Advertisment

Blacklisted : କେନ୍ଦ୍ରୀୟ ପିଏସୟୁ ‘ବ୍ରିଜ୍ ଆଣ୍ଡ ରୁଫ୍‌’ ସହ ଚୁକ୍ତି ବାତିଲ, କଳାତାଲିକାଭୁକ୍ତ କଲେ ଓଡ଼ିଶା ସରକାର

ମାଲକାନଗିରି ଜିଲ୍ଲାରେ ଇଣ୍ଟିଗ୍ରେଟେଡ୍ ଇନଫ୍ରାଷ୍ଟକଚର କମ୍ପେ୍ଲକ୍ସ(ଆଇସିସି) ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଓ ଅବହେଳା ଯୋଗୁ ‘ବ୍ରିଜ୍ ଆଣ୍ଡ ରୁଫ୍ କୋ’ ସହ ଚୁକ୍ତିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବାତିଲ କରିଦେଇଛି । କମ୍ପାନୀକୁ ମଧ୍ୟ କଳାତାଲିକାଭୁକ୍ତ ଘୋଷଣା କରିଛି।

author-image
Prakash Sethi
Bridge-and-Roof-Company-Odish

State SSEPD Dept Order ( Right)

କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ‘ବ୍ରିଜ୍ ଆଣ୍ଡ ରୁଫ୍ କୋ’କୁ କଳାତାଲିକାଭୁକ୍ତ କରିଛନ୍ତି ଓଡ଼ିଶା ସରକାର । ମାଲକାନଗିରି ଜିଲ୍ଲାରେ ଇଣ୍ଟିଗ୍ରେଟେଡ୍ ଇନଫ୍ରାଷ୍ଟକଚର କମ୍ପେ୍ଲକ୍ସ(ଆଇସିସି) ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଓ ଅବହେଳା ଯୋଗୁ ‘ବ୍ରିଜ୍ ଆଣ୍ଡ ରୁଫ୍ କୋ’ ସହ ହୋଇଥିବା ଚୁକ୍ତିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବାତିଲ କରିଦେଇଛି । ଏହାସହିତ ସମ୍ପୃକ୍ତ କେନ୍ଦ୍ରୀୟ ପିଏସୟୁ କମ୍ପାନୀକୁ ମଧ୍ୟ କଳାତାଲିକାଭୁକ୍ତ ଘୋଷଣା କରିଛନ୍ତି । ୨୦୨୪ ଡିସେମ୍ବର ମାସରେ ସିବିଆଇ ଏକ ଲାଂଚ କାରବାର ମାମଲାରେ ଏହି ପିଏସୟୁର ଜେନେରାଲ ମ୍ୟାନେଜର ଚଂଚଳ କୁମାର ମୁଖାର୍ଜୀଙ୍କ ସମେତ ୪ଜଣ ବ୍ୟବସାୟୀଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିଲା ।

Advertisment

୩୫.୬୯ କୋଟି ଟଙ୍କାର ପ୍ରକଳ୍ପ, ୫ବର୍ଷରେ ମାତ୍ର ୪୦% କାମ ସରିଛି

ରାଜ୍ୟ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ମାଲକାନଗିରିରେ ଏହି କମ୍ପେ୍ଲକ୍ସ ନିର୍ମାଣ ପାଇଁ ରାଜ୍ୟ ସରକାର ୨୦୨୧ ଅକ୍ଟୋବର ମାସରେ ୩୫ କୋଟି ୬୯ଲକ୍ଷ ୧୭ହଜାର ଟଙ୍କାର ବ୍ୟୟବରାଦକୁ ପ୍ରଶାସନିକ ମଞ୍ଜୁରୀ ଦେଇଥିଲେ । ଏହା ପୂର୍ବରୁ ୨୦୨୦ ସେପ୍ଟେମ୍ବର ୯ତାରିଖରେ କେନ୍ଦ୍ରୀୟ ପିଏସୟୁ ‘ବ୍ରିଜ୍ ଆଣ୍ଡ ରୁଫ କୋ’ ଓ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମଧ୍ୟରେ ଏହି କମ୍ପେ୍ଲକ୍ସ ନିର୍ମାଣ ପାଇଁ ଆନୁଷ୍ଠାନିକ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ମାତ୍ର ଏକାଧିକ ସମୀକ୍ଷା ବୈଠକ ଓ ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ ପ୍ରକଳ୍ପ କାର୍ଯ୍ୟ ବିଗତ ୫ବର୍ଷ ମଧ୍ୟରେ ମାତ୍ର ୩୮ରୁ ୪୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇପାରିଛି ।

ତେବେ ୨୦୨୫ ଅଗଷ୍ଟ ୧୬ତାରିଖରେ ବିଭାଗ ଦ୍ୱାରା ପ୍ରକଳ୍ପ କାର୍ଯ୍ୟର ନିରୀକ୍ଷଣବେଳେ ଗୁଣବତ୍ତା ଓ ସୁରକ୍ଷାରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଥିଲା । ଛାତରେ ଥିବା ରଡ୍ କଳଙ୍କି ଲାଗିଥିବାବେଳେ ପିଲର(ଖମ୍ଭ)ଗୁଡ଼ିକ ବଙ୍କା ଥିଲା । ଇଲେକ୍ଟ୍ରିକାଲ ପାଇପ୍ ବଦଳରେ ନିମ୍ନମାନର ପଲିଥିନ ପାଇପ୍ ବ୍ୟବହାର ହେବାର ପ୍ରମାଣ ମିଳିଥିଲା । ଗୋଟିଏ ଛାତର ସ୍ଲାବ୍ ଅଧା ଥିଲା ଓ ବିମ୍ ଏବଂ ପିଲରରେ ରଡ୍ ଦେଖାଯାଉଥିଲା ତଥା ପର୍ଯ୍ୟାପ୍ତ ପରିମାଣର କଂକ୍ରିଟ୍ ଢ଼ଳେଇ ମଧ୍ୟ ହୋଇନଥିଲା । ଯାହାକି ଏହି ନିର୍ମାଣର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।

Advertisment

ବିଭାଗର ନୋଟିସକୁ ବାରମ୍ବାର ଅଣଦେଖା

ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ବାରମ୍ବାର ଚେତାବନୀ ଓ କାରଣଦର୍ଶାଅ ନୋଟିସ୍ (Show Cause Notice) ଦିଆଯିବା ସତ୍ତ୍ୱେ ବ୍ରିଜ୍ ଆଣ୍ଡ ରୁଫ୍ କୋ କମ୍ପାନୀ ଏହାକୁ ଅଣଦେଖା କରିଥିଲା । ୨୦୨୩ ଏପ୍ରିଲ ୧୩ତାରିଖରେ ଏହି Bridge And Roof Company କୁ ପ୍ରଥମ ନୋଟିସ୍ ପଠାଯାଇଥିଲା । କାର୍ଯ୍ୟରେ ଅବହେଳା ଓ ଜବାବ ନଦେବା ପାଇଁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଥିଲା । ୨୦୨୪ ସେପ୍ଟେମ୍ବର ୧୮ତାରିଖରେ ଆଉ ଏକ ନୋଟିସ୍ ପଠାଯାଇ ୨୦୨୪ ଅକ୍ଟୋବର ୩୧ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ନକଲେ ଟଙ୍କା ଫେରସ୍ତ ନିମନ୍ତେ କୁହାଯାଇଥିଲା । 

୨୦୨୫ ଜୁଲାଇ ୨୩ତାରିଖରେ ଶେଷ ନୋଟିସ୍ ଜାରି କରାଯାଇ ଚୁକ୍ତିକୁ ବାତିଲ କରାଯିବା ସହ ଭବିଷ୍ୟତରେ ସମସ୍ତ ପ୍ରକାରର କାର୍ଯ୍ୟରୁ ବାଦ୍ ଦେବା ପାଇଁ ଚେତାବନୀ ଜାରି ହୋଇଥିଲା। ତେବେ ଏନେଇ କେନ୍ଦ୍ରୀୟ ପିଏସୟୁ ଯେଉଁ ସ୍ପଷ୍ଟୀକରଣ ରଖିଥିଲା ତାହା ଗ୍ରହଣୀୟ ନୁହେଁ ବୋଲି Odisha ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କହିଛି । ଏହି ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ରୀୟ ପିଏସୟୁ ପକ୍ଷରୁ ସଂଶୋଧିତ ଡିପିଆର, ବ୍ଲୁପ୍ରିଣ୍ଟ କିମ୍ବା ଆକଳନ ରିପୋର୍ଟ ପ୍ରସ୍ତୁତ କରାଯାଇନଥିଲା କିମ୍ବା ସ୍ଥାନୀୟ ଠିକାଦାରମାନଙ୍କୁ ସେମାନଙ୍କ ପ୍ରାପ୍ୟ ମଧ୍ୟ ଦିଆଯାଇନଥିବା ଜଣାପଡ଼ିଛି।

ଚୁକ୍ତିର ସର୍ତ୍ତ ଉଲ୍ଲଘଂନ କରିଛି ବ୍ରିଜ୍ ଆଣ୍ଡ ରୁଫ୍‌

ବ୍ରିଜ୍ ଆଣ୍ଡ ରୁଫ୍ କୋ ସ୍ୱାକ୍ଷର କରିଥିବା ଚୁକ୍ତିର ବହୁ ସର୍ତ୍ତାବଳୀକୁ ଉଲ୍ଲଘଂନ କରିଥିବା ନେଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଚିହ୍ନଟ କରିଛି । ଏଥିରେ ଭାରତୀୟ ମାନକ ବ୍ୟୁରୋ(ବିଏସଆଇ)ର ନିୟମକୁ ଉଲ୍ଲଘଂନ କରି ନିମ୍ନମାନର ସାମଗ୍ରୀର ଉପଯୋଗ, ମାସିକ-ତ୍ରୈମାସିକ ଆର୍ଥିକ ରିପୋର୍ଟ ଦାଖଲ ନକରିବା, ପ୍ରୋଗ୍ରେସ୍ ରିପୋର୍ଟ ଓ ସ୍ଥାନୀୟ ଠିକାଦାରମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ, ଗୁଣବତ୍ତା ନିୟନ୍ତ୍ରଣ ଓ କାର୍ଯ୍ୟ ସମ୍ପାଦନରେ ଗୁରୁତର ତ୍ରୁଟି, କାର୍ଯ୍ୟ ଶେଷ ପାଇଁ ୧୮ମାସର ସମୟସୀମାକୁ ପାଳନ ନକରିବା ଏବଂ ବିସ୍ତୃତ ଡିପିଆର ପ୍ରସ୍ତୁତ ନକରିବା ଭଳି ସର୍ତ୍ତକୁ ଖୋଲାଖୋଲି ଏହି କେନ୍ଦ୍ରୀୟ ପିଏସୟୁ ଉଲ୍ଲଘଂନ କରିଥିବା ବିଭାଗ କହିଛି ।

ଚୁକ୍ତି ବାତିଲ ଓ କଳା ତାଲିକାଭୁକ୍ତ

ଏହି ସମସ୍ତ ଅନିୟମିତତାକୁ ଦୃଷ୍ଟିରେ ରଖି ଚୁକ୍ତିର ଅନୁଚ୍ଛେଦ ୧୨(କ)ର ପ୍ରାବଧାନ ଅନୁସାରେ ରାଜ୍ୟ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୨୦୨୫ ଅକ୍ଟୋବର ୬ତାରିଖରୁ କାର୍ଯ୍ୟକ୍ଷମ ହେଉଥିବା ଦୁଇମାସର ଚୁକ୍ତି ବାତିଲ ନୋଟିସ୍ ପଠାଇଛି । ଏହାସହିତ କମ୍ପାନୀକୁ କଳା ତାଲିକାଭୁକ୍ତ(Blacklisted) କରାଯାଇଥିବାର ସୂଚନା ଦେଇଛି । ଯେପର୍ଯ୍ୟନ୍ତ ବ୍ରିଜ୍ ଆଣ୍ଡ ରୁଫ୍ କୋ ଦ୍ୱାରା ଏସବୁ ପ୍ରସଙ୍ଗର ସମାଧାନ ନହୋଇଛି, ସମ୍ପୃକ୍ତ ପିଏସୟୁ କମ୍ପାନୀକୁ ନୂଆ କାର୍ଯ୍ୟାଦେଶ ଦେବା ଉପରେ କଟକଣା ବଳବତ୍ତର ରହିବ ବୋଲି ବିଭାଗ କହିଛି ।

ଏହାସହିତ ଖର୍ଚ୍ଚ ହୋଇନଥିବା ପାଣ୍ଠିକୁ ଫେରସ୍ତ କରିବାକୁ କମ୍ପାନୀକୁ କୁହାଯାଇଛି ଓ କ୍ଷତି ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସତର୍କ କରାଇ ଦେଇଛି ।  ଏହି ନିଷ୍ପତ୍ତି ସମ୍ପର୍କରେ ବିଭାଗ ବ୍ରିଜ୍ ଆଣ୍ଡ ରୁଫ କୋ’ର ଅଧ୍ୟକ୍ଷ ତଥା ସିଏମଡିଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜେନେରାଲ ମ୍ୟାନେଜର(ସିଭିଲ) ଭୁବନେଶ୍ୱର ଅଫିସ, ଅଡିଟର ଜେନେରାଲ ଓ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଅବଗତ କରାଯାଇଛି ।


ସିବିଆଇ ତଦନ୍ତ ଓ ଆଇଏଏସ୍ ବିଷ୍ଣୁପଦ ସେଠୀ ଲିଙ୍କ୍‌

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ(SSEPD)ର ଏହି କାର୍ଯ୍ୟାନୁଷ୍ଠାନ ଏଭଳି ସମୟରେ ଆସିଛି, ଯେତେବେଳେ କମ୍ପାନୀ ବିରୁଦ୍ଧରେ ସିବିଆଇ ନିଜର ତଦନ୍ତ ଜୋରଦାର କରିଛି । ୨୦୨୪ ଡିସେମ୍ବର ମାସରେ ବ୍ୟବସାୟୀଙ୍କଠୁ ୧୦ଲକ୍ଷ ଟଙ୍କା ଲାଂଚ ନେବା ମାମଲାରେ ବ୍ରିଜ୍ ଆଣ୍ଡ ରୁଫ କୋ ଜେନେରାଲ ମ୍ୟାନେଜର ଚଂଚଳ କୁମାର ମୁଖାର୍ଜୀଙ୍କ ସମେତ ୪ଜଣଙ୍କୁ ସିବିଆଇ ଗିରଫ କରିଥିଲା । ଶ୍ରୀ ମୁଖାର୍ଜୀ ଜଣେ ବ୍ୟବସାୟୀଙ୍କଠୁ ୧୦ଲକ୍ଷ ଟଙ୍କା ଲାଂଚ ନେଉଥିବା ଅଭିଯୋଗ ହେଉଥିଲା ।

 ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ, କମ୍ପାନୀର ଅଧିକାରୀମାନେ ଲାଂଚ ବଦଳରେ ୱାର୍କ ଅର୍ଡର ଓ ବିଲ୍ କ୍ଲିଅରିଂରେ ଅନିୟମିତତା କରୁଥିଲେ । ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ଥିବାବେଳେ ଏହି କମ୍ପାନୀକୁ ୩୭କୋଟି ଟଙ୍କାର ସ୍କୁଲ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟ ହୋଇଥିବା ଅଭିଯୋଗ ରହିଛି । ସିବିଆଇ ତାଙ୍କୁ ଜେରା କରିବା ୨୦୨୫ ଫେବୃୟାରୀ ମାସରେ ଡାକିବା ସହ ତାଙ୍କ ବାସଭବନରେ ରେଡ୍ କରିଥିଲା । ୨୦୨୫ ଜୁଲାଇ ମାସରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ଏହି ଲାଂଚ ମାମଲାରେ ତାଙ୍କର ଆଗୁଆ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ । ସିବିଆଇ ତଦନ୍ତ ଆରମ୍ଭ ହେବାପରେ ଶ୍ରୀ ସେଠୀଙ୍କୁ ରାଜ୍ୟ ସରକାର ସବୁ ପଦପଦବୀରୁ ହଟାଇ ଦେଇ ସେବେଠୁ ସାଧାରଣ ପ୍ରଶାସନ ବିଭଗର ଓଏସଡି ଭାବେ ଅବସ୍ଥାପିତ କରିଛନ୍ତି ।

Odisha Show Cause Notice SSEPD Bridge And Roof Company