ପୁଣି ବଳି ପଡ଼ିଲେ ସୁଧାଂଶୁ ଷଡ଼ଙ୍ଗୀ, ବଦଳିକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୩ ମାସ ମଧ୍ୟରେ ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଦ୍ୱିତୀୟଥର ବଦଳି କରାଯାଇଛି। ତୃତୀୟ ମହଲା ସହ କଳି ଯୋଗୁ ଶ୍ରୀ ଷଡ଼ଙ୍ଗୀଙ୍କୁ ପୁଣି ବଦଳି ହେବାକୁ ପଡ଼ିଥିବାବେଳେ ବିନା କାର୍ଯ୍ୟରେ ସେ ଗୃହ ବିଭାଗର ଓଏସଡି ହେବେ। ଶ୍ରୀ ଷଡ଼ଙ୍ଗୀଙ୍କ ପୁଣିଥରେ ଏଭଳି ଅପ୍ରତ୍ୟାଶିତ ବଦଳିକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗତ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଶ୍ରୀ ଷଡ଼ଙ୍ଗୀଙ୍କୁ ଅଚାନକ ଟୁଇନସିଟି […]

Sudhanshu Sarangi

Sudhanshu Sarangi

Ordigital Desk
  • Published: Thursday, 24 June 2021
  • Updated: 25 June 2021, 01:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୩ ମାସ ମଧ୍ୟରେ ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଦ୍ୱିତୀୟଥର ବଦଳି କରାଯାଇଛି। ତୃତୀୟ ମହଲା ସହ କଳି ଯୋଗୁ ଶ୍ରୀ ଷଡ଼ଙ୍ଗୀଙ୍କୁ ପୁଣି ବଦଳି ହେବାକୁ ପଡ଼ିଥିବାବେଳେ ବିନା କାର୍ଯ୍ୟରେ ସେ ଗୃହ ବିଭାଗର ଓଏସଡି ହେବେ। ଶ୍ରୀ ଷଡ଼ଙ୍ଗୀଙ୍କ ପୁଣିଥରେ ଏଭଳି ଅପ୍ରତ୍ୟାଶିତ ବଦଳିକୁ ନେଇ ପାୱାର କରିଡରରେ ଚର୍ଚ୍ଚା।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗତ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଶ୍ରୀ ଷଡ଼ଙ୍ଗୀଙ୍କୁ ଅଚାନକ ଟୁଇନସିଟି ପୁଲିସ କମିଶନର ପଦବୀରୁ ହଟାଇ ଓଡ଼ିଶା ପୁଲିସ ହାଉସିଂ ବୋର୍ଡକୁ ବଦଳି କରାଯାଇଥିଲା। କିନ୍ତୁ ଆଜି ପୁଣିଥରେ ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି। ମାତ୍ର ୩ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଶ୍ରୀ ଷଡ଼ଙ୍ଗୀଙ୍କ ବଦଳି ପଛରେ ରହିଥିବା କାରଣକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ସୂତ୍ର ଅନୁସାରେ, ତୃତୀୟ ମହଲା ସହ ମତାନ୍ତର ହିଁ ଅତିରିକ୍ତ ଡିଜି ଶ୍ରୀ ଷଡ଼ଙ୍ଗୀଙ୍କୁ ମହଙ୍ଗା ପଡ଼ିଛି। ଯେଉଁଥିପାଇଁ ତାଙ୍କୁ ବିନା ଦାୟିତ୍ୱରେ ଗୃହ ବିଭାଗରେ କାର୍ଯ୍ୟ କରିବାକୁ ପଡ଼ିବ। ଅବଶ୍ୟ ଶ୍ରୀ ଷଡ଼ଙ୍ଗୀ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ଆବେଦନ କରିଥିବା ଜଣାପଡ଼ିଛି ।

କେବଳ ସେତିକି ନୁହେଁ, ୧୯୯୬ ବ୍ୟାଚ୍ ଆଇପିଏସ୍ ଅରୁଣ ବୋଥ୍ରା ଦୀର୍ଘଦିନ ଧରି ପୁଲିସ ବିଭାଗ ବାହାରେ ରହିଛନ୍ତି। ଯଦିଓ ପୁଞ୍ଜିଲାଲ ବୋମା ଓ ନୟାଗଡ଼ ଶିଶୁ ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହୋଇଥିଲା ଓ ସେ ସଫଳତା ସହ ଏହାର ତଦନ୍ତ କରିଥିଲେ, ତଥାପି ତାଙ୍କୁ ପୁଲିସ ବିଭାଗ ଭିତରକୁ ଅଣାଯାଇନି। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ଦକ୍ଷ ଆଇପିଏସ ଅଫିସର ୧୯୯୪ ବ୍ୟାଚର ସଞ୍ଜିବ ପଣ୍ଡାଙ୍କୁ କ୍ରାଇମବ୍ରାଂଚ ଏଡିଜି ଭାବେ ବଦଳି କରାଯାଇଛି। ତାଙ୍କୁ ଅତିରିକ୍ତ ଭାବେ ପୁଲିସ ହାଉସିଂ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି।

୧୯୯୨ ବ୍ୟାଚ୍ ଆଇପିଏସ ଲଳିତ ଦାସଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିବାରୁ ନକ୍ସଲ ଇଣ୍ଟେଲିଜେନ୍ସ ଓ ପଲଟିକାଲ ଇଣ୍ଟେଲିଜେନ୍ସ ଦାୟିତ୍ୱ କାହା ପାଖରେ ରହିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଜିଲାନ୍ସ ବିଭାଗକୁ ଅଧିକ ସକ୍ରିୟ କରିବାକୁ ୧୯୯୪ ବ୍ୟାଚ୍ ଆଇପିଏସ୍ ଯଶବନ୍ତ କୁମାର ଜେଠୱାଙ୍କୁ ନିର୍ଦ୍ଦେଶକ ଓ ୧୯୯୭ ବ୍ୟାଚ୍ ଆଇପିଏସ୍ ଅସିତ୍ କୁମାର ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଇଜି ଭାବେ ନିଯୁକ୍ତି ମିଳିଛି। ତେବେ ଆଜିର ଆଇପିଏସ୍ ବଦଳି ମଧ୍ୟରେ ଆଇପିଏସ୍ ଶ୍ରୀ ଷଡ଼ଙ୍ଗୀଙ୍କ ବଦଳି ହିଁ ସବୁଠୁ ବେଶୀ ଚର୍ଚ୍ଚାରେ ରହିଛି। ସୂଚନାଯୋଗ୍ୟ, ଏଡିଜି ପାହ୍ୟାର ଆଇପିଏସ୍ ରିତୁ ଅରୋରା ଏବେ ବି ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos