odisha-government-agreed-with-centre-plan
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଭାରତକୁ ପ୍ଲାଷ୍ଟିକମୁକ୍ତ କରିବା ନିମନ୍ତେ ଦେଇଥିବା ଆହ୍ୱାନକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏବେ ଓଡ଼ିଶା ସରକାର ଆଗଭର ହୋଇଛନ୍ତି। ଆସନ୍ତା ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧି ଜୟନ୍ତୀରୁ ଭାରତକୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକମୁକ୍ତ କରିବା ନିମନ୍ତେ ଆରମ୍ଭ ହେବାକୁ ଥିବା ଦେଶବ୍ୟାପୀ ଅଭିଯାନରେ ଓଡ଼ିଶାର ସମସ୍ତ ସ୍କୁଲ ଓ କଲେଜ ସାମିଲ ହେବ ବୋଲି ଜଣାପଡ଼ିଛି।
ତେବେ ସ୍କୁଲ ଓ କଲେଜରେ ଯୋଗ ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଆହ୍ୱାନକୁ ମନା କରିଥିବା ଓଡ଼ିଶା ଗତବର୍ଷ ମଧ୍ୟ ମୋଦିଙ୍କ “ପରୀକ୍ଷା ପେ ଚର୍ଚ୍ଚା” କାର୍ଯ୍ୟକ୍ରମରେ ସାମିଲ ହେବାକୁ ରୋକଠୋକ୍ ଭାବେ ମନା କରିଦେଇଥିଲା। ଯାହାକୁ ନେଇ ସେତେବେଳେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ରାଜନୀତିକ ଛକପଞ୍ଝା ସୃଷ୍ଟି ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ଓଡ଼ିଶା ସମେତ ସମସ୍ତ ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକମୁକ୍ତ କରିବା ନିମନ୍ତେ ଦେଇଥିବା ଆହ୍ୱାନକୁ ପାଳନ ଦିଗରେ ପଦକ୍ଷେପ ନେବା ପାଇଁ କହିଛି। ସ୍କୁଲ ଭିତରେ ଓ ବାହାରେ ଯେଭଳି ସିଙ୍ଗଲୟୁଜ୍ ପ୍ଲାଷ୍ଟିକର ଉପଯୋଗ ନହେବ ସେଥିପାଇଁ ଆବଶ୍ୟକ ନିର୍ଦ୍ଦେଶନାମା ସମସ୍ତ ସ୍କୁଲକୁ ଦେବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।
ମନ୍ତ୍ରଣାଳୟର ଏହି ପରାମର୍ଶ ପରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଶୋକ କୁମାର ରଥ ବିଭାଗର ସମସ୍ତ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦି ସିଙ୍ଗଲୟୁଜ୍ ପ୍ଲାଷ୍ଟିକମୁକ୍ତ ଭାରତ ନିମନ୍ତେ ଦେଇଥିବା ଆହ୍ୱାନକୁ ପାଳନ କରିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଙ୍ଗଲୟୁଜ୍ ପ୍ଲାଷ୍ଟିକମୁକ୍ତ ଭାରତ ଆହ୍ୱାନକୁ ସ୍କୁଲଗୁଡ଼ିକରେ ପାଳନ କରିବାକୁ ଆଗ୍ରହ ଦେଖାଉଥିବା ଓଡ଼ିଶା ସରକାର ୨୦୧୮ ମସିହାରେ ଯୋଗ ଦିବସରେ କାହିଁକି ସେଭଳି ଆନ୍ତରିକତା ଦେଖାଇନଥିଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/odisha-government-agreed-with-centre-plan.jpg)