ବିଡ଼ା ବିଡ଼ା ମାଲ ଦିଅ, ଚାକିରି ନିଅ ! ସିନ୍ଧୁକ କଥା ବୁଝୁଥିଲେ ସ୍ତ୍ରୀ, ଶଢ଼ୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ୍ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ଆୟବହିର୍ଭୂତ ସମ୍ପତ୍ତି ଠୁଳ ପଛରେ ଚାକିରି ବିକ୍ରିର ସାଂଘାତିକ ଅଭିଯୋଗ। ନିଯୁକ୍ତି ପ୍ରକ୍ରିୟାରେ ସ୍ୱଛତା ନଥିବା ଅଭିଯୋଗ ଆଣି ଅନେକ ଆଶାୟୀ ହାଇକୋର୍ଟଠୁ ରାଜ୍ୟ ସରକାରଙ୍କ ଦପ୍ତର ଯାଏଁ ଦୌଡ଼ିଛନ୍ତି । ଅଥଚ କୌଣସି ଫଳ ହୋଇନି। ବରଂ କିରାଣୀରୁ ବ୍ୟକ୍ତିଗତ ସଚିବ ବନିଥିବା ବାବୁ ବିରଞ୍ଚି ବହୁ ଶିକ୍ଷିତ ବେକାରୀଙ୍କ ସାଜିଥିଲେ ଭାଗ୍ୟ ବିଧାତା । ଆଉ ଚଳାଇଥିଲେ […]

8hb

Tapas Behera
  • Published: Sunday, 01 August 2021
  • , Updated: 02 August 2021, 12:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ୍ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ଆୟବହିର୍ଭୂତ ସମ୍ପତ୍ତି ଠୁଳ ପଛରେ ଚାକିରି ବିକ୍ରିର ସାଂଘାତିକ ଅଭିଯୋଗ। ନିଯୁକ୍ତି ପ୍ରକ୍ରିୟାରେ ସ୍ୱଛତା ନଥିବା ଅଭିଯୋଗ ଆଣି ଅନେକ ଆଶାୟୀ ହାଇକୋର୍ଟଠୁ ରାଜ୍ୟ ସରକାରଙ୍କ ଦପ୍ତର ଯାଏଁ ଦୌଡ଼ିଛନ୍ତି । ଅଥଚ କୌଣସି ଫଳ ହୋଇନି। ବରଂ କିରାଣୀରୁ ବ୍ୟକ୍ତିଗତ ସଚିବ ବନିଥିବା ବାବୁ ବିରଞ୍ଚି ବହୁ ଶିକ୍ଷିତ ବେକାରୀଙ୍କ ସାଜିଥିଲେ ଭାଗ୍ୟ ବିଧାତା । ଆଉ ଚଳାଇଥିଲେ ଚାକିରୀ କେଳେଙ୍କାରୀ । ଏଭଳି କିଛି ଚାଞ୍ଚଲ୍ୟକର ଅଭିଯୋଗ ଆଜି ସାମ୍ନାକୁ ଆସିଥିବାବେଳେ ଅମାପ ସଂପତ୍ତି ଅର୍ଜନ କରିଥିବା ବିରଞ୍ଚିଙ୍କ ସହ ତାଙ୍କ ପତ୍ନୀ ଓ ଶଢୁଙ୍କୁ ମୁଦାଲା ଦର୍ଶାଇ ତନାଘନା କରୁଛି ଭିଜିଲାନ୍ସ ।

ଯେତେ ଖୋଳିଲେ ସେତେ ବାହାରୁଛି। OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ଅମାପ କଳାଧନ ପେଡ଼ିର ରହସ୍ୟ ଫିଟୁଛି ।  କିରାଣୀରୁ କୋଟିପତି ପିଏସ୍ ବନିଥିବା ବାବୁ ବିରଞ୍ଚି ଯେ ସାଧାରଣ ତୃତୀୟ ଶ୍ରେଣୀ କର୍ମଚାରୀ ଥିଲେ ତାନୁହେଁ । ଶିକ୍ଷିତ ବେକାରୀଙ୍କ ଆଗରେ ସେ ଥିଲେ ଜଣେ ପ୍ରଭାବଶାଳୀ ବ୍ୟକ୍ତି । ଯିଏ ଯେଉଁଠି ଦେଖିଲେ ତାଙ୍କୁ ମୁଣ୍ଡିଆ ମାରୁଥିଲେ ନତମସ୍ତକ ହୋଇ ।

ନିଯୁକ୍ତି ପ୍ରକ୍ରିୟାରେ ଯଦି ଅନିୟମିତତା ହେଉଥିଲା, ତାପଛରେ ପିଏସ୍ ବିରଞ୍ଚି ନାରାୟଣ ସାହୁ ସାଜିଥିଲେ କି କାର୍ପଟଦାର୍ ? କାରଣ ଚଢ଼ାଉବେଳେ ବିରଞ୍ଚିଙ୍କ ଘରୁ ଏକାଧିକ ଆଡମିଟ୍‌ କାର୍ଡ ପାଇଛି ଭିଜିଲାନ୍ସ । ବିରଞ୍ଚିଙ୍କ ପଛରେ ଅଛନ୍ତି କି ବଡ଼ମୁଣ୍ଡ? ବର୍ଷ ବର୍ଷ ଧରି ଆଶାୟୀ ଅଭିଯୋଗ କରୁଥିଲେ ବି କାହିଁକି କାହା ବିରୋଧରେ ହୋଇନଥିଲା କାର୍ଯ୍ୟାନୁଷ୍ଠାନ ? ତେବେ OSSC ଅଧ୍ୟକ୍ଷ କିନ୍ତୁ ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଏଣେ ବିରଞ୍ଚିଙ୍କ ପତ୍ନୀ ଓ ଶଢ଼ୁଙ୍କ ନାଁରେ ବି ମାମଲା ରୁଜୁ କରିଛି ଭିଜିଲାନ୍ସ । ସୂଚନା ଅନୁଯାୟୀ, ପତ୍ନୀ ଏକ ବ୍ୟାଙ୍କର ବୀମା ଏଜେଣ୍ଟ ଭାବେ କାମ କରୁଥିଲେ ଏବଂ କମିଶନ ବାବଦକୁ ବର୍ଷକୁ ପାଉଥିଲେ ମୋଟା ଅଙ୍କର ଟଙ୍କା। ତେବେ ପତି-ପତ୍ନୀ ମିଶି କେମିତି ସାଢ଼େ ୩ କୋଟିରୁ ଅଧିକ ସଂପତ୍ତି ଅର୍ଜନ କଲେ ? OSSC ଜରିଆରେ ଚାକିରି ପାଇଥିବା କୌଣସି କର୍ମଚାରୀଙ୍କୁ ପଲିସି କରାଇଛନ୍ତି ପତ୍ନୀ? ଏସବୁର ଉତ୍ତର ଖୋଜିବା ପାଇଁ ଭିଜିଲାନ୍ସ OSSCରୁ ଗତ ୧୦ ବର୍ଷର ତଥ୍ୟ କାଢ଼ିବ ବୋଲି ସୂଚନା ମିଳିଛି। ତାସହ ଶଢୁଙ୍କ ଘରୁ ମିଳିଥିବା ୧୩ ଲକ୍ଷ ଟଙ୍କାର ବି ଖୋଳତାଡ଼ କରୁଛି। ଆବଶ୍ୟକସ୍ଥଳେ ବିରଞ୍ଚିଙ୍କୁ ରିମାଣ୍ଡରେ ନେଇ କେଳେଙ୍କାରୀର କଳାଚିଠା ଖୋଲିବ ଭିଜିଲାନ୍ସ।

Related story