
OPRB Chairman Susant Nath
ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଦାବି ଜୋରଦାର କରିଛନ୍ତି । ଏହାସହିତ ଓପିଆରବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ ଓ ଗୃହ ସଚିବ ସତ୍ୟବ୍ରତ ସାହୁଙ୍କୁ ତଦନ୍ତ ପରିସରଭୁକ୍ତ କରିବା ନିମନ୍ତେ ବିଜେଡି ଦାବି କରିଥିବାବେଳେ କଂଗ୍ରେସ ମଧ୍ୟ ଅନୁରୂପ ଦାବି ଦୋହରାଇଛି । ସିବିଆଇ ତଦନ୍ତ ନହେଲେ ବିଜେଡି ଆସନ୍ତା ୬ତାରିଖରେ ରାଜରାସ୍ତାରେ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି । ତେବେ କ୍ରାଇମବ୍ରାଂଚ ତଦନ୍ତ କରୁଛି ଓ ଦୋଷୀ ଯିଏ ବି ହେଉ ତାକୁ ଜେଲ ପଠାଯିବ ବୋଲି ଶାସକ ବିଜେପି କହିଛି । ଅନ୍ୟପକ୍ଷରେ ମୁଖ୍ୟ ସଚିବ ମନୋଜ ଆହୁଜା ଆଜି ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ପୁଲିସ ଏସଆଇ ନିଯୁକ୍ତି ଅନିୟମିତତାର ସମୀକ୍ଷା କରିଛନ୍ତି ।
ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବଙ୍କୁ ତଦନ୍ତ ପରିସରଭୁକ୍ତ କର : ବିଜେଡି
ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇ କ୍ରାଇମବ୍ରାଂଚ ଦ୍ୱାରା ଏସଆଇ ପରୀକ୍ଷା ଦୁର୍ନୀତି ତଦନ୍ତ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି । ତଦନ୍ତ ପ୍ରକ୍ରିୟାକୁ ନେଇ ସମସ୍ତେ ସନ୍ଦେହ କରୁଛନ୍ତି । ଓପିଆରବି ଅଧ୍ୟକ୍ଷ ଓ ଗୃହ ବିଭାଗର ସଚିବଙ୍କୁ କାହିଁକି ତଦନ୍ତଭୁକ୍ତ କରାଯାଉ ନାହିଁ । ଢେଙ୍କାନାଳ ଲିଙ୍କ୍ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯଦି ସ୍ୱଚ୍ଛ ତେବେ ଓପିଆରବି ଅଧ୍ୟକ୍ଷ ଓ ଗୃହ ବିଭାଗ ସଚିବଙ୍କୁ ତଦନ୍ତ ପରିସରଭୁକ୍ତ କରାନ୍ତୁ । କ୍ରାଇମବ୍ରାଂଚ ତଦନ୍ତ କରୁଛି କିନ୍ତୁ ଯିଏ ତଦନ୍ତ କରୁଛନ୍ତି ସେ ଓପିଆରବି ଅଧ୍ୟକ୍ଷଙ୍କ ଘନିଷ୍ଠ ବନ୍ଧୁ । ତଦନ୍ତ କିଭଳି ହେବ ଓ ଯୁବବର୍ଗ କିଭଳି ନ୍ୟାୟ ପାଇବେ ବୋଲି ସେ ପ୍ରଶ୍ନ କରିବା ସହ ତୁରନ୍ତ ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର ପାଇଁ ଦାବି କରିଛନ୍ତି ।
ସେହିପରି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି ଯେ, ଓପିଆରବି ଅଧ୍ୟକ୍ଷଙ୍କ ସୁଶାନ୍ତ ନାଥଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଲେ ବା ତାଙ୍କ ଦେହରେ ହାତ ମାରିଲେ ସେ ସରକାରଙ୍କ ସବୁ ପୋଲ୍ ଖୋଲିଦେବେ । ସେଥିପାଇଁ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି । ତୁରନ୍ତ ସବିଆଇ ତଦନ୍ତ ନହେଲେ ଯୁବ ଓ ଛାତ୍ର ବିଜେଡି ଆସନ୍ତା ୬ତାରିଖରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବ ।
୩୦୦କୋଟି ଟଙ୍କାର ସ୍କାମ: କଂଗ୍ରେସ, ସିବିଆଇ ତଦନ୍ତ ଦାବି
କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଦେବାଶୀଷ ନାୟକ, ସୋନାଲି ସାହୁ, ମନିଷାଦାସ ପଟ୍ଟନାୟକ ଓ ଛାତ୍ର ନେତା ବିଭୂତି ଭୂଷଣ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ୩୦୦ କୋଟି ଟଙ୍କାର ସ୍କାମ । ଚାକିରି ଦେବା ପାଇଁ ଜଣେ ଲେଖାଏଁ ପରୀକ୍ଷାର୍ଥୀଙ୍କଠୁ ୫୦ ଲକ୍ଷ ଟଙ୍କା ନିଆଯାଇଛି । ସୋନାଲି ସାହୁ କହିଛନ୍ତି, ପଂଚସଫ୍ଟ କମ୍ପାନୀର ମୁଖ୍ୟ ଶଙ୍କର ପୃଷ୍ଟି ହେଉଛନ୍ତି ବିଜେପିର ଜଣେ ଟାଣୁଆ ନେତା । ତାଙ୍କର ସମ୍ପର୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି ବିଭୂତି ଭୂଷଣ ମହାପାତ୍ର କହିଛନ୍ତି ଯେ, ନିଯୁକ୍ତି ଦୁର୍ନୀତି ଓଡ଼ିଶାରେ ଏକ ବ୍ୟବସାୟରେ ପରିଣତ ହୋଇଯାଇଛି । ପୂର୍ବ ଓ ବର୍ତ୍ତମାନର ସରକାର ଦଲାଲଙ୍କ ସହ ମିଶି ଏହି ଦୁର୍ନୀତି ଚଳାଇଛନ୍ତି । ଆମେ ଆଗରୁ ଦଲାଲଙ୍କ ବିଷୟରେ ସତର୍କ କରାଇଥିଲୁ, କିନ୍ତୁ ସରକାର ନିରବ ରହି ଚାକିରି ବିକ୍ରିକୁ ପ୍ରୋତ୍ସାହନ ଦେଇଛନ୍ତି । ତେଣୁ ପରୀକ୍ଷାର୍ଥୀଙ୍କୁ ମାସିକ ୨୦ହଜାର ଟଙ୍କାର ଭତ୍ତା ସହ କ୍ଷତିପୂରଣ ଏବଂ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ କଂଗ୍ରେସ ଦାବି କରିଛି ।
ବିଜେପିର ପାଲଟା ଜବାବ, କ୍ରାଇମବ୍ରାଂଚ ଛାଡ଼ିବ ନାହିଁ
ବିରୋଧୀ ଦଳର ଅଭିଯୋଗକୁ ଖଣ୍ଡନ କରି ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, ୨୪ ବର୍ଷ ଧରି ବିଜେଡି ଶାସନରେ ଚାଲିଥିବା ଏହା ଏକ ସଂଗଠିତ ଅପରାଧ । ଏତେ ବଡ଼ ଅପରାଧକୁ ଓଡ଼ିଶା ପୁଲିସ ଧରିବା ହେଉଛି ସରକାରଙ୍କ ସଫଳତା । କ୍ରାଇମବ୍ରାଂଚ କାହାକୁ ଛାଡ଼ିବ ନାହିଁ । ଏହା ବିଜେଡି ବେଳର କ୍ରାଇମବ୍ରାଂଚ ନୁହେଁ । ଦୋଷୀ ଯେଉଁ ପଦବୀରେ ଥାଉ, ଜେଲ ଯିବ । ବିଜେଡି ଶାସନରେ ତୃତୀୟ ମହଲାରୁ ସାର୍ଟିଫିକେଟ ଓ ଚାକିରି ବିକ୍ରି ହେଉଥିଲା । ଏବେ ସେମାନେ ନ୍ୟାୟ ଦେବାର କଥା କହୁଛନ୍ତି ବୋଲି ଶ୍ରୀ ମହାପାତ୍ର କଟାକ୍ଷ କରିଛନ୍ତି ।
ସମୀକ୍ଷା କଲେ ମୁଖ୍ୟ ସଚିବ
ମୁଖ୍ୟ ସଚିବ ମନୋଜ ଆହୁଜା ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହି ବୈଠକରେ ଗୃହ ସଚିବ, ପୁଲିସ ଡିଜି, ଓପିଆରବି ଅଧ୍ୟକ୍ଷ ଓ ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଓପିଆରବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ କହିଛନ୍ତି ଯେ, କ୍ରାଇମବ୍ରାଂଚ ତଦନ୍ତ ସରିବାକୁ ଅପେକ୍ଷା କରାଯାଇଛି । ତା’ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଯାହା ଅନ୍ତରୀଣ ପ୍ରସଙ୍ଗ ଅଛି ସେ ବିଷୟରେ ବୈଠକରେ ଆଲୋଚନା ହେଲା । ଓପିଆରବିର ଯାହା ଆଭିମୁଖ୍ୟ ରହିଛି ତାହା ଅବଗତ କରାଇଛୁ ବୋଲି ଶ୍ରୀ ନାଥ କହିଛନ୍ତି ।
ସୂଚନାଯୋଗ୍ୟ, କ୍ରାଇମବ୍ରାଂଚ ଆଜି ଆଉ ଜଣେ ଅଭିଯୁକ୍ତ ବିଶ୍ୱରଞ୍ଜନ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ୧୧୪ଜଣ ପରୀକ୍ଷାର୍ଥୀଙ୍କ ସମେତ ମୋଟ ୧୧୭ଜଣଙ୍କୁ ପୁଲିସ ଗିରଫ କରିଥିଲା । କ୍ରାଇମବ୍ରାଂଚ ପକ୍ଷରୁ ଏହି ପରୀକ୍ଷା ନିଯୁକ୍ତି ଅନିୟମିତତା ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ରତ୍ନପ୍ରଭା ଶତପଥୀ ଓ ତଦାରଖ ପାଇଁ ଏସପି ଅନୀଲ କୁମାର ବେଉରିଆଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
