Advertisment

ମାଟ୍ରିକ୍ ପ୍ରଶ୍ନପତ୍ର ବିଭ୍ରାଟ, ଛାତ୍ରଛାତ୍ରୀ ଛାନିଆ

କିଛି ପରୀକ୍ଷାର୍ଥୀଙ୍କ B-ସେଟରେ A-ସେଟର ପ୍ରଶ୍ନ ଯୋଡ଼ିହେବା ଏବଂ ପ୍ରଶ୍ନପତ୍ରରେ ୫୦ ବଦଳରେ ୪୯ଟି ପ୍ରଶ୍ନ ରହିଥିବା ଦେଖିବାକୁ ମିଳିଛି।

author-image
Niranjan Mishra
Matric exam

Matric exam

ଏଥର ବି ବିଭ୍ରାଟ ବିବାଦରୁ ମୁକୁଳି ପାରିଲା ନାହିଁ ମାଟ୍ରିକ୍ ପରୀକ୍ଷା। ଆଜି ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ଯେଉଁ ତ୍ରୁଟି ସାମ୍ନାକୁ ଆସିଲା, ସମସ୍ତଙ୍କୁ ଦ୍ୱର୍ନ୍ଦ୍ୱରେ ପକାଇଦେଇଛି। କିଛି ପରୀକ୍ଷାର୍ଥୀଙ୍କ B-ସେଟରେ A-ସେଟର ପ୍ରଶ୍ନ ଯୋଡ଼ିହେବା ଏବଂ ପ୍ରଶ୍ନପତ୍ରରେ ୫୦ ବଦଳରେ ୪୯ଟି ପ୍ରଶ୍ନ ରହିଥିବା ଦେଖିବାକୁ ମିଳିଛି। ବୋର୍ଡ କର୍ତ୍ତୃପକ୍ଷ ଏବଂ ଗଣଶିକ୍ଷା ମନ୍ତ୍ରୀ ଏହା ମୁଦ୍ରଣଜନିତ ତ୍ରୁଟି ବୋଲି ମାନିବା ସହ ମୂଲ୍ୟାୟନ ସମୟରେ ପିଲାଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି। ତେବେ ବୋର୍ଡର ଏଭଳି ସାଙ୍ଘାତିକ୍ ତୃଟି ଦେଖି ଛାତ୍ରଛାତ୍ରୀ ଛାନିଆ। ସେମାନଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଠିକ୍ ମାର୍କ ମିଳିବ ତ ? କ’ଣ ହେବ ଆଗକୁ ? ଯାହା ହେଲା ଠିକ୍ ହେଲାନି।

Advertisment

ଆଜି ଥିଲା ସାମାଜିକ ବିଜ୍ଞାନ ପରୀକ୍ଷା। ଇତିହାସ ଓ ରାଜନୀତି ବିଜ୍ଞାନ ବିଷୟର ବି-ସେଟରେ କିଛି ତୃଟି ଦେଖି ଘାବରାଇ ଯାଇଥିଲେ ପରୀକ୍ଷାର୍ଥୀ।

ପ୍ରଶ୍ନପତ୍ରକୁ ବିଭ୍ରାଟ ନମ୍ବର-୧: ଉପରେ ଲେଖାଯାଇଛି ସେଟ୍-B, କିନ୍ତୁ ଭିତରେ ଅଛି ସେଟ୍-A।

Advertisment

ବିଭ୍ରାଟ ନମ୍ବର-୨: ସେଟ୍-Bର ପ୍ରଶ୍ନପତ୍ରରେ ୧୯ ନମ୍ବର ପ୍ରଶ୍ନ ନଥିବା ବେଳେ ଓଏମଆର୍ ସିଟରେ କିନ୍ତୁ ରହିଛି ତାହାର ଉତ୍ତର।

ବିଭ୍ରାଟ ନମ୍ବର-୩: ସେହି ସେଟ୍-ବି’ରେ ସବୁଠାରୁ ବଡ ତ୍ରୁଟି ହେଲା ୧ ରୁ ୬ ନମ୍ବର ଯାଏଁ ଯେଉଁ ପ୍ରଶ୍ନ ରହିଛି, ସେହି ସମାନ ପ୍ରଶ୍ନ ରିପିଟ୍ ହୋଇଛି ୭ରୁ ୧୨ ନମ୍ବର ଯାଏଁ। ହେଲେ ଉତ୍ତର ଖାତା ତଥା OMR ସିଟରେ କିନ୍ତୁ ଚିତ୍ର ଅଲଗା।

ବିଭ୍ରାଟ ନମ୍ବର-୪: ଭୂଗୋଳ ଏବଂ ଅର୍ଥନୀତି ବିଭାଗ ପରୀକ୍ଷାରେ ସେହି ସେଟ୍-Bରେ ସେଟ୍-Aର ୩୩ ନମ୍ବର ପ୍ରଶ୍ନ ୩୯ ନମ୍ବରରେ ରିପିଟ୍ ହୋଇଛି।

ବାଲେଶ୍ୱର, ଜଗତସିଂହପୁର, ନୟାଗଡ଼, ବ୍ରହ୍ମପୁର ଭଳି ବହୁ ସ୍ଥାନରେ ଆଜି ଏଭଳି ତ୍ରୁଟି ଦେଖିବାକୁ ମିଳିଥିଲା। 

ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗକୁ ସ୍ୱୀକାର କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ସେଟ୍ ବି'ର ପ୍ରଶ୍ନପତ୍ରରେ କିଛି ମୁଦ୍ରଣଜନିତ ତ୍ରୁଟି ଥିବା ମାନିଛନ୍ତି। ଏଥିପାଇଁ ଛାତ୍ରଛାତ୍ରୀମାନେ ଚିନ୍ତିତ ନହେବାକୁ ପରାମର୍ଶ ଦେବା ସହ କୌଣସି ଅସୁବିଧା ହେବନି ବୋଲି କହିଛନ୍ତି। ତା’ସହ ଆଉ ଥରେ ପରୀକ୍ଷା ହେବାର ଆଶଙ୍କାକୁ ଖଣ୍ଡନ କରି ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟି ଦିଆଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ରଂଜନ ମହାନ୍ତି କହିଛନ୍ତି।

ସେପଟେ ବଲାଙ୍ଗିରରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ନେଇ ଲାଗିରହିଛି ଚର୍ଚ୍ଚା। ପରୀକ୍ଷା ଆରମ୍ଭ ପୂର୍ବରୁ ଭାଇରାଲ ପ୍ରଶ୍ନପତ୍ର ମୋବାଇଲକୁ ମୋବାଇଲ ଘୁରି ବୁଲିଥିଲା। ସବଜେକଟିଭ ପ୍ରଶ୍ନପତ୍ର ସେଟ୍ ଭାଇରାଲ ହୋଇଛି। ତେବେ କିଏ କଲା, କେଉଁଠୁ ହେଲା ସେନେଇ ସ୍ପଷ୍ଟ ସୂଚନା ମିଳିନଥିବାବେଳେ ସେଭଳି କୌଣସି ରିପୋର୍ଟ ଆସିନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା କହିଛନ୍ତି। 

ମାଟ୍ରିକ ପରୀକ୍ଷାରେ ଏଭଳି ବିଭ୍ରାଟ ସହ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଘଟଣାକୁ ନେଇ ଆଜି ସମ୍ବଲପୁରରେ ଗର୍ଜିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ଏଥିସହ ରାଜ୍ୟ ସରକାର ଏବଂ ବିଭାଗୀୟ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଏସବୁ ଭିତରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି, ପ୍ରଶ୍ନପତ୍ର ଲିକ୍ ନୁହେଁ, ମୁଦ୍ରଣ ଜନିତ ତ୍ରୁଟି ହୋଇଛି। ଇତିହାସ, ରାଜନୀତି ବିଜ୍ଞାନ ‘ବି’ ସେଟ୍ ପ୍ରଶ୍ନରେ କିଛି ତ୍ରୁଟି ଅଛି। ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସ୍ପଷ୍ଟୀକରଣ ଦିଆ ସରିଛି। ଛାତ୍ରଛାତ୍ରୀମାନେ ଚିନ୍ତିତ ହୁଅନ୍ତୁନି। କୌଣସି ଅସୁବିଧା ହେବନି। ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବ।

ତେଣୁ ବୋର୍ଡ ତଥା ଗଣଶିକ୍ଷା ବିଭାଗ କରିଥିବା ପ୍ରଶ୍ନପତ୍ର ଭୁଲ ନିମନ୍ତେ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ଦେବ ବୋଲି ଅଶା କରାଯାଉଛି। ତେବେ ଏନେଇ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ମାଟ୍ରିକ୍‌ ପରୀକ୍ଷାରେ ଏଭଳି ତ୍ରୁଟି ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷର କାରଣ ହୋଇଛି।

School Matric Exam Odisha Mass Education Minister