Advertisment

Mineral Blocks Auction: ଆଉ ୧୨ଟି ଖଣିଜ ବ୍ଲକ୍ ନିଲାମ ପାଇଁ ଟେଣ୍ଡର ଡାକିଲେ ଓଡ଼ିଶା ସରକାର, ଗତବର୍ଷ ଦେଇଥିଲେ ୯ଟି ଖଣି

ରାଜ୍ୟ ସରକାର ଇ-ନିଲାମ ପାଇଁ ଚିହ୍ନଟ କରିଥିବା ୧୨ଟି ଭର୍ଜିନ୍ ଖଣିଜ ବ୍ଲକ ମଧ୍ୟରେ ଲୁହାପଥର, ମାଙ୍ଗାନିଜ୍‌, ବକ୍ସାଇଟ୍‌, ଆଲୁମିନସ୍ ଲାଟେରାଇଟ୍‌, ଚୂନପଥର ଓ ଡୋଲୋମାଇଟ୍ ଭଳି ଖଣିଜ ସଂପଦ ରହିଛି । ବିଡ୍ ଦାଖଲ କରିବାର ଶେଷ ତାରିଖ ୨୦୨୬ ଫେବୃୟାରୀ ୩ତାରିଖ ଧାର୍ଯ୍ୟ ହୋଇଛି ।

author-image
Prakash Sethi
mining-pic

ରାଜ୍ୟ ସରକାର ଆଜି ଆଉ ୧୨ଟି ଖଣିଜ୍ ବ୍ଲକର ନିଲାମ ପାଇଁ ଟେଣ୍ଡର ଆହ୍ୱାନ କରିଛନ୍ତି । ଏଥିରେ ଲୁହାପଥର, ମାଙ୍ଗାନିଜ,ବକ୍ସାଇଟ୍ ଓ ଚୂନପଥର ଆଦିର ଖଣିଜ୍ ବ୍ଲକ୍ ରହିଛି । ଏମଏମଡିଆର ଆକ୍ଟ-୧୯୫୭ର ଧାରା ୧୦(ଖ) ଓ ମିନେରାଲ ଅକ୍ସନ ରୁଲସ-୨୦୧୫ ଅନ୍ତର୍ଗତ ଏହି ଖଣିଜ ବ୍ଲକଗୁଡ଼ିକୁ ଇ-ନିଲାମ ମାଧ୍ୟମରେ ମାଇନିଂ ଲିଜ୍ ପ୍ରଦାନ ନିମନ୍ତେ ଟେଣ୍ଡର ଆହ୍ୱାନ କରାଯାଇଛି । ଇସ୍ପାତ ଓ ଖଣି ବିଭାଗ ଅଧୀନରେ ଥିବା ଖଣିଜ ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଟେଣ୍ଡର ଗୁରୁବାର ଜାରି ହୋଇଛି । ରାଜ୍ୟର ବିଜେପି ସରକାର ୨୦୨୪-୨୫ ଆର୍ଥିକ ବର୍ଷରେ ସଫଳତାର ସହ ୯ଟି ଖଣିଜ ବ୍ଲକର ନିଲାମ କରିଥିଲେ ।

Advertisment

କେଉଁ ୧୨ ଖଣିଜ ବ୍ଲକ୍ ହେବ ନିଲାମ


ରାଜ୍ୟ ସରକାର ଇ-ନିଲାମ ପାଇଁ ଚିହ୍ନଟ କରିଥିବା ୧୨ଟି ଭର୍ଜିନ୍ ଖଣିଜ ବ୍ଲକ ମଧ୍ୟରେ ଲୁହାପଥର, ମାଙ୍ଗାନିଜ୍‌, ବକ୍ସାଇଟ୍‌, ଆଲୁମିନସ୍ ଲାଟେରାଇଟ୍‌, ଚୂନପଥର ଓ ଡୋଲୋମାଇଟ୍ ଭଳି ଖଣିଜ ସଂପଦ ରହିଛି । ଲୁହାପଥର ଖଣି ପାଇଁ ସୁନ୍ଦରଗଡ଼ର ଆଲଘାଟ-ୱେଷ୍ଟ, କେନ୍ଦୁଝରର ରେଙ୍ଗାଳାବେରହା ନର୍ଥ-ଇଷ୍ଟ ଓ ନୂଆଗାଁ ୱେଷ୍ଟ ସମେତ ଠାକୁରାଣୀ-ଏ୧ ଲୁହାପଥର ଖଣିଜ ବ୍ଲକ୍ ରହିଛି । ସେହିପରି ବକ୍ସାଇଟ୍ ଏବଂ ଆଲୁମିନସ୍ ଲାଟେରାଇଟ୍ ମିଶ୍ରିତ ଖଣିଜ ବ୍ଲକ୍‌ଗୁଡ଼ିକ ହେଲା- ସୁନ୍ଦରଗଡ଼ର କେଦେସାଲା ୱେଷ୍ଟ ଲୁହାପଥ ପଥର ଓ ଆଲୁମିନସ୍ ଲାଟେରାଇଟ୍ ବ୍ଲକ୍‌, କୋରାପୁଟର ତରହାପାଣି ୱେଷ୍ଟ ବକ୍ସାଇଟ୍ ଖଣି, କର୍ଣ୍ଣପୋଡ଼ିକୋଣ୍ଡା ବକ୍ସାଇଟ୍ ଖଣି । ଏସବୁ ବ୍ୟତୀତ ମାଙ୍ଗାନିଜ୍ ପାଇଁ କୋରାପୁଟର କୁଟିଙ୍ଗା ମାଙ୍ଗାନିଜ ବ୍ଲକ, ସୁନ୍ଦରଗଡ଼ର ପାଟାମୁଣ୍ଡା-ଏ ମାଙ୍ଗାନିଜ୍ ଓ ଲୁହାପଥର ବ୍ଲକ ଏବଂ କେନ୍ଦୁଝରର ଜାଜଙ୍ଗ-ଏ ଲୁହାପଥର ଓ ମାଙ୍ଗାନିଜ୍ ବ୍ଲକ ସାମିଲ ରହିଛି । ସେହିପରି ନୂଆପଡ଼ାର ଗାରାମୁରା ଚୂନପଥର ବ୍ଲକ, ବଲାଙ୍ଗୀରର ତେଲିପାଦର-ଲୁକାପାଦା-ପିପଳମୁଣ୍ଡା ଚୂନପଥର ବ୍ଲକ୍ ଓ ସୁନ୍ଦରଗଡ଼ର ଟୁନାମୁରା ଚୂନପଥର ଓ ଡୋଲୋମାଇଟ୍ ବ୍ଲକ୍ ରହିଛି ।


ନିଲାମ ପାଇଁ ଆବେଦନ ଫି, ତାରିଖ ଓ ପଦ୍ଧତି

ଏହି ଲୁହାପଥ,ମାଙ୍ଗାନିଜ୍ ଓ ବକ୍ସାଇଟ୍ ଖଣିଗୁଡ଼ିକ ପାଇଁ ଇ-ଟେଣ୍ଡରରେ ସାମିଲ ହେବା ନିମନ୍ତେ ଆବେଦନ ଫି ୫ଲକ୍ଷ ଟଙ୍କା ଓ ଚୂନପଥର ଏବଂ ଡୋଲୋମାଇଟ୍ ଖଣି ପାଇଁ ୨ଲକ୍ଷ ଟଙ୍କା ଆବେଦନ ଫି ଧାର୍ଯ୍ୟ ହୋଇଛି । ଇ-ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ଇଚ୍ଛୁକ ଯୋଗ୍ୟ ବିଡରମାନଙ୍କୁ ଟେକନିକାଲ ଓ ଫାଇନାନ୍ସିଆଲ ବିଡ୍ ଦାଖଲ କରିବାକୁ ପଡ଼ିବ । ଟେଣ୍ଡର ଡକ୍ୟୁମେଂଟକୁ ଏମଏସଟିସିଇକର୍ମସ ଡଟ୍ କମରୁ ଡାଉନଲୋଡ଼୍ କରିହେବ । ଯୋଗ୍ୟ ବିଡରମାନଙ୍କୁ ଏହି ୱେବସାଇଟରେ ପଞ୍ଜିକରଣ କରିବାକୁ ପଡ଼ିବ । ଟେଣ୍ଡର ଡକ୍ୟୁମେଂଟ କ୍ରୟ କରିବାର ଶେଷ ତାରିଖ ୨୦୨୬ ଜାନୁୟାରୀ ୨୭ତାରିଖ ଥିବାବେଳେ ବିଡ୍ ଦାଖଲ କରିବାର ଶେଷ ତାରିଖ ୨୦୨୬ ଫେବୃୟାରୀ ୩ତାରିଖ ଧାର୍ଯ୍ୟ ହୋଇଛି ।

Advertisment

ଗତବର୍ଷ କରିଥିଲେ ୯ଟି ଖଣି ନିଲାମ , ପାଇଲେଣି ୩୭୭କୋଟି ଟଙ୍କା

ଖଣି ବିଭାଗ ସୂତ୍ର ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ୯ଟି ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା ସଫଳତାର ସହ ଶେଷ କରିଛନ୍ତି । ଏହି ୯ଟି ଖଣି ବ୍ଲକ ମଧ୍ୟରୁ ୮ଟି ରାଜ୍ୟ ସରକାର ଓ ଗୋଟିଏ କେନ୍ଦ୍ର ସରକାର ନିଲାମ କରିଛନ୍ତି । ସେଥିରୁ ୪ଟି ଖଣିଜ ବ୍ଲକୁ ଖଣି ପଟ୍ଟା ମଞ୍ଜୁର ହୋଇଥିବାବେଳେ ୫ଟି ଖଣି ବ୍ଲକକୁ ଚୁକ୍ତିଭିତ୍ତିକ ଭାବେ ଖଣିପଟ୍ଟା ମଞ୍ଜୁର ନିମନ୍ତେ ଏଲଓଆଇ ପ୍ରଦାନ କରାଯାଇଛି । ଏହି ୮ଟି ଖଣି ମଧ୍ୟରୁ କେବଳ ଦୁଇଟି ଖଣିର ଗତ ଜୁଲାଇ ମାସରେ ଲିଜ୍ ଡିଡ୍ ସମ୍ପାଦନ କରି ରାଜ୍ୟ ସରକାରଙ୍କୁ ୩୭୬.୯୩କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏସମସ୍ତ ଖଣିରୁ ୩ଟି ଖଣି ଏବେ କାର୍ଯ୍ୟକ୍ଷମ ହୋଇସାରିଥିବା ଜଣାପଡ଼ିଛି ।

୧୮୩ଟି ଖଣି ବନ୍ଦ ରହିଛି, ୧୧ବର୍ଷ ମଧ୍ୟରେ ୫୯ଟି ଖଣିର ହୋଇଛି ନିଲାମ

ରାଜ୍ୟରେ ମୋଟ ୩୮୭ଟି ଖଣି ଥିବାବେଳେ ସେଥିରୁ ୩୮ଟି କ୍ୟାପଟିଭ ଓ ୩୪୯ଟି ନନକ୍ୟାପଟିଭ ଖଣି ରହିଛି । ତେବେ ଏହି ମୋଟ ଖଣି ମଧ୍ୟରୁ ୨୦୪ଟି ଅଦ୍ୟାବଧି କାର୍ଯ୍ୟକ୍ଷମ ଥିବାବେଳେ ବାକି ୧୮୩ଟି ଖଣି ବନ୍ଦ ରହିଛି । ୨୦୧୪ରୁ ୨୦୨୫ ମସିହା ମଧ୍ୟରେ ମୋଟ ୫୯ଟି ଖଣିଜ୍ ବ୍ଲକ ନିଲାମ ହୋଇଛି । ସେଥିରୁ ରାଜ୍ୟ ସରକାର ୫୫ଟି ଓ କେନ୍ଦ୍ର ସରକାର ୪ଟି ଖଣିଜ ବ୍ଲକକୁ ସଫଳତାର ସହ ନିଲାମ କରିଥିବା ବିଭାଗ ସୂତ୍ରରୁ ସୂଚନା ମଳିଛି ।