ମାର୍ଚ୍ଚ ୨୪ରେ ପୌର ନିର୍ବାଚନ, ଆଜିଠୁ ଆଚରଣ ବିଧି ଲାଗୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପଂଚାୟତ ନିର୍ବାଚନ ଭୋଟ ଗଣତି ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟ ନିର୍ବାଚନ କମିଶନର ଆଜି ପୌର ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଆସନ୍ତା ମାର୍ଚ୍ଚ ୨୪ତାରିଖରେ ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏନଏସି ଏବଂ ୩ଟି ମହାନଗର ନିଗମରେ ପ୍ରାୟ ୪୧ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।  କେବଳ ପୁରୀ ପୌର ପରିଷଦ ଏବଂ ଭଦ୍ରକ ପୌର ପରିଷଦର ୪ ନମ୍ବର ୱାର୍ଡରେ ନିର୍ବାଚନକୁ ନେଇ […]

election

Ordigital Desk
  • Published: Friday, 25 February 2022
  • , Updated: 25 February 2022, 02:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପଂଚାୟତ ନିର୍ବାଚନ ଭୋଟ ଗଣତି ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟ ନିର୍ବାଚନ କମିଶନର ଆଜି ପୌର ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଆସନ୍ତା ମାର୍ଚ୍ଚ ୨୪ତାରିଖରେ ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏନଏସି ଏବଂ ୩ଟି ମହାନଗର ନିଗମରେ ପ୍ରାୟ ୪୧ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।  କେବଳ ପୁରୀ ପୌର ପରିଷଦ ଏବଂ ଭଦ୍ରକ ପୌର ପରିଷଦର ୪ ନମ୍ବର ୱାର୍ଡରେ ନିର୍ବାଚନକୁ ନେଇ କୋର୍ଟରେ ମାମଲା ଥିବାରୁୁ ସେଠାରେ ନିର୍ବାଚନ ହେବ ନାହିଁ । ଏହି ପୌର ନିର୍ବାଚନ ସମଗ୍ର ରାଜ୍ୟରେ ଗୋଟିଏ ଦିନରେ ହେବ ଓ ଭୋଟ ଗଣତି ମାର୍ଚ୍ଚ ୨୬ତାରିଖରେ ହେବ । ଚଳିତଥର ପୌର ପରିଷଦ ଓ ଏନଏସି ଅଧ୍ୟକ୍ଷ ପଦବୀ ଓ ମହାନଗର ନିଗମରେ ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ । ୨୦୧୮ ମସିହାରୁ ଅଧିକାଂଶ ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇସାରିଥିଲା ।

ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ମୋଟ ୪୭ଟି ପୌର ପରିଷଦ, ୫୯ଟି ଏନଏଏସି ଓ ୩ଟି ମହାନଗର (ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର)ରେ ଆସନ୍ତା ମାର୍ଚ୍ଚ ୨୪ତାରିଖରେ କାଉନସିଲର/କର୍ପୋରେଟର, ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ନିର୍ବାଚନ ହେବ । ଏଥିପାଇଁ ସ୍ଥାନୀୟ ନିର୍ବାଚନ ଅଧିକାରୀମାନେ ବିଧିବଦ୍ଧ ଭାବେ ଫେବୃୟାରୀ ୨୮ତାରିଖରେ ବିଜ୍ଞପ୍ତି ଜାରି କରିବେ । ମାତ୍ର ଆଜି ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସହ ଭୋଟ ହେବାକୁ ଥିବା ସବୁ ପୌରାଂଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଯାହାକି ମାର୍ଚ୍ଚ ୨୬ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଏହି ସମସ୍ତ ପୌର ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୨ରୁ ୭ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ, ମାର୍ଚ୍ଚ ୯ତାରିଖରେ ନାମାଙ୍କନ ପତ୍ର ଯାଂଚ ଓ ୧୪ତାରିଖ ଅପରାହ୍ନ ୩ଟା ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ସେହିଦିନ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୪ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ୨୬ତାରିଖ ସକାଳ ୮ଟାରୁ ଭୋଟଗଣତି ହେବ । ଏପ୍ରିଲ ୭ତାରିଖରେ ପୌର ପରିଷଦ ଓ ଏନଏଏସି ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ । ଏପ୍ରିଲ ୮ତାରିଖରେ ଡେପୁଟି ମେୟର ନିମନ୍ତେ ନିର୍ବାଚନ ହେବ । ଏଥର ନିର୍ବାଚନରେ ଭୋଟରମାନେ ଇଭିଏମ ମାଧ୍ୟମରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ପୌରାଂଚଳ ଓ ଏନଏସିର ଅଧ୍ୟକ୍ଷ ପଦବୀ ଓ ମହାନଗରର ମେୟର ପଦବୀ ନିମନ୍ତେ ହଳଦିଆ ବାଲାଟ ପେପର ଏବଂ କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଗୋଲାପୀ ରଙ୍ଗର ବାଲାଟ ପେପର ଉଦ୍ଦିଷ୍ଟ ରହିବ । ଏଥର ଭୋଟର୍ ଚାହିଁଲେ, ନିଜ ପସନ୍ଦରେ ନୋଟା (ନନ୍ ଅଫ୍ ଦି ଏଭବ୍)ର ଉପଯୋଗ ମଧ୍ୟ କରିପାରିବେ।

ଏଥର ନିର୍ବାଚନରେ ପ୍ରାର୍ଥୀଙ୍କ ନିମନ୍ତେ ଖର୍ଚ୍ଚସୀମା ଓ ପ୍ରଚାର ନିମନ୍ତେ ପୂର୍ବରୁ ନିର୍ବାଚନ କମିଶନ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି । ୫୦ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ ଏନଏସି ଓ ପୌର ପରିଷଦର କାଉନସିଲରଙ୍କ ନିର୍ବାଚନୀ ଖର୍ଚ୍ଚ ୫୦ହଜାର ଟଙ୍କା ଓ ଅଧ୍ୟକ୍ଷଙ୍କ ପାଇଁ ୨ଲକ୍ଷ ଟଙ୍କା, ୫୦ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ ଏନଏଏସି ଓ ପୌର ପରିଷଦର କାଉନସିଲରଙ୍କ ନିର୍ବାଚନୀ ଖର୍ଚ୍ଚ ୭୫ହଜାର ଟଙ୍କା ଓ ଅଧ୍ୟକ୍ଷଙ୍କ ସର୍ବାଧିକ ୩ଲକ୍ଷ ଟଙ୍କା, ୧ଲକ୍ଷରୁ ଊର୍ଦ୍ଧ୍ୱ ପୌର ସଂସ୍ଥାର କାଉନସିଲରଙ୍କ ପାଇଁ ୧ଲକ୍ଷ ଟଙ୍କା ଓ ଅଧ୍ୟକ୍ଷଙ୍କ ପାଇଁ ୫ଲକ୍ଷ ଟଙ୍କା ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରିପାରିବେ । ସେହିପରି ୩ଟି ମହାନଗର ନିଗମରେ କର୍ପୋରେଟରମାନେ ୨ଲକ୍ଷ ଟଙ୍କା ଓ ମେୟର ସର୍ବାଧିକ ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ।

ଏହାସହିତ କାଉନସିଲ/କର୍ପୋରେଟରମାନେ ସର୍ବାଧିକ ୨ଟି ଗାଡ଼ି ଓ ଅଧ୍ୟକ୍ଷ ପ୍ରାର୍ଥୀ ୪ଟି ଗାଡ଼ି, ମେୟର ପ୍ରାର୍ଥୀ ୬ଟି ଗାଡ଼ି ଓ ରାଜନୀତିକ ଦଳଗୁଡ଼ିକ ୨ଟି ଗାଡ଼ି ପ୍ରଚାରରେ ଉପଯୋଗ କରିପାରିବେ । ସେହିପରି ପ୍ରତ୍ୟେକ ପ୍ରାର୍ଥୀଙ୍କୁ ୨ଟି ଲେଖାଏଁ ସତ୍ୟପାଠ ଦେବାକୁ ପଡ଼ିବ । ଗୋଟିଏ ସତ୍ୟପାଠରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ଅପରାଧିକ କାର୍ଯ୍ୟକଳାପ ଓ ସମ୍ପତ୍ତି ବିବରଣୀ ଏବଂ ଅନ୍ୟ ସତ୍ୟପାଠରେ ପ୍ରାର୍ଥୀଙ୍କର ଜଣେ ଜୀବିତ ପତ୍ନୀ ଥିବା ଓ ସନ୍ତାନ ସଂଖ୍ୟା ୨ରୁ ଅଧିକ ହୋଇନଥିବ ବୋଲି ଜଣାଇବେ ।

ସେହିପରି ରାଜନୀତିକ ଦଳଗୁଡ଼ିକ ପୌରାଂଚଳ ଓ ଏନଏସିରେ ନିଜର ପ୍ରତିନିଧି ନିମନ୍ତେ ଫର୍ମ ୯ରେ ଓ ମହାନଗର ପାଇଁ ଫର୍ମ ୧୨ରେ ନିଜର ପ୍ରତିନିଧିଙ୍କ ନାଁ ୭ତାରିଖ ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ନିର୍ବାଚନ ଅଧିକାରୀଙ୍‌କ ପାଖରେ ଦାଖଲ କରିବେ । ସେହିପରି ଅନ୍ୟ ୨ଟି ଫର୍ମରେ ରାଜନୀତିକ ଦଳଗୁଡ଼ିକ ପୌରାଂଚଳ ଓ ଏନଏସି ନିମନ୍ତେ ଦଳୀୟ ପ୍ରାର୍ଥୀ ତାଲିକା ଏବଂ ମହାନଗରର ପ୍ରାର୍ଥୀ ତାଲିକା ମଧ୍ୟ ୬ ତାରିଖ ସନ୍ଧ୍ୟା ସୁଦ୍ଧା ଦାଖଲ କରିବେ ।

ହାଇକୋର୍ଟରେ ମାମଲା ଥିବାରୁ ପୁରୀ ପୌର ପରିଷଦରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଚଳିତଥର ପ୍ରଥମଥର ପାଇଁ ନବଗଠିତ ଚାନ୍ଦବାଲି, ଧାମନଗର, ବିଜେପୁର ଓ ରେମୁଣା ଏନଏସିରେ ନିର୍ବାଚନ କରାଯିବ। ୩ଟି ମହାନଗର ନିଗମରେ ମୋଟ ୧୪.୨୬ଲକ୍ଷ ଭୋଟର ଏବଂ ବାକି ୧୦୬ଟି ପୌରାଂଚଳରେ ପ୍ରାୟ ୨୭ଲକ୍ଷ ଭୋଟର ରହିଛନ୍ତି। ୧୦୬ଟି ପୌରାଞ୍ଚଳରେ ମୋଟ୍ ୩୦୩୦ଟି ବୁଥ୍ ଓ ୩ଟି ମହାନଗର ନିଗମରେ ୧୪୦୭ଟି ବୁଥ୍ ରହିଛି। ୩ଟି ମହାନଗର ନିଗମରେ ମୋଟ ୧୬୮ଟି ୱାର୍ଡ ଓ ୧୦୬ଟି ପୌରାଞ୍ଚଳରେ ୧୭୩୧ଟି ୱାର୍ଡରେ ଭୋଟ ଗ୍ରହଣ ହେବ। 

ସୂଚନାଯୋଗ୍ୟ, ରାଜ୍ୟରେ ପୌର ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଦୀର୍ଘ ୩ବର୍ଷରୁ ଅଧିକ ସମୟ ଧରି ଶେଷ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏସବୁରେ ନିର୍ବାଚନ କରାଉ ନଥିଲେ ।

Related story