ଭୁଲିଯିବାର ଅଧିକାର ଲାଗୁ ହେବା ଦରକାର: ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର(ଅର୍ଦ୍ଧେନ୍ଦୁ ଶେଖର) ପ୍ରଥମ ଥର ପାଇଁ ଦେଶର ଏକ ଉଚ୍ଚ ନ୍ୟାୟାଳୟ ‘ରାଇଟ୍ ଟୁ ବି ଫରଗଟନ୍’ ବା ଭୁଲିଯିବାର ଅଧିକାର କଥା କହିଛନ୍ତି। ଭୁଲିଯିବାର ଅଧିକାର ନେଇ ସଂସଦରେ ଆଗତ ହୋଇସାରିଥିବା ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍-୨୦୧୮ର ଧାରା ୨୭ରେ ବ୍ୟବସ୍ଥା ହୋଇଛି। କିନ୍ତୁ ଏହି ବିଲକୁ ଆଇନରେ ପରିଣତ କରାଯାଉନଥିବା କାରଣରୁ ଓଡିଶା ହାଇକୋର୍ଟ ଏନେଇ କଡ଼ା ଆପତ୍ତି ଉଠାଇଛନ୍ତି। ଢେଙ୍କାନାଲ ଜିଲ୍ଲାରେ ଘଟିଥିବା ଏକ ଦୁଷ୍କର୍ମ ଏବଂ ସୋସାଲ ମିଡିଆରେ ଏହାର ଭିଡିଓ […]

Odisha-Highcourt

Ardhendu Sekhar
  • Published: Tuesday, 01 December 2020
  • , Updated: 01 December 2020, 03:25 PM IST

ଭୁବନେଶ୍ୱର(ଅର୍ଦ୍ଧେନ୍ଦୁ ଶେଖର) ପ୍ରଥମ ଥର ପାଇଁ ଦେଶର ଏକ ଉଚ୍ଚ ନ୍ୟାୟାଳୟ ‘ରାଇଟ୍ ଟୁ ବି ଫରଗଟନ୍’ ବା ଭୁଲିଯିବାର ଅଧିକାର କଥା କହିଛନ୍ତି। ଭୁଲିଯିବାର ଅଧିକାର ନେଇ ସଂସଦରେ ଆଗତ ହୋଇସାରିଥିବା ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍-୨୦୧୮ର ଧାରା ୨୭ରେ ବ୍ୟବସ୍ଥା ହୋଇଛି। କିନ୍ତୁ ଏହି ବିଲକୁ ଆଇନରେ ପରିଣତ କରାଯାଉନଥିବା କାରଣରୁ ଓଡିଶା ହାଇକୋର୍ଟ ଏନେଇ କଡ଼ା ଆପତ୍ତି ଉଠାଇଛନ୍ତି।

ଢେଙ୍କାନାଲ ଜିଲ୍ଲାରେ ଘଟିଥିବା ଏକ ଦୁଷ୍କର୍ମ ଏବଂ ସୋସାଲ ମିଡିଆରେ ଏହାର ଭିଡିଓ ଭାଇରାଲ କରାଯାଇଥିବା ମାମଲାର ଶୁଣାଣି କରି ବିଚାରପତି ସଞ୍ଜୀବ ପାଣିଗ୍ରାହୀ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଏ ସମ୍ପର୍କିତ ଏକ ଜାମିନ ମାମଲାକୁ ଖାରଜ କରି ସେ କହିଛନ୍ତି ଯେ ସୋସାଲ ମିଡିଆରେ ବିଭିନ୍ନ ସମୟରେ ମହିଳା, ନାବାଳିକା ଏବଂ ଯୁବତୀମାନଙ୍କ ଅନ୍ତରଙ୍ଗ ଦୃଶ୍ୟର ଫଟୋ ଏବଂ ଭିଡିଓ ଅପଲୋଡ୍ କରାଯାଉଛି। ସେମାନଙ୍କ ସହମତି କିମ୍ବା ଅସହମତି ମଧ୍ୟରେ ଏଗୁଡିକ କରାଯାଉଥିବା ବେଳେ ଏନେଇ କୌଣସି ଅଭିଯୋଗ ଆସିଲେ ପରବର୍ତ୍ତୀ ସମୟରେ ଏହାକୁ ସମ୍ପୃକ୍ତ ବ୍ୟକ୍ତି କିମ୍ବା ସୋସାଲ ମିଡିଆ ସେବା ପ୍ରଦାନକାରୀ ସଂସ୍ଥା ଡିଲିଟ୍ କରିଦେଉଛନ୍ତି। ଲୋକଙ୍କ ପାଇଁ ଏହା ଡିଲିଟ୍ କରିଦିଆଯାଉଛି ସତ, ମାତ୍ର ସମ୍ପୃକ୍ତ ସେବା ପ୍ରଦାନକାରୀଙ୍କ କମ୍ପ୍ୟୁଟର ସର୍ଭରରେ ଏହା ପଡିରହୁଛି। ଏନେଇ ଉପଯୁକ୍ତ ଆଇନ୍ ନଥିବା କାରଣରୁ କୌଣସି ବି ସରକାର ଫେସବୁକ୍ ଏବଂ ଅନ୍ୟାନ୍ୟ ସୋସାଲ ମିଡିଆ ସେବା ପ୍ରଦାନକାରୀ କମ୍ପାନୀଗୁଡିକୁ ଏହାକୁ ସଂପୂର୍ଣ୍ଣ ଭାବରେ ଡିଲିଟ କରିବାକୁ ବାଧ୍ୟ କରିପାରୁ ନାହାନ୍ତି। ଫଳରେ ପରବର୍ତ୍ତୀ ସମୟରେ ଏହି ବ୍ୟକ୍ତିଗତ ଡାଟାକୁ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରାଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ସେ କହିଛନ୍ତି। ଆଜି ନହେଲେ ମାମଲା ଥମିଯିବା ପରେ ବା ପର ପିଢ଼ି ସମୟରେ ଏହାର ପୁନର୍ବ୍ୟବହାରର ଆଶଙ୍କା ରହିଛି। ତେଣୁ ଏନେଇ ଯଥା ଶୀଘ୍ର ଆଇନ୍ ଆଣିବାକୁ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଭାରତୀୟ ଅପରାଧିକ ନ୍ୟାୟ ବ୍ୟବସ୍ଥା ଅଧିକ ମାତ୍ରାରେ ଦଣ୍ଡଭିତ୍ତିକ। ଅପରାଧ କରିଥିବା ଲୋକ ବିରୋଧରେ ଦଣ୍ଡବିଧାନ ଉପରେ ଏହା ଗୁରୁତ୍ୱ ଦେଇଥାଏ। ଅପରପକ୍ଷରେ ପୀଡିତା କିମ୍ବା ତାଙ୍କ ପରିବାର ସହିଥିବା କ୍ଷତି ବା ପୀଡା ଉପରେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ପ୍ରାୟତଃ ନିରବ ବୋଲି ସେ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଏହାର ପ୍ରଭାବ ଦୀର୍ଘଦିନ ଧରି ଏମାନଙ୍କ ଉପରେ ରହିଥାଏ। ଅନେକ ସମୟରେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ଏତେ ଜଟିଳ ହୋଇଥାଏ ଯେ ଏମାନେ ନ୍ୟାୟ ପାଇଁ କାହା ପାଖକୁ ଯିବେ ତାହା ଜାଣିପାରନ୍ତି ନାହିଁ। ବିନା ଅନୁମତିରେ ମହିଳାଙ୍କ ଆପତ୍ତିଜନକ ଫଟୋ ବା ଭିଡିଓ ସମଗ୍ର ନାରୀଜାତିଙ୍କ ଶାଳୀନତା ପ୍ରତି ଅସମ୍ମାନ। ଥରେ ଏଭଳି ଘଟଣା ସାମ୍ନାକୁ ଆସିଲେ ବହୁ ସାମାଜିକ ସମସ୍ୟାର ସମ୍ମୁଖୀନ ସେମାନେ ହୁଅନ୍ତି। ପ୍ରତିଟି କଥା ପାଇଁ ଆଇନ୍ କରାଯାଉଥିବା ବେଳେ ‘ରାଇଟ୍ ଟୁ ବି ଫରଗଟନ୍’ ପ୍ରତି ମଧ୍ୟ ବ୍ୟବସ୍ଥାପିକା ଗୁରୁତ୍ୱ ଦେବା ଦରକାର ବୋଲି ଜଷ୍ଟିସ ପାଣିଗ୍ରାହୀ ମତ ରଖିଛନ୍ତି।

Related story