
ଦେଶର ସ୍ୱାଧୀନତା ସଂଗ୍ରାମରେ ଜନଜାତି ବୀରମାନଙ୍କ ବଳିଦାନକୁ ସ୍ୱୀକୃତି ଦେବା ପାଇଁ କେନ୍ଦ୍ର ସରକାର ଦେଶର ୧୦ଟି ରାଜ୍ୟରେ ୧୧ଟି ‘ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ’ ପ୍ରତିଷ୍ଠା କରିଛନ୍ତି । ମାତ୍ର ସମଗ୍ର ଦେଶର ମୋଟ ଜନଜାତି ଜନସଂଖ୍ୟାର ୯.୧୭% ତଥା ରାଜ୍ୟର ମୋଟ ଜନସଂଖ୍ୟାର ୨୨.୮୫% ଲୋକ ଜନଜାତି ସମୁଦାୟର ରହୁଥିଲେ ମଧ୍ୟ ଓଡ଼ିଶା ଏହି ତାଲିକାରୁ ବାଦ୍ ପଡ଼ିଛି ।
ଏପରିକି ସର୍ବାଧିକ ୬୨ ପ୍ରକାରର ଜନଜାତି ଗୋଷ୍ଠୀ ଓଡ଼ିଶାରେ ବସବାସ କରୁଥିବା ଓ ଇଂରେଜମାନଙ୍କୁ ଅଦମ୍ୟ ସାହାସିକତା ପରିଚୟ ଦେଇଥିବା ଜନଜାତି ନେତା ଶହୀଦ ଲକ୍ଷ୍ମଣ ନାୟକ, ଧରଣୀଧର ନାୟକ, ରତ୍ନ ନାୟକ, ଦୟାନିଧି ଧାରୁଆ ଓ ମାଧୋ ସିଂଙ୍କ ଭଳି ସୁପୁତ୍ରମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ତଥା ସେମାନଙ୍କର ବୀରତ୍ୱର ଗାଥା ଭବିଷ୍ୟତ ପିଢ଼ି ଜାଣିବା ପାଇଁ କେନ୍ଦ୍ରୀୟ ଯୋଜନାରେ ଏଭଳି ‘ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ’ ସ୍ଥାପନ ନହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଓଡ଼ିଶାରେ କାହିଁକି ନାହିଁ ସଂଗ୍ରହାଳୟ, କ’ଣ ରହିଛି ଅସଲ କାରଣ
କେନ୍ଦ୍ର ଜନଜାତି ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉକେ ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ,ଭାରତର ସ୍ୱାଧୀନତା ଆନ୍ଦୋଳନରେ ଜନଜାତି ସମ୍ପ୍ରଦାୟର ଅବଦାନକୁ ସ୍ୱୀକୃତି ଦେବା ଓ ଏସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ୧୧ଟି ‘ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ' ମଞ୍ଜୁର କରିଛି । ଏହି ସଂଗ୍ରହାଳୟ କେନ୍ଦ୍ରୀୟ ଯୋଜନା "ସପୋର୍ଟ ଟୁ ଟ୍ରାଇବାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ’ଏବଂ "ଆର୍ଟିକିଲ ୨୭୫ (୧)’ ଅନ୍ତର୍ଗତ ଆର୍ଥିକ ସହାୟତା ପାଇଥାଏ । ରାଜ୍ୟ ସରକାର ଦ୍ୱାରା ପଠାଯାଇଥିବା ପ୍ରସ୍ତାବ ଓ ଆବଶ୍ୟକତାକୁ ଭିତ୍ତିି କରି ଏହି ଅନୁଦାନ ପ୍ରଦାନ କରାଯାଏ । ଏହି ସଂଗ୍ରହାଳୟଗୁଡ଼ିକ ନିମନ୍ତେ ଜମି ଚୟନ, ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଓ ନିର୍ମାଣ କାର୍ଯ୍ୟର ସମ୍ପୂର୍ଣ୍ଣ ଦାୟିତ୍ୱ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି ।
ତେବେ କେନ୍ଦ୍ରୀୟ ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା ସ୍ୱତନ୍ତ୍ର ‘ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ' ତାଲିକାରେ ଓଡ଼ିଶା ସ୍ଥାନ ନପାଇବା ପଛରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନିମନ୍ତେ ପ୍ରସ୍ତାବ ପଠାଇବାର ଅଭାବ ଅବା ପୁରୁଣା ସଂଗ୍ରହାଳୟ(ରାଜ୍ୟ ସରକାରଙ୍କ ନିଜସ୍ୱ ଓଡ଼ିଶା ଜନଜାତି ସଂଗ୍ରହାଳୟ) ଉପରେ ଅଧିକ ନିର୍ଭରଶୀଳତା କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।
୧୦ ରାଜ୍ୟରେ ୧୧ଟି ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ
କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗୁଜରାଟର ରାଜପିପ୍ଲାଠାରେ ସର୍ବାଧିକ ୨୫୭.୯୪ କୋଟି ଟଙ୍କା ବ୍ୟୟରେ ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ନିର୍ମାଣ ଚାଲିଛି । ସେହିପରି ଝାଡ଼ଖଣ୍ଡର ରାଂଚି (ବିର୍ସା ମୁଣ୍ଡା ସଂଗ୍ରହାଳୟ) ଓ ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଓ ଜବଲପୁରଠାରେ ସଂଗ୍ରହାଳୟଗୁଡ଼ିକ ଇତିମଧ୍ୟରେ ଉଦଘାଟିତ ହୋଇସାରିଛି । ମିଜୋରାମ ଓ କେରଳରେ ୨୦୨୬ ମସିହା ମଧ୍ୟଭାଗ ସୁଦ୍ଧା ସଂଗ୍ରହାଳୟ ଲୋକାର୍ପିତ ହେବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମଣିପୁର ପାଇଁ ଯଥାକ୍ରମେ ୨୫ କୋଟି ଟଙ୍କାର କେନ୍ଦ୍ରୀୟ ଅଂଶଧନ ମଞ୍ଜୁର କରାଯାଇଛି । ମଣିପୁରର ରାଣୀ ଗାଇଡିନଲିଉ ସଂଗ୍ରହାଳୟ ଏବେ ପ୍ରକଳ୍ପ ରିପୋର୍ଟସ୍ତରରେ ଥିବାବେଳେ ଗୋଆରେ କାର୍ଯ୍ୟାଦେଶ ଜାରି କରାଯାଇଛି । ମାତ୍ର ଏହି ତାଲିକାରେ ଓଡ଼ିଶା ନାହିଁ ।
ଦେଶର ଜନଜାତି ଜନସଂଖ୍ୟା ଓ ଓଡ଼ିଶାର ସ୍ଥିତି
୨୦୧୧ ଜନଗଣନା ଅନୁଯାୟୀ, ଭାରତର ମୋଟ ଜନସଂଖ୍ୟାର ପ୍ରାୟ ୮.୬% (୧୦୪ ନିୟୁତରୁ ଅଧିକ) ହେଉଛନ୍ତି ଜନଜାତି ସମ୍ପ୍ରଦାୟର । ଓଡ଼ିଶାରେ ପ୍ରାୟ ୯୫.୯୦ ଲକ୍ଷ ଜନଜାତି ବସବାସ କରନ୍ତି, ଯାହା ରାଜ୍ୟର ମୋଟ ଜନସଂଖ୍ୟାର ୨୨.୮୫% ଓ ଦେଶର ମୋଟ ଜନଜାତି ଜନସଂଖ୍ୟାର ପ୍ରାୟ ୯.୧୭% । ଓଡ଼ିଶାରେ ସର୍ବାଧିକ ୬୨ ପ୍ରକାରର ଜନଜାତି ବସବାସ କରନ୍ତି ଓ ଏଥିମଧ୍ୟରୁ ୧୩ଟି ଗୋଷ୍ଠୀ ହେଉଛନ୍ତି ପିଭିଟିଜି (ଆଦିମ ଜନଜାତି) । ଓଡ଼ିଶାରେ ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ଜନଜାତି ସଂଗ୍ରହାଳୟ ରହିଛି, ଯାହାକୁ ‘ମ୍ୟୁଜିୟମ ଅଫ୍ ମ୍ୟାନ' କୁହାଯାଏ । ଆଦିବାସୀଙ୍କ ଅତୀତର ସମୃଦ୍ଧ ସାଂସ୍କୃତିକ ଓ ଜୀବନଶୈଳୀ ସମ୍ପର୍କରେ ଏହି ସଂଗ୍ରହାଳୟରେ ଜାଣିବାର ଅନେକ ସୁଯୋଗ ରହିଛି ।ଏହାକୁ ରାଜ୍ୟ ସରକାର ଗବେଷଣାକେନ୍ଦ୍ର ଭାବେ ମଧ୍ୟ ବିକଶିତ କରିଛନ୍ତି ।ଏହି ସଂଗ୍ରହାଳୟ ରାଜ୍ୟ ସରକାରଙ୍କ ଅର୍ଥରେ ପରିଚାଳିତ ହେଉଛି । ଓଡ଼ିଶାରେ ଥିବା ପୁରୁଣା ଜନଜାତି ସଂଗ୍ରହାଳୟରେ ସଂଗ୍ରାମୀଙ୍କ ଗାଥା ରହିଥିଲେ ମଧ୍ୟ, କେନ୍ଦ୍ରୀୟ ଯୋଜନାର ଅନୁଦାନରେ ଏକ ବିଶ୍ୱସ୍ତରୀୟ ସ୍ମାରକୀ ନିର୍ମାଣ ହେଲେ ଏହା ରାଜ୍ୟର ଜନଜାତି ବୀରମାନଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କୁହାଯାଉଛି ।
ଦେଶ ପାଇଁ ଗର୍ବ ଓଡ଼ିଶାର ଜନଜାତି ସଂଗ୍ରାମୀ
ଇଂରେଜ ଶାସନ ବିରୁଦ୍ଧରେ ନିଜର ବୀରତ୍ୱ ପ୍ରଦର୍ଶନ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଅନେକ ଜନଜାତି ସଂଗ୍ରାମୀ । କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକଙ୍କଠାରୁ ଆରମ୍ଭ କରି କେନ୍ଦୁଝରର ରତ୍ନ ନାୟକ ଓ ଧରଣୀଧର ନାୟକ, ମୟୂରଭଞ୍ଜର ଦୟାନିଧି ଧାରୁଆ, ଘୁମୁସର ବିଦ୍ରୋହର ଦୋରା ବିଶୋଇ ଓ ଚକରା ବିଶୋଇଙ୍କ ସମେତ ମାଧୋ ସିଂ, ସିଧୁ ଓ କାହ୍ନୁ ମୁର୍ମୁଙ୍କ ଭଳି ଜନଜାତି ସଂଗ୍ରାମୀଙ୍କର ବୀରତ୍ୱର ଗାଥାକୁ ସ୍ମାରକୀ ଆକାରରେ ପ୍ରଦର୍ଶନର ଆବଶ୍ୟକତା ରହିଛି। ଓଡ଼ିଶା ଦେଶର ଏକ ପ୍ରମୁଖ ଜନଜାତି ଅଧ୍ୟ୍ୟୁଷିତ ରାଜ୍ୟ ହୋଇଥିଲେ ମଧ୍ୟ କେନ୍ଦ୍ରୀୟ ଅନୁଦାନରେ ‘ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ’ ସ୍ଥାପନ ନହେବା ପରିତାପର ବିଷୟ ।
ରାଜ୍ୟସଭାରେ ଦାବି ଉତଥାପନ କରିଥିଲେ ସୁଜିତ୍ କୁମାର
ବିଜେପି ରାଜ୍ୟସଭା ସାଂସଦ ସୁଜିତ୍ କୁମାର ରାଜ୍ୟସଭାରେ ଏନେଇ ଉଦବେଗ ପ୍ରକାଶ କରିଥିଲେ। ସେ ବିଜେଡିର ସାଂସଦ ଥିବାବେଳେ ୨୦୨୨ ମାର୍ଚ୍ଚ ମାସରେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ଗୁଜୁରାଟରେ ୧୪.୮% ଜନଜାତି ଲୋକ ରହୁଥିବା ସତ୍ତ୍ୱେ ସେଠାରେ ସଂଗ୍ରହାଳୟ ନିର୍ମାଣ ହେଉଛି ଅଥଚ ଓଡ଼ିଶାରେ ୨୨.୮୦ ପ୍ରତିଶତ ଜନଜାତି ବର୍ଗର ଲୋକ ଥାଇ ମଧ୍ୟ କାହିଁକି ଏହା ନିର୍ମାଣ କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ । ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ସେ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଜଣାଇଥିଲେ।
ମାତ୍ର କେଉଁ କାରଣରୁ ରାଜ୍ୟ ସରକାର ଏହି କେନ୍ଦ୍ରୀୟ ଯୋଜନାରେ ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ନିର୍ମାଣ ଦିଗରେ ପୂର୍ବ ବିଜେଡି ସରକାର ଓ ବର୍ତ୍ତମାନର ବିଜେପି ସରକାର ପଦକ୍ଷେପ ନେଉନାହାନ୍ତି ତାହା ଅସ୍ପଷ୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
