
ରାଜ୍ୟର ବୈଷୟିକ ଶିକ୍ଷା ( Odisha Technical Education ) ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ରାଜ୍ୟର ସରକାରୀ ଇଞ୍ଜିନିୟରିଂ କଲେଜ, ଆଇଟିଆଇ ଓ ପଲିଟେକନିକଗୁଡ଼ିକରେ ବ୍ୟାପକ ଆର୍ଥିକ ଅନିୟମିତତା, ଶିକ୍ଷକ ମରୁଡ଼ି, ବିପର୍ଯ୍ୟସ୍ତ ପାଠପଢ଼ା, ପ୍ଲେସମେଂଟର ଅଭାବ ଓ ପ୍ରଶାସନିକ ବିଫଳତାର ବିକଟାଳ ଚିତ୍ର ପଦାକୁ ଆସିଛି । ସିଏଜିଙ୍କ ଦ୍ୱାରା ପ୍ରସ୍ତୁତ ଅଡିଟ୍ ରିପୋର୍ଟରେ ରାଜ୍ୟର ବୈଷୟିକ ଶିକ୍ଷାର ଏଭଳି ବିପର୍ଯ୍ୟସ୍ତ ସ୍ଥିତି ପଦାକୁ ଆସିଛି, ଯାହାକି ସରକାରୀ କଳର ଚରମ ବିଫଳତାକୁ ପ୍ରମାଣିତ କରାଇଛି ।
ଶିକ୍ଷକ ଅଭାବ ଓ ବିପର୍ଯ୍ୟସ୍ତ ପାଠପଢ଼ା
ଅଡିଟ୍ ରିପୋର୍ଟ ଅନୁସାରେ, ରାଜ୍ୟର ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ୨୦୨୫ ଜାନୁୟାରୀ ସୁଦ୍ଧ।। ମୋଟ ମଞ୍ଜୁରୀପ୍ରାପ୍ତ ପଦବୀରୁ ପ୍ରାୟ ୪୭ ପ୍ରତିଶତ ଖାଲି ପଡ଼ିଛି । ଯେଉଁଥିରେ ପ୍ରଫେସର ପଦବୀରେ ୭୩%, ଆସୋସିଏଟ୍ ପ୍ରଫେସର ପଦବୀରେ ୬୨% ଖାଲି ରହିଛି । ନିଯୁକ୍ତି ପାଇଁ କୌଣସି ସ୍ଥାୟୀ ନିୟମ ନଥିବାରୁ ବିଗତ ୫ବର୍ଷ ମଧ୍ୟରେ ଜଣେ ବି ନୂଆ ଫ୍ୟାକଲିଟି ନିଯୁକ୍ତି ପାଇନାହାନ୍ତି ।
ବିପିୟୁଟି ଭଳି ବିଶ୍ୱବିଦ୍ୟାଳୟରେ ଶିକ୍ଷକ-ଛାତ୍ର ଅନୁପାତ ଏବେ ୧:୮୧ ଭଳି ଲଜ୍ଜାଜନକ ସ୍ଥିତିରେ ପହଂଚିଛି, ଯାହା ଏଆଇସିଟିଇର ୧:୨୦ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରୁଛି । ସେହିପରି ସରକାରୀ ଆଇଟିଆଇଗୁଡ଼ିକରେ ୪୯ ପ୍ରତିଶତ ଓ ପଲିଟେକନିକଗୁଡ଼ିକରେ ପ୍ରାୟ ୩୫ ପ୍ରତିଶତ ପଦବୀ ଖାଲି ପଡ଼ିଥିବାବେଳେ ଛାତ୍ରଛାତ୍ରୀମାନେଙ୍କ ପାଠପଢ଼ା ଭଗବାନଙ୍କ ଭରସାରେ ଚାଲିଛି । ଆବଶ୍ୟକ ପରିମାଣର ଶିକ୍ଷକ ଅଭାବରୁ ପାଠପଢ଼ା ବାଧାପ୍ରାପ୍ତ ହେଉଛି ।
କ୍ୟାମ୍ପସ ପ୍ଲେସମେଣ୍ଟ ନାଁରେ ଧୋକା: ସରକାରଙ୍କ ବିଫଳତା ଜଳଜଳ
ସରକାରୀ କଲେଜଗୁଡ଼ିକରୁ ଇଞ୍ଜିନିୟରିଂ ଡିଗ୍ରୀ ପାସ୍ କରିବା ପରେ ଚାକିରି ପାଇବା ଏବେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଅଡିଟ୍ ରିପୋର୍ଟ ଅନୁସାରେ, ୨୦୧୯-୨୪ ମସିହା ମଧ୍ୟରେ ମାତ୍ର ୩୬ ପ୍ରତିଶତ ଯୋଗ୍ୟ ସ୍ନାତକ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ପ୍ଲେସମେଂଟ ମିଳିଛି । ଅର୍ଥାତ୍ ପ୍ରାୟ ୫୩୯୬ ଜଣ ଯୁବକଯୁବତୀ ଏବେବି ବେକାର ହୋଇ ବସି ରହିଛନ୍ତି । କଲେଜଗୁଡ଼ିକରେ କୌଣସି ଡେଡିକେଟେଡ୍ ଟ୍ରେନିଂ ଆଣ୍ଡ ପ୍ଲେସମେଂଟ ଅଫିସର ନାହାନ୍ତି।କେନ୍ଦୁଝର ଇଞ୍ଜିନିୟରିଂ କଲେଜର ଆଉଟସୋର୍ସିଂ ପ୍ଲେସମେଂଟ ଅଫିସର ବର୍ଷକ ମଧ୍ୟରେ ମାତ୍ର ଗୋଟିଏ ଶିଳ୍ପ ସଂସ୍ଥା ପରିର୍ଦଶନ କରିଥିବା ମଧ୍ୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତାକୁ ପଦାରେ ପକାଇ ଦେଇଛି ।
ଆଇଟିଆଇ କ୍ଷେତ୍ରରେ ପ୍ଲେସମେଣ୍ଟ ପରିସ୍ଥିତି ଆହୁରି ସାଂଘାତିକ । କଟକ ଆଇଟିଆଇରେ ମାତ୍ର ୨୦ % ଓ ଝାରସୁଗୁଡ଼ା ପଲିଟେକନିକରେ ମାତ୍ର ୧୮ % ଛାତ୍ରଛାତ୍ରୀ ନିଯୁକ୍ତି ପାଇବାରେ ସକ୍ଷମ ହୋଇଛନ୍ତି । ରାଜ୍ୟରେ ଶିଳ୍ପ ସଂସ୍ଥାଗୁଡ଼ିକର ଆବଶ୍ୟକତା ଓ କଲେଜରେ ପଢ଼ାଯାଉଥିବା ଶିକ୍ଷା ମଧ୍ୟରେ ରହିଥିବା ବିରାଟ ବ୍ୟବଧାନ ଯୋଗୁଁ ଛାତ୍ରଛାତ୍ରୀଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟରେ ପୁଳାପୁଳା କମ୍ପାନୀ ନିଜର ପ୍ରକଳ୍ପ ନିର୍ମାଣ କରୁଥିଲେ ମଧ୍ୟ ପ୍ରଶାସନିକ ବିଫଳତା ପାଇଁ ସରକାରୀ କଲେଜରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀମାନେ ପ୍ଲେସମେଂଟ ପାଇବାରେ ସଫଳ ହୋଇପାରୁନାହାନ୍ତି ।
ବୈଧ ଅନୁମୋଦନ ନଥାଇ ପାଠ୍ୟକ୍ରମ
ଅଡିଟ୍ ରିପୋର୍ଟ ଅନୁସାରେ, ରାଜ୍ୟରେ ସରକାରୀ କଲେଜଗୁଡ଼ିକରେ ବୈଧ ଅନୁମୋଦନ ନଥାଇ ୭ଟି ସ୍ନାତକ(ୟୁଜି) ଓ ୧୬ଟି ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ-କୋର୍ସ ଚାଲିଛି।
ବିପିୟୁଟି, ପିଏମଇସି ବ୍ରହ୍ମପୁର,ଜିସିଇ କଳାହାଣ୍ଡି ଓ ଆଇଜିଆଇଟି ସରାଙ୍ଗ ଭଳି ପ୍ରତିଷ୍ଠିତ ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଏହି ଅନିୟମିତତା ଯୋଗୁଁ ହଜାର ହଜାର ଛାତ୍ରଛାତ୍ରୀଙ୍କ ଡିଗ୍ରୀ ଏବଂ ବୃତ୍ତି ଉପରେ ସଙ୍କଟ ଦେଖାଦେଇଛି । ଏହି ଅନଧିକୃତ ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ବୃତ୍ତି, ଉଚ୍ଚଶିକ୍ଷା ଓ ଚାକିରି କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।
ଏହାସହିତ କଲେଜଗୁଡ଼ିକରେ ନାକ ଓ ଏନବିଏ ଭଳି ଜାତୀୟ ସ୍ତରର ମାନ୍ୟତା ନଥିବା ମଧ୍ୟ ଶିକ୍ଷାର ମାନକୁ ପ୍ରଭାବିତ କରୁଛି।କୋର୍ସ ଅନୁମୋଦନ ନଥାଇ ପାଠ ପଢ଼ିଥିବା ଛାତ୍ରଛାତ୍ରୀଙ୍କ ଡିଗ୍ରୀକୁ ବିଭିନ୍ନ ପ୍ରମୁଖ ସଂସ୍ଥାରେ ଚାକିରି ନିମନ୍ତେ ଗ୍ରହଣ କରାଯାଉନଥିବା ଜଣାପଡ଼ିଛି । ଏପରିକି କେତେକ ଶିକ୍ଷାନୁଷ୍ଠାନ ନିର୍ଦ୍ଧାରିତ ସିଟ୍ ସଂଖ୍ୟାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇଛନ୍ତି ।
ନାକ୍ କିମ୍ବା ଏନବିଏ ମାନ୍ୟତା ନଥିବା ବୈଷୟିକ ଶିକ୍ଷାନୁଷ୍ଠାନ ଓ ସେଗୁଡ଼ିକର ପାଠ୍ୟକ୍ରମଗୁଡ଼ିକ ବାହ୍ୟ ଗୁଣବତ୍ତା ଯାଂଚ ଅଭାବରୁ ଅନେକ ବଡ଼ ସମସ୍ୟା ଓ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ଏହି ଆହ୍ୱାନଗୁଡ଼ିକ ମଧ୍ୟରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ହ୍ରାସ ପାଇବା, ଶିକ୍ଷାନୁଷ୍ଠାନର ର୍ୟାଙ୍କିଙ୍ଗ୍ କମିଯିବା, ସରକାରୀ ପାଣ୍ଠି ପାଇବାରେ ଅସୁବିଧା ହେବା ଏବଂ ଶିଳ୍ପ ସଂସ୍ଥାଗୁଡ଼ିକ ଦ୍ୱାରା ସୀମିତ ସ୍ୱୀକୃତି ମିଳିବା ଆଦି ଅନ୍ତର୍ଭୁକ୍ତ ।
ବଡ଼ଧରଣର ଆର୍ଥିକ ଅନିୟମିତତା, ୧୪୧୦ କୋଟି ଟଙ୍କାର ଦୁରୂପଯୋଗ
ରାଜ୍ୟର ୫ଟି ବୃହତ୍ ସରକାରୀ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ବ୍ୟାଙ୍କ ଆକାଉଣ୍ଟରେ ୨୦୨୪ ମାର୍ଚ୍ଚ ସୁଦ୍ଧା ମୋଟ ୧୪୧୦.୪୮ କୋଟି ଟଙ୍କା ଅବ୍ୟବହୃତ ହୋଇ ପଡ଼ିରହିଛି, ଯାହାକି ବିକାଶମୂଳକ କାର୍ଯ୍ୟରେ ଲାଗିବା କଥା । ବିପିୟୁଟିର ବ୍ୟାଙ୍କ ବାଲାନ୍ସ ଓ କ୍ୟାସ୍ ବୁକ୍ ମଧ୍ୟରେ ୨୫.୯୬ କୋଟି ଟଙ୍କାର ଫରକ ରହିଛି, ଯାହା ଏକ ବଡ଼ଧରଣର ଆର୍ଥିକ ହେରଫେର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସେହିପରି ବ୍ୟାଙ୍କରେ କମ୍ ସୁଧ ହାରରେ ଟଙ୍କା ରଖିବା ଯୋଗୁଁ ଅନୁଷ୍ଠାନଗୁଡ଼ିକ ୬.୯୫ କୋଟି ଟଙ୍କାର ସୁଧ ହରାଇଛନ୍ତି । ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆର୍ଥିକ ପରିଚାଳନାରେ ମଧ୍ୟ ବ୍ୟାପକ ତ୍ରୁଟି ଦେଖାଦେଇଛି ।
ସେହିପରି ଏକ ଘରୋଇ ସଂସ୍ଥାକୁ କନସଲଟାଣ୍ଟ ଭାବେ ନିଯୁକ୍ତି ଦେଇ ବିପିୟୁଟି ଅଯଥାରେ ୧.୭୭ କୋଟି ଟଙ୍କା ଖର୍ଚ୍ଚ କରିଛି, ଯେଉଁମାନେ କି କେବଳ ସାଧାରଣ କିରାଣି କାମରେ ନିୟୋଜିତ ଥିଲେ । ହିଞ୍ଜିଳିକାଟୁ ଆଇଟିଆଇରେ ଛାତ୍ରଛାତ୍ରୀଙ୍କଠାରୁ ସଂଗୃହୀତ ୨୪.୮୫ ଲକ୍ଷ ଟଙ୍କାର ଫି' ବ୍ୟାଙ୍କରେ ଜମା ନକରି ଆତ୍ମସାତ କରାଯାଇଥିବା ସନ୍ଦେହ କରାଯାଉଛି ।
ଯନ୍ତ୍ରପାତି ପଡ଼ି ସଢ଼ୁଛି, କୋଟି କୋଟି ଟଙ୍କା ପାଣିରେ
ଅଡିଟରୁ ଜଣାପଡ଼ିଛି ଯେ, ବୈଷୟିକ ଶିକ୍ଷା ନାମରେ କୋଟି କୋଟି ଟଙ୍କାର ଯନ୍ତ୍ରପାତି କିଣାଯାଇ ଅଦରକାରୀ ଭାବେ ଫିଙ୍ଗାଯାଇଛି । ବିପିୟୁଟି ଦ୍ୱାରା ୧.୮୯ କୋଟି ଟଙ୍କାରେ କିଣାଯାଇଥିବା ସୁପର କମ୍ପ୍ୟୁଟିଂ ସୁବିଧା ତିନି ବର୍ଷ ହେଲା ବ୍ୟବହାର ହୋଇନାହିଁ । କଳାହାଣ୍ଡି ଇଞ୍ଜିନିୟରିଂ କଲେଜରେ ସିଏନସି ମିଲିଂ ମେସିନ୍ ସାମାନ୍ୟ ଯନ୍ତ୍ରପାତି ଅଭାବରୁ କାମ କରୁନଥିବା ବେଳେ ୧୬.୮୩ ଲକ୍ଷ ଟଙ୍କାର ସଫ୍ଟୱେୟାର ଚୋରି ହୋଇଥିବା କମ୍ପ୍ୟୁଟର ସହ ନଷ୍ଟ ହୋଇଯାଇଛି। କେନ୍ଦୁଝର ଇଞ୍ଜିନିୟରିଂ କଲେଜରେ ପ୍ରାୟ ୭.୦୪ ଲକ୍ଷ ଟଙ୍କାର ଡିଷ୍ଟାନ୍ସ ପ୍ରୋଟେକ୍ସନ ରିଲେ ୟୁନିଟ୍ ବାରମ୍ବାର ଚେଷ୍ଟା ପରେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ । ପ୍ରାୟ ୨.୫୩ କୋଟି ଟଙ୍କାର ଯନ୍ତ୍ରପାତି କେବଳ ପରିଚାଳନାଗତ ତ୍ରୁଟି ଯୋଗୁଁ ବ୍ୟର୍ଥ ହୋଇଛି ।
ଅନ୍ୟପଟେ ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ହଷ୍ଟେଲ ସମସ୍ୟା ଚରମ ସୀମାରେ ରହିଛି । । ଆଇଜିଆଇଟି ସାରଙ୍ଗରେ ୫୩୨ ଜଣ ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ହଷ୍ଟେଲରେ ୭୯୫ ଜଣ ଛାତ୍ରୀଙ୍କୁ ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ରଖାଯାଇଥିବାବେଳେ ୧୩୪୯ ଜଣ ଛାତ୍ରଙ୍କ ପାଇଁ ଥିବା ବ୍ୟବସ୍ଥାରେ ୧୫୧୩ ଜଣ ରହୁଛନ୍ତି । ସରକାରଙ୍କ ପାଖରେ ପାଣ୍ଠି ଥାଇ ମଧ୍ୟ ନୂତନ ହଷ୍ଟେଲ ନିର୍ମାଣ କାର୍ଯ୍ୟ ବର୍ଷ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡ଼ିରହିଛି ।
ସିଏଜିଙ୍କ ଅଡିଟରୁ ମିଳିଥିବା ଏସବୁ ତଥ୍ୟ ହିଁ ରାଜ୍ୟରେ ସରକାରୀସ୍ତରରେ ବୈଷୟିକ ଶିକ୍ଷା(Odisha education crisis) ର ବିକଟାଳ ଚିତ୍ରକୁ ପଦାରେ ପକାଇବା ସହ ଭବିଷ୍ୟତ ପୀଢ଼ୀ ପାଇଁ ସତର୍କଘଣ୍ଟି ସଦୃଶ ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
