Advertisment

୩ ବର୍ଷ ପାଇଁ ଚାଷୀଙ୍କ ଫସଲ ବୀମା ପ୍ରିମିୟମ ଦେବେ ସରକାର

ପଂଚମ ପାଳି ସରକାରର ୪ବର୍ଷ ପୂର୍ତ୍ତି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବାୟ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି।

author-image
Ordigital Desk
Farmer

Farmer

ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀଙ୍କ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଫସଲବୀମା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। ଚାଷୀଙ୍କୁ ୨୦୨୩ ଖରିଫରୁ ୨୦୨୫-୨୬ ରବି ଋତୁ ପର୍ଯ୍ୟନ୍ତ ଫସଲବୀମା ପ୍ରିମିୟମ ବାବଦରେ ଟଙ୍କାଟିଏ ବି ଦେବାକୁ ପଡ଼ିବ ନାହିଁ। ରାଜ୍ୟ ସରକାର ଏହି ପ୍ରିମିୟମ ବହନ କରିବେ ବୋଲି ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

Advertisment

ପଂଚମ ପାଳି ସରକାରର ୪ବର୍ଷ ପୂର୍ତ୍ତି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବାୟ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ପରେ ରାଜ୍ୟ ସମବାୟ ମନ୍ତ୍ରୀ ଶ୍ରୀ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଚାଷୀଙ୍କ ପାଇଁ ନିଆଯାଇଥିବା ଏହି ପଦକ୍ଷେପ ସମଗ୍ର ଦେଶରେ ଅନନ୍ୟ। ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ବିନା ସୁଧରେ ଚାଷୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ୭ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରକୁ ମୋଟ ୧୬୬୮୩.୫୭କୋଟି ଟଙ୍କାର କୃଷି ଋଣ ପ୍ରଦାନ କରାଯାଇଛି। ୨୦୦୦-୦୧ରେ ମାତ୍ର ୬.୪୦ଲକ୍ଷ ଚାଷୀଙ୍କୁ ୪୩୮.୩୬କୋଟି ଟଙ୍କା ଋଣ ଦିଆଯାଉଥିଲା।

ସେହିପରି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରଦର୍ଶନର ସମୀକ୍ଷା ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ, ଗତ ୪ବର୍ଷ ମଧ୍ୟରେ ୩୫% ଅଧିକ ଚାଷୀ(ପ୍ରାୟ ୫ଲକ୍ଷ) ନିଜର ବଳକା ଧାନ ସରକାରଙ୍କୁ ବିକ୍ରି କରିବାକୁ ପଞ୍ଜିକରଣ କରିଛନ୍ତି। ଚାଷୀଙ୍କୁ ସେମାନଙ୍କ ଧାନ ବିକ୍ରି ପ୍ରାପ୍ୟ ୨୪ରୁ ୪୮ଘଣ୍ଟା ମଧ୍ୟରେ ଅନଲାଇନରେ ହସ୍ତାନ୍ତର କରାଯାଉଛି।ରାଜ୍ୟର କୌଣସି ଯୋଗ୍ୟ ଓ ଦୁସ୍ଥ ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷାରୁ ବଂଚିତ ହେବାକୁ ଦିଆଯିବ ନାହିଁ ଓ ସେମାନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ସାମିଲ କରିବାକୁ ନିରନ୍ତର ପ୍ରକ୍ରିୟା ଜାରି ରହିଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ କାର୍ଯ୍ୟାନ୍ୱୟନରେ ଓଡ଼ିଶା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି। ଭିନ୍ନକ୍ଷମ, ବୃଦ୍ଧବୃଦ୍ଧା ହିତାଧିକାରୀଙ୍କୁ ସେମାନଙ୍କ ଘରେ ରାସନ ସାମଗ୍ରୀ ଦେବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ଭିଟାମିନଯୁକ୍ତ ଚାଉଳ ବଂଟନ କରାଯାଉଛି । ଏହା ହିତାଧିକାରୀଙ୍କ ପୃଷ୍ଟିକର ଚାହିଦା ମେଂଟାଇବାରେ ସହାୟକ ହେବ ଓ ଏହି ଯୋଜନା ଲାଗୁ କରିବାରେ ଓଡ଼ିଶା ପ୍ରଥମ ବୋଲି ଶ୍ରୀ ନାୟକ କହିଛନ୍ତି ।

Advertisment

ଏହି ସମୀକ୍ଷା ବୈଠକରେ ଉଭୟ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Farmer