/odisha-reporter/media/post_attachments/uploads/2022/06/vigilance-case.jpg)
vigilance-case
ଖଲିକୋଟ (ଓଡ଼ିଶା ରିପୋର୍ଟର): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ। ଏହି ବାବୁ ଜଣଙ୍କ ହେଉଛନ୍ତି ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡିର ଏଏସଆଇ ମାନସ କୁମାର ରାଉତ।
ସେ ଏକ ମାମଲା ରୁଜୁ କରିବା ପାଇଁ ଏତଲାକାରୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ପୂର୍ବ ଯୋଜନା ମୁତାବକ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ଏହି ପୁଲିସ ବାବୁଙ୍କୁ ଗିରଫ କରିଥିଲେ ଓ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଥିଲେ। ଟଙ୍କାରେ ଲାଗିଥିବା ପୁଲିସ ବାବୁଙ୍କ ଫିଙ୍ଗର ପ୍ରିଣ୍ଟକୁ ଭିଜିଲାନ୍ସ ପ୍ରମାଣ ଭାବେ ସାଇତି ନେଇଛି। ଫାଣ୍ଡି ନିକଟରେ ଥିବା ଏକ ପାନ ଦୋକାନ ନିକଟରେ ଲାଞ୍ଚୁଆ ବାବୁ ଜଣଙ୍କ ମାମଲା ରୁଜୁ କରିବା ନିମନ୍ତେ ଲାଞ୍ଚ ନେଉଥିଲେ। ଏତଲାକାରୀଙ୍କୁ ଏହି ପୁଲିସ ବାବୁ ଲାଞ୍ଚ ଦେଲେ ମାମଲା ରୁଜୁ କରିବେ ବୋଲି କହିଥିଲେ। ଯାହା ପରେ ଏତଲାକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଚଢ଼ାଉ କରିଥିବା ବ୍ରହ୍ମପୁର ଭିଜିଲାନ୍ସର ୫ ଜଣିଆ ଟିମ୍ ଟଙ୍କା ଜବତ କରିବା ପରେ ପୁଲିସ ବାବୁଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ଖୋଜିବା ଆରମ୍ଭ କରିଛି। ଏଥିନିମନ୍ତେ ଭିଜିଲାନ୍ସ ଟିମ ଲାଞ୍ଚୁଆ ପୁଲିସ ବାବୁଙ୍କ ଭଡ଼ା ଘର ଓ ଅଫିସ ଉପରେ ଚଢ଼ାଉ କରି ତନତନ ଯାଞ୍ଚ ମଧ୍ୟ କରିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା କରାଯାଇ ଅଧିକ ତଦନ୍ତ କରାଯାଉଥିବା ସୂଚନା ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
