Chief Secy Suresh Chandra Mohapatra
ଜଟଣୀଠାରେ ଭିଲେ ପାର୍ଲେ କେଲାବାଣୀ ମଣ୍ଡଳ(ଏସଭିକେଏମ) ନାମକ ଏକ ଘରୋଇ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ରାଜ୍ୟ ସରକାର ମାଗଣା ୪୦ଏକର ଜମି ଲିଜ୍ ସୂତ୍ରରେ ଯୋଗାଇ ଦେବେ । ସେହିପରି ସମ୍ବଲପୁରରେ ଚକ୍ଷୁ ହସ୍ପିଟାଲ ନିର୍ମାଣ ନିମନ୍ତେ ତ୍ରିଲୋଚନ ନେତ୍ରାଳୟକୁ ମାଗଣା ୫ଏକର ଜମି ଲିଜ୍ ଆକାରରେ ଦେବେ । ଆଜି ରାଜ୍ୟ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛନ୍ତି ।
ସୂଚନା ଅନୁସାରେ, ମହାରାଷ୍ଟ୍ରର ଏସଭିକେଏମ୍ ଟ୍ରଷ୍ଟକୁ ଜଟଣୀ ତହସିଲ ଅନ୍ତର୍ଗତ ଗୌଡ଼କାଶୀପୁର ଗାଁ ନିକଟରେ ୪୦ଏକର ଜମି ଏସଭିକେଏମ୍ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ଲିଜ୍ ଆକାରରେ ଯୋଗାଇ ଦେବେ । ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ ହେଲେ ରାଜ୍ୟର ଛାତ୍ରଛାତ୍ରୀମାନେ ଜାତୀୟ ତଥା ଆନ୍ତର୍ଜାତିକସ୍ତରୀୟ ଉଚ୍ଚଶିକ୍ଷା ଲାଭ କରିପାରିବେ । ଏହି ବିଶ୍ୱବିଦ୍ୟାଳୟରେ ରାଜ୍ୟର ଅନୁନ୍ନତ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବା ପାଇଁ ସଂରକ୍ଷଣର ବ୍ୟବସ୍ଥା ରହିବ । ତେବେ ମହାରାଷ୍ଟ୍ରର ଏହି ଟ୍ରଷ୍ଟ ନିଜସ୍ୱ ପରିବାର ସଦସ୍ୟଙ୍କ ନାଁରେ ଅନେକଗୁଡ଼ିକ ଶିକ୍ଷାନୁଷ୍ଠାନ ମହାରାଷ୍ଟ୍ରରେ କରିଥିବାବେଳେ ଏହାର ଶାଖା ନୂଆଦିଲ୍ଲୀ, ମୁମ୍ବାଇ, ଜୟପୁର, ବାଙ୍ଗାଲୁରୁ ଓ ଅହମ୍ମଦାବାଦରେ ରହିଛି । ବିଶେଷକରି ମହାରାଷ୍ଟ୍ରର ପଟେଲ ପରିବାରର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଏସବୁ ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ସୂଚନା ମିଳିଛି ।
ସେହିପରି ସମ୍ବଲପୁର ଜିଲ୍ଲାର ସମ୍ବଲପୁର ତହସିଲ ଅନ୍ତର୍ଗତ ପାଣ୍ଡିରିପାଲି ମୌଜାରେ ତ୍ରିଲୋଚନା ନେତ୍ରାଳୟକୁ ଚକ୍ଷୁ ହସ୍ପିଟାଲ ସ୍ଥାପନ ନିମନ୍ତେ ୫ଏକର ସରକାରୀ ଜମି ବିମାନ ମୂଲ୍ୟରେ ଲିଜ୍ ସୂତ୍ରରେ ପ୍ରଦାନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ଏହି ନେତ୍ରାଳୟଏବେ ଭିଜନ ଇଣ୍ଡିଆ ଫାଉଣ୍ଡେସନ ନାମକ ଏକ ଦାତବ୍ୟ ଅନୁଷ୍ଠାନ ହୋଇଥିବାରୁ ସମ୍ପଅକ୍ତ ସଂସ୍ଥାକୁ ଜମି ପ୍ରିମିୟର ୧୦ ପ୍ରତିଶତ ହିସାବରେ ଆନୁସଙ୍ଗିକ ଖର୍ଚ୍ଚ, ବଜାର ମୂଲ୍ୟର ୦.୨୫ ପ୍ରତିଶତ ଭୂ-ରାଜସ୍ୱ ଓ ଭୂ-ରାଜସ୍ୱର ୭୫% ହିସାବରେ ବାର୍ଷିକ ସେସ୍ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି ।
ସେହିପରି ଓଡ଼ିଶାର ଉପକୂଳବର୍ତ୍ତୀ ୧୭ଟି ଅବବାହିକା ଓ ୩ଟି ଅଣଅବବାହିକା ଅଂଚଳରେ ବନ୍ୟା ଜଳ ସମସ୍ୟା ଯୋଗୁ ଜଳସେଚିତ ଓ ଅଣଜଳସେଚିତ ଜମିକୁ ପୁନରୁଦ୍ଧାର କରିବା ପାଇଁ ଡ୍ରେନେଜ୍ ଚ୍ୟାନେଲଗୁଡ଼ିକର ନବୀକରଣ ନିମନ୍ତେ ସରକାର ଯୋଜନା କରିଛନ୍ତି । ଆଗାମୀ ୫ବର୍ଷ ପାଇଁ ୨୦୨୩-୨୪ରୁ ୨୦୨୭-୨୮ ମସିହା ପର୍ଯ୍ୟନ୍ତ ‘ଡ୍ରେନେଜ୍ ଉନ୍ନତି କାର୍ଯ୍ୟକ୍ରମ’ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ଓ ୫ବର୍ଷରେ ମୋଟ ୧୪୦୦କୋଟି ଟଙ୍କା ବ୍ୟୟ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ସେହିପରି ଓଡ଼ିଶା କାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୬ରେ ସଂଶୋଧନ କରାଯାଇ କୋଭିଡ୍ ସମୟରେ ପ୍ରଭାବିତ ଏମଏସଏମଇ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ଓଟିଏସ୍ ବ୍ୟବସ୍ଥା ହୋଇଛି । ଏହା ସହିତ ପ୍ରୋତ୍ସାହନ ରାଶି ପାଇଁ ଆବେଦନ କରିବାର ଅବଧିକୁ ମଧ୍ୟ ୨୦୨୩ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us