
ଏଣିକି ଛୋଟଛୋଟ ଅପରାଧ ପାଇଁ ଆଉ ଜେଲ୍ ନୁହେଁ କେବଳ ଜୋରିମାନା ଦେବାକୁ ପଡ଼ିବ । ରାଜ୍ୟ ସରକାର ଆଜି ବିଧାନସଭାରେ ‘ଓଡ଼ିଶା ଜନ ବିଶ୍ୱାସ ବିଲ-୨୦୨୫’କୁ ପାରିତ କରି ରାଜ୍ୟରେ ପ୍ରଚଳିତ ୧୬ଟି ଆଇନରେ ଥିବା ୧୬୧ଟି ଆଇନଗତ ଧାରାରେ ସଂଶୋଧନର ମାର୍ଗ ପ୍ରଶସ୍ତ କରିଛନ୍ତି । ଏଥିରୁ ୫୦ଟିରେ ଥିବା ଜେଲ୍ ଦଣ୍ଡ ବ୍ୟବସ୍ଥାକୁ ହଟାଇବା ସହ ବାକି ୧୧୧ଟି ଅପରାଧ ପାଇଁ ଅଧିକ ଜୋରିମାନାର ପ୍ରାବଧାନ କରିଛନ୍ତି ।
ବିଧାନସଭାରେ ଦୀର୍ଘସମୟ ଧରି ଏହି ବିଲର ବିଭିନ୍ନ ଧାରାୱାରି ଆଲୋଚନା ହେବାପରେ ବିରୋଧୀ ଦଳ ସଦସ୍ୟଙ୍କ କକ୍ଷତ୍ୟାଗ ମଧ୍ୟରେ ବିଲଟି ବହୁମତରେ ପାରିତ ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ‘ଜନବିଶ୍ୱାସ ଆଇନ-୨୦୨୩’କୁ ଅନୁସରଣ ରାଜ୍ୟ ସରକାର ଏହି ବିଲ୍ ପ୍ରସ୍ତୁତ କରିଥିବା କୁହାଯାଉଛି । ଲୋକଙ୍କ ମନରେ ସରକାରଙ୍କ ପ୍ରତି ଭରସା ବୃଦ୍ଧି ସହ ଛୋଟଛୋଟ ନିୟମଗତ ଭୁଲ୍ ବା କାମ ପାଇଁ ହେଉଥିବା ଜେଲ ଦଣ୍ଡକୁ ହଟାଇବା ଉପରେ ଏହି ବିଲରେ ଗୁରୁତ୍ୱ ଦିଆଯାଇଛି ।
ଏହି ପଦକ୍ଷେପ ରାଜ୍ୟରେ ବିଶ୍ୱାସଭିତ୍ତିକ ଶାସନ ପ୍ରଣାଳୀକୁ ସୁଦୃଢ଼ କରିବା ସହ ପୁଞ୍ଜିନିବେଶ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବ ବୋଲି କୁହାଯାଉଛି । ତେବେ ଏହି ବିଲରେ ‘ ଓଡ଼ିଶା ଜୁଆ ନିବାରଣ ଆଇନ-୧୯୫୫’କୁ ସାମିଲ କରି ସେଥିରେ ଥିବା ଦଣ୍ଡାଦେଶ ପ୍ରାବଧାନକୁ କୋହଳ କରିବା ଆଗାମୀ ଦିନରେ ବୁମେରାଂ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
କେଉଁସବୁ ଆଇନର ହେବ ସଂଶୋଧନ
ଏହି ‘ଓଡ଼ିଶା ଜନ ବିଶ୍ୱାସ ବିଲ୍ - ୨୦୨୫'ରେ ରାଜ୍ୟର ମୋଟ ୧୬ଟି ପ୍ରଚଳିତ ଆଇନକୁ ସାମିଲ କରାଯାଇଛି । ଏହି ଆଇନଗୁଡ଼ିକ ମଧ୍ୟରେ ‘ଓଡ଼ିଶା ନର୍ସ ଏବଂ ଧାତ୍ରୀ ପଞ୍ଜିକରଣ ଆଇନ – ୧୯୩୮, ଓଡ଼ିଶା ପୌର ଆଇନ – ୧୯୫୦, ଓଡ଼ିଶା ଜୁଆ ନିବାରଣ ଆଇନ – ୧୯୫୫, ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ – ୧୯୫୬, ଓଡ଼ିଶା ସମବାୟ ସମିତି ଆଇନ - ୧୯୬୨ ଓ ଓଡ଼ିଶା ଅବକାରୀ ଅଧିନିୟମ - ୨୦୦୮ ଭଳି ୧୬ଟି ଗୁରୁତ୍ୱପୂର୍ଣ୍ଣ ଆଇନ ରହିଛି । ଏହି ଜନବିଶ୍ୱାସ ବିଲ୍ ପାରିତ ହେବାଦ୍ୱାରା ଏହି ୧୬ଟି ଆଇନରେ ଥିବା ମୋଟ ୧୬୧ଟି ଆଇନଗତ ଧାରାକୁ ସଂଶୋଧନର ମାର୍ଗ ପ୍ରଶସ୍ତ ହୋଇଛି । ଯେଉଁଥିରେ ପ୍ରାୟ ୫୦ଟି ଅପରାଧ ପାଇଁ ଥିବା ଜେଲଦଣ୍ଡ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି ଓ ବାକି ୧୧୧ଟି ପାଇଁ ଜୋରିମାନା ଧାର୍ଯ୍ୟର ପ୍ରସ୍ତାବ ରହିଛି । ରାଜ୍ୟରେ ‘ଇଜ୍ ଅଫ ଡୁଇଙ୍ଗ ବିଜିନେସ’କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଏହି ବିଲ୍ ଆଣିଥିବା କୁହାଯାଉଛି । ଏବେ ପ୍ରଚଳିତ ଆଇନଗୁଡ଼ିକରେ ଥିବା ଅଯଥା ଜଟିଳ ନିୟମାବଳୀ ଓ ଛୋଟଛୋଟ ଭୁଲ୍ ପାଇଁ କଠୋର ଦଣ୍ଡାଦେଶ କାରଣରୁ ବ୍ୟବସାୟୀ, ନାଗରିକ ଓ ଅନୁଷ୍ଠାନ ଉପରେ ଏକ ଅଯଥା ଚାପ ପଡ଼ୁଥିଲା ।
ଏହି ବିଲ୍ ଛୋଟଛୋଟ ଅପରାଧ ପାଇଁ ଜେଲ୍ ଦଣ୍ଡ ବ୍ୟବସ୍ଥାକୁ ହଟାଇ ସେହି ସ୍ଥାନରେ ଦେୱାନୀ ଦଣ୍ଡ (ସିଭିଲ ପେନାଲଟି) ଲାଗୁ କରିବାକୁ ପ୍ରସ୍ତାବ ଦେଉଛି । ଏହାଛଡ଼ା ଛୋଟ ଛୋଟ ନିୟମ ଉଲ୍ଲଙ୍ଘନଗୁଡ଼ିକର ସମାଧାନ ପାଇଁ ସାଧାରଣ କୋର୍ଟ ବଦଳରେ ପ୍ରଶାସନିକ ବିଚାର ବ୍ୟବସ୍ଥା କରାଯିବ । ଏହାଦ୍ୱାରା ମାମଲାର ଶୀଘ୍ର ଫଇସଲା ସହ ଖର୍ଚ୍ଚ ମଧ୍ୟ କମିବ । ଛୋଟ ଅପରାଧଗୁଡ଼ିକୁ ଦୁଇଟି ଶ୍ରେଣୀରେ (ବର୍ଗ-କ ଓ ବର୍ଗ-ଖ) ବିଭକ୍ତ କରାଯାଇଛି । ଜେଲ ଦଣ୍ଡାଦେଶର ଅବଧି ଅନୁଯାୟୀ ଆର୍ଥିକ ଦଣ୍ଡର ପରିମାଣ ସ୍ଥିର କରାଯାଇଛି । ଉଦାହରଣ ସ୍ୱରୂପ, ଯେଉଁ ଛୋଟ ପ୍ରକ୍ରିୟାଗତ ଭୁଲ୍ (ବର୍ଗ-କ) ପାଇଁ ପୂର୍ବରୁ ୩ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଥିଲା, ତା’ବଦଳରେ ଏବେ ୫ହଜାରରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡ ଧାର୍ଯ୍ୟ ହୋଇଛି ।
ନକାରାତ୍ମକ ପ୍ରଭାବ: ଆଇନର ଦୁରୁପଯୋଗ ଆଶଙ୍କା
ସରକାରଙ୍କ ଏହି ନୂଆ ନିଷ୍ପତ୍ତିର କିଛି ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ବିଶେଷକରି ‘ଓଡ଼ିଶା ଜୁଆ ନିବାରଣ ଆଇନ-୧୯୫୫’କୁ ଏହି ଜନବିଶ୍ୱାସ ବିଲରେ ସାମିଲ କରିଥିବାରୁ ଏହା ବୁମେରାଂ ହୋଇପାରେ । କାରଣ ରାଜ୍ୟରେ ଜୁଆ ଖେଳରେ ଧରା ପଡ଼ୁଥିବା ଅଧିକାଂଶ ଲୋକ ଗରିବ କିମ୍ବା ନିମ୍ନମଧ୍ୟବିତ୍ତଶ୍ରେଣୀର ହୋଇଥାନ୍ତି । ପ୍ରାବଧାନ ଅନୁସାରେ ଜୋରିମାନା ପରିମାଣକୁ ୧୦୦ଟଙ୍କାରୁ ୨୫ହଜାର ଟଙ୍କା ଓ ହଜାର ଟଙ୍କାକୁ ୭୫ହଜାର ଟଙ୍କାକୁ ବୃଦ୍ଧି କରାଯିବା ଦ୍ୱାରା ଗରିବ ଲୋକଟି ପକ୍ଷେ ଏହାକୁ ପ୍ରଦାନ କରିବା କଷ୍ଟକର ହେବ । ଯାହା ସେମାନଙ୍କ ପାଇଁ ଏକ ବଡ଼ ଆର୍ଥିକ ବୋଝ ସୃଷ୍ଟି କରିବ ।
ପୂର୍ବରୁ ଜେଲ୍ ଦଣ୍ଡର ଭୟ ଲୋକଙ୍କୁ ଏପରି କାମରୁ ବିରତ ରଖୁଥିଲା। ଏବେ ଜେଲଦଣ୍ଡ ଉଠିଯିବା ପରେ କେବଳ ଅର୍ଥ ଦଣ୍ଡ ବ୍ୟବସ୍ଥା ଧନୀ ଶ୍ରେଣୀର ଲୋକଙ୍କୁ ଏହି ଅପରାଧ କରିବାକୁ ଅଧିକ ପ୍ରୋତ୍ସାହିତ କରିପାରେ । ଏହି ପରିବର୍ତ୍ତନ ଫଳରେ ଆଇନର ସମାନତା ଉପରେ ପ୍ରଶ୍ନ ଉଠିବାର ସମ୍ଭାବନା ରହିଛି। ଯେଉଁ ଅପରାଧ ପାଇଁ ଜଣେ ଧନୀ ବ୍ୟକ୍ତି ୭୫ ହଜାର ଟଙ୍କା ଦେଇ ସହଜରେ ଜେଲରୁ ବର୍ତ୍ତିଯିବ, ସେହି ଅପରାଧ ପାଇଁ ଜଣେ ଗରିବ ବ୍ୟକ୍ତି ଜୋରିମାନା ନଦେଇପାରିଲେ ତା'ର ଭବିଷ୍ୟତ କ'ଣ ହେବ, ସେ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏହା ନ୍ୟାୟ ପ୍ରଦାନରେ ଧନୀ ଏବଂ ଗରିବ ମଧ୍ୟରେ ଏକ ବଡ଼ ଫାଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଜୋରିମାନା ରାଶିକୁ ଅତ୍ୟଧିକ ବଢ଼ାଇ ଦିଆଯିବା ଫଳରେ ସାଧାରଣ ଲୋକେ ଆଇନର ଦୁରୁପଯୋଗର ଶିକାର ହେବାର ସମ୍ଭାବନା ରହିଛି ।
‘ବିକଶିତ ଓଡ଼ିଶା' : ପାଦେ ଆଗେଇଲେ ସରକାର
ଏହି ଜନବିଶ୍ୱାସ ବିଲ-୨୦୨୫ ପାରିତ ହେବା ଦ୍ୱାରା ରାଜ୍ୟରେ ଏକ ସ୍ୱେଚ୍ଛାକୃତ ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥା ପ୍ରତି ଆଗ୍ରହ ସୃଷ୍ଟି ହେବ । ଏହା ନିବେଶକଙ୍କ ବିଶ୍ୱାସକୁ ଆହୁରି ସୁଦୃଢ଼ କରିବା ସହ ଓଡ଼ିଶାକୁ ଏକ ଅଧିକ ସୁଗମ ଓ ନାଗରିକ-କୈନ୍ଦ୍ରିକ ରାଜ୍ୟ ଭାବରେ ସ୍ଥାନିତ କରିପାରିବ ବୋଲି କୁହାଯାଉଛି। ଏହାଦ୍ୱାରା ଫୌଜଦାରୀ ମାମଲାରେ ଥିବା ଜଟିଳତା ହ୍ରାସ ପାଇବ ଏବଂ ଅଭିଯୋଗର ଫଇସଲା ମଧ୍ୟ ତୁରନ୍ତ ହୋଇପାରିବ । ସୁଶାସନ ଏବଂ ନାଗରିକ-ଅନୁକୂଳ ଆଇନ ମାଧ୍ୟମରେ ଏହି ବିଲ୍ ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ କଲ୍ୟାଣକୁ ସମର୍ଥନ କରି ‘ବିକଶିତ ଓଡ଼ିଶା' ଗଠନ ଲକ୍ଷ୍ୟରେ ଏକ ଉଦାହରଣ ସୃଷ୍ଟି ନିମନ୍ତେ ମାର୍ଗ ପ୍ରଶସ୍ତ କରିବ । ମଧ୍ୟପ୍ରଦେଶ, ଗୁଜୁରାଟ, ଛତିଶଗଡ଼ ଓ ତ୍ରିପୁରା ଭଳି ଅନେକ ରାଜ୍ୟ ପୂର୍ବରୁ ଏହି ବିଲ ପାରିତ କରିସାରିଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
