Advertisment

Economy ୧୦ଲକ୍ଷ କୋଟି ଛୁଇଁବ ରାଜ୍ୟ ଜିଡିପି: ଜାତୀୟ ହାରକୁ ପଛରେ ପକାଇଲା ଓଡ଼ିଶା, ଚ୍ୟାଲେଞ୍ଜ ପାଲଟିଛି ଋଣ ଓ ଖଣି ଉପରେ ନିର୍ଭରଶୀଳତା

୨୦୨୪-୨୫ରେ ରାଜ୍ୟର ଅର୍ଥନୀତି ୭.୨ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା, କିନ୍ତୁ ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି, ଯାହାକି ସର୍ବଭାରତୀୟସ୍ତରର ଅଭିବୃଦ୍ଧି ହାର ୭.୪% ତୁଳନାରେ ଢ଼େର ଅଧିକ।

author-image
Prakaash Sethi
Economic-Survey-2025-26

ଜାତୀୟ ଅଭିବୃଦ୍ଧି ହାରକୁ ପଛରେ ପକାଇ ଓଡ଼ିଶା ଦ୍ରୁତ ଆର୍ଥିକ ଅଭିବୃଦ୍ଧି ସହ ୧୦ଲକ୍ଷ କୋଟି ଟଙ୍କାର ଅର୍ଥନୀତି ବିଶିଷ୍ଟ ରାଜ୍ୟ ଭାବେ ଉଭା ହେବାକୁ ଯାଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ ୭.୯% ହାରରେ ରାଜ୍ୟ ଅର୍ଥନୀତି(Odisha economy) ଅଭିବୃଦ୍ଧି କରୁଛି ବୋଲି ଆକଳନ ହୋଇଛି । ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟରେ ୯.୨ପ୍ରତିଶତ ବୃଦ୍ଧି ପାଇ ୧ଲକ୍ଷ ୮୬ହଜାର ୭୬୧ଟଙ୍କାରେ ପହଂଚିଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡ଼ିକରେ ମୁଣ୍ଡପିଛା ଆୟରେ ଅସମାନତାର ଚିନ୍ତାଜନକ ଚିତ୍ର ପଦାକୁ ଆସିଛି। ସରକାର ରାଜ୍ୟର ଋଣ ପରିମାଣକୁ ବଜେଟ୍ ଆଇନ ଶୃଙ୍ଖଳା((ମୋଟ ଜିଡିପିର ୨୫%ରୁ କମ)ରେ ସୀମିତ ରଖିଥିଲେ ମଧ୍ୟ କ୍ରମାଗତ ଭାବେ ଋଣ ପରିମାଣ ବୃଦ୍ଧି , ରାଜ୍ୟ ଟିକସର ବୃହତ୍ ଅଂଶ(୯୧୭୭କୋଟି ଟଙ୍କା) କେବଳ ଋଣ ପରିଶୋଧରେ ବ୍ୟୟ ହେବା ଓ ରାଜ୍ୟର ଅଣଟିକସର ୮୦ପ୍ରତିଶତ କେବଳ ଖଣି ରାଜସ୍ୱରୁ ସଂଗ୍ରହ ହେବା ଓଡ଼ିଶା ପାଇଁ ଚ୍ୟାଲେଞ୍ଜ ପାଲଟିଛି। 

Advertisment

ଆଜି ବଜେଟ୍ ଅଧିବେଶନର ତୃତୀୟ ଦିନରେ ବିଧାନସଭାରେ ଉପସ୍ଥାପିତ ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୨୫-୨୬ରେ ଏଭଳି ଗୋଲାପୀ ଚିତ୍ର ଦେଇଛନ୍ତି ମୋହନ ମାଝୀଙ୍କ ସରକାର । ଆସନ୍ତାକାଲି ବାର୍ଷିକ ବଜେଟ୍ ଆସିବା ପୂର୍ବରୁ ଅର୍ଥନୀତିକ ସର୍ଭେ ରିପୋର୍ଟ ମାଧ୍ୟମରେ ସରକାର ରାଜ୍ୟର ସୁଦୃଢ଼ ଆର୍ଥିକ ସ୍ଥିତି, ବିଭିନ୍ନ କ୍ଷେତ୍ରରେ ଜାତୀୟ ହାରଠୁ ଆଗରେ ରହିଥିବାର ଦମ୍ଭୋକ୍ତି ବାଢ଼ିଛନ୍ତି ।


ଐତିହାସିକ ସଫଳତା, ୧୦ଲକ୍ଷ କୋଟି ଟଙ୍କାର ରାଜ୍ୟ ଜିଡିପି

ଅର୍ଥନୀତିକ ସର୍ଭେ ରିପୋର୍ଟରେ, ଓଡ଼ିଶା ସରକାରଙ୍କ ୨୦୨୫-୨୬ ଅଗ୍ରୀମ ଆକଳନରେ ରାଜ୍ୟ ଜିଡିପି (ମୋଟ ଘରୋଇ ଉତ୍ପାଦ) ୯.୫ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ବର୍ତ୍ତମାନ ମୂଲ୍ୟରେ ରାଜ୍ୟ ଜିଡିପି ୨୦୨୪-୨୫ ଆର୍ଥିକ ବର୍ଷରେ ୯,୦୩,୦୫୭ଲକ୍ଷ କୋଟି ଟଙ୍କା ଟଙ୍କା ଥିବାବେଳେ ୨୦୨୫-୨୬(ଅଗ୍ରୀମ ଆକଳନ)ରେ ଏହା ୯,୮୮,୩୭୦କୋଟି(ପ୍ରାୟ ୯.୯ଲକ୍ଷ କୋଟି ଟଙ୍କା) ହେବ ବୋଲି ଆକଳନ କରାଯାଇଛି।

Advertisment


ସେହିପରି ୨୦୨୪-୨୫ରେ ରାଜ୍ୟର ଅର୍ଥନୀତି ୭.୨ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା, କିନ୍ତୁ ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି, ଯାହାକି ସର୍ବଭାରତୀୟସ୍ତରର ଅଭିବୃଦ୍ଧି ହାର ୭.୪% ତୁଳନାରେ ଢ଼େର ଅଧିକ। ଏହି ଦ୍ରୁତ ଅଭିବୃଦ୍ଧି ଓଡ଼ିଶାକୁ ଖୁବଶୀଘ୍ର ୧୦ ଲକ୍ଷ କୋଟି ଟଙ୍କାର ଅର୍ଥନୀତି ବିଶିଷ୍ଟ ରାଜ୍ୟ ଭାବେ ଉଭା କରିବାକୁ ଯାଉଛି।


ଆଂଚଳିକ ଅସମାନତା ସତ୍ତ୍ୱେ ମୁଣ୍ଡପିଛା ଆୟରେ ବୃଦ୍ଧି

ରାଜ୍ୟର ମୁଣ୍ଡପିଛା ଆୟ ୨୦୨୫-୨୬ ଆର୍ଥିକ ବର୍ଷରେ ୧,୮୬,୭୬୧ଟଙ୍କାରେ ପହଂଚିଛି । ସର୍ବଭାରତୀୟସ୍ତରରେ ମୁଣ୍ଡପିଛା ଆୟ ବୃଦ୍ଧି ୬.୯% ଥିବାବେଳେ ରାଜ୍ୟରେ ଏହା ୨୦୨୪-୨୫ ଆର୍ଥିକ ବର୍ଷର ୧,୭୦,୯୬୪ଟଙ୍କା ତୁଳନାରେ ୯.୨% ବୃଦ୍ଧି ପାଇଛି । ଓଡ଼ିଶାର ମୁଣ୍ଡପିଛା ଆୟ ବୃଦ୍ଧି ରାଜ୍ୟବାସୀଙ୍କ ପାଇଁ ସକରାତ୍ମକ ହୋଇଥିଲେ ମଧ୍ୟ ସର୍ବଭାରତୀୟସ୍ତରରେ ମୁଣ୍ଡପିଛା ଆୟ(୨,୧୨,୧୬୨ଟଙ୍କା) ତୁଳନାରେ ଓଡ଼ିଶା ଏବେବି ୧୨ ପ୍ରତିଶତ ପଛରେ ରହିଛି । ରାଜ୍ୟଗୁଡ଼ିକର ତାଲିକାରେ ଓଡ଼ିଶା ୧୧ତମ ସ୍ଥାନରେ ରହିଛି । ପୂର୍ବ ଭାରତର ସର୍ବାଧିକ ଦ୍ରୁତଗତିରେ ଅଭିବୃଦ୍ଧି କରୁଥିବା ରାଜ୍ୟ ତାଲିକାରେ ଓଡ଼ିଶା ଆଗରେ ରହିଛି । ପଡ଼ୋଶୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ତୁଳନାରେ ଓଡ଼ିଶାର ମୁଣ୍ଡପିଛା ଆୟ ବେଶ୍ ଅଧିକ ।

ଓଡ଼ିଶାର ମୁଣ୍ଡପିଛା ଆୟରେ ସୁଧାର ଆସିଥିଲେ ମଧ୍ୟ ଆଂଚଳିକ ଅସମାନତା ଜଳଜଳ ହୋଇ ପଦାରେ ପଡ଼ିଛି । ଝାରସୁଗୁଡ଼ା ଓ ଅନୁଗୁଳ ଭଳି ଶିଳ୍ପାଂଚଳ ଜିଲ୍ଲାବାସୀଙ୍କ ମୁଣ୍ଡପିଛା ଆୟ ଅଧିକ ଥିବାବେଳେ ନବରଙ୍ଗପୁର ଓ କନ୍ଧମାଳ ସମେତ ଦକ୍ଷିଣ ଓଡ଼ିଶାର କୃଷି ଉପରେ ନିର୍ଭରଶୀଳ ଜିଲ୍ଲାଗୁଡ଼ିକରେ ମୁଣ୍ଡପିଛା ଆୟ ଏବେବି ଚିନ୍ତାଜନକ ହୋଇରହିଛି।

ବଢ଼ୁଛି ଋଣବୋଝ ଓ ସୁଧ ପରିଶୋଧ ପରିମାଣ, ରାଜସ୍ୱ ପ୍ରଭାବିତ

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଋଣ ଆହରଣ ପରିମାଣ ବୃଦ୍ଧି ପାଇଛି । ଯଦିଓ ଏଫଆରବିଏମ୍ ଆକ୍ଟ ଆଧାରରେ ଋଣବୋଝ ରାଜ୍ୟ ଜିଡିପିର ୨୫%ରୁ କମ୍ (୧୩.୧% ଅନୁପାତ) ମଧ୍ୟରେ ସୀମିତ ରହିଛି ତଥାପି ଋଣବୋଝ ଓ ସୁଧ ପରିଶୋଧ ରାଜ୍ୟ ରାଜକୋଷ ଉପରେ ଚାପ ସୃଷ୍ଟି କରିଛି । ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ଋଣ ୧,୨୦,୭୩୫କୋଟି ଟଙ୍କା ଥିବାବେଳେ ୨୦୨୫-୨୬ ବର୍ଷ ଶେଷ ସୁଦ୍ଧା ଏହା ୧,୩୪,୮୯୭କୋଟି ଟଙ୍କାରେ ପହଂଚିବ ବୋଲି ଆକଳନ ହୋଇଛି । ବର୍ଷକ ମଧ୍ୟରେ ପ୍ରାୟ ୨୪ହଜାର କୋଟି ଟଙ୍କାର ନୂଆ ୠଣ ଆହରଣ କରିଛନ୍ତି ସରକାର। ଋଣ ବୃଦ୍ଧି ସହ ସୁଧ ପରିଶୋଧର ବୋଝ ମଧ୍ୟ ବଢ଼ିଛି।

୨୦୨୫-୨୬ରେ ରାଜ୍ୟ ସୁଧ ପରିଶୋଧ ବାବଦରେ ୯୧୭୭କୋଟି ଟଙ୍କା ଖର୍ଚ୍ଚ କରିବ, ଯାହାକି ୨୦୨୪-୨୫ରେ ୭୬୦୬କୋଟି ଟଙ୍କା ଥିଲା। ରାଜ୍ୟର ନିଜସ୍ୱ ଟିକସ ଉପରେ ଏତେ ପରିମାଣର ସୁଧ ପରିଶୋଧର ଚାପ ଚିନ୍ତାଜନକ। ଏଥିଯୋଗୁ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନା ପାଇଁ ପୁଞ୍ଜି ବିନିଯୋଗ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅବଶ୍ୟ ଅନ୍ୟ ପ୍ରମୁଖ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାର ଋଣ ପରିଶୋଧ ହାର(ରାଜସ୍ୱ ସଂଗ୍ରହ ତୁଳନାରେ) ଅପେକ୍ଷାକୃତ କମ୍ (୨.୮%) ରହିଛି ବୋଲି ଦର୍ଶାଯାଇଛି ।


ସେହିପରି ରାଜ୍ୟର ଅଣଟିକସ ରାଜସ୍ୱର ପ୍ରାୟ ୮୦ ପ୍ରତିଶତ କେବଳ ଖଣି ରାଜସ୍ୱରୁ ଆସୁଛି। ଆନ୍ତର୍ଜାତୀୟ ବଜାରରେ ଖଣିଜ ଦ୍ରବ୍ୟର ମୂଲ୍ୟ କମିଲେ କିମ୍ବା ଉତ୍ପାଦନରେ ବାଧା ସୃଷ୍ଟି ହେଲେ ରାଜ୍ୟର ରାଜସ୍ୱ ଆୟ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି, ଯାହା ଓଡ଼ିଶା ଅର୍ଥନୀତି ପାଇଁ ଭବିଷ୍ୟତରେ ଏକ ବଡ଼ ସଙ୍କଟ ସୃଷ୍ଟି କରିପାରେ । ତା’ଛଡ଼ା ରାଜ୍ୟର ଖଣି କ୍ଷେତ୍ର ପୁଞ୍ଜିଭିତ୍ତିକ ହୋଇଥିବାରୁ ଏଠାରେ ନିଯୁକ୍ତି ସୁଯୋଗ କ୍ରମାଗତ ଭାବେ ହ୍ରାସ ପାଉଛି ଓ ଖଣି କ୍ଷେତ୍ରରେ ନିଯୁକ୍ତି ହାର ବାର୍ଷିକ ୯.୭% ଖସିଛି ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।

Odisha economy