ଡହଡହ ଖରାରେ ଶିଝୁଛନ୍ତି ଶିଶୁ ଭିକାରୀ: ଥଇଥାନ ଦୂର କଥା, ତଥ୍ୟ ବି ରଖିନାହାନ୍ତି ସରକାର

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ରାଜ୍ୟରେ ଏବେ ମୋଟ ୬୭୮୭ଜଣ ଭିକାରୀ ଅଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ କେହି ଶିଶୁ ନାହାନ୍ତି ।

Representative image

  • Published: Monday, 17 April 2023
  • , Updated: 17 April 2023, 09:28 PM IST

ରାଜ୍ୟରେ ଗତ କିଛିଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ଡହଡହ ତାତିକୁ ଗରମ ହାୱା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବାବେଳେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଭିକାରୀମାନଙ୍କୁ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଦେଖିବାକୁ ମିଳୁଛି । ତେବେ ସେମାନଙ୍କୁ ସୁରକ୍ଷା ଓ ଥଇଥାନ କରିବା ତ ଦୂରର କଥା ସରକାରଙ୍କ ପାଖରେ ତଥ୍ୟ ନଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଏବେ ରାଜ୍ୟର ଗ୍ରାମାଂଚଳଠୁ ସହର ପର୍ଯ୍ୟନ୍ତ ସବୁଠି ଅସହ୍ୟ ତାତି ସାଙ୍ଗକୁ ଗରମ ହାୱା ଯୋଗୁ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କିନ୍ତୁ ଏସବୁ ସତ୍ତ୍ୱେ ପେଟ ପାଇ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଭିକାରୀମାନଙ୍କୁ ଏହି ଡହଡହ ଖରାରେ ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ପୁଲିସ ଓ ପ୍ରଶାସନର ନାକ ତଳେ ଅତ୍ୟନ୍ତ ଦୟନୀୟ ଭାବେ ଅସହାୟ ଲୋକମାନେ ଭିକ୍ଷାବୃତ୍ତି  କରୁଥିଲେ ମଧ୍ୟ ମାନବିକତା ଦୃଷ୍ଟିକୋଣରୁ ସରକାର ବା ପ୍ରଶାସନ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିନାହାନ୍ତି କିମ୍ବା ଆନ୍ତରିକତା ଦେଖାଇନାହାନ୍ତି । ଯଦିଓ ରାଜ୍ୟ ସରକାର ଭିକାରୀମାନଙ୍କ ନିମନ୍ତେ ‘ସହାୟ’ ନାଁରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମାତ୍ର ଏହା କେବଳ କାଗଜକଲମ ମଧ୍ୟରେ ସୀମିତ ରହିଯାଇଛି ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ରାଜ୍ୟରେ ଏବେ ମୋଟ ୬୭୮୭ଜଣ ଭିକାରୀ ଅଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ କେହି ଶିଶୁ ନାହାନ୍ତି । ରାଜ୍ୟ ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗତ ମାର୍ଚ୍ଚ ୩୧ତାରିଖରେ ଲିଖିତ ସୂଚନା ଦେଇ କହିଥିଲେ ଯେ, ରାଜ୍ୟରେ ଏବେ ୪୦୮୩ଜଣ ପୁରୁଷ ଓ ୨୮୪୨ଜଣ ମହିଳା ଭିକାରୀ ଅଛନ୍ତି । ସେମାନଙ୍କ ମଧ୍ୟରେ କେହି ଶିଶୁ ଭିକାରୀ ନାହାନ୍ତି । କଟକ ଜିଲ୍ଲାରେ ସର୍ବାଧିକ ୧୦୬୦ଜଣ ଭିକାରୀ ଥିବାବେଳେ ଖୋର୍ଦ୍ଧା ଜିଲ୍ଲା(ଭୁବନେଶ୍ୱରକୁ ମିଶାଇ)ରେ ମାତ୍ର ୪୧୮ଜଣ ଭିକାରୀ ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ୪୪୭ଜଣ, ବୌଦ୍ଧ ଜିଲ୍ଲାରେ ମାତ୍ର ୫ଜଣ, ଦେବଗଡ଼ରେ ୮ଜଣ, ନୟାଗଡ଼ ଜିଲ୍ଲାରେ ୫୮ଜଣ, ସମ୍ବଲପୁର ଜିଲ୍ଲାରେ ୪୪ଜଣ, କେନ୍ଦ୍ରାପଡ଼ ଜିଲ୍ଲାରେ ୨୨ଜଣ, କେନ୍ଦୁଝର ଜିଲ୍ଲାରେ ୪୮ଜଣ , ଜଗତସିଂହପୁର ଜିଲ୍ଲାରେ ୫୩ଜଣ ଓ ମାଲକାନଗିରି ଜିଲ୍ଲାରେ ୫୯ଜଣ ଭିକାରୀ ଅଛନ୍ତି । ଏସବୁ ଜିଲ୍ଲାରେ ଶହ ଶହ ଭିକାରୀ ଘୁରି ବୁଲୁଥିବାବେଳେ ଏହି ସଂଖ୍ୟା ସରକାର କେଉଁଠୁ ଆଣିଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ରାଜ୍ୟକୁ ଭିକାରୀମୁକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ପୁରୀଠାରେ ନୀଳାଦ୍ରି ନିଳୟ ଓ ଭୁବନେଶ୍ୱରଠାରେ ଏକାମ୍ର ନିଳୟ ନାଁରେ ସ୍ୱତନ୍ତ୍ର ଅଭିଯାନ କରାଯାଇ ଏହି ସହରଗୁଡ଼ିକ ଭିକାରୀମୁକ୍ତ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପୁରୀ ଜିଲ୍ଲାରେ ୩୫୦ଜଣ ଭିକାରୀ ଥିବା ସରକାରୀ ହିସାବରେ ଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ଭିକାରୀଙ୍କ ଯେଉଁ ତଥ୍ୟ ସରକାର ଦେଇଛନ୍ତି ତାକୁ ନେଇ ସନ୍ଦେହ ଉପୁଜିଛି । କେବଳ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ଛକ, ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓ ମନ୍ଦିର ଆଦି ଅଂଚଳରେ ପ୍ରାୟ ଏକ ହଜାରରୁ ଅଧିକ ଭିକାରୀ ପେଟ ପାଇ ଘୁରି ବୁଲୁଥିବାବେଳେ ସରକାରଙ୍କ ହିସାବରେ ଖୋର୍ଦ୍ଧା ଜିଲ୍ଲାରେ ବି ମାତ୍ର ୪୧୮ ଭିକାରୀ ଅଛନ୍ତି । ପୁରୀ ଓ ଭୁବନେଶ୍ୱର ସହରକୁ ଭିକାରୀମୁକ୍ତ କରିବାକୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ରାଜ୍ୟ ସରକାର କହିଥିବାବେଳେ ଲୋକସେବା ଭବନ ନିକଟସ୍ଥ ଏଜି ଛକ ଓ ପାୱାର ହାଉସ୍ ଛକରେ ଡହଡହ ଖରାରେ ଶିଶୁ ଓ ଭିକାରୀମାନଙ୍କୁ ଭିକ୍ଷାବୃତ୍ତି କରୁଥିବାର ଦେଖିବାକୁ ମିଳୁଛି ।

ରାଜ୍ୟ ସରକାର ଖୋର୍ଦ୍ଧା କଟକ, ସମ୍ବଲପୁର ଜିଲ୍ଲାରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲିବା ସହ ସୁନ୍ଦରଗଡ଼, ଗଞ୍ଜାମ ଓ ଢେଙ୍କାନାଳରେ ଏଭଳି ପୁନର୍ବାସ କେନ୍ଦ୍ର ଖୋଲିବା ନିମନ୍ତେ ଅର୍ଥ ବ୍ୟବସ୍ଥା କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ଏଭଳି ଅସହ୍ୟ ଗ୍ରୀଷ୍ମପ୍ରବାହରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବାବେଳେ ରାଜଧାନୀ ଭୁବନେଶ୍ୱର, କଟକ ଭଳି ସହରରେ ହଜାର ହଜାର ସଂଖ୍ୟାରେ ଭିକାରୀଙ୍କୁ ସୁରକ୍ଷା  ଓ ମାନବିକତା ଦୃଷ୍ଟିରୁ କାହିଁକି ପ୍ରଶାସନ ଓ ସମ୍ପୃକ୍ତ ମହାନଗର ନିଗମ ପଦକ୍ଷେପ ନେଉନି । ଏହି ଭିକାରୀମାନଙ୍କ ନିମନ୍ତେ ଅସ୍ଥାୟୀ ରହଣୀ ସ୍ଥଳୀ କରି ସେମାନଙ୍କୁ ରଖିବାକୁ ସରକାର କାହିଁକି ଆଗ୍ରହ ଦେଖାଉନାହାନ୍ତି । ରାଜ୍ୟରେ ଶିଶୁ ଶ୍ରମିକ ପ୍ରଥା ଉପରେ କଡ଼ା କଟକଣା ଥିବା ସତ୍ତ୍ୱେ କୋମଳମତି ଶିଶୁମାନେ କିଭଳି ଏହି ଭିକ୍ଷାବୃତ୍ତିରେ ଲିପ୍ତ ଅଛନ୍ତି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ରାଜ୍ୟ ସରକାରଙ୍କ ମାନବିକତା ମୂଲ୍ୟବୋଧ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି ।

Related story