ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): " ଆମକୁ ଆଜି ପର୍ଯ୍ୟନ୍ତ ସପ୍ତମ ବେତନ କମିଶନ ସୁପାରିସ୍ ଆଧାରରେ ବର୍ଦ୍ଧିତ ଦରମା ଦିଆଯାଇ ନାହିଁ। ଦୀର୍ଘ ବର୍ଷଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ଏଯାଏଁ ପ୍ରଥମ ଶ୍ରେଣୀ ପାହ୍ୟାକୁ ପଦୋନ୍ନତି ମିଳୁନାହିଁ।" ଓଡ଼ିଶା ରାଜସ୍ୱ ସେବା ସଂଘ ଏଭଳି ଅଭିଯୋଗ କରିଛି।
ପୂର୍ବରୁ ରାଜସ୍ୱ ମନ୍ତ୍ରୀଙ୍କ ସହ ଏ ସମ୍ପର୍କରେ ବହୁବାର ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ବାଧ୍ୟ ହୋଇ ଡିସେମ୍ବର ୨୬ରୁ ସାରା ରାଜ୍ୟରେ ୮୯୨ ଜଣ ରାଜସ୍ୱ ଅଧିକାରୀ ସମୂହ ଛୁଟିରେ ରହିଛୁ ବୋଲି ସଂଘ ସଫା ସଫା ଜଣାଇ ଦେଇଛି।
ଏଭଳି ପଦକ୍ଷେପ ନେବା ପୂର୍ବରୁ ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାରଙ୍କୁ ଜଣାଇଥିଲେ ମଧ୍ୟ ସେ କିଛି ପଦକ୍ଷେପ ନେଇ ନଥିଲେ ବୋଲି ସଂଘର ସମ୍ପାଦକ ହିତାଂଶୁ ଶେଖର ସୂଚନା ଦେଇଛନ୍ତି।
ଖାଲି ସେତିକି ନୁହେଁ ଏହି ଅସନ୍ତୋଷ କାରଣରୁ କର୍ମଚାରୀମାନେ ପୂର୍ବରୁ କଳାବ୍ୟାଜ ପରିଧାନ କରିଛନ୍ତି। ସରକାରଙ୍କ ବହୁ ଭିଡିଓ କନଫରେନ୍ସକୁ ମଧ୍ୟ ବର୍ଜନ କରିଛନ୍ତି ବୋଲି ସଂଘର ସଭାପତି ପୁରନ୍ଦର ନନ୍ଦ ଜଣାଇଛନ୍ତି।
ଜଣେ ଅଧିକାରୀଙ୍କ କହିବା ଅନୁସାରେ ବର୍ତ୍ତମାନର ଏଭଳି ପରିସ୍ଥିତି ପାଇଁ ଜନସାଧାରଣ ଜାତି, ଆୟ ପ୍ରମାଣପତ୍ର ଆଦି ବିଭିନ୍ନ ଡକ୍ୟୁମେଣ୍ଟ୍ ହାସଲ କରିପାରୁନାହାନ୍ତି।