Advertisment

କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କଲେ ପୂର୍ବତନ ଅଙ୍ଗରକ୍ଷୀ, ୧୫ଟି ଅସମାହିତ ପ୍ରଶ୍ନ?

ନବ ନିଜର ସୁରକ୍ଷା ପାଇଁ ବନ୍ଧୁକ ରଖିବାର ଲାଇସେନ୍ସ ପାଇଥିଲେ। ତା’ଛଡ଼ା ସେ ସର୍ବଦା ଗୋଟିଏ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ମଧ୍ୟ ପରିଧାନ କରିଥାନ୍ତି । ଆଉ ସର୍ବଦା ନିଜ ଅଂଚଳରେ ନିଜର ଏକ ସ୍ୱତନ୍ତ୍ର ସୁରକ୍ଷାବଳୟ ମଧ୍ୟରେ ଯାତାୟତ କରିଥାନ୍ତି । ଏସବୁ ଜାଣି ମଧ୍ୟ ଗୋପାଳ ତାଙ୍କୁ ଗୁଳିମାଡ଼ କଲେ କେମିତି?

author-image
Ordigital Desk
ଅଦ୍ୟତନ ହୋଇଛି
naba das

naba das

ପଶ୍ଚିମଓଡ଼ିଶାର ପ୍ରଭାବଶାଳୀ ନେତା ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ନିଜ ପୂର୍ବତନ ଅଙ୍ଗରକ୍ଷୀଙ୍କ ଗୁଳିମାଡ଼ରେ ନିହତ ହୋଇଛନ୍ତି । ତାଙ୍କୁ ବଂଚାଇବା ପାଇଁ କିଛି ଘଂଟା ଧରି ଡାକ୍ତରମାନେ ପ୍ରୟାସ କରି ବିଫଳ ହେବା ପରେ ସନ୍ଧ୍ୟା ପ୍ରାୟ ୭ଟା ୧୦ମିନିଟରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ପାରିପାଶ୍ୱିର୍କ ପରିସ୍ଥିତି ତାଙ୍କ ଉପରେ ଗୁଳିମାଡ଼କୁ ଅଧିକ ରହସ୍ୟାବୃତ କରିଦେଇଛି । ଏପଟେ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଓ ତତ୍କାଳ ଛାନଭିନ୍ କରାଇ ରାଜ୍ୟ ସରକାର ଘଟଣା ଉପରେ ସକ୍ରିୟତା ଦେଖାଇଥିଲେ ମଧ୍ୟ ନିଜର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପରେ ଏଭଳି ଗୁଳିମାଡ଼ ସମ୍ପର୍କରେ କିଭଳି ଆଗୁଆ ସୁରାକ୍ ପାଇଲେ ନାହିଁ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ନବୀନ ନିବାସରେ ଦଳୀୟ ବୈଠକରେ ଯୋଗ ଦେଇ ଆଜି ସକାଳେ ନିଜର ଚାର୍ଟର ଫ୍ଲାଇଟରେ ସେ ଝାରସୁଗୁଡ଼ା ଯାଇଥିଲେ । ଝାରସୁଗୁଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବ୍ରଜରାଜନଗରରେ ଦଳୀୟ ଅଫିସ୍ ଉଦଘାଟନ ପାଇଁ ଯିବାବେଳେ ଗାନ୍ଧି ଛକ ନିକଟରେ ପ୍ରାୟ ଦିନ ୧୨ଟା ସମୟରେ ସ୍ଥାନୀୟ ଫାଣ୍ଡି ଅଫିସର ଗୋପାଳ ଦାସ(ନବଙ୍କ ପୂର୍ବତନ ଅଙ୍ଗରକ୍ଷୀ) ତାଙ୍କ ଉପରକୁ ଅତି ନିକଟରୁ ୩ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଶ୍ରୀ ଦାସଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲ ଓ ପରେ ଏୟାରଲିଫ୍ଟ କରି ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଅଣାଯାଇଥିଲା । କିଛି ଘଂଟା ଧରି ଡାକ୍ତରଙ୍କ ପ୍ରୟାସ ସତ୍ତ୍ୱେ ତାଙ୍କ ଜୀବନ ବଂଚାଇବା ସମ୍ଭବପର ହୋଇପାରିନଥିଲା ।

ତେବେ ପ୍ରଶ୍ନ ଉଠୁଛି, ଗୁଳିମାଡ଼ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ନିହତ ହେବା ପରୋକ୍ଷରେ ଅନେକ କିଛି ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ରାଜନୀତିକ ହାତବାରିସି ସାଜି ଦୀର୍ଘଦିନ ଧରି ପୁଲିସ ଫୋର୍ସ ଏକରକମ ସୁପ୍ତ ହୋଇପଡ଼ିଛି । ଫୋର୍ସର ମନୋବଳ ବୃଦ୍ଧି କରିବା ପୁଲିସ ଫୋର୍ସର ମୁଖିଆଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ଗତକିଛି ବର୍ଷ ଧରି ଏ ଦିଗ ପ୍ରତି ଉଭୟ ରାଜ୍ୟ ସରକାର ଓ ରାଜ୍ୟର ବୁଦ୍ଧିଜୀବୀ ଆଦି ସମସ୍ତେ ଆଖିବୁଜି ଦେଇଛନ୍ତି । ନବ ଦାସଙ୍କ ମୃତ୍ୟୁର ବିଭିନ୍ନ ଦିଗକୁ ନେଇ ଏବେ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି । ଗୁଳିମାଡ଼ ଘଟଣାର ଉଚ୍ଚସ୍ତରୀୟ କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ ବାସ୍ତବ କାରଣ ସାମ୍ନାକୁ ଆସିବ ନା ଫାଣ୍ଡି ଅଫିସର ଗୋପାଳ ଦାସଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ ଆଳ ଦେଖାଇ ଘଟଣାକୁ ଦୁର୍ବଳ କରିଦିଆଯିବ ତାକୁ ନେଇ ଏବେଠୁ ଆଶଙ୍କା ଦେଖାଦେଲାଣି ।

Advertisment

କାହିଁକି ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼... କ’ଣ ହୋଇଥାଇପାରେ କାରଣ?

୧- ଯେଉଁ ଗୋପାଳ ଦାସ ଦିନେ ମନ୍ତ୍ରୀ ନବ ଦାସଙ୍କ ଅଙ୍ଗରକ୍ଷୀ ଥିଲେ ସେ କାହିଁକି  ତାଙ୍କୁ ଏଭଳି ସର୍ବସମ୍ମୁଖରେ ହତ୍ୟା କଲେ ? ଏହାପଛରେ କ’ଣ କାରଣ ରହିଛି? ଏନେଇ ଉଭୟ ସ୍ଥାନୀୟ ପୁଲିସ ଓ ମନ୍ତ୍ରୀଙ୍କ ପରିବାର ଲୋକ କାହିଁକି ନିରବ?

୨- ମନ୍ତ୍ରୀ ଶ୍ରୀ ଦାସଙ୍କ ଉପରକୁ ଗୋପାଳ ଦାସ ଗୁଳିମାଡ଼ କରୁଥିବାବେଳେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପିଏସଓ(ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ) କ’ଣ କରୁଥିଲେ? କାହିଁକି ତତ୍କାଳ କାର୍ଯ୍ୟାନୁଷ୍ଠାନ ନେଲେନି ଓ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଆଗେଇ ଆସିଲେ ନାହିଁ? ମନ୍ତ୍ରୀଙ୍କ ପିଏସଓ କ’ଣ ଆବଶ୍ୟକ ପ୍ରଶିକ୍ଷଣପ୍ରାପ୍ତ ନଥିଲେ କି?

୩- ନବ ଦାସ ଝାରସୁୁଗୁଡ଼ା ଜିଲ୍ଲାର ସର୍ବାଧିକ ପ୍ରଭାବଶାଳୀ ନେତା ଓ ତାଙ୍କ ବିନା ଇସାରା ପ୍ରଶାସନରେ ପତ୍ରଟିଏ ହଲୁନଥିବାବେଳେ ତାଙ୍କ କାର୍ଯ୍ୟକ୍ରମ ପାଇଁ ଘଟଣାସ୍ଥଳରେ ମୁତୟନ ହୋଇଥିବା ଅନ୍ୟ ପୁଲିସ କର୍ମଚାରୀମାନେ କ’ଣ କରୁଥିଲେ? ବ୍ରଜରାଜନଗର ଥାନା ଅଧିକାରୀ କୁଆଡ଼େ ଯାଇଥିଲେ?

୪- ଜଣେ କନେଷ୍ଟବଳଙ୍କୁ ଏଏସଆଇ ପାହ୍ୟାକୁ ପଦୋନ୍ନତି ଓ ଫାଣ୍ଡି ଅଫିସର ଦାୟିତ୍ୱ ଦେବା ସମୟରେ ତାଙ୍କର ମାନସିକ ସ୍ୱାସ୍ଥ୍ୟ କିଭଳି ରହିଛି ତାହା ଯାଂଚ କରିବା କ’ଣ ପୁଲିସ ବିଭାଗର କାର୍ଯ୍ୟ ନୁହେଁ କି?

୫- ଯଦି ଗୋପାଳ ଦାସଙ୍କ ପତ୍ନୀ ଓ ଡାକ୍ତରଙ୍କ କଥା ସତ ତା’ହେଲେ ଗୋପାଳ ୭-୮ବର୍ଷ ଧରି ଜଣେ ମାନସିକ ରୋଗୀ ଥିବା ସ୍ପଷ୍ଟ ଓ ସେଥିପାଇଁ ସେ ମେଡିସିନ୍ ମଧ୍ୟ ଖାଉଥିଲେ? ଯଦି ଗୋପାଳ ମାନସିକରୋଗୀ ତା’ହେଲେ ସେ ଅନ୍ୟ କାହାକୁ କିଛି କ୍ଷତି ନକରି କେବଳ ନବ ଦାସଙ୍କୁ କାହିଁକି ହତ୍ୟା କଲେ?

୫- ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଦାୟିତ୍ୱରୁ ଗୋପାଳ ଦାସଙ୍କୁ କାହିଁକି ବିରତ କରାଯାଇଥିଲା, ତାଙ୍କ କାହା ସୁପାରିଶରେ କିଏ ବ୍ରଜରାଜନଗର ଫାଣ୍ଡି ଅଫିସର ଭାବେ ନିଯୁକ୍ତି ଦେଇଥିଲେ? କିଏ ତାଙ୍କୁ ଗତ ୧୦ରୁ ୧୨ବର୍ଷ ଧରି ଝାରସୁଗୁଡ଼ା ଜିଲ୍ଲାରେ ମୁତୟନ କରିବାର ସୁଯୋଗ ଦେଇଛନ୍ତି?

୭- ଗୋପାଳ କ’ଣ ପୂର୍ବରୁ ମନ୍ତ୍ରୀ ନବା ଦାସଙ୍କ ଦ୍ୱାରା ମାନସିକ ନିର୍ଯାତନାର ଶିକାର ହୋଇଥିଲେ କି, କିମ୍ବା ତାଙ୍କର ବ୍ୟକ୍ତିଗତ ଶତ୍ରୁତା ତାଙ୍କ ସହ ଥିଲା କି?

୮- ମନ୍ତ୍ରୀ ନବ ଦାସଙ୍କ ଅଙ୍ଗରକ୍ଷୀ ଥିବାବେଳେ ଗୋପାଳ ଦାସଙ୍କ ପରିବାର ସହ ନବଙ୍କ ଯେଉଁ ସମ୍ପର୍କ ଗଢ଼ି ଉଠିଥିଲା ତାହା ବିବାଦର କାରଣ ନୁହେଁ ତ?

୯- ପଶ୍ଚିମଓଡ଼ିଶାର ସବୁଠୁ ପ୍ରଭାବଶାଳୀ ନେତା ଭାବେ ନବ ନିଜର ପ୍ରଭାବ ବିସ୍ତାର କରୁଥିବାବେଳେ ତାଙ୍କ ହତ୍ୟା ପଛରେ ସେଭଳି କୌଣସି ରାଜନୀତିକ କାରଣ ନାହିଁ ତ?

୧୦- ଶହ ଶହ କୋଟି ଟଙ୍କାର ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରିଥିବା ନବଙ୍କ ହତ୍ୟା ପଛରେ ତାଙ୍କ ସହ ବ୍ୟବସାୟିକ ଭାଗିଦାରୀ ଥିବା ବ୍ୟକ୍ତିବିଶେଷଙ୍କ ସମ୍ପୃକ୍ତି ନାହିଁ ତ? ସେଭଳି କେହି ଗୋପାଳକୁ ଉପଯୋଗ କରିନାହାନ୍ତି ତ?

୧୧- ନବ ନିଜର ସୁରକ୍ଷା ପାଇଁ ବନ୍ଧୁକ ରଖିବାର ଲାଇସେନ୍ସ ପାଇଛନ୍ତି । ତା’ଛଡ଼ା ସେ ସର୍ବଦା ଗୋଟିଏ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ମଧ୍ୟ ପରିଧାନ କରିଥାନ୍ତି । ଆଉ ସର୍ବଦା ନିଜ ଅଂଚଳରେ ନିଜର ଏକ ସ୍ୱତନ୍ତ୍ର ସୁରକ୍ଷାବଳୟ ମଧ୍ୟରେ ଯାତାୟତ କରିଥାନ୍ତି । ଏସବୁ ଜାଣି ମଧ୍ୟ ଗୋପାଳ ତାଙ୍କୁ ଗୁଳିମାଡ଼ କଲେ କେମିତି?

୧୨- ଆଜି ଭୁବନେଶ୍ୱରରୁ ନିଜସ୍ୱ ବିମାନରେ ଯାଇଥିବା ନବ ନିଜର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିନଥିବା ସମ୍ପର୍କରେ ଗୋପାଳଙ୍କୁ କିଏ ଅବଗତ କରିଥିଲା କି?

୧୩- ମନ୍ତ୍ରୀ ଶ୍ରୀ ଦାସଙ୍କୁ ଗୁଳିମାଡ଼ କରାଯିବା ପରେ ତାଙ୍କୁ ତୁରନ୍ତ ଉଚ୍ଚସ୍ତରୀୟ ଚିକିତ୍ସା ସୁବିଧା ଦେବା ପାଇଁ ସ୍ଥାନୀୟ ରାୟପୁର କିମ୍ବା ନୂଆଦିଲ୍ଲୀ ପଠାଗଲାନି କାହିଁକି?

୧୪- ମନ୍ତ୍ରୀଙ୍କ ନିଜସ୍ୱ ବିମାନ ଝାରସୁଗୁଡ଼ାରେ ଥିବା ସତ୍ତ୍ୱେ ରାଜ୍ୟ ସରକାର ତତ୍କାଳ ପଦକ୍ଷେପ ନେଇ ତାଙ୍କୁ ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ଲାଇଫ ସପୋର୍ଟରେ ହାଇଦ୍ରାବାଦ କିମ୍ବା ନୂଆଦିଲ୍ଲୀ ପଠାଇ ପାରିଥାନ୍ତେ? ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଆଣିବା ନିଷ୍ପତ୍ତି କିଏ ନେଇଥିଲେ ଓ ତାଙ୍କୁ ଝାରସୁଗୁଡ଼ାରୁ ସ୍ଥାନାନ୍ତର କରିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା କିଭଳି ଥିଲା?

୧୫- ମନ୍ତ୍ରୀଙ୍କୁ ଗୁଳିମାଡ଼ ପରେ ରାଜ୍ୟ ସରକାର ଯେଉଁ ସକ୍ରିୟତା ଦେଖାଇ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଲେ ଓ ତଦନ୍ତ ପ୍ରକ୍ରିୟା ଆରମ୍ଭ କଲେ, ସେହି ପୁଲିସର ଗୁଇନ୍ଦା ନେଟୱାର୍କ ସହାୟତାରେ କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜୀବନ ପ୍ରତି ଥିବା ବିପଦ ସମ୍ପର୍କରେ ଆଗୁଆ ଖୋଳତାଡ଼ କଲେନି?

Odisha Police Health Minister Naba Das Shootout