/odisha-reporter/media/post_attachments/uploads/2019/06/congress-23199999.jpg)
congress-23199999
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ମୋଟରଯାନ ଆଇନକୁ ତିନିମାସ ପାଇଁ କୋହଳ ଭାବେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ନିର୍ଦ୍ଦେଶକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ଦଳର ବରିଷ୍ଠ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି ଯେ ନୂଆ ମୋଟରଯାନ ଆଇନ ସଂସଦରେ ପାସ୍ ହେଲାବେଳେ ସାଧାରଣ ଲୋକଙ୍କ ଭଲମନ୍ଦକୁ ନବୁଝି ରାଜ୍ୟରେ ଶାସନରେ ଥିବା ବିଜେଡି ସାଂସଦମାନେ ଉକ୍ତ ବିଲକୁ ସମର୍ଥନ ଦେଲେ। ଅନ୍ୟ କେତେକ ରାଜ୍ୟ ସରକାର ଏଭଳି ଆଇନକୁ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିବାବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏହି ଆଇନର ଠିକଣା ସମୀକ୍ଷା ନକରି ଏହାକୁ ଲାଗୁ କରାଇଲେ। ତେବେ ସରକାରଙ୍କ ଉପରେ ସାଧାରଣ ଲୋକଙ୍କ ଆକ୍ରୋଶ ବଢ଼ିବା ପରେ ମୁଖ୍ୟମନ୍ତ୍ରୀଙ୍କ ଚେତା ପଶିଲା। ଆଗକୁ ପୌର ନିର୍ବାଚନ ଥିବାରୁ ଏହି ଆଇନକୁ ୩ ମାସ କୋହଳ କରି ଓଡ଼ିଶାବାସୀଙ୍କୁ ପୁଣି ଲଲିପପ୍ ଦେଖାଇ ଭୋଟ୍ ହାତେଇବାର ଯେଉଁ ପ୍ରୟାସ କରୁଛନ୍ତି ତା’ର ଉଚିତ୍ ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ ବୋଲି ଶ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି। ଯଦି ମୁଖ୍ୟମନ୍ତ୍ରୀଙ୍କର ପ୍ରକୃତରେ ରାଜ୍ୟବାସୀଙ୍କ ପ୍ରତି ଆନ୍ତରିକତା ଅଛି ତେବେ ପଶ୍ଚିମବଙ୍ଗ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ଭଳି ଓଡ଼ିଶାରେ ବି ଏହି ଆଇନକୁ ପ୍ରତ୍ୟାଖ୍ୟାନ କରନ୍ତୁ ବୋଲି ଶ୍ରୀ ଜ୍ଞାନେନ୍ଦ୍ର ଆହ୍ୱାନ କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏହି ନୂଆ ମୋଟରଯାନ ଆଇନକୁ ସ୍ୱାଗତ କରିଥିବାବେଳେ ଆବଶ୍ୟକ ଭିତ୍ତିଭୂମି ବ୍ୟବସ୍ଥା ନକରି ମାତ୍ରାଧିକ ଜୋରିମାନା ଆଦାୟ କରାଯାଉଥିବାରୁ ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
