ରାଜ୍ୟରେ ସାଧାରଣ ଜନଗଣନା ପୂର୍ବରୁ ରାଜ୍ୟ ସରକାର ଆଦିମ ଜନଜାତି(ପିଭିଟିଜି)ଙ୍କ ପାଇଁ ଏକ ସ୍ୱତନ୍ତ୍ର ସର୍ଭେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସର୍ଭେ ମାଧ୍ୟମରେ ରାଜ୍ୟର ୧୪ଟି ଜିଲ୍ଲାରେ ବସବାସ କରୁଥିବା ୬୮୭୦୨ଟି ପିଭିଟିଜି ପରିବାରର ପ୍ରାୟ ୩.୧୨ଲକ୍ଷ ଲୋକଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ଶତପ୍ରତିଶତ ପହଂଚିପାରୁଛି କି ନାହିଁ ଓ କେଉଁଠି ଅଭାବ ରହୁଛି ତା’ର ବାସ୍ତବ ଡାଟାବେସ୍ ପ୍ରସ୍ତୁତ କରିବେ। ଦୁର୍ଗମ ଅଂଚଳରେ ବସବାସ କରୁଥିବା ପ୍ରତିଟି ପିଭିଟିଜି ପରିବାର ପାଖରେ ପହଂଚି ଡିଜିଟାଲ ସର୍ଭେ ମାଧ୍ୟମରେ ସେମାନଙ୍କ ପରିବାର ସଂକ୍ରାନ୍ତୀୟ ୪୮ଟି ଓ ସଦସ୍ୟମାନଙ୍କ ୧୪ଟି ତଥ୍ୟକୁ ସଂଗ୍ରହ କରାଯିବ ।
ସବୁ ତଥ୍ୟ ଏକ ନିର୍ଦ୍ଦିଷ୍ଟ ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ସଂଗୃହୀତ ହେବ। ମୋବାଇଲ ନେଟୱାର୍କ ନଥିଲେ ମଧ୍ୟ ଅଫଲାଇନରେ ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ଏହି ତଥ୍ୟ ସଂଗୃହୀତ ପରେ ଅପଲୋଡ କରାଯିବାର ସୁବିଧା ରହିଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ପ୍ରତିଟି ପିଭିଟିଜି ପରିବାର ପାଖରେ ପହଂଚିଥିବା ଓ ସେମାନଙ୍କୁ ସର୍ଭେଭୁକ୍ତ କରିଥିବା ନେଇ ଜିଓଟ୍ୟାଗ୍ ଓ ଫଟୋ ମଧ୍ୟ ଅପଲୋଡ୍ କରିବାର ପ୍ରାବଧାନ ରହିଛି। ସାଧାରଣ ଜନଗଣନା ପୂର୍ବରୁ ସରକାରଙ୍କ ଏହି ସର୍ଭେ ଆଦିବାସୀ ଅଂଚଳରେ ପଂଚାୟତ ନିର୍ବାଚନରେ ଗେମଚେଞ୍ଜର ହେବ ବୋଲି କୁହାଯାଉଛି।
ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ କେଉଁଠି ହେବ ପିଭିଟିଜିଙ୍କ ସର୍ଭେ
ରାଜ୍ୟରେ ସାଧାରଣ ଜନଗଣନା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ରାଜ୍ୟରେ ବସବାସ କରୁଥିବା ଆଦିମ ଜନଜାତି ବା ପିଭିଟିଜିଙ୍କ ପାଇଁ ଏହି ସ୍ୱତନ୍ତ୍ର ‘ଏଣ୍ଟାଇଟଲମେଣ୍ଟ ସର୍ଭେ’ ଆରମ୍ଭ କରାଯିବ। ସାଧାରଣ ଜନଗଣନାବେଳେ ଅନେକ ତଥ୍ୟ ବାଦ୍ ପଡ଼ିଯାଉଥିବାରୁ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏହି ବ୍ୟାପକ ଡିଜିଟାଲ୍ ଡାଟାବେସ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବିଶେଷକରି ପ୍ରଧାନମନ୍ତ୍ରୀ ଜନମନ ଅଭିଯାନକୁ ଶତପ୍ରତିଶତ ସୁଫଳ କରାଇବା ପାଇଁ ଏହି ଡାଟାବେସ୍ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟର ୧୪ଟି ଜିଲ୍ଲାରେ ବସବାସ କରୁଥିବା ୧୩ଟି ଗୋଷ୍ଠୀର ୬୮୭୦୨ ପିଭିଟିଜି ପରିବାର ଓ ସେମାନଙ୍କର ୩,୧୧,୭୬୦ ଜନସଂଖ୍ୟାକୁ ଏହି ସର୍ଭେ ପରିସରଭୁକ୍ତ କରାଯିବ। ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୨୦ଟି ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ମାଧ୍ୟମରେ ଏହି ଗଣନା କରାଯିବ।
କେନ୍ଦୁଝର ଜିଲ୍ଲାର ବାଂଶପାଳ ଅଂଚଳରେ ସବୁଠାରୁ ଅଧିକ ୧୩୫୭୬ ପିଭିଜିଟି ପରିବାରର ପ୍ରାୟ ୬୮୩୧୩ ଲୋକ ରହୁଥିବାବେଳେ ରାୟଗଡ଼ାର ପୁଟାସିଂରେ ୬୯୩୩ଟି ପିଭିଟିଜି ପରିବାର ରହୁଛନ୍ତି। ଏହି (Odisha tribal village) ଦୁର୍ଗମ ଅଂଚଳଗୁଡ଼ିକୁ ଯାଇ ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବେ। ସେହି ସ୍ଥାନକୁ ଯାଇଥିବାର ପ୍ରମାଣସ୍ୱରୂପ ଅକ୍ଷାଂଶ ଓ ଦ୍ରାଘିମାର ସୂଚନା ମଧ୍ୟ ଦେବେ।
୬୨ଟି ପ୍ରଶ୍ନର ଉତ୍ତର ସଂଗ୍ରହ କରିବେ ସର୍ଭେକାରୀ
ଏହି ସର୍ଭେ ପାଇଁ ପ୍ରସ୍ତୁତ ପ୍ରଶ୍ନଗୁଡ଼ିକ ଅତ୍ୟନ୍ତ ବିସ୍ତୃତ। ଯେଉଁଥିରେ ପରିବାରର ମୁଖ୍ୟଙ୍କୁ ପ୍ରାୟ ୪୮ଟି ପ୍ରଶ୍ନ ପଚରାଯିବ। ପରିବାରର ମୁଖ୍ୟଙ୍କ ଆଧାର କାର୍ଡ, ଶିକ୍ଷା, ବୃତ୍ତି, ଜମିବାଡ଼ର ମାଲିକାନା, ବ୍ୟାଙ୍କ ଆକାଉଣ୍ଟ, ଶୁଦ୍ଧ ପିଇବା ପାଣି, ବିଦ୍ୟୁତ ସଂଯୋଗ, ଶୌଚାଳୟ,ବାସଗୃହ ସୁବିଧା ଅଛି ନାହିଁ ସେ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ। ଏହାସହିତ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ୧୪ଟି ସ୍ୱତନ୍ତ୍ର ପ୍ରଶ୍ନ ରହିଛି। ଯେଉଁଥିରେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଓ ସକିଲ୍ ସେଲ୍ ରୋଗ ପାଇଁ ପରୀକ୍ଷା ହୋଇଛି କି ନାହିଁ ତାହା ମଧ୍ୟ ଯାଂଚ ହେବ।
୧୫ରୁ ଅଧିକ ସରକାରୀ ଯୋଜନା ମିଳୁଛି କି ନାହିଁ ଯାଂଚ ହେବ
ଏହି ସର୍ଭେ ସମୟରେ ସରକାରଙ୍କ ୧୬ଟି ଗୁରୁତ୍ୱପୂର୍ଣ୍ଣ ଯୋଜନାର ସୁଫଳ ସେମାନଙ୍କୁ ମିଳୁଛି କି ନାହିଁ ତାହା ଯାଂଚ ହେବ। ଏଥିରେ ଆଧାର,ଆୟୁଷ୍ମାନ କାର୍ଡ, ରାସନ କାର୍ଡ, ମନରେଗା ଜବ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସାମାଜିକ ସୁରକ୍ଷା ପେନସନ, ପିଏମ କିଷାନ, ଉଜ୍ୱଳା ଗ୍ୟାସ ସଂଯୋଗ ଭଳି ଯୋଜନା ସମେତ ଛାତ୍ରଛାତ୍ରୀମାନେ ଛାତ୍ରବୃତ୍ତି ପାଉଛନ୍ତି କି ନାହିଁ ତାହା ମଧ୍ୟ ରେକର୍ଡ କରାଯିବ।
ବିଶେଷ କରି ଯେଉଁ ପରିବାରଗୁଡ଼ିକ ଏସବୁ ଯୋଜନାରୁ ବାଦ୍ ପଡ଼ିଥିବେ, ସେମାନଙ୍କୁ ‘ପ୍ରଧାନମନ୍ତ୍ରୀ ଜନମନ' ଅଭିଯାନ ଅଧୀନରେ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଏହା ମାଧ୍ୟମରେ ଏକ ରିଅଲ୍-ଟାଇମ୍ ରିପୋର୍ଟ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି।
୪୫ ଦିନରେ ଶେଷ ସରିବ ଏହି ଡିଜିଟାଲ ସର୍ଭେ
ଏହି ସମ୍ପୂର୍ଣ୍ଣ ସର୍ଭେ କାର୍ଯ୍ୟ ପାଇଁ ୪୫ଦିନର ସମୟସୀମା ଧାର୍ଯ୍ୟ ହୋଇଛି। ଯେଉଁଥିରେ ସର୍ଭେ ସଂସ୍ଥାକୁ ୧୫ଦିନର ପ୍ଲାନିଂ ଓ ୩୦ଦିନ କ୍ଷେତ୍ରସ୍ତରୀୟ ସର୍ଭେ କାର୍ଯ୍ୟ କରିବାକୁ ପଡ଼ିବ। ଗଣନାକାରୀମାନେ ଜିପିଏସଯୁକ୍ତ ସ୍ମାର୍ଟଫୋନ୍ ମାଧ୍ୟମରେ ପ୍ରତିଟି ପିଭିଟିଜି ପରିବାରର ଅବସ୍ଥିତି ଚିହ୍ନଟ କରିବା ସହ ଫଟୋ ଓ ଜିଆଇଏସ୍ ପ୍ରମାଣ ସଂଗ୍ରହ କରିବେ। ଯାହାଫଳରେ ଦୁର୍ଗମ ଅଞ୍ଚଳରେ ରହୁଥିବା ପ୍ରତିଟି ଘରର ଅବସ୍ଥିତି ସଠିକ୍ ଭାବେ ଚିହ୍ନଟ କରାଯାଇ ପାରିବ। ଏହି ସର୍ଭେ ଆଧାରରେ ପ୍ରସ୍ତୁତ ଡାଟାବେସ୍ ସହହାୟତାରେ ରାଜ୍ୟର ଅତି ପଛୁଆ ଜନଜାତିଙ୍କୁ ସବୁ ସରକାରୀ ଯୋଜନାର ଶତପ୍ରତିଶତ ହିତାଧିକାରୀ କରିବାର ମାର୍ଗ ସହଜ ହୋଇପାରିବ ବୋଲି କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us