ଇଲେକ୍ଟ୍ରି ଗାଡ଼ି କିଣାରେ ରିହାତି ପରିମାଣ ବୃଦ୍ଧି କଲେ ସରକାର

ରାଜ୍ୟ ସରକାର ୨୦୨୫ ମସିହା ସୁଦ୍ଧା ରାଜ୍ୟରେ ୨୦% ବିଦ୍ୟୁତଚାଳିତ ଯାନ ଚଳାଚଳ ଲକ୍ଷ୍ୟ ହାସଲ ପାଇଁ ଗତ ସୋମବାର ଓଡ଼ିଶା ବିଦ୍ୟୁତଚାଳିତ ଯାନ ନୀତି-୨୦୨୧ରେ ସଂଶୋଧନ କରିଛନ୍ତି ।

Representative image

  • Published: Wednesday, 26 April 2023
  • , Updated: 26 April 2023, 10:31 PM IST

ରାଜ୍ୟ କ୍ୟାବିନେଟ୍ ସୋମବାର ଓଡ଼ିଶା ବିଦ୍ୟୁତ ଯାନ ନୀତି-୨୦୨୧ରେ ସଂଶୋଧନ କରିବା ପରେ ଆଜି ରାଜ୍ୟ ସରକାର ଇଲେକ୍ଟ୍ରି ଗାଡ଼ି କିଣାରେ ରିହାତି ପରିମାଣକୁ ବୃଦ୍ଧି କରିଛନ୍ତି। ସଂଶୋଧିତ ନୀତି ଅନୁସାରେ ଏଣିକି ଦୁଇଚକିଆ ଇଲେକ୍ଟି ଗାଡ଼ି କିଣିଲେ ସର୍ବାଧିକ ୨୦ହଜାର ଟଙ୍କା, ତିନିଚକିଆ ଯାନରେ ୩୦ହଜାର ଟଙ୍କା ଓ ଚାରିଚକିଆ ଯାନରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ସରକାର ଦେବେ। ଇଲେକ୍ଟ୍ରି ଯାନ କିଣାକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

ସୂଚନା ଅନୁସାରେ, ରାଜ୍ୟ ସରକାର ୨୦୨୫ ମସିହା ସୁଦ୍ଧା ରାଜ୍ୟରେ ୨୦% ବିଦ୍ୟୁତଚାଳିତ ଯାନ ଚଳାଚଳ ଲକ୍ଷ୍ୟ ହାସଲ ପାଇଁ ଗତ ସୋମବାର ଓଡ଼ିଶା ବିଦ୍ୟୁତଚାଳିତ ଯାନ ନୀତି-୨୦୨୧ରେ ସଂଶୋଧନ କରିଛନ୍ତି । ୨୦୨୨ ମସିହା ଶେଷସୁଦ୍ଧା ରାଜ୍ୟରେ ମାତ୍ର ୪.୪୮% ବିଦ୍ୟୁତ ଚାଳିତ ଯାନ ପଞ୍ଜିକରଣ ହୋଇଥିବାରୁ ରାଜ୍ୟ ସରକାର ବିଦ୍ୟୁତଚାଳିତ ଗାଡ଼ି କ୍ରୟ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ରିହାତି ପରିମାଣକୁ ବୃଦ୍ଧି କରିଛନ୍ତି । ଦୁଇଚକିଆ ଯାନ ଉପରେ ରିହାତି କିଲୋୱାଟ ପିଛା ୫ହଜାର ଟଙ୍କା ଓ ସର୍ବାଧିକ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ସେହିପରି ତିନିଚକିଆ ଗାଡ଼ିରେ ୩୦ହଜାର ଟଙ୍କା(ଗାଡ଼ି ପିଛା) ରିହାତି ମିଳିବ ଏବଂ ଚାରିଚକିଆ ବିଦ୍ୟୁତଚାଳିତ ଯାନରେ କିଲୋୱାଟ ପିଛା ୧୦ହଜାର ଟଙ୍କା ହିସାବରେ ସର୍ବାଧିକ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ ।

ପୂର୍ବରୁ ରାଜ୍ୟ ସରକାର ଏହି ବିଦ୍ୟୁତାଚଳିତ ଯାନ ଉପରେ ସବସିଡି ପରିମାଣର ସର୍ବାଧିକ ୧୫% ଧାର୍ଯ୍ୟ କରିବା ସହ ଦୁଇଚକିଆ ଯାନ ଉପରେ ସର୍ବାଧିକ ୫ହଜାର ଟଙ୍କା, ୩ଚକିଆ ଯାନରେ ୧୦ହଜାର ଟଙ୍କା ଓ ଚାରିଚକିଆ ଯାନରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଘୋଷଣା କରିଥଲେ । ନୀତି ଆୟୋଗଙ୍କ ପରାମର୍ଶରେ  ରାଜ୍ୟ ସରକାର ଓଡ଼ିଶା ବିଦ୍ୟୁତଯାନ ନୀତି-୨୦୨୧ କାର୍ଯ୍ୟକାରୀ କରିଥିଲେ । ଏହି ରିହାତି ସୁବିଧା ୨୦୨୧ ସେପ୍ଟେମ୍ବର ୧ରୁ ମିଳୁଥିଲା । କିନ୍ତୁ ଏହି ରିହାତି ପରିମାଣକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିନି । ଯେଉଁଥିପାଇଁ ୨୦୨୨ ଶେଷ ସୁଦ୍ଧା ରାଜ୍ୟରେ ମାତ୍ର ୪.୪୮% ବିଦ୍ୟୁତଚାଳିତ ଯାନ ପଞ୍ଜିକୃତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ରିହାତି(ସବସିଡି) ପରିମାଣକୁ ପୁଣିଥରେ ବୃଦ୍ଧି କରିଛନ୍ତି ।

ସୂଚନାଯୋଗ୍ୟ, ପ୍ରଚଳିତ ନୀତିରେ ରାଜ୍ୟ ସରକାର ୨୦୨୫ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବିଦ୍ୟୁତଚାଳିତ ଯାନ ଉପରେ ୧୦୦ ପ୍ରତିଶତ ମୋଟରଯାନ ଟିକସ  ଓ ରେଜିଷ୍ଟ୍ରେସନ ଫି’ ଛାଡ଼ କରିଛନ୍ତି ।

Related story