Advertisment

MGNREGS ଓଡ଼ିଶାରେ ୫ବର୍ଷରେ କଟିଲାଣି ୪୪ଲକ୍ଷରୁ ଅଧିକ ଜବ୍ କାର୍ଡ, ବାତିଲ ପୂର୍ବରୁ ଗ୍ରାମସଭାରେ ଯାଂଚ ଜରୁରୀ

୨୦୧୯-୨୦ରୁ ୨୦୨୩-୨୪ ମସିହା ମଧ୍ୟରେ ରାଜ୍ୟରେ ୪୪ଲକ୍ଷରୁ ଅଧିକ ଜବ୍ କାର୍ଡ ବାତିଲ ଓ ମୋଟ ୧କୋଟି ୩୩ଲକ୍ଷ ୩ହଜାର ୦୫୭ଜଣ ଶ୍ରମିକଙ୍କ ନାଁ ଜବକାର୍ଡ ତାଲିକାରୁ ବାଦ୍ ଦିଆଯାଇଛି ।

MGNERGS
Advertisment

ମନରେଗା ଯୋଜନାରେ ଓଡ଼ିଶାରେ ବିଗତ ୫ବର୍ଷ ମଧ୍ୟରେ ୪୪ଲକ୍ଷରୁ ଅଧିକ ଜବ୍ କାର୍ଡ ବାତିଲ ହୋଇଛି । କେବଳ କାର୍ଡ ନୁହେଁ ଏହି ଅବଧି ମଧ୍ୟରେ ମୋଟ ୧.୩୩କୋଟି ଶ୍ରମିକଙ୍କ ନାଁ ମଧ୍ୟ ତାଲିକାରୁ ବାଦ୍ ଦିଆଯାଇଛି । ଆଜି ଲୋକସଭାରେ ଏଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ କମଲେଶ ପାଶ୍ୱାନ । ନିକଟରେ କେନ୍ଦ୍ର ସରକାର ମନରେଗା ଯୋଜନାର ନାମ ପରିବର୍ତ୍ତିନ କରି ବିକଶିତ ଭାରତ-ରୋଜଗାର ଓ ଆଜୀବିକା ମିଶନ-ଗ୍ରାମୀଣ) ନାମରେ ନାମିତ କରିଛନ୍ତି ।

Advertisment

ଓଡ଼ିଶାରେ ରେକର୍ଡ ପରିମାଣର ଜବ୍ କାର୍ଡ ବାତିଲ

ମନରେଗା ଯୋଜନା ଅନ୍ତର୍ଗତ ଓଡ଼ିଶାରେ ଜବ୍ କାର୍ଡ ବାତିଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷରୁ ୨୦୨୪-୨୫ ମଧ୍ୟରେ ରାଜ୍ୟରେ ମୋଟ ୪୪ଲକ୍ଷ ୬ହଜାର ୫୮୪ଟି ଜବ୍ କାର୍ଡ ବାତିଲ ହୋଇଛି । ୨୦୨୨-୨୩ ମସିହାରେ ସବୁଠୁ ଅଧିକ ୨୩ଲକ୍ଷ ୭୦ହଜାର ୩୧ଟି ଜବ୍ କାର୍ଡ କଟାଯାଇଥିବାବେଳେ ୨୦୨୩-୨୪ରେ ୫ଲକ୍ଷ ୨୩ହଜାର ୬୨୨ଟି ଓ ୨୦୨୪-୨୫ରେ ୨ଲକ୍ଷ ୮୬ହଜାର ୯ଟି କାର୍ଡ ବାତିଲ ହୋଇଛି । କେବଳ କାର୍ଡ ନୁହେଁ, ଶ୍ରମିକମାନଙ୍କ ବାଦ୍ ପଡ଼ିବା ସଂଖ୍ୟା ମଧ୍ୟ ଅତ୍ୟଧିକ ରହିଛି ।

୨୦୧୯-୨୦ରୁ ୨୦୨୩-୨୪ ମସିହା ମଧ୍ୟରେ ରାଜ୍ୟରେ ମୋଟ ୧କୋଟି ୩୩ଲକ୍ଷ ୩ହଜାର ୦୫୭ଜଣ ଶ୍ରମିକଙ୍କ ନାଁ ଜବକାର୍ଡ ତାଲିକାରୁ ବାଦ୍ ଦିଆଯାଇଥିବା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ପାଶ୍ୱାନ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ।

Advertisment

କାର୍ଡ ବାତିଲ ପୂର୍ବରୁ ଗ୍ରାମସଭାରେ ଯାଂଚ ଜରୁରୀ

ପ୍ରକୃତ ହିତାଧିକାରୀ ଯେପରି ହଇରାଣ ଅବା ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ କେନ୍ଦ୍ର ସରକାର ୨୦୨୫ ଜାନୁୟାରୀ ୨୫ତାରିଖରେ ଏକ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସଓପି) ଜାରି କରିଛନ୍ତି । ଏହି ନୂଆ ନିୟମ ଅନୁସାରେ କୌଣସି ଜବ୍ କାର୍ଡ ବାତିଲ କରିବା ପୂର୍ବରୁ ସେହି ତାଲିକାକୁ ଗ୍ରାମସଭାରେ ଯାଂଚ କରାଯିବ । ଏହାର ଏକ ଚିଠା ତାଲିକା ପ୍ରକାଶିତ ହେବ । ଯାହାଫଳରେ ପ୍ରଭାବିତ ଶ୍ରମିକମାନେ ଅପିଲ କରିବାର ସୁଯୋଗ ପାଇବେ ଓ ଯଦି ଭୁଲବଶତଃ MGNREGA କାର୍ଡ କଟିଯାଇଥିବ ତା’ହେଲେ ତାକୁ ପୁନଃ ଜାରି କରିବାର ବ୍ୟବସ୍ଥା ମଧ୍ୟ ଏହି ଏସଓପିରେ ରହିଛି । ଶ୍ରମିକଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଓ ବାତିଲ ହେବା ପୂର୍ବରୁ ସେମାନଙ୍କର ସମସ୍ତ ବକେୟା ପାଉଣା ପରିଶୋଧ କରିବା ପାଇଁ ଏହି ଏସଓପିରେ ପ୍ରାବଧାନ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାଶ୍ୱାନ ସୂଚନା ଦେଇଛନ୍ତି ।

କାହିଁକି ବାତିଲ ହେଉଛି ଜବ୍ କାର୍ଡ?

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, ଜବକାର୍ଡ ବାତିଲ ହେବା ପଛରେ କେତେକ ନିର୍ଦ୍ଦିଷ୍ଟ ବୈଷୟିକ ଓ ବ୍ୟକ୍ତିଗତ କାରଣ ରହିଛି । ମୁଖ୍ୟତଃ ନକଲି, ଡୁପ୍ଲିକେଟ୍ କିମ୍ବା ଭୁଲ୍ ଜବକାର୍ଡଗୁଡ଼ିକୁ ଚିହ୍ନଟ କରି ବାଦ୍ ଦିଆଯାଉଛି । ଏହାବ୍ୟତୀତ ପରିବାର ଗ୍ରାମପଂଚାୟତରୁ ସ୍ଥାୟୀ ଭାବେ ଅନ୍ୟତ୍ର ଚାଲିଯିବା, ପଂଚାୟତଟି ସହରାଂଚଳରେ ଅନ୍ତର୍ଭୁକ୍ତ ହେବା କିମ୍ବା କାର୍ଡରେ ଥିବା ଏକମାତ୍ର ସଦସ୍ୟଙ୍କ ମୃତ୍ୟୁ ହେଲେ କାର୍ଡ ବାତିଲ କରାଯାଉଛି । ତେବେ କୌଣସି ଶ୍ରମିକଙ୍କୁ ‘କାମ କରିବାକୁ ଅନିଚ୍ଛା’ ଦର୍ଶାଇ ତାଲିକାରୁ ବାଦ୍ ଦିଆଯାଇପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ଅନଲାଇନରେ ବି ହିତାଧିକାରୀ କରିପାରିବେ ଅଭିଯୋଗ

ଯଦି କୌଣସି ହିତାଧିକାରୀଙ୍କ କାର୍ଡ ଭୁଲବଶତଃ ବାତିଲ ହୋଇଯାଇଥିବ, ତେବେ ଏହି ସମସ୍ୟାର ସମାଧାନ ପାଇଁ ସୁଦୃଢ଼ ଅଭିଯୋଗ ନିବାରଣ ବ୍ୟବସ୍ଥା ମଧ୍ୟ ମନ୍ତ୍ରଣାଳୟ ଦ୍ୱାରା ରହିଛି । ଶ୍ରମିକମାନେ ନରେଗାସଫ୍ଟ ପୋର୍ଟାଲ ମାଧ୍ୟମରେ ଅଭିଯୋଗ କରିବା ସହ ତା’ର ସ୍ଥିତି ଯାଂଚ କରିପାରିବେ । ଏହାବ୍ୟତୀତ ଗ୍ରାମପଂଚାୟତସ୍ତରରେ ଥିବା ଅଭିଯୋଗ ପଞ୍ଜିକା ଓ ଟେଲିଫୋନ୍ ହେଲପାଲାଇନ୍‌, କେନ୍ଦ୍ରୀୟ ଜନ ଅଭିଯୋଗ ନିବାରଣ ବ୍ୟବସ୍ଥା ମାଧ୍ୟମରେ ବି ଅଭିଯୋଗ ଦାଖଲ କରିହେବ । ଶ୍ରମିକମାନଙ୍କ ମଜୁରୀକୁ ସୁରକ୍ଷିତ ରଖିବା ପାଇଁ ୨୦୨୪ ଜାନୁୟାରୀ ୧ରୁ ଆଧାରଭିତ୍ତିକ ପେମେଂଟ ବ୍ୟବସ୍ଥାକୁ ସରକାର ବାଧ୍ୟତାମୂଳକ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପାଶ୍ୱାନ ଲିଖିତ ସୂଚନା ଦେଇଛନ୍ତି ।

MGNREGA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe