ରାଜ୍ୟରେ ସ୍ୱତନ୍ତ୍ର କୃଷି ବଜେଟକୁ ୧୦ବର୍ଷ ପୂରିଲାଣି । ୪ବର୍ଷ ଧରି ‘କାଳିଆ’ ଯୋଜନା ନାଁରେ ଚାଷୀଙ୍କୁ ଆର୍ଥିକ ସହାୟତା ଓ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଫସଲ ଋଣ ବି ଦିଆଯାଉଛି । ଚାଷୀଙ୍କ ଆୟ ଦ୍ୱିଗୁଣ ହୋଇଛି । କୃଷି ବଜେଟର ଆକାର ପ୍ରତିବର୍ଷ ଆଖିଦୃଶିଆ ବୃଦ୍ଧି ହେଉଛି । ଏସବୁ ବାହାସ୍ଫୋଟ ମାରି ଚାଷୀଙ୍କ କଲ୍ୟାଣ ପାଇଁ ସମର୍ପିତ ସରକାର ବୋଲି ଦାବି କରି ନିର୍ବାଚନୀ ବୈତରଣୀ ପାର ହେଉଥିବା ୨୩ବର୍ଷର ବିଜେଡି ସରକାରର ଅସଲ ଚେହେରା ପଦାରେ ପଡ଼ିଛି ।
ଝାଡ଼ଖଣ୍ଡ ପରେ ଓଡ଼ିଶାର ଚାଷୀ ଦେଶରେ ସବୁଠୁ ଦୟନୀୟ ସ୍ଥିତିରେ ରହିଛନ୍ତି । ଆଉ କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ଶାସକ ବିଜେଡିର ଚାଷୀଙ୍କୁ ନେଇ ଫମ୍ପା ଘୋଷଣା ଓ ରାଜନୀତିକ ବୟାନବାଜି ତଥା ଆତ୍ମପ୍ରଚାରକୁ ପଦାରେ ପକାଇଛି । ଓଡ଼ିଶା ଚାଷୀଙ୍କ ମାସିକ ଆୟ ଦେଶରେ ସବୁଠୁ ନିମ୍ନରେ ରହିଛି । ଏପରିକି ସର୍ବଭାରତୀୟସ୍ତରରେ ଚାଷୀ ପରିବାରର ହାରାହାରି ମାସିକ ଆୟ ୧୦,୨୧୮ ଟଙ୍କା ଥିବାବେଳେ ଓଡ଼ିଶାର ଚାଷୀ ପରିବାରର ହାରାହାରି ଆୟ ଏହାର୫୦ ଭାଗ ଅର୍ଥାତ ମାତ୍ର ୫୧୧୨ଟଙ୍କା ରହିଛି । ଗୋଟିଏପଟେ କୃଷି ବିଭାଗର ବଜେଟ ଆକାର ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ପ୍ରତିବର୍ଷ ପ୍ରାୟ ୩୦ରୁ ୫୦ ପ୍ରତିଶତ ବଜେଟ୍ ଖର୍ଚ୍ଚ ନହୋଇ ଫେରୁଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଜାରି ସର୍ଭେ ରିପୋର୍ଟ ଅନୁସାରେ(୨୦୧୯ ଜାନୁୟାରୀ-ଡିସେମ୍ବର ମଧ୍ୟରେ ସର୍ଭେ) ଓଡ଼ିଶାର ଚାଷୀ ପରିବାରର ହାରାହାରି ମାସିକ ଆୟ ୫୧୧୨ଟଙ୍କା ରହିଛି । କେବଳ ଝାଡ଼ଖଣ୍ଡରେ ଚାଷୀ ପରିବାରର ହାରାହାରି ମାସିକ ଆୟ ୪୮୯୫ଟଙ୍କା ଥି ବାବେଳେ ଅନ୍ୟ କୌଣସି ରାଜ୍ୟ ୧୯ଟି ରାଜ୍ୟର ଚାଷୀଙ୍କ ମାସିକ ହାରାହାରି ଆୟ ୧୦ରୁ ୩୦ହଜାର ଟଙ୍କା ମଧ୍ୟରେ ରହିଛି ।
ଏପରିକି ପଛୁଆ ରାଜ୍ୟ ବିହାରର ଚାଷୀ ପରିବାରର ମାସିକ ଆୟ ହାରାହାରି ୭୫୪୨ଟଙ୍କା ହୋଇଥିବାବେଳେ ମେଘାଳୟରେ ୨୯୩୪୮ଟଙ୍କା, ପଞ୍ଜାବରେ ୨୬୭୦୧ଟଙ୍କା, ମିଜୋରାମରେ ୧୭୯୬୪ଟଙ୍କା, ହରିଆଣାରେ ୨୨୮୪୧ଟଙ୍କା, ଗୁଜୁରାଟରେ ୧୨୬୩୧ଟଙ୍କା, କର୍ଣ୍ଣାଟକରେ ୧୩୪୪୧ ଟଙ୍କା, କେରଳରେ ୧୭୯୧୫ଟଙ୍କା, ଅରୁଣାଚଳ ପ୍ରଦେଶରେ ୧୯୨୨୫ଟଙ୍କା, ଆନ୍ଧ୍ରପ୍ରଦେଶରେ୧୦୪୮୦ଟଙ୍କା, ଛତିଶଗଡ଼ରେ ୯୬୭୭ଟଙ୍କା, ୟୁପିରେ ୮୬୦୧ଟଙ୍କା, ପଶ୍ଚିମବଙ୍ଗରେ ୬୭୬୨ଟଙ୍କା, ତେଲେଙ୍ଗାନାରେ ୯୪୦୩ଟଙ୍କା ଓ ଉତ୍ତରାଖଣ୍ଡରେ ଚାଷୀ ପରିବାରର ହାରାହାରି ମାସିକ ଆୟ ୧୩୫୫୨ଟଙ୍କା ରହିଛି ।
ଅନ୍ୟପକ୍ଷରେ ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବାରେ ଓଡ଼ିଶା ଦେଶର ସବୁଠୁ ଆଗୁଆ ରାଜ୍ୟ ବୋଲି ଦୀର୍ଘଦିନ ଧରି ଶାସକ ବିଜେଡି ପକ୍ଷରୁ ହେଉଥିବା ଦମ୍ଭୋକ୍ତି ସମ୍ପର୍କରେ ଚଳିତ କୃଷି ବଜେଟରେ ପଦୁଟିଏ ବି ଉଲ୍ଲେଖ ହୋଇନାହିଁ । ସେହିପରି କଥାକଥାକେ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କୃଷି ବଜେଟ୍ ଓ ବହୁ ପରିମାଣର ଆର୍ଥିକ ବ୍ୟୟବରାଦ ବଜେଟରେ ହେଉଛି ବୋଲି ବାହାସ୍ଫୋଟ ମାରୁଥିବା ରାଜ୍ୟ ସରକାର ଚାଷୀଙ୍କ ପାଇଁ ଯେତିକି ବ୍ୟୟବରାଦ କରୁଛନ୍ତି ତା’ର ୩୦ରୁ ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ ନକରି ପ୍ରତିବର୍ଷ ଫେରାଇ ଦେଉଛନ୍ତି ।
ବିଧାନସଭାରେ ରାଜ୍ୟ କୃଷି ବିଭାଗର ତଥ୍ୟ ଅନୁସାରେ ୨୦୧୯-୨୦ରୁ ୨୦୨୨-୨୩ ମଧ୍ୟରେ କେବଳ କୃଷି ବିଭାଗ ପାଇଁ ବଜେଟରେ ମୋଟ ୩୦,୦୨୧ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ୧୯୮୦୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଓ ୧୦୨୧୭ କୋଟି ଟଙ୍କା ଖର୍ଚ୍ଚ ନହୋଇ ଫେରି ଯାଇଛି ।
ସେହିପରି ୨୦୧୯-୨୦ରୁ ୨୦୨୨-୨୩ ମଧ୍ୟରେ ରାଜ୍ୟ ସରକାର କୃଷି ଓ ଆନୁସଙ୍ଗିକ ବିଭାଗ ପାଇଁ ମୋଟ ବଜେଟ ବ୍ୟୟବରାଦ ୭୭୯୬୮ କୋଟି ଟଙ୍କା କରିଥିବାବେଳେ ସେଥିରୁ ୨୩୩୯୭ କୋଟି ଟଙ୍କା ଖର୍ଚ୍ଚ ନହୋଇ ଫେରିଯାଇଛି ।
ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କୃଷି ଓ ଆନୁସଙ୍ଗିକ ବଜେଟ ବ୍ୟୟବରାଦ ୨୪୮୨୯କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଯାହାକି ଗତବର୍ଷ ତୁଳନାରେ ୨୦% ଅଧିକ ।
ସେହିପରି ୨୦୨୨-୨୩ ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ(ଜିଡିପି)ରେ କୃଷି କ୍ଷେତ୍ରର ଭାଗିଦାରୀ ଗତ ୨୦୧୬-୧୭ରୁ ୨୦୨୨-୨୩ ମଧ୍ୟରେ ୧୯.୧୭%ରୁ ୨୫.୭୫% ମଧ୍ୟରେ ରହୁଥିବାବେଳେ କୃଷି କ୍ଷେତ୍ରରେ ବାର୍ଷିକ ଅଭିବୃଦ୍ଧି ହାର ୨୦୧୯-୨୦ରେ ୧୩.୫୮%, ୨୦୨୦-୨୧ରେ ୬.୨୫%, ୨୦୨୧-୨୨ରେ ୨.୩୮ପ୍ରତିଶତ ଓ ୨୦୨୨-୨୩ରେ ୫.୯୮% ରହିଛି ।
କୃଷି ଗଣନା ୨୦୧୫-୧୬ ଅନୁସାରେ ରାଜ୍ୟରେ ମୋଟ ୪୮ଲକ୍ଷ ୬୫ହଜାର ୮୫୦ ଚାଷୀ ପରିବାର ଅଛନ୍ତି ଓ ସେମାନଙ୍କ ପାଖରେ ୪୬.୧୯ଲକ୍ଷ ହେକ୍ଟର ଚାଷ ଜମି ରହିଛି । ସେହିପରି ୨.୮୩ଲକ୍ଷ ଚାଷୀ ଅନ୍ୟର ଜମିକୁ ନେଇ ଚାଷ କରିଥାନ୍ତି ।
ତେବେ ରାଜ୍ୟର ୬୭ ପ୍ରତିଶତରୁ ଅଧିକ ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ ରହିଥିବାବେଳେ ରାଜ୍ୟରେ ୨୩ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାର କେବଳ କାଗଜକଲମ ଓ ବାହାସ୍ଫୋଟରେ ଚାଷୀଙ୍କ ବିକାଶ କରୁଥିବା ଏବେ ପ୍ରମାଣିତ ହୋଇଛି । ଚାଷୀଙ୍କ ପାଇଁ ବଜେଟରେ ବ୍ୟୟବରାଦ ଅର୍ଥର ସିଂହଭାଗ ଖର୍ଚ୍ଚ ନହୋଇ ଫେରୁଥିବାବେଳେ ଚାଷୀଙ୍କ ଆୟ ଓ ଜୀବନଶୈଳୀରେ ସୁଧାର ଆଣିବା ପାଇଁ ଏପର୍ଯ୍ୟନ୍ତ ନେଇଥିବା ପଦକ୍ଷେପ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ସନ୍ତୋଷଜନକ ନଥିବା ସ୍ପଷ୍ଟ ହୋଇଛି ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଏବେ ୪୧.୦୯ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୮.୬୯ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ବାର୍ଷିକ ଆର୍ଥିକ ସହାୟତା ଦେଉଛନ୍ତି । ଓଡ଼ିଶାର ଚାଷୀମାନେ ନିଜର ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ କାର୍ଯ୍ୟକ୍ରମ କଲେ ସେମାନଙ୍କ ଉପରେ ବଳପ୍ରୟୋଗ କରି ତାକୁ ସରକାର ଚପାଇ ଦେଉଛନ୍ତି । ଆଉ ଏପଟେ ଚାଷୀଙ୍କ କଲ୍ୟାଣ ଓ ବିକାଶର ଫମ୍ପା ବାହାସ୍ଫୋଟ ମାରୁଛନ୍ତି, ଯାହା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତଥ୍ୟରୁ ପ୍ରମାଣିତ ହୋଇଛି ।