ମେଡିକାଲ କଲେଜ ପ୍ରଫେସରଙ୍କ ଦରମା ବଢ଼ାଇଲେ ସରକାର

ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁସାରେ ଦୁର୍ଗମ ଅଂଚଳରେ କାର୍ଯ୍ୟ କରୁଥିବା ମେଡିକାଲ କଲେଜ ପ୍ରଧ୍ୟାପକମାନଙ୍କୁ ସ୍ଥାନଆଧାରିତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।

Representative image

  • Published: Saturday, 29 April 2023
  • , Updated: 29 April 2023, 08:52 PM IST

ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ସିନିରୟ ରେସିଡେନ୍ସ, ଜୁନିୟର ରେସିଡେନ୍ସ ଓ ଟ୍ୟୁଟରମାନଙ୍କ ଦରମାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ।

ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁସାରେ ଦୁର୍ଗମ ଅଂଚଳରେ କାର୍ଯ୍ୟ କରୁଥିବା ମେଡିକାଲ କଲେଜ ପ୍ରଧ୍ୟାପକମାନଙ୍କୁ ସ୍ଥାନଆଧାରିତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ରାଜ୍ୟର ନୂତନ ଭାବେ ଖୋଲୁଥିବା ମେଡିକାଲ କଲେଜଗୁଡ଼ିକରେ ଉଚ୍ଚଶିକ୍ଷିତ ଅଧ୍ୟାପକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ଏହି ଦରମା ବୃଦ୍ଧି କରିଛନ୍ତି । ଏହାସହିତ ଯେଉଁସବୁ ମେଡିକାଲ କଲେଜ ଦୁର୍ଗମ ଅଂଚଳ ଓ ଜିଲ୍ଲାଗୁଡ଼ିକରେ ରହିଛି ସେଠାରେ କାର୍ଯ୍ୟରତ ପ୍ରଧ୍ୟାପକମାନଙ୍କୁ ସ୍ଥାନଆଧାରିତ ପ୍ରୋତ୍ସାହନ ରାଶି ଦେବାର ଆବଶ୍ୟକତାକୁ ରାଜ୍ୟ ସରକାର ଅନୁଭବ କରି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସ୍ଥାନ-ଆଧାରିତ ପ୍ରୋତ୍ସାହନ ରାଶି ପାଇଁ ୩ଟି ଜୋନ୍ କରାଯାଇଛି । ଜୋନ୍ -ଏ’ରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ରହିଥିବାବେଳେ ଜୋନ୍‌-ବି ରେ କେନ୍ଦୁଝର, ବୌଦ୍ଧ, ବାଲେଶ୍ୱର, ଗଜପତି, ସୋନପୁର, ଦେବଗଡ଼, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ରହିଛି । ସେହିପରି ଜୋନ୍‌-ସି’ରେ ଢେଙ୍କାନାଳ, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲା ରହିଛି । ତେବେ କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ପାଇଁ କୌଣସି ସ୍ଥାନ ଆଧାରିତ ପ୍ରୋତ୍ସାହନ ରାଶି ମିଳିବ ନାହିଁ ।

ଏହି ସ୍ଥାନ ଆଧାରିତ ପ୍ରୋତ୍ସାହନ ରାଶି ଉଭୟ ଚାକିରିରେ ଥିବା ଓ ସିଧାସଳଖ ନିଯୁକ୍ତି ପାଉଥିବା ପ୍ରଧ୍ୟାପକଙ୍କୁ ମିଳିବ । ସମସ୍ତ ଜୁନିୟର ଓ ସିନିୟର ରେସିଡେନ୍ସ ଏବଂ ଟ୍ୟୁଟରଙ୍କ ପାଇଁ ମଧ୍ୟ ବର୍ଦ୍ଧିତ ପାରିଶ୍ରମିକ ଲାଗୁ ହେବ ।

ଟ୍ୟୁଟରଙ୍କୁ ୭୫ହଜାର ଟଙ୍କା ପରିବର୍ତ୍ତେ ୮୦ହଜାର ଟଙ୍କା, ସିନିୟର ରେସିଡେନ୍ସ ଡାକ୍ତରଙ୍କୁ ୬୫ହଜାର ପରିବର୍ତ୍ତେ ୭୫ହଜାର ଓ ଜୁନିୟର ରେସିଡେନ୍ସଙ୍କୁ ୫୫ହଜାର ପରିବର୍ତ୍ତେ ୬୦ହଜାର ଟଙ୍କା ପାରିଶ୍ରମିକ ମିଳିବ ।

Related story