/odisha-reporter/media/post_attachments/uploads/2019/09/traffic-2.jpg)
traffic
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ ଜୋରିମାନା କମ୍ କରିପାରନ୍ତି ରାଜ୍ୟ ସରକାର। ଗୁଜରାଟ ସରକାର ଜୋରିମାନାକୁ ୨୫ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିଥିବାରୁ ଓଡ଼ିଶା ମଧ୍ୟ କିଛି କମ୍ କରିବାର ସିଗ୍ନାଲ ଦେଇଛି। ଏପଟେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଭୁବନେଶ୍ୱର ଆର୍ଟିଓ ଅଫିସରେ ଲମ୍ବା ଲାଇନ୍ ଲାଗିଛି। ଲାଇସେନ୍ସ ଦେବା ପାଇଁ ଯେତିକି କାଉଣ୍ଟର ଥିଲା, ଏବେ ତାହା ଡବଲ ହୋଇଛି। ତଥାପି ଭିଡ଼ କମୁନି। ଆଜି ଖୋଦ ପରିବହନ ସଚିବ ଜି. ଶ୍ରୀନିବାସ କାମର ତଦାରଖ କରୁଛନ୍ତି। ଦଲାଲଙ୍କ ପ୍ରାଦୁର୍ଭାବ କମାଇବା ପାଇଁ ଅଚାନକ ଗସ୍ତ କରିଥିଲେ ସଚିବ।
ଜୋରିମାନା ବାବଦକୁ ଏବେ ଆଦାୟ ହେଉଥିବା ଅର୍ଥକୁ କମାଇବାକୁ ସରକାର ବିଚାର କରୁଥିବା ସଙ୍କେତ ଦେଇଛନ୍ତି ସଚିବ। ପୂର୍ବରୁ ମନ୍ତ୍ରୀ ମଧ୍ୟ ଏ ନେଇ ଗ୍ରୀନ ସିଗ୍ନାଲ ଦେଇଥିଲେ। ତେବେ ପୁଲିସ ଡିଜି ଓ କମିଶନରଙ୍କୁ ସଚିବ ଲେଖିଥିବା ଚିଠି ଏବେ ନୂଆ ବିବାଦ ଠିଆ କରିଛି। ଲୋକେ ହନ୍ତସନ୍ତ ହେବା ପଛରେ ପୁଲିସକୁ ଦାୟୀ କରିଛନ୍ତି ସଚିବ। ଆଇନ୍ ପାଳନ କରିବା ନାଁରେ ଭୁଲ୍ କଲେ ଅଫିସରଙ୍କଠାରୁ ଡବଲ ଜୋରିମାନା ଆଦାୟ ହେବ ବୋଲି ଲେଖିଛନ୍ତି ସଚିବ। ପୁଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ କିନ୍ତୁ କହିଛନ୍ତି ପରିବହନ ବିଭାଗ ସହ ପୁଲିସ ତୁ ତୁ ମେଁ- ମେଁ ହେବାକୁ ଚାହୁଁନି।
ଏପଟେ ପୁଲିସ ଉପରେ ଦୋଷ ଲଦି ପରିବହନ ବିଭାଗ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାର ପ୍ରକ୍ରିୟାକୁ ସମାଲୋଚନା କରିଛି କଂଗ୍ରେସ। ଲୋକଙ୍କ ପାଖରୁ ମୋଟା ଅଙ୍କର ଜୋରିମାନା ଆଦାୟ ପଛରେ ପରିବହନ ବିଭାଗର ନିର୍ଦ୍ଦେଶ ଥିବାରୁ ବିଭାଗ ହିଁ ଦାୟୀ ବୋଲି ଦଳ କହିଛି। ତେବେ ଜୋରିମାନା ଅର୍ଥକୁ ଗୁଜରାଟ ଭଳି ୫୦ ପ୍ରତିଶତ କମାଇବାକୁ ଦାବି କରିଛି ବିଜେପି।
ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି, “ଗୁଜରାଟ ଭଳି ଜୋରିମାନା ୪୦ରୁ ୫୦ ପ୍ରତିଶତ କମାଇବା ଦରକାର।”
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, “ରାଜ୍ୟ ପରିବହନ ବିଭାଗର ନିର୍ଦ୍ଦେଶକୁ ପୁଲିସ ପାଳନ କରୁଛି। ଆଉ ଏବେ ପୁଲିସ ଉପରେ ନିଜର ଦୋଷ ଲଦୁଛି ପରିବହନ ବିଭାଗ। ଏଥିପାଇଁ ପରିବହନ ବିଭାଗର ତ୍ରୁଟିପୂର୍ଣ୍ଣ ନୀତି ଦାୟୀ।”
ପୂର୍ବତନ ପରିବହନ ମନ୍ତ୍ରୀ ଅରବିନ୍ଦ ଢାଲି କହିଛନ୍ତି, “ସରକାର ଯାହା କରେ ଲୋକଙ୍କ ଭଲ ପାଇଁ କରୁଛି। ନିୟମ କଡ଼ାକଡ଼ି ହେଲେ ଲୋକେ ସଚେତନ ହେବେ।”
ନୂଆ ଟ୍ରାଫିକ ଆଇନ୍ରେ ଜୋରିମାନା ରାଶିକୁ ଗୁଜରାଟ ପ୍ରଥମେ ଗ୍ରହଣ କରି ନଥିଲା। ପରେ ଜୋରିମାନା ରାଶିକୁ ରାଜ୍ୟ ସରକାର କମ୍ କରି ୧୬ ତାରିଖରୁ ଏହାକୁ ଲାଗୁ କରିବାକୁ ଯାଉଛନ୍ତି। ତେବେ ରାଜସ୍ଥାନ, ପଞ୍ଜାବ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ ପରି କିଛି ସରକାର ଜୋରିମାନା ରାଶିକୁ ନେଇ ଆପତ୍ତି ଉଠାଇଛନ୍ତି। ଓଡ଼ିଶା ତରବରିଆ ଭାବେ ଏହାକୁ ଲାଗୁ କରିଥିଲେ ମଧ୍ୟ ଲୋକଙ୍କ ଅସନ୍ତୋଷ ବଢ଼ିବାରୁ ଏବେ ତିନିମାସ ପାଇଁ ଆଇନକୁ କୋହଳ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
