Advertisment

NCRB Report : ଓଡ଼ିଶାରେ କ୍ରାଇମ ଗ୍ରାଫ୍ ଉପରମୁହାଁ, ମହିଳା-ଶିଶୁ-ସାଇବର ଅପରାଧ ବୃଦ୍ଧି, ଦୋଷୀ ସାବ୍ୟସ୍ତ ହାର ଚିନ୍ତାଜନକ

ଏନସିଆରବି ଦ୍ୱାରା ଜାରି ୧୯୮୧ରୁ ୨୦୨୩ ମସିହା ପର୍ଯ୍ୟନ୍ତ ଅପରାଧର ଏକ ତୁଳନାତ୍ମକ ରିପୋର୍ଟରେ ଓଡ଼ିଶା କିଭଳି ବିଜେଡି ଶାସନ କାଳରେ ୨୦୧୫ ମସିହା ପରଠୁ ଅପରାଧୀଙ୍କ ଭୂସ୍ୱର୍ଗ ପାଲଟିଛି , ଅପରାଧ ବୃଦ୍ଧି ଓ ଦୋଷୀ ସାବ୍ୟସ୍ତ ହାରର ବିକଟାଳ ଚିତ୍ର ମଧ୍ୟ ଏନସିଆରବି ରିପୋର୍ଟରେ ଉଲ୍ଲେଖ ହୋଇଛି ।

NCRB-report-2023

NCRB report-2023 released

Advertisment

ଓଡ଼ିଶାର ଅପରାଧ ହାର ଉପରମୁହାଁ । ମହିଳା ଓ ଶିଶୁ ବିରୁଦ୍ଧରେ ଅପରାଧଠୁ ଆରମ୍ଭ କରି ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ନିର୍ଯାତନା ଓ ସାଇବର ଅପରାଧ ଆଦି ସବୁ କ୍ଷେତ୍ରରେ ଓଡ଼ିଶା ଦେଶର ଟପ-୧୦ ରାଜ୍ୟ ତାଲିକାରେ ସାମିଲ ରହିଛି । ଓଡ଼ିଶା ସତେ ଯେମିତି ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଜାତୀୟହାରଠୁ ଢ଼େର ଆଗରେ ରହିଛି ଓଡ଼ିଶାର ଅପରାଧ ହାର । ଗତକାଲି(ସୋମବାର) ପ୍ରକାଶିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଏନସିଆରବି ରିପୋର୍ଟ-୨୦୨୩ରେ ଓଡ଼ିଶାରେ ଅପରାଧର ଏଭଳି ଉଦବେଗଜନକ ଚିତ୍ର ପଦାକୁ ଆସିଛି । ଏହାସହିତ ଏନସିଆରବି ଦ୍ୱାରା ଜାରି ୧୯୮୧ରୁ ୨୦୨୩ ମସିହା ପର୍ଯ୍ୟନ୍ତ ଅପରାଧର ଏକ ତୁଳନାତ୍ମକ ରିପୋର୍ଟରେ ମଧ୍ୟ ଓଡ଼ିଶା କିଭଳି ୨୦୧୫ ମସିହା ପରଠୁ ଅପରାଧୀଙ୍କ ଭୂସ୍ୱର୍ଗ ପାଲଟିଛି ତା’ର ବିସ୍ତୃତ ତଥ୍ୟ ଉଜାଗର ହୋଇଛି । ବିଜେଡି ଶାସନ କାଳରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ବୃଦ୍ଧି ଓ ଦୋଷୀ ସାବ୍ୟସ୍ତ ହାରର ବିକଟାଳ ଚିତ୍ର ମଧ୍ୟ ଏନସିଆରବି ରିପୋର୍ଟରେ ଉଲ୍ଲେଖ ହୋଇଛି ।

Advertisment


ଏନସିଆରବି ରିପୋର୍ଟ-୨୦୨୩(NCRB Report-2023)


 ଗତକାଲି ପ୍ରକାଶିତ ୨୦୨୩ ଏନସିଆରବି ରିପୋର୍ଟରେ ମୋଟ୍ ୩ଟି ଭଲ୍ୟୁମ୍ ରହିଛି । ପ୍ରଥମଟିରେ ମୋଟ୍ ପଞ୍ଜିକୃତ ମାମଲା, ମହିଳାଙ୍କ ବିରୋଧରେ ଅପରାଧ, ଏବଂ ଜିଲ୍ଲାସ୍ତରୀୟ ବିବରଣୀ, ଦ୍ୱିତୀୟ ଭଲ୍ୟୁମରେ ପୁଲିସର କାର୍ଯ୍ୟଦକ୍ଷତା, ହାଜତ ମୃତ୍ୟୁ, ଫୋରେନସିକ୍ ଭିତ୍ତିଭୂମି, ବିଚାରାଧୀନ ମାମଲା ଏବଂ ତୃତୀୟ ଭଲ୍ୟୁମରେ ସାଇବର ଅପରାଧ, ଏସସିଏସଟି ଅତ୍ୟାଚାର ଓ ଅଭିଯୋଗ ଫଳାଫଳ ଆଦିକୁ ସାମିଲ କରାଯାଇଛି ।


 ଏହି ରିପୋର୍ଟ ଅନୁସାରେ ମହିଳାଙ୍କ ବିରୋଧରେ ଅପରାଧରେ ଓଡ଼ିଶା(Odisha) ସମଗ୍ର ଦେଶରେ ତୃତୀୟ ସ୍ଥାନରେ ଅନୁସୂଚିତ ଜନଜାତିଙ୍କ ବିରୋଧରେ ମାମଲାରେ ୪ର୍ଥ, ଅନୁସୂଚିତ ଜାତିଙ୍କ ବିରୋଧରେ ଦେଶରେ ୫ମ, ପକସୋ ମାମଲାରେ ୪ର୍ଥ ଏବଂ ଶିଶୁମାନଙ୍କ ବିରୋଧରେ ସାମଗ୍ରିକ ଅପରାଧରେ ୬ଷ୍ଠ ସ୍ଥାନରେ ରହିଛି । ଓଡ଼ିଶା ସାଇବର ଅପରାଧରେ ମଧ୍ୟ ୧୦ମ ସ୍ଥାନରେ ଥିଲା । ତେବେ ରାଜ୍ୟରେ ଅପରାଧ ପଞ୍ଜୀକରଣ ଓ ଚାର୍ଜସିଟ୍ ଦାଖଲ ହାର ସନ୍ତୋଷଜନକ ଥିବାସତ୍ତ୍ୱେ ଦୋଷୀ ସାବ୍ୟସ୍ତ ହାର ଅତ୍ୟନ୍ତ ନିରାଶାଜନକ ରହିଛି । ୨୦୨୩ ମସିହାରେ ଚାର୍ଜସିଟ୍ ଦାଖଲ ହାର ୮୫% ରୁ ଅଧିକ ସତ୍ୱେ୍ୱ ସାମଗ୍ରିକ ମୋଟ୍ ଦୋଷୀ ସାବ୍ୟସ୍ତ ହାର ମାତ୍ର ୧୧.୬% ରହିଛି । ମହିଳାଙ୍କ ବିରୋଧରେ ଅପରାଧରେ ୯.୩%, ଶିଶୁଙ୍କ କ୍ଷେତ୍ରରେ ୮.୧% ଏବଂ ଅନୁସୂଚିତ ଜାତି ଓ ଜନଜାତି କ୍ଷେତ୍ରରେ ୬%ରୁ କମ୍ ଦୋଷୀ ସାବ୍ୟସ୍ତ ହାର ଓଡ଼ିଶାର ଉଭୟ ପୁଲିସ ଓ ନ୍ୟାୟ ବ୍ୟବସ୍ଥାର ବିଫଳତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

Advertisment

ଗଞ୍ଜାମ, କଟକ, ସୁନ୍ଦରଗଡ, ଏବଂ ମୟୂରଭଞ୍ଜ ପରି ଜିଲ୍ଲାଗୁଡ଼ିକରେ କ୍ରମାଗତ ଭାବରେ ଅଧିକ ଆଇପିସି ମାମଲା ପଞ୍ଜିକୃତ ହୋଇଛି । ଓଡ଼ିଶାରେ ୨୦୦୦ ମସିହାରେ ୪୭,୮୧୨ ଆଇପିସି ମାମଲା ରେକର୍ଡ ହୋଇଥିବାବେଳେ ୨୦୨୩ରେ ଏହା ୧,୩୨,୭୧୩ କୁ ବୃଦ୍ଧି ପାଇଛି ଯାହାକି ୨୩ ବର୍ଷ ମଧ୍ୟରେ ୧୭୭% ବୃଦ୍ଧି । ଅପରାଧ ହାର ପ୍ରତି ଲକ୍ଷ ଜନସଂଖ୍ୟାରେ ୧୪୨.୩ ରୁ ୨୮୮.୬ କୁ ବୃଦ୍ଧି ପାଇଛି, ଯାହା ଜାତୀୟ ହାର ୨୪୨.୪ ଠାରୁ ଯଥେଷ୍ଟ ଅଧିକ ।

ମହିଳାଙ୍କ ବିରୋଧରେ ଅପରାଧ ୩୪୩% ବଢ଼ିଛି 


ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ୨୦୦୦ ମସିହାରେ ୮୨୧୪ ମାମଲାରୁ ୨୦୨୩ ରେ ୩୬୪୩୨ କୁ ବୃଦ୍ଧି ପାଇଛି ଯାହାକି ୩୪୩ ପ୍ରତିଶତ ବୃଦ୍ଧି । ମହିଳାଙ୍କ ବିରୁଦ୍ଧରେ ଅପରାଧ ହାର ମାମଲାରେ ଜାତୀୟସ୍ତରରେ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ପରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । କିନ୍ତୁ ଯଦି କେବଳ ମହିଳା ଜନସଂଖ୍ୟା ଅନୁପାତକୁ ହିସାବକୁ ନିଆଯାଏ ତା’ହେଲେ ଓଡ଼ିଶାରେ ୨୦୨୩ ମସିହାରେ ପ୍ରତି ଏକଲକ୍ଷ ମହିଳା ଜନସଂଖ୍ୟାରେ ଅପରାଧ ହାର ୯୦.୨ରେ ପହଂଚିଛି, ଯାହା ଭାରତରେ ସର୍ବାଧିକ । 

ଓଡ଼ିଶାରେ ଗତ ଦୁଇ ଦଶନ୍ଧି ମଧ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ତୀବ୍ର ଗତିରେ କ୍ରମାଗତ ବୃଦ୍ଧି ପାଇଛି, ବିଶେଷକରି ୨୦୧୫ ମସିହା ପରଠୁ ।  ରାଜ୍ୟରେ ମହିଳାଙ୍କ ବିରୋଧରେ ୨୦୧୫ ମସିହାରେ ୨୦୯୬୯ ମାମଲା ପଞ୍ଜିକୃତ ହୋଇଥିଲାବେଳେ ତାହା ୨୦୨୦ରେ ୩୧୩୫୨ କୁ ବୃଦ୍ଧି ପାଇ ୨୦୨୩ରେ ଏହା ୩୬୪୩୨ ରେ ପହଞ୍ôଚଛି ଯାହାକି ଆଠ ବର୍ଷ ମଧ୍ୟରେ ୭୪% ବୃଦ୍ଧି।  ତେବେ କେବଳ ୨୦୨୨ ତୁଳନାରେ ୨୦୨୩ରେ ଓଡ଼ିଶାରେ ୨.୬୩ ପ୍ରତିଶତ ମହିଳା ବିରୋଧୀ ଅପରାଧ ମାମଲା ବୃଦ୍ଧି ପାଇଛି।


୨୦୨୩ ମସିହାରେ ଅପହରଣ ଏବଂ ବଳପୂର୍ବକ ଉଠାଇ ନେବାର ଓଡ଼ିଶାରେ ୫୨୧୩ଟି ମାମଲା ପଞ୍ଜୀକୃତ ହୋଇଛି, ଯାହାକି ୨୦୨୨ର ୪୯୮୨ ମାମଲା ତୁଳନାରେ ୪.୬% ଅଧିକ । ଏହି ଅପହରଣ ଓ ଉଠାଇନେବା ମାମଲାରେ ୨୯୧୪ ଜଣ ମହିଳା ଓ ବାଳିକା ଏବଂ ୧୮୭୩ ଜଣ ଶିଶୁ ଶିକାର ହୋଇଛନ୍ତି । ଏହି ମାମଲାଗୁଡ଼ିକରେ ୮୬.୪% ଚାର୍ଜସିଟ୍ ଦାଖଲ ସତ୍ତ୍ୱେଦୋଷୀ ସାବ୍ୟସ୍ତ ହାର ମାତ୍ର ୭.୮% ରହିଛି। 


ସ୍ୱାମୀ ଓ ସମ୍ପର୍କୀୟଙ୍କ ଦ୍ୱାରା ନିର୍ଯାତନା ମାମଲାରେ ଓଡ଼ିଶା ଦ୍ୱିତୀୟ


୨୦୨୩ ମସିହାରେ ସ୍ୱାମୀ କିମ୍ବା ସର୍ମ୍ପକୀୟଙ୍କ ଦ୍ୱାରା ମହିଳା ନିର୍ଯାତନା(ଆଇପିସିର ୪୯୮କ) ମାମଲାରେ ଓଡ଼ିଶା ୧୭୫୨୯ଟି ପଞ୍ଜିକୃତ ମାମଲା ସହ ଦେଶରେ ଉତ୍ତରପ୍ରଦେଶ ପରେ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ମହିଳାଙ୍କ ମର୍ଯ୍ୟାଦା ହାନି ଓ ଆକ୍ରମଣ ମାମଲା ୮୩୧୩ ସହ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ଥିବାବେଳେ ବଳାତ୍କାରରେ ୩୭୫୩ ମାମଲା ସହ ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ପରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି । ଯୌତୁକଜନିତ ମୃତ୍ୟୁରେ ୨୦୨୩ ମସିହାରେ ୩୬୭ଟି ମାମଲା ସହ ଓଡ଼ିଶା ସମଗ୍ର ପଂଚମ ସ୍ଥାନରେ ରହିଛି । 

ରାଜ୍ୟରେ ୮୫.୨ ପ୍ରତିଶତ ଚାର୍ଜସିଟ୍ ଦାଖଲ ଓ ଅଧିକ ପଞ୍ଜୀକରଣ ହାର ସତ୍ତ୍ୱେ ମହିଳାଙ୍କ ବିରୋଧରେ ଅପରାଧ କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୯.୩% । ଯାହାକି ଓଡ଼ିଶାକୁ ସମଗ୍ର ଦେଶରେ ୨୮ତମ(ତଳଆଡ଼ୁ ୫ମ) ସ୍ଥାନରେ ରଖିଛି । ଏହା ନ୍ୟାୟ ପ୍ରଦାନରେ ଏକ ଗଭୀର ତ୍ରୁଟିକୁ ଦର୍ଶାଉଛି । ସୁନ୍ଦରଗଡ, କୋରାପୁଟ ଓ ମୟୂରଭଞ୍ଜ ପରି ଜିଲ୍ଲାଗୁଡ଼ିକରେ ୪୦%ରୁ ଅଧିକ ମାମଲା ୩ବର୍ଷରୁ ଅଧିକ ସମୟ ଧରି ବିଚରାଧୀନ ରହିଛି ।


 ଶିଶୁଙ୍କ ବିରୋଧରେ ଅପରାଧରେ ବି ଓଡ଼ିଶା ଶୀର୍ଷରେ


୨୦୨୩ ମସିହାରେ ଶିଶୁଙ୍କ ବିରୋଧରେ ଅପରାଧର ୭୪୦୨ ମାମଲା ରେକର୍ଡ ହେବା ସହ ଓଡ଼ିଶା ଜାତୀୟ ସ୍ତରରେ ୬ଷ୍ଠ ସ୍ଥାନରେ ରହିଛି । ଏଥିରୁ ୫୨୫୪ ମାମଲା ପକସୋ ଆଇନ ଅଧୀନରେ ଥିଲା, ଯାହାକି ଶିଶୁଙ୍କ ଯୌନ ଶୋଷଣ ମାମଲାରେ ଓଡ଼ିଶାକୁ ୪ର୍ଥ ସ୍ଥାନରେ ରଖିଛି । ୨୦୦୦ ମସିହାରେ ରାଜ୍ୟରେ ପ୍ରାୟ ୨୧୦୦ ଶିଶୁ-ସମ୍ବନ୍ଧୀୟ ମାମଲା ପଞ୍ଜିକୃତ ହୋଇଥିଲାବେଳେ ଦୁଇ ଦଶନ୍ଧି ମଧ୍ୟରେ ଏହି ପରିମାଣ ୨୫୨% ବୃଦ୍ଧି ପାଇଛି ।
ସେହିପରି ଶିଶୁଙ୍କ ବିରୁଦ୍ଧରେ ଅପରାଧ ମାମଲାରେ ଚାର୍ଜସିଟ୍ ଦାଖଲ ହାର ୮୪.୬% ଥିବାବେଳେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୮.୧% ରହିଛି । ବିଶେଷକରି ରାୟଗଡା, ଗଞ୍ଜାମ, ଏବଂ ସୁନ୍ଦରଗଡ଼ ପରି ଜିଲ୍ଲାଗୁଡ଼ିକରେ ଶିଶୁ ଶୋଷଣ ଏବଂ ନିର୍ଯାତନା ମାମଲା ଅଧିକ ରହିଛି । ବିଚାରରେ ବିଳମ୍ବ, ଫୋରେନସିକ୍ ସହାୟତାର ଅଭାବ, ଏବଂ ଦୁର୍ବଳ ସାକ୍ଷୀ ସୁରକ୍ଷା ନ୍ୟାୟ ପ୍ରଦାନରେ ବାଧା ସୃଷ୍ଟି କରୁଛି ।


ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର, ଟପ-୫ରେ ଓଡ଼ିଶା


୨୦୨୩ ମସିହାରେ ଓଡ଼ିଶାରେ ଅନୁସୂଚିତ ଜନଜାତି(ଏସଟି)ଙ୍କ ବିରୋଧରେ ଅପରାଧର ୩୮୧୨ ମାମଲା ରୁଜୁ ହୋଇଛି ଯାହାକି ଜାତୀୟ ସ୍ତରରେ ଚତୁର୍ଥ । ସେହିପରି ଅନୁସୂଚିତ ଜାତି(ଏସସି)ଙ୍କ ବିରୋଧରେ ଅପରାଧର ୨୪୮୭ ମାମଲା ରୁଜୁ ସହ ଓଡ଼ିଶା ଦେଶରେ ପଂଚମ ସ୍ଥାନରେ ରହିଛି । 
୨୦୦୦ ମସିହାରେ ରାଜ୍ୟରେ ପ୍ରାୟ ୧୦୧୨ ଏସସି ମାମଲା ଏବଂ ୧,୮୭୬ ଏସଟି ମାମଲା ରେକର୍ଡ କରାଯାଇଥିଲାବେଳେ ଦୁଇ ଦଶନ୍ଧି ମଧ୍ୟରେ ଏସସି ଅତ୍ୟାଚାରରେ ୧୪୬% ବୃଦ୍ଧି ଏବଂ ଏସଟି ଅତ୍ୟାଚାରରେ ୧୦୩% ବୃଦ୍ଧିକୁ ପାଇଛି । ଏସବୁ ମାମଲାରେ ୮୫%ରୁ ଅଧିକ ଚାର୍ଜସିଟ୍ ଦାଖଲ ସତ୍ତ୍ୱେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୬%ରୁ କମ୍ ରହିଛି । କୋରାପୁଟ, ସୁନ୍ଦରଗଡ଼ ଓ ୟୂରଭଞ୍ଜ ପରି ଆଦିବାସୀ ଜିଲ୍ଲାଗୁଡ଼ିକରେ କ୍ରମାଗତ ହିଂସା ଏବଂ ଦୁର୍ବଳ ଆଇନଗତ ବ୍ୟବସ୍ଥା ସମେତ ବିଚାରାଧୀନ ମାମଲା ଏବଂ ପର୍ଯ୍ୟାପ୍ତ ଫାଷ୍ଟଟ୍ରାକ୍ କୋର୍ଟ ନଥିବାରୁ ନ୍ୟାୟ ପ୍ରଦାନ ହାର ଦୁର୍ବଳ ହୋଇଛି ।


ସାଇବର ଅପରାଧରେ ଓଡ଼ିଶା ଟପ୍ ୧୦ରେ


ସାଇବର ଅପରାଧ ମାମଲା ୨୦୧୦ ମସିହାରେ ମାତ୍ର ୩୪ ଥିବାବେଳେ ୨୦୨୩ ମସିହାରେ ୧୨୧୩କୁ ବୃଦ୍ଧି ପାଇଛି ଯାହାକି ୩୫ ଗୁଣ ବଢ଼ିଛିି । ୨୦୨୩ ମସିହାରେ ଆର୍ଥିକ ଠକେଇ ୮୪୨ ମାମଲା ଥିବାବେଳେ, ମହିଳାଙ୍କୁ ଅନଲାଇନରେ ହଇରାଣର ୧୨୩ ମାମଲା ରୁଜୁ ହୋଇଛି । ମୋଟ୍ ସାଇବର ଅପରାଧ ମାମଲାରେ ଓଡ଼ିଶା ଜାତୀୟ ସ୍ତରରେ ୧୦ମ ସ୍ଥାନରେ ରହିଛି । ସାଇବର ଅପରାଧରେ ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୬.୪% ରହିଛି ଓ କେବଳ ଗୋଟିଏ ସାଇବର ସେଲ୍ (ଭୁବନେଶ୍ୱରରେ) କାର୍ଯ୍ୟକ୍ଷମ ରହିଥିବା ଏନସିଆରବି ରିପୋର୍ଟରେ ଉଲ୍ଲେଖ ଅଛି ।


୭୨ଜଣଙ୍କ ହାଜତ ମୃତ୍ୟୁ, ୨୩ବର୍ଷରେ ଉତ୍ତରଦାୟୀ ଶୂନ


୨୦୨୩ ମସିହାରେ ଓଡ଼ିଶାରେ ୭ଟି ହାଜତ ମୃତ୍ୟୁ (ନ୍ୟାୟିକ ହାଜତରେ ୫ଜଣ, ପୁଲିସ୍ ହାଜତରେ ୨ଜଣଙ୍କ) ହୋଇଥିବା ପଞ୍ଜିକୃତ କରାଯାଇଛି । ଯାହାକି ଓଡ଼ିଶାକୁ ସମଗ୍ର ଦେଶରେ ୬ଷ୍ଠ ସ୍ଥାନରେ ରଖିଛି । ତେବେ ଏହି ମାମଲାରେ ଜଣେ ବି ପୁଲିସ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କିମ୍ବା ଗିରଫ କରାଯାଇ ନାହିଁ । ୨୦୦୦ ମସିହାରୁ ୨୦୨୩ ମଧ୍ୟରେ ରାଜ୍ୟରେ ମୋଟ ୭୨ଟି ହାଜତ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଥିଲେ ମଧ୍ୟ କେହି ଜଣେ ବି ଉତ୍ତରଦାୟୀ ହୋଇନାହାନ୍ତି କିମ୍ବା ଦଣ୍ଡିତ ହୋଇନଥିବା ଜଣାପଡ଼ିଛି।


ସଡ଼କ ଦୁର୍ଘଟଣା ଓ ହିଟ୍ ଆଣ୍ଡ ରନ୍ ମାମଲା ବୃଦ୍ଧି


୨୦୨୩ ମସିହାରେ ରାଜ୍ୟରେ ସଡ଼କ ଦୁର୍ଘଟଣାର ୧୧୮୪୨ଟି ମାମଲା ପଞ୍ଜିକୃତ ହୋଇଛି ଯାହାକି ୨୦୨୨ ମସିହାର ୧୧୨୦୩ ତୁଳନାରେ ୫.୭% ଅଧିକ । ଏହି ଦୁର୍ଘଟଣାଗୁଡ଼ିକରେ ୫୨୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୮୪୨ ଜଣ ଆହତ ହୋଇଛନ୍ତି । ସେହିପରି ୨୦୨୩ ମସିହାରେ ରାଜ୍ୟରେ ହିଟ୍ ଆଣ୍ଡ ରନ୍ ମାମଲା ୨୦୮୭ରୁ ବୃଦ୍ଧି ପାଇ ୨୪୩୧ରେ ପହଞ୍ôଚଛି, ଯାହାକି ୧୬.୫% ଅଧିକ।

 ସାକ୍ଷୀଙ୍କ ଅଭାବ, ଫୋରେନସିକ୍ କ୍ରାସ୍ ରିକନଷ୍ଟ୍ରକ୍ସନ୍ ଏବଂ ଟ୍ରାଫିକ୍ ସର୍ଭେଲାନ୍ସର ଅଭାବ ଯୋଗୁ ହିଟ୍ ଆଣ୍ଡ ରନ୍ ମାମଲାଗୁଡ଼ିକରେ ଦୋଷୀ ସାବ୍ୟସ୍ତ ହାର ୫%ରୁ ବି କମ୍ ରହିଛି । ଯାହାକି ଓଡ଼ିଶାରେ ଯାନବାହନ ସୁରକ୍ଷା ଏବଂ ବ୍ୟକ୍ତିଗତ ନିରାପତ୍ତା କ୍ଷେତ୍ରରେ ଏକ ଉଦବେଗଜନକ ସ୍ଥିତିକୁ ଦର୍ଶାଉଛି । ବିଶେଷକରି ଖୋର୍ଦ୍ଧା, କଟକ ଏବଂ ଗଞ୍ଜାମ ଭଳି ଜିଲ୍ଲାଗୁଡ଼ିକରେ ହିଟ ଆଣ୍ଡ ରନ୍ ମାମଲା ଅଧିକ ପଞ୍ଜିକୃତ ହୋଇଛି।

Odisha Ncrb
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe