Advertisment

Odisha Police SI Scam: ‘ତଦନ୍ତ’ ନସରୁଣୁ ନିଜକୁ କ୍ଲିନଚିଟ୍ ଦେଲା ‘ଓପିଆରବି’, ସନ୍ଦେହ ବଢ଼ାଇଲା ସ୍ପଷ୍ଟୀକରଣ ଓ ସରକାରଙ୍କ ନିରବତା

ବିରୋଧୀ ଦଳଗୁଡ଼ିକ ଏହି ମାମଲାରେ ସିଧାସଳଖ ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବଙ୍କ ଭୂମିକା ଉପରେ ଅଙ୍ଗୁଳି ଉଠାଇଥିବାବେଳେ ତଦନ୍ତ ରିପୋର୍ଟକୁ ଅପେକ୍ଷା ନକରି ଅନ୍ୟ ସଂସ୍ଥା ଉପରେ ଦୋଷ  ଲଦି ‘ଓପିଆରବି’ କର୍ତ୍ତୃପକ୍ଷ ନିଜକୁ ନିଜେ କ୍ଲିନଚିଟ୍ ଦେବା ପ୍ରଶାସନିକ ଦାୟିତ୍ୱହୀନତାକୁ ପଦାରେ ପକାଇ ଦେଇଛି ।

author-image
Odisha Reporter
police-job-scam

Police SI Job Scam

ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଯିଏବି ସମ୍ପୃକ୍ତ ଥାଆନ୍ତୁ ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା ସତ୍ତ୍ୱେ ପ୍ରଶାସନିକସ୍ତରରେ ଏହି ମାମଲାକୁ ଚାପି ଦେବାକୁ କସରତ ଆରମ୍ଭ ହୋଇଯାଇଛି । ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) ଦେଇଥିବା ୩ପୃଷ୍ଠାର ସ୍ପଷ୍ଟୀକରଣ ଏବେ ଏହି ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି । ନିଯୁକ୍ତି ପରୀକ୍ଷା ଦୁର୍ନୀତିର ତଦନ୍ତ ରାଜ୍ୟ କ୍ରାଇମବ୍ରାଂଚ ଜାରି ରଖିଥିବାବେଳେ କାହା ନିର୍ଦ୍ଦେଶରେ ୧୦ଦିନ ପରେ ‘ଓପିଆରବି’ ଏହି ସ୍ପଷ୍ଟୀକରଣ ଦେଇ ନିଜକୁ ‘ସ୍ୱଚ୍ଛ’ ଦର୍ଶାଇବା ସହ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ମିଛ କାହାଣୀ ପ୍ରଚାର କରି ସାଧାରଣରେ ଅବିଶ୍ୱାସ ସୃଷ୍ଟି କରୁଛନ୍ତି ବୋଲି କହି ସିଧାସଳଖ ତଦନ୍ତ ପ୍ରକ୍ରିୟା ଉପରେ ଅଙ୍ଗୁଳି ଉଠାଇଛି । ବିରୋଧୀ ଦଳଗୁଡ଼ିକ ଏହି ନିଯୁକ୍ତି ଅନିୟମିତତା ମାମଲାରେ ସିଧାସଳଖ ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବଙ୍କ ଭୂମିକା ଉପରେ ଅଙ୍ଗୁଳି ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିବାବେଳେ ତଦନ୍ତ ରିପୋର୍ଟକୁ ଅପେକ୍ଷା ନକରି ଅନ୍ୟ ସଂସ୍ଥା ଉପରେ ଦୋଷ  ଲଦି ‘ଓପିଆରବି’ କର୍ତ୍ତୃପକ୍ଷ ନିଜକୁ ନିଜେ କ୍ଲିନଚିଟ୍ ଦେବା ପ୍ରଶାସନିକ ଦାୟିତ୍ୱହୀନତାକୁ ପଦାରେ ପକାଇ ଦେଇଛି ।

Advertisment


ଅପ୍ରାସଙ୍ଗିକ ସ୍ପଷ୍ଟୀକରଣ, ସନ୍ଦେହ ବଢ଼ାଇଲା

ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସିଧାସଳଖ ଏହି ନିଯୁକ୍ତି ପରୀକ୍ଷା ଅନିୟମିତତାରେ ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବଙ୍କ ସମ୍ପୃକ୍ତି ସହ ଢେଙ୍କାନାଳ ଲିଙ୍କର ସିଧାସଳଖ ଅଭିଯୋଗ ଆଣିଛନ୍ତି । ଏପରିକି ଚାକିରି ଆଶାୟୀ ପରୀକ୍ଷାର୍ଥୀମାନେ ମଧ୍ୟ ବଡ଼ ବଡ଼ ପ୍ରଶାସନିକ ଅଫିସରମାନଙ୍କ ସମ୍ପୃକ୍ତିର ଅଭିଯୋଗ ଆଣିଛନ୍ତି । ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ ଏହି ଅଭିଯୋଗଗୁଡ଼ିକ ଉପରେ ଏପର୍ଯ୍ୟନ୍ତ ଖୋଳତାଡ଼ କରିନଥିବାବେଳେ ‘ଓପିଆରବି’ କାହିଁକି ୧୦ଦିନ ପରେ ଏକ ସ୍ପଷ୍ଟୀକରଣ ଜାରି କରି ନିଜକୁ କ୍ଲିନଚିଟ୍ ଦେବା ସହ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ପରୀକ୍ଷାକୁ ପ୍ରଭାବିତ କରିବା ପାଇଁ ଏଭଳି ଅପପ୍ରଚାର କରୁଛନ୍ତି ବୋଲି କହିଲା ତାହା ମଧ୍ୟ ସନ୍ଦେହଘେରରେ । କେବଳ ସେତିକି ନୁହେଁ ଓପିଆରବି ପୁଣିଥରେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି ବୋଲି ପରୀକ୍ଷାର୍ଥମାନଙ୍କୁ ପ୍ରତିଶ୍ରୁତି ଦେଇ ଓପିଆରବି କର୍ତ୍ତୃପକ୍ଷ ସିଧାସଳଖ କ୍ରାଇମବ୍ରାଂଚର ‘ତଦନ୍ତ’ ରିପୋର୍ଟ ଆସିବା ପୂର୍ବରୁ ହିଁ ନିଜକୁ ନିଜେ କ୍ଲିନଚିଟ୍ ଦେଇଛନ୍ତି । 

ସର୍ବୋଚ୍ଚ ଦାୟିତ୍ୱ ତୁଲାଇବାରେ ବିଫଳ ‘ଓପିଆରବି’

ଓପିଆରବି(OPRB )ହେଉଛି ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ସର୍ବୋଚ୍ଚ ସଂସ୍ଥା । ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାକୁ ଅନ୍ୟ ସଂସ୍ଥାକୁ(ଆଇଟିଆଇ ଲିମିଟେଡ) ଠିକାରେ ଓ ଅନ୍ୟ ଦୁଇ ଘରୋଇ ସଂସ୍ଥା(ସିଲିକନ୍ ଲିଃ ଓ ପଂଚସଫ୍ଟ ଲିଃ)କୁ ସବଲେଟରେ ଟେକି ଦେଇଥିଲେ ମଧ୍ୟ ‘ଓପିଆରବି’ ତା’ର ତଦାରଖ ଦାୟିତ୍ୱରୁ ମୁକ୍ତ ହୋଇପାରିବ ନାହିଁ । ପରୀକ୍ଷା ପରିଚାଳନାର ସମସ୍ତ ପ୍ରମୁଖ କାର୍ଯ୍ୟ ଯଥା-ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ମୁଦ୍ରଣ ଆଇଟିଆଇ ଲିମିଟେଡକୁ ଦିଆଯାଇଥିଲା । ଯଦି ଆଇଟିଆଇ ଲିମିଟେଡ୍ କୌଣସି କାର୍ଯ୍ୟକୁ ସିଲିକନ୍ ଲିଃ ଭଳି ତୃତୀୟ ପକ୍ଷକୁ ଆଉଟସୋର୍ସ କରିଥାଏ, ତେବେ ତାର ତଦାରଖ ଓ ତଦନ୍ତର ଦାୟିତ୍ୱ ସଂପୂର୍ଣ୍ଣ ରୂପେ ଆଇଟିଆଇ ଉପରେ ଥିଲା ।

Advertisment

ଚୁକ୍ତିଗତ ଦାୟିତ୍ୱରେ ବିଫଳ ହେବା କାରଣରୁ ଆଇଟିଆଇ ଲିମିଟେଡକୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି ବୋଲି କହିବା ସହ କୌଣସି ଅଯଥା ବିଷୟ ପାଇଁ ଓପିଆରବି ଦାୟୀ ନୁହେଁ ବୋଲି ସ୍ପଷ୍ଟୀକରଣ ଦେଇଛି । ତେବେ ଏଭଳି ଏକ ସମ୍ବେଦନଶୀଳ ପ୍ରକ୍ରିୟାରେ ତୃତୀୟ ପକ୍ଷର ବିଶ୍ୱସନୀୟତାକୁ ଯାଂଚ ନକରିବା ଏକ ବଡ଼ ପ୍ରଶାସନିକ ତ୍ରୁଟି । 


କେନ୍ଦ୍ର ସରକାରଙ୍କ ପିଏସୟୁ ‘ଆଇଟିଆଇ ଲିଃ’ ଏହି ପରୀକ୍ଷା ପରିଚାଳନାକୁ ‘ସିଲିକନ୍ ଲିଃ ଓ ପଂଚସଫ୍ଟ ଲିଃ’ ସବଲେଟରେ ଟେକି ଦେଇଥିବାର ପ୍ରସ୍ତାବକୁ କିଏ ଅନୁମୋଦନ କରିଥିଲେ ଓ ଯଦି ଆଇଟିଆଇ ଲିଃ କୌଣସି ଚୁକ୍ତି ଉଲ୍ଲଘଂନ କରିଛି ତା’ବିରୁଦ୍ଧରେ ଏଫଆଇଆର ଦେବାରେ ଓପିଆରବି କାହିଁକି ପଛଘୁଂଚା ଦେଉଛି ବୋଲି ଏବେ ପ୍ରଶ୍ନ ଉଠିଛି । ‘ଓପିଆରବି’ କାହିଁକି ସେସବୁ ତୃତୀୟ ପକ୍ଷ ଘରୋଇ ସଂସ୍ଥାଗୁଡ଼ିକର କାର୍ଯ୍ୟ ଓ ବିଶ୍ୱସନୀୟତାକୁ ଯାଂଚ କଲା ନାହିଁ ତାହା ଏବେବି ସନ୍ଦେହଘେରରେ ।

ଅସାମର୍ଥ୍ୟତାର ସ୍ୱୀକାରୋକ୍ତି, ଲକ୍ଷଲକ୍ଷ ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ ଖେଳ

ନିଜ ସ୍ପଷ୍ଟୀକରଣରେ ମାତ୍ର ୩ଜଣ ଅଧିକାରୀ ଓ କିଛି କନେଷ୍ଟବଳଙ୍କୁ ନେଇ ଗଠିତ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) ଏକ ଛୋଟ ସଂସ୍ଥା ବୋଲି ସ୍ୱୀକାର କରିଛନ୍ତି । ଯାହାକି  ସିଧାସଳଖ ‘ଓପିଆରବି’ର ଅସମାର୍ଥ୍ୟତାକୁ ସ୍ପଷ୍ଟ ଭାବେ ପ୍ରମାଣିତ କରିଛି । ରାଜ୍ୟ ସରକାରଙ୍କ ପାଖରେ ଓଡିଶା ଲୋକସେବା ଆୟୋଗ , ଓଡିଶା ଷ୍ଟାଫ ସିଲେକ୍ସନ ଆୟୋଗ  ଏବଂ ଓଡିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ ଆୟୋଗ ଭଳି ସୁସଂଗଠିତ ଓ ଦକ୍ଷ ସରକାରୀ ନିଯୁକ୍ତି ସଂସ୍ଥା ଥିବା ସତ୍ତ୍ୱେ  ଏହି ଭିତ୍ତିଭୂମି ନଥିବା ଓ ତୃତୀୟ ପକ୍ଷ ଉପରେ ନିର୍ଭର କରୁଥିବା ‘ଓପିଆରବି’ ହାତରେ ପୁଲିସ ଏସଆଇ ଭଳି ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦାୟିତ୍ୱକୁ  ଆଉଟସୋର୍ସିଂ କରିଦେବା ପଛରେ କାହାର କେଉଁ ଉଦ୍ଦେଶ୍ୟ ସାଧିତ ହେଉଛି ତାହା ବି ପ୍ରଶ୍ନବାଚୀ ସୃଷ୍ଟି କଲାଣି ।

ଓପିଆରବି ନିଜ ଦୁର୍ବଳତାକୁ ନିଜେ ପ୍ରମାଣିତ କରୁଥିବାବେଳେ କ୍ରାଇମବ୍ରାଂଚ ତଦନ୍ତ ପୂର୍ବରୁ ନିଜକୁ କ୍ଲିନଚିଟ୍ ଦେଇ ଘରୋଇ ସଂସ୍ଥା ମାଧ୍ୟମରେ ପୁଣିଥରେ ପରୀକ୍ଷା କରିବ ବୋଲି ପ୍ରତିଶ୍ରୁତି ଦେବା ସିଧାସଳଖ ପ୍ରଶାସନିକ ବିପର୍ଯ୍ୟୟ ଓ ଦୁର୍ନୀତିକୁ ପ୍ରଶ୍ରୟ ଦେବାର ଏକ ସୁଚିନ୍ତିତ ଉଦ୍ୟମ ବୋଲି କୁହାଯାଉଛି । ନିଜର ଅସାମର୍ଥ୍ୟତା ପ୍ରକାଶ କରୁଥିବା ସଂସ୍ଥା ମାଧ୍ୟମରେ ପୁଲିସ ଏସଆଇ ପରୀକ୍ଷା କରି ରାଜ୍ୟ ସରକାର ଲକ୍ଷ ଲକ୍ଷ ଯୁବକଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ‘ଓପିଆରବି’ର ବୟାନବାଜି

ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି (Odisha Police SI Scam)କୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (Mohan Majhi) ନୂଆପଡ଼ାରେ ଏକ ସାଧାରଣ ସଭାରେ କଠୋର କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଥିଲେ । ଏହି ନିଯୁକ୍ତି ଅନିୟମତତା ସିଣ୍ଡିକେଟ ସହ ସମ୍ପୃକ୍ତ କାହାରିକୁ ଛଡ଼ାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିରୋଧୀଙ୍କ ଅଭିଯୋଗ ଓ ସିବିଆଇ ତଦନ୍ତ ଦାବି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି ରାଜ୍ୟର ଲକ୍ଷଲକ୍ଷ ପରୀକ୍ଷାର୍ଥୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଥିଲା ।

କିନ୍ତୁ ତଦନ୍ତ ଚାଲିଥିବାବେଳେ ‘ଓପିଆରବି’ ନିଜ ଆଡ଼ୁ ସ୍ପଷ୍ଟୀକରଣ ଦେଇ ‘ଆଇଟିଆଇ ଲିମିଟେଡ’ ଉପରେ ଦୋଷ ଲଦିବା ସରକାରୀସ୍ତରରେ ଉତ୍ତରଦାୟିତ୍ୱ ଓ ପ୍ରତିବଦ୍ଧତାର ଅଭାବକୁ ଦର୍ଶାଉଛି । ତା’ଛଡ଼ା ରାଜନୀତିକ ବ୍ୟକ୍ତିବିଶେଷ ଓ ସଂସ୍ଥା ଭଳି ବୟାନବାଜି କରିବା ମଧ୍ୟ ‘ଓପିଆରବି’ର ବିଶ୍ୱସନୀୟତାକୁ ସଙ୍କଟରେ ପକାଇଛି । ଓପିଆରବି କହିଛି “ଏହି ଘଟଣା ପଛରେ ଥିବା ପ୍ରକୃତ ଷଡ଼ଯନ୍ତ୍ରକାରୀମାନଙ୍କୁ ଚିହ୍ନଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେଉଁମାନେ କେବଳ ପରୀକ୍ଷା ପ୍ରକ୍ରିୟାକୁ ନଷ୍ଟ କରିନାହାନ୍ତି ବରଂ ଓଡ଼ିଶାରେ ଚାଲିଥିବା ସମସ୍ତ ନିଯୁକ୍ତି ପ୍ରକ୍ରିୟାକୁ ବିଭ୍ରାନ୍ତ କରିବା ଓ ବାଟବଣା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି । ସେମାନଙ୍କର କାର୍ଯ୍ୟ ରାଜ୍ୟର ଶିକ୍ଷିତ ଯୁବକମାନଙ୍କର ଆକାଂକ୍ଷା ପ୍ରତି ବିଶ୍ୱାସଘାତତା ଓ ସେମାନଙ୍କୁ ନିଶ୍ଚିତ ଭାବେ ପର୍ଦ୍ଦାଫାସ ସହ ଦଣ୍ଡିତ କରାଯିବା ଉଚିତ୍ ।” 

ବିଜେଡି ଓ କଂଗ୍ରେସ ଉଭୟ ଏବେ ଓପିଆରବିର ଭୂମିକା ଉପରେ ସିଧାସଳଖ ଅଙ୍ଗୁଳି ଉଠାଇଥିବା ତଥା ଓପିଆରବି ନିଜେ ସନ୍ଦେହଘେରରେ ଓ ତଦନ୍ତ ପରିସରଭୁକ୍ତ ଥିବାବେଳେ ଏପରି ବୟାନବାଜି କିଭଳି କରୁଛି ଓ ଏହି ସଂସ୍ଥା କ’ଣ ଆଇନ ଓ ସରକାରଙ୍କଠୁ ଉର୍ଦ୍ଧ୍ୱରେ କି ବୋଲି ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି ।

କ୍ରାଇମବ୍ରାଂଚ ତଦନ୍ତ ଦିଶାହୀନ

ସେପ୍ଟେମ୍ବର ୩୦ରୁ ତଦନ୍ତ କରୁଥିବା କ୍ରାଇମବ୍ରାଂଚ ଏପର୍ଯ୍ୟନ୍ତ ଆଇଟିଆଇ ଲିମିଟେଡ୍ କିମ୍ବା ଏହାର ସବଲେଟ୍ ନେଇଥିବା ସଂସ୍ଥା ସିଲିକନ ଓ ପଂଚସଫ୍ଟ ପାଖରେ ପହଂଚି ପାରିନାହିଁ । ଆଇଟିଆଇ ଲିମିଟେଡ୍ କାହିଁକି ବାରମ୍ବାର ନିଜର ପାର୍ଟନଜର ପରିବର୍ତ୍ତନ କରୁଥିଲା ଓ ଏଥିପାଇଁ କିଏ ଅନୁମତି ଦେଉଥିଲା ତାହା ମଧ୍ୟ ଖୋଳତାଡ଼ କରିନାହିଁ । ଏପରିକି ଓପିଆରବି ଓ ଗୃହ ବିଭାଗର ଭୂମିକାକୁ ମଧ୍ୟ ନିଜର ତଦନ୍ତ ପରିସରକୁ ଆଣିପାରିନାହିଁ । କେବଳ କିଛି କୋଚିଂ ସେଂଟର ଉପରେ ଚଢ଼ାଉ କରି ଛୋଟ ମାଛକୁ ଧରି କ୍ରାଇମବ୍ରାଂଚ ନିରବରେ ବସିଯାଇଥିବା ସାଧାରଣରେ ଅଭିଯୋଗ ହେଉଛି । ଉଲ୍ଲେଖଯୋଗ୍ୟ, ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ୧୧୪ଜଣ ପରୀକ୍ଷାର୍ଥୀ(୧୦ଲକ୍ଷ ଟଙ୍କା ଲେଖାଏ ଦେଇଥିବା)ଙ୍କ ସମେତ ମୋଟ ୧୧୯ଜଣଙ୍କୁ ପୁଲିସ ଗିରଫ କରିଛି । 

OPRB Mohan Majhi Odisha Police SI Scam