Advertisment

Odisha scraps ବ୍ରିଟିଶ ଶାସନକାଳର ମଜୁରୀ ନିୟମ ରଦ୍ଦ: ଏଣିକି ପରିବାରର ଖର୍ଚ୍ଚ ଓ କାର୍ଯ୍ୟଦକ୍ଷତା ଆଧାରରେ ସ୍ଥିର ହେବ ମଜୁରୀ, ବିଜ୍ଞପ୍ତି ଜାରି

‘ଓଡ଼ିଶା ମଜୁରୀ ପ୍ରଦାନ ନିୟମ-୧୯୩୬ ଓ ଓଡ଼ିଶା ସର୍ବନିମ୍ନ ମଜୁରୀ ନିୟମ-୧୯୫୪’କୁ ସମ୍ପୂର୍ଣ୍ଣ ରଦ୍ଦ କରି କେନ୍ଦ୍ର ସରକାରଙ୍କ ‘କୋଡ୍ ଅନ୍ ୱେଜ୍‌-୨୦୧୯’କୁ ଆଧାର କରି ରାଜ୍ୟ ସରକାର ‘ଓଡ଼ିଶା କୋଡ୍ ଅନ୍ ୱେଜ ରୁଲସ-୨୦୨୬’ର ଚିଠା ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ୪୫ଦିନ ସୁଦ୍ଧା ଆପତ୍ତି-ଅଭିଯୋଗ କରିପାରିବେ।

author-image
Prakaash Sethi
NEW-wage-Code

କେନ୍ଦ୍ର ସରକାରଙ୍କ ନୂଆ ସଂଶୋଧିତ ଶ୍ରମ ଆଇନକୁ ଶ୍ରମିକ ସଂଗଠନଗୁଡ଼ିକର ବିରୋଧ ମଧ୍ୟରେ ଓଡ଼ିଶା ସରକାର ନିଜର ୯୦ବର୍ଷ ପୁରୁଣା ବ୍ରିଟିଶ ଶାସନକାଳର ମଜୁରୀ ନିୟମ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫେବୃୟାରୀ ୧୧ତାରିଖରେ ଜାରି ସଂଶୋଧିତ ନିୟମ ମାଧ୍ୟମରେ ରାଜ୍ୟରେ ଶ୍ରମିକମାନଙ୍କ ମଜୁରୀ ନିର୍ଦ୍ଧାରଣ ପାଇଁ ନୂଆ ମାନଦଣ୍ଡ, ସେମାନଙ୍କ ପରିବାରକୁ ସାମାଜିକ ସୁରକ୍ଷା, କାର୍ଯ୍ୟ ସମୟ ଓ ସେମାନଙ୍କ ଅଧିକାରକୁ ଅଧିକ ସୁଦୃଢ଼ କରିବାର ପ୍ରାବଧାନ ରହିଛି ।

Advertisment


‘ଓଡ଼ିଶା ମଜୁରୀ ପ୍ରଦାନ ନିୟମ-୧୯୩୬ ଓ ଓଡ଼ିଶା ସର୍ବନିମ୍ନ ମଜୁରୀ ନିୟମ-୧୯୫୪’କୁ ସମ୍ପୂର୍ଣ୍ଣ ରଦ୍ଦ କରି କେନ୍ଦ୍ର ସରକାରଙ୍କ ‘କୋଡ୍ ଅନ୍ ୱେଜ୍‌-୨୦୧୯’କୁ ଆଧାର କରି ରାଜ୍ୟ ଶ୍ରମ ବିଭାଗ ‘ଓଡ଼ିଶା କୋଡ୍ ଅନ୍ ୱେଜ ରୁଲସ-୨୦୨୬’ର ଚିଠା ବିଜ୍ଞପ୍ତି ପ୍ରକାଶ କରିଛନ୍ତି।ଏହି ନୂଆ ନିୟମ ସମଗ୍ର ରାଜ୍ୟରେ ଲାଗୁ ହେବ ଓ ଏହି ନିୟମକୁ ନେଇ ୪୫ଦିନ ମଧ୍ୟରେ ଜନସାଧାରଣ ନିଜର ଆପତ୍ତି ଅଭିଯୋଗ ଶ୍ରମ ବିଭାଗକୁ ଜଣାଇ ପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।


ନୂଆ ଢ଼ାଂଚାରେ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ଓ  ଆବଶ୍ୟକତାକୁ ଗୁରୁତ୍ୱ

ପ୍ରଚଳିତ ନିୟମରେ ( Minimum Wage) ମଜୁରୀ ନିର୍ଦ୍ଧାରଣ ପାଇଁ କୌଣସି ସ୍ପଷ୍ଟ ଗାଣିତିକ ମାନଦଣ୍ଡ ନଥିବାବେଳେ ନୂଆ ନିୟମରେ ସରକାର ଜଣେ ଶ୍ରମିକଙ୍କ ପରିବାରର ସର୍ବନିମ୍ନ ଆବଶ୍ୟକତାକୁ ଗୁରୁତ୍ୱ ଦେବେ। ଏଥିରେ ଜଣେ ଶ୍ରମିକ, ତାଙ୍କ ଜୀବନସାଥୀ ଓ ଦୁଇ ସନ୍ତାନଙ୍କୁ ନେଇ ଗଠିତ ଏକ ଆଦର୍ଶ ପରିବାରର ଖାଦ୍ୟ, ପୋଷାକ, ଶିକ୍ଷା, ଚିକିତ୍ସା, ଘରଭଡ଼ା ଆଦିକୁ ଆଧାର କରି ମଜୁରୀ ସ୍ଥିର କରାଯିବ। ପରିବାରକୁ ମୋଟ ‘୩ଟି ଆଡଲ୍‌ଟ କଞ୍ଜମ୍ପସନ୍ ୟୁନିଟ୍‌' ଭାବେ ଧରାଯିବ। 

Advertisment

ପ୍ରତ୍ୟେକ ୟୁନିଟ୍ ପାଇଁ ଦୈନିକ ୨୭୦୦ କ୍ୟାଲେରୀର ପୁଷ୍ଟିକର ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତାକୁ ମଜୁରୀ ନିର୍ଦ୍ଧାରଣର ଆଧାର କରାଯିବ। ଖାଦ୍ୟ ଓ ପୋଷାକ ପାଇଁ ହେଉଥିବା ମୋଟ ଖର୍ଚ୍ଚର ୧୦ ପ୍ରତିଶତ ଅଂଶକୁ ‘ଘରଭଡ଼ା' ଭାବେ ଗଣନା କରାଯିବ। ଜାଳେଣି, ବିଦ୍ୟୁତ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ର୍ଖଚ୍ଚ ପାଇଁ ସର୍ବନିମ୍ନ ମଜୁରୀର ୨୦ ପ୍ରତିଶତ ଅଂଶ ଧାର୍ଯ୍ୟ ହେବ। ପ୍ରତ୍ୟେକଙ୍କୁ ବାର୍ଷିକ ୬୬ମିଟର କପଡ଼ା,ଶ୍ରମିକଙ୍କ ପିଲାମାନଙ୍କ ଶିକ୍ଷା, ପରିବାରର ଚିକିତ୍ସା ଆବଶ୍ୟକତା, ମନୋରଞ୍ଜନ ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ସର୍ବନିମ୍ନ ମଜୁରୀର ୨୫ ପ୍ରତିଶତ ଅଂଶ ଅଲଗା ଭାବେ ଯୋଡ଼ାଯିବ।

କେବଳ ସେତିକି ନୁହେଁ, ବଜାରରେ ଦରଦାମ ବୃଦ୍ଧି ହେଲେ ବର୍ଷକୁ ଦୁଇଥର(ଏପ୍ରିଲ ଓ ଅକ୍ଟୋବର) ମାସରେ ମହଙ୍ଗା ଭତ୍ତା ବା ଭିଡିଏରେ ବାଧ୍ୟତାମୂଳକ ସଂଶୋଧନ କରାଯିବ । ମଜୁରୀ ନିର୍ଦ୍ଧାରଣବେଳେ ଶ୍ରମିକଙ୍କୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ ଅଭିଜ୍ଞତାକୁ ମଧ୍ୟ ବିଚାରକୁ ନିଆଯିବ । ସରକାର ଶ୍ରମିକମାନଙ୍କୁ ୪ଟି ବର୍ଗ ଯଥା- ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚକୁଶଳୀ ବର୍ଗରେ ବିଭକ୍ତ କରିଛନ୍ତି । 


ସାପ୍ତାହିକ ବିଶ୍ରାମ,ଓଭରଟାଇମ୍ ଓ କାର୍ଯ୍ୟାବଧିର ନୂଆ ନିୟମ

ନୂଆ ନିୟମ ଅନୁଯାୟୀ, ଜଣେ ଶ୍ରମିକଙ୍କ ପାଇଁ ଦୈନିକ ୮ ଘଣ୍ଟା କାର୍ଯ୍ୟ ଅବଧି ଧାର୍ଯ୍ୟ ହୋଇଛି ।  ଯଦି ନିଯୁକ୍ତିଦାତା ୮ଘଣ୍ଟାରୁ ଅଧିକ ସମୟ ଖଟାନ୍ତି, ତେବେ ସେହି ଅଧିକ  ସମୟ ପାଇଁ ତାଙ୍କୁ ସାଧାରଣ ଦରମାଠାରୁ ଦୁଇଗୁଣା ବା ‘ଓଭରଟାଇମ୍ ରେଟ୍‌'ରେ ମଜୁରୀ ଦେବେ। ସେହିପରି ସପ୍ତାହକୁ ଗୋଟିଏ ଦିନ ଛୁଟି ମିଳିବା ବାଧ୍ୟତାମୂଳକ ।  ଯଦି ଜଣେ ଶ୍ରମିକ ଛୁଟି ଦିନରେ କାମ କରନ୍ତି, ତେବେ ତାଙ୍କୁ ଓଭରଟାଇମ୍ ହାରରେ ଦୁଇଗୁଣା ମଜୁରୀ ଦିଆଯିବ ଓ ତାଙ୍କୁ ଏହା ବଦଳରେ ଅନ୍ୟ କୌଣସି ଦିନ ଛୁଟି ମିଳିବ। ମାତ୍ର କୌଣସି ଶ୍ରମିକଙ୍କୁ କ୍ରମାଗତ ୧୦ ଦିନରୁ ଅଧିକ ସମୟ ବିନା ବିଶ୍ରାମରେ କାମ କରାଇପାରିବେ ନାହିଁ। ରାତିରେ କାମ କରୁଥିବା ଶ୍ରମିକଙ୍କ ପାଇଁ ସିଫ୍ଟ ଶେଷ ହେବାପରେ ୨୪ ଘଣ୍ଟାର ବିଶ୍ରାମ ସମୟ ଧାର୍ଯ୍ୟ ହୋଇଛି। 

କୌଣସି ସଂସ୍ଥା ନିଜ ଇଚ୍ଛାରେ ଶ୍ରମିକଙ୍କ ମଜୁରୀରୁ ୫୦ ପ୍ରତିଶତରୁ ଅଧିକ ଅର୍ଥ କାଟିପାରିବେ ନାହିଁ। ଯଦି କୌଣସି କାରଣବଶତଃ ଶ୍ରମିକଙ୍କ ଦ୍ୱାରା କ୍ଷୟକ୍ଷତି ହୋଇଥାଏ, ତେବେ ଶ୍ରମିକଙ୍କୁ ନିଜର ପକ୍ଷ ରଖିବା ପାଇଁ ଉପଯୁକ୍ତ ସୁଯୋଗ ଦିଆଯିବ। ଜୋରିମାନା ଲାଗୁ କରିବା ପୂର୍ବରୁ ସ୍ଥାନୀୟ ଶ୍ରମ ଅଧିକାରୀଙ୍କ ଅନୁମୋଦନ ନେବାକୁ ପଡ଼ିବ। ଯଦି ଜଣେ ଶ୍ରମିକଙ୍କୁ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ନମିଳେ କି ଓଭରଟାଇମ୍ ଓ ବୋନସ୍ ପାଇବାରେ ବିଳମ୍ବ ହୁଏ ସେ ସିଧାସଳଖ କିମ୍ବା ଶ୍ରମ ସଂଗଠନ ମାଧ୍ୟମରେ ନିର୍ଦ୍ଧାରିତ ଫର୍ମ-୨ ମାଧ୍ୟମରେ ଉଭୟ ଅନଲାଇନ୍ ଓ ଅଫଲାଇନରେ ନିର୍ଦ୍ଧାରିତ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ ।

 ଅଭିଯୋଗ ଆଧାରରେ କର୍ତ୍ତୃପକ୍ଷ ନୋଟିସ୍ ପଠାଇ ନିଯୁକ୍ତିଦାତାଙ୍କୁ ଶୁଣାଣି ପାଇଁ ଡକାଇବେ ଓ ଯଦି ନିଯୁକ୍ତିଦାତା ଅନୁପସ୍ଥିତ ରହନ୍ତି, ତେବେ ଶ୍ରମିକଙ୍କ ପକ୍ଷ ଶୁଣି କର୍ତ୍ତୃପକ୍ଷ ଏକତରଫା ଆଦେଶ ପ୍ରଦାନ କରିପାରିବେ । କୌଣସି ପକ୍ଷ ଶୁଣାଣିରେ ଅସନ୍ତୁଷ୍ଟ ହେଲେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅପିଲ୍ ମଧ୍ୟ କରିପାରିବେ ।

ମଜୁରୀ ସ୍ଲିପ୍ ଓ ୫ବର୍ଷ ପର୍ଯ୍ୟନ୍ତ ତଥ୍ୟ ସଂରକ୍ଷଣ ବାଧ୍ୟତାମୂଳକ

ପ୍ରତ୍ୟେକ ନିଯୁକ୍ତିଦାତା ଓ ସଂସ୍ଥା ନିଜର ଶ୍ରମିକଙ୍କ ପଞ୍ଜିକରଣ, ମଜୁରୀ ବିବରଣୀ ଓ ଉପସ୍ଥାନକୁ ନିର୍ଦ୍ଧାରିତ ଫର୍ମାଟରେ ପଞ୍ଜିକୃତ କରିବେ । ନିଯୁକ୍ତିଦାତାମାନେ ପ୍ରତି ମାସରେ ଶ୍ରମିକଙ୍କୁ ଫର୍ମ-୫ ରେ ଏକ ‘ୱେଜ୍ ସ୍ଲିପ୍‌' ବା ଦରମା କାଗଜ ଦେବା ବାଧ୍ୟତାମୂଳକ, ଯେଉଁଥିରେ ମଜୁରୀର ସମସ୍ତ ବିବରଣୀ ରହିବ । ଏହା ବ୍ୟତୀତ ନିଯୁକ୍ତିଦାତାଙ୍କୁ ଶ୍ରମିକଙ୍କ ଉପସ୍ଥାନ ଓ ମଜୁରୀ ସମ୍ବନ୍ଧୀୟ ରେଜିଷ୍ଟରକୁ ଅତିକମରେ ୫ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ ରଖିବାକୁ ହେବ।

ଛୋଟମୋଟ ଭୁଲ୍ ପାଇଁ ନିଯୁକ୍ତିଦାତାଙ୍କୁ ଫର୍ମ-୬ରେ ଆବେଦନ ସହ ୫୦ ପ୍ରତିଶତ ଜୋରିମାନା ଦେଇ ମାମଲାର ଆପୋଷ ସମାଧାନ କରିବାର ସୁଯୋଗ ମଧ୍ୟ ଦିଆଯାଇଛି । ଲେବର ଇନ୍ସପେକ୍ଟରମାନେ କେବଳ ଯାଂଚକାରୀ ନୁହେଁ, ଏଣିକି ସହାୟକ ବା ଫାସିଲିଟେଟର ଭାବେ କାର୍ଯ୍ୟ କରିବେ ଓ ଉକ୍ତ ପଦବୀର ନାମକରଣ ମଧ୍ୟ ତଦୁନୁରୂପ ହୋଇଛି । 


ଶ୍ରମିକଙ୍କ ଉତ୍ତରାଧିକାରୀ ଓ ପରିବାରର ସାମାଜିକ ସୁରକ୍ଷା

ଶ୍ରମିକଙ୍କ ସୁରକ୍ଷା ପାଇଁ ନୋମିନି ବା ଉତ୍ତରାଧିକାରୀ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ପ୍ରତ୍ୟେକ ଶ୍ରମିକ ଫର୍ମ-୭ ମାଧ୍ୟମରେ ନିଜ ପରିବାର ସଦସ୍ୟଙ୍କୁ ନୋମିନି ଭାବେ ଚୟନ କରିବେ । ଯଦି ଶ୍ରମିକଙ୍କ ସହ କୌଣସି ଅଘଟଣ ଘଟେ, ବା ଶ୍ରମିକ ନିଖୋଜ ହୋଇଯାଆନ୍ତି, ତେବେ ନିଯୁକ୍ତିଦାତା ସେହି ଟଙ୍କାକୁ ସ୍ଥାନୀୟ ଡିଭିଜନାଲ୍ ଲେବର କମିଶନରଙ୍କ ପାଖରେ ଜମା କରିବେ। କମିଶନର ସେହି ଅର୍ଥକୁ ୨ମାସ ମଧ୍ୟରେ ଶ୍ରମିକଙ୍କ ପରିବାରକୁ ହସ୍ତାନ୍ତର କରିବେ। ଏହି ବ୍ୟବସ୍ଥା ଶ୍ରମିକଙ୍କ ଅନୁପସ୍ଥିତିରେ ତାଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବ।  ଯଦି ୭ବର୍ଷ ପର୍ଯ୍ୟନ୍ତ କେହି ଦାବିଦାର ନରହିବେ, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହା ଶ୍ରମିକଙ୍କ କଲ୍ୟାଣରେ ବ୍ୟବହାର ହେବ ।


ଶ୍ରମିକ ଉପଦେଷ୍ଟା ବାର୍ଡରେ ରହିବେ ଏକତୃତୀୟାଂଶ ମହିଳା

ଶ୍ରମିକମାନଙ୍କ ମଜୁରୀ ଓ ସୁରକ୍ଷା ଆଦି ନିର୍ଦ୍ଧାରଣ-ତଦାରଖ ପାଇଁ Odisha ଶ୍ରମ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ‘ବୈଷୟିକ କମିଟି' କାର୍ଯ୍ୟ କରିବ। ଏହି ନିୟମାବଳୀକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ରାଜ୍ୟସ୍ତରରେ ଗୋଟିଏ ‘ରାଜ୍ୟ ଉପଦେଷ୍ଟା ବୋର୍ଡ' ଗଠନ ହେବ, ଯେଉଁଥିରେ ସରକାରୀ ପ୍ରତିନିଧିଙ୍କ ସହ ସମାନ ସଂଖ୍ୟକ ନିଯୁକ୍ତିଦାତା ଓ ଶ୍ରମିକ ପ୍ରତିନିଧି ରହିବେ। ଏହି ବୋର୍ଡରେ ଅତିକମରେ ଏକତୃତୀୟାଂଶ ମହିଳା ସଦସ୍ୟା ରହିବା ବାଧ୍ୟତାମୂଳକ କରାଯାଇଛି । ବିଭିନ୍ନ କର୍ପୋରେଟ ସଂସ୍ଥା, କଳକାରଖାନା, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକମାନଙ୍କ ସୁରକ୍ଷାରେ ଏହି ମଜୁରୀ ନିୟମ ବେଶ୍ ସହାୟକ ହେବ ବୋଲି ଜଣାପଡ଼ିଛି ।

Minimum Wage Odisha