଣ ଉନ୍ନୟନ କାର୍ଯ୍ୟ, ୫୦ଲକ୍ଷ ଟଙ୍କା ରାସ୍ତା କାମ ଓ ୫୦ଲକ୍ଷ ଟଙ୍କା ବିଶ୍ୱବିଦ୍ୟାଳୟ ଶିକ୍ଷା ସମ୍ବନ୍ଧୀୟ ଉନ୍ନୟନ କାର୍ଯ୍ୟ ପାଇଁ ଖର୍ଚ୍ଚ କରାଯିବ । ସେହିପରି ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି ପାଇଁ ମଧ୍ୟ ୪୪୧କୋଟି ଟଙ୍କା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୮୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସେହିପରି ବିଜୁ ସେତୁ ଯୋଜନାରେ ୧ହଜାର କୋଟି ଟଙ୍କା, ସଡ଼କ ଯୋଗାଯୋଗ ନଥିବା ଗାଁକୁ ରାସ୍ତା ନିର୍ମାଣ ନିମନ୍ତେ ୭୧କୋଟି ଟଙ୍କା, ସହରାଞ୍ଚଳ ପରିବହନ ପାଇଁ ୫୨କୋଟି ଟଙ୍କା ବ୍ୟୟରେ ନୂଆ ବସ୍ କିଣା, ରେଳବାଇ ପ୍ରକଳ୍ପ ପାଇଁ ୪୦୦କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୨୫୦କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ ପାଇଁ ୨୨୦କୋଟି ଟଙ୍କା, ଓଡ଼ିଶା ଖଣିଜ ସମ୍ପଦପୂର୍ଣ୍ଣ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠିରୁ ୮ହଜାର କୋଟି ଟଙ୍କା ବ୍ୟୟରେ ପାଇପ ଜଳ ଯୋଗାଣ, ରାଜ୍ୟର ସମସ୍ତ ୧୧୪ଟି ପୌରାଞ୍ଚଳରେ ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ,ବସୁଧା ଯୋଜନାରେ ଗାଁକୁ ୩୨୫୦କୋଟି ଟଙ୍କାରେ ପିଇବା ପାଣି ଓ ସହରାଞ୍ଚଳକୁ ୨୩୬କୋଟି ଟଙ୍କାରେ ଜଳଯୋଗାଣ ପାଇଁ ବ୍ୟୟବରାଦ ହୋଇଛି । ସେହିପରି ନୂଆ ସହର ନିର୍ମାଣ ପାଇଁ ୫୦କୋଟି ଟଙ୍କା, ହୀରାକୁଦ ଓ ସମେଲଶ୍ୱରୀ ଭଳି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୫୦କୋଟି ଟଙ୍କାର ନୂଆ ଯୋଜନା କାର୍ଯ୍ୟକାରୀ ହେବ ।
ଶିଳ୍ପ ବଜେଟ ପରିମାଣ ୨୩୭କୋଟିରୁ ୫୭୫କୋଟି ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ମେକ୍ ଇନ୍ ଓଡ଼ିଶା ବାବଦରେ ୭୦କୋଟି ଟଙ୍କା, ଏମଏସଏମଇ ପାଇଁ ୨୫୦କୋଟି ଟଙ୍କା, ପର୍ଯ୍ୟଟନ ବଜେଟକୁ ୧୯୦ରୁ ୪୦୦କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାସହିତ ରାଜ୍ୟରେ ବହୁ ପରିମାଣର ଐତିହ୍ୟ ସ୍ଥଳୀ ଥିବାରୁ ରାଜ୍ୟରେ ପ୍ରଥମଥର ପାଇଁ ଏଏସଆଇ ଢାଂଚାରେ ନୂଆ ଐତିହ୍ୟ ନିର୍ଦ୍ଦେଶାଳୟ ଗଠନ ହେବ ।

ସେହିପରି ସ୍ୱାସ୍ଥ୍ୟ ବଜେଟର ପରିମାଣ ୭୭୦୦କୋଟି ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିମାଣ ୧୧୦୮କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନରେ ୫୭୮କୋଟି ଟଙ୍କା, କଟକ ଏସସିବି ମେଡିକାଲକୁ ଏମ୍ସ ଢାଂଚାରେ କରିବା ପାଇଁ ୧୦୦୦କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos