ସିଏଜି ରିପୋର୍ଟ: ଓଡ଼ିଶା ଉପରେ ୧.୨୦ ଲକ୍ଷ କୋଟି ଟଙ୍କାର ଋଣ ଓ ଆର୍ଥିକ ବୋଝ

ରାଜ୍ୟସରକାର ବିଧାନସଭା ଦ୍ୱାରା ସ୍ଥିରୀକୃତ ସମୟସୀମା ପର୍ଯ୍ୟନ୍ତ ରାଜ୍ୟର ସଂଗଠିତ ପାଣ୍ଠିର ସୁରକ୍ଷା ଦେଇ ଋଣ ନେଇପାରିବେ ।

Debt

Representative image

Ordigital Desk
  • Published: Friday, 31 March 2023
  • Updated: 31 March 2023, 10:44 PM IST

୨୦୨୨ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ଋଣ ପରିମାଣ ୭୨,୪୮୫.୦୬କୋଟି ଟଙ୍କା ଥିଲେ ମଧ୍ୟ ଓଡ଼ିଶା ଉପରେ ମୋଟ ଆର୍ଥିକ ବୋଝ ୧ଲକ୍ଷ ୨୦ହଜାର ୧୩୯କୋଟି ଟଙ୍କା ରହିଛି । ୨୦୨୦-୨୧ରେ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସଡିପି)ର ପରିମାଣ ୬ଲକ୍ଷ ୩୮ହଜାର ୩୪୨କୋଟି ଟଙ୍କା ଥିଲା ବୋଲି ସିଏଜି ଦର୍ଶାଇଛନ୍ତି ।

ଆଜି ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ମସିହାର ସାମଗ୍ରିକ ଆର୍ଥିକ ସ୍ଥିତିର ବାର୍ଷିକ ସିଏଜି ରିପୋର୍ଟକୁ ଉପସ୍ଥାପନ କରିଥିଲେ । ଏଥିରେ ଦର୍ଶାଯାଇଛି ଯେ, ରାଜ୍ୟସରକାର ବିଧାନସଭା ଦ୍ୱାରା ସ୍ଥିରୀକୃତ ସମୟସୀମା ପର୍ଯ୍ୟନ୍ତ ରାଜ୍ୟର ସଂଗଠିତ ପାଣ୍ଠିର ସୁରକ୍ଷା ଦେଇ ଋଣ ନେଇପାରିବେ । ଓଡ଼ିଶା ଏଫଆରବିଏମ୍ ଆକ୍ଟ-୨୦୦୫ ଅନୁସାରେ ରାଜ୍ୟ ସରକାର ଆର୍ଥିକ ପରିଚାଳନା ଓ ଆର୍ଥିକ ସୁଦୃଢ଼ତାକୁ ଦୃଷ୍ଟିରେ ରଖି ଧୀରେଧୀରେ ରାଜସ୍ୱ ନିଅଂଟ ହ୍ରାସ କରିବେ ଓ ଆର୍ଥିକ ସ୍ଥିରତା ସହ ଖାପଖୁଆଇ ଚିରସ୍ଥାୟୀ ଋଣ ପରିଚାଳନା କରିବେ ।

୨୦୨୨ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ଋଣବୋଝ ୭୨୪୮୫କୋଟି ଟଙ୍କା ଥିବାବେଳେ ଏଥିରୁ ଆଭ୍ୟନ୍ତରୀଣ ଋଣ ୫୩୯୭୭.୨୪କୋଟି ଟଙ୍କା ଥିବା ବେଳେ ଭାରତ ସରକାରଙ୍କଠୁ ଅଣାଯାଇଥିବା ଋଣ ଓ ଅଗ୍ରୀମ ପରିମାଣ ୧୮୫୦୭.୮୨କୋଟି ଟଙ୍କା ଥିଲା । ଏହି ସରକାରୀ ଋଣ ବ୍ୟତୀତ ରାଜ୍ୟ ସରକାରଙ୍କ ଉପରେ ଅତିରିକ୍ତ ୪୭,୬୫୪କୋଟି ଟଙ୍କାର ଆର୍ଥିକ ବୋଝ ରହିଛି । ଏହି ସମସ୍ତ ଋଣବୋଝ ଓ ଆର୍ଥିକ ବୋଝକୁ ମିଶାଇଲେ ଓଡ଼ିଶା ସରକାରଙ୍କ ଉପରେ ୨୦୨୧-୨୨ ମାର୍ଚ୍ଚ ଶେଷ ସୁଦ୍ଧା ୧ଲକ୍ଷ ୨୦ହଜାର ୧୩୯କୋଟି ଟଙ୍କା ଆର୍ଥିକ ବୋଝ ରହିଛି । ଯାହାକି ରାଜ୍ୟର ମୋଟ ଘରୋଇ ଉତ୍ପାଦର ୧୯ ପ୍ରତିଶତ ।

Also Read

ଅବଶ୍ୟ ୨୦୨୦-୨୧ରେ ଏହି ପରିମାଣ ଘରୋଇ ଉତ୍ପାଦର ୨୩ ପ୍ରତିଶତ ଥିଲା । ବିଗତ ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ସରକାରୀ ଋଣ ଓ ଅନ୍ୟାନ୍ୟ ଆର୍ଥିକ ବୋଝର ନିଟ ହ୍ରାସ ୩୧୯୬କୋଟି ଟଙ୍କା ଅର୍ଥାତ ୪ ପ୍ରତିଶତ ହ୍ରାସ ପାଇଛି । ୨୦୨୦-୨୧ରେ ଆଭ୍ୟନ୍ତରୀଣ ଋଣ ବୋଝ ୬୭,୫୨୧କୋଟି ଟଙ୍କା ଓ କେନ୍ଦ୍ର ସରକାରଙ୍କ ଋଣ ୧୧୯୮୨କୋଟି ଟଙ୍କାକୁ ମିଶାଇଲେ ମୋଟ ୭୯,୫୦୩କୋଟି ଟଙ୍କା ସରକାରୀ ଋଣ ରହିଥିଲାବେଳେ ରାଜ୍ୟ ସରକାରଙ୍କ ଉପରେ ମୋଟ ଆର୍ଥିକ ବୋଝ ୧ଲକ୍ଷ ୧୮ହଜାର ୯୫୧କୋଟି ଟଙ୍କା ରହିଛି ।

ସେହିପରି ସିଏଜି ଦର୍ଶାଇଛନ୍ତି ଯେ ୨୦୨୨ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ମୋଟ ୨୭୪୨୩କୋଟି ଟଙ୍କାର ବିନିଯୋଗ ପତ୍ର ବକେୟା ରହିଛି । ୨୦୨୧-୨୨ ମଧ୍ୟରେ ଆସିଥିବା ମୋଟ ୨୫୯୩୦.୯୭କୋଟି ଟଙ୍କାର ପ୍ରମାଣପତ୍ର ମଧ୍ୟରୁ ୭୮୨୬.୮୨କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ୨୦୨୨ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଦାଖଲ ହୋଇପାରିଥିଲା ।

ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ, ଗୃହ ବିଭାଗ ନିଜ ପାଖରେ ରଖିଥିବା ୯୩୦.୨୦କୋଟି ଟଙ୍କା ଖର୍ଚ୍ଚ ନକରି ପାରି ସେଥିରୁ ୯୨୫.୧୧କୋଟି ଯଙ୍କା ଫେରସ୍ତ କରିଥିଲା । ଯଦିଓ ଏହି ୯୩୦କୋଟି ଟଙ୍କା ଥାଇ ମଧ୍ୟ ଗୃହ ବିଭାଗ ଅନାବଶ୍ୟକ ଭାବେ ୩୯୨.୨୫କୋଟି ଟଙ୍କାର ବଜେଟ୍ ଖର୍ଚ୍ଚଦାବି ୨୦୨୧ ଡିସେମ୍ବର ମାସରେ ଅତିରିକ୍ତ ବଜେଟରେ ଦାବି କରିଥିଲା । ଗୃହ ବିଭାଗ ବିଭିନ୍ନ କ୍ଷେତ୍ର ପାଇଁ ବଜେଟରେ ବ୍ୟୟବରାଦ କରିଥିଲେ ମଧ୍ୟ ସେଗୁଡ଼ିକ ଖର୍ଚ୍ଚ କରିବାରେ ସକ୍ଷମ ହୋଇନଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos