ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣ ସଂକ୍ରାନ୍ତରେ ଗୁଜବ ଓ ଅପପ୍ରଚାର ଉପରେ ନିୟନ୍ତ୍ରଣ ଲଗାଇବା ପାଇଁ ଗଣମାଧ୍ୟମ ଉପରେ ରାଜ୍ୟ ସରକାର ଅଙ୍କୁଶ ଲଗାଇଛନ୍ତି। କରୋନା ସମ୍ପର୍କରେ ଯେକୌଣସି ସୂଚନା ଦେବା ପୂର୍ବରୁ ଅନୁମତି ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ ସରକାରଙ୍କ ବିନା ଅନୁମତିରେ କରୋନା ସମ୍ପର୍କରେ କୌଣସି ସୂଚନା କେହି ସାର୍ବଜନୀନ କରିପାରିବେ ନାହିଁ। ସମସ୍ତ ପ୍ରକାରର ଗଣମାଧ୍ୟମ, ସଂସ୍ଥା ଓ ବ୍ୟକ୍ତି ଉପରେ ଏହି ଅଙ୍କୁଶ ବଳବତ୍ତର ରହିବ। ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ, ୱେବ ଓ ସୋସିଆଲ ମିଡିଆ ସମେତ କୌଣସି ବ୍ୟକ୍ତି ବା ସଂସ୍ଥା କରୋନା ସଂକ୍ରାନ୍ତରେ ସରକାରଙ୍କ ବିନା ଅନୁମତିରେ ଖବର ପ୍ରସାରଣ ବା ପ୍ରକାଶ କରିପାରିବେ ନାହିଁ।
କରୋନା ସମ୍ପର୍କରେ ସୂଚନା ଦେବା ପୂର୍ବରୁ ରାଜ୍ୟ ସରକାରଙ୍କ ଡିଏମଇଟି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ମେଡିକାଲ ଅଧୀକ୍ଷକଙ୍କଠୁ ଅନୁମତି ଆବଶ୍ୟକ। ଏମାନଙ୍କ ମଧ୍ୟରୁ ଯେକୌଣସି ଅଧିକାରୀଙ୍କ ଅନୁମତି ନେଇ କରୋନା ସମ୍ପର୍କିତ ଖବର ପ୍ରସାରଣ କରିବା ପାଇଁ ଗାଇଡଲାଇନରେ ଉଲ୍ଲେଖ ଥିବା ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।